କାରୋନା ଭୂତାଣୁ ପରେ ସାଇଟୋକାଇନ୍ ବ୍ଳାଷ୍ଟ ଫଳରେ ଶରୀରର ବିଭିନ୍ନ ମାଂସପେଶୀ ହାଡ, ଗଣ୍ଠିରେ ବ୍ୟଥା ଓ ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଉଛି। ଯାହାଫଳରେ ଦୈନନ୍ଦିନ ଜୀବନଯାପନ ଶୈଳୀ ମଧ୍ୟ ପ୍ରଭାବିତ ହେଉଛି। ଯେଉଁମାନଙ୍କର ପୂର୍ବରୁ ଗଣ୍ଠି ଯନ୍ତ୍ରଣା ବା ସେ ସଂପର୍କିତ ରୋଗ ରହିଛି କରୋନା ସଂକ୍ରମଣ ଦ୍ବାରା ସେମାନଙ୍କ ପୂର୍ବରୁ ଥିବା ରୋଗ ବଢିଯାଉଛି। ଏପରିକି ଯେଉଁମାନଙ୍କର ଏସବୁ ସମସ୍ୟା ନଥିଲା କରୋନା ସଂକ୍ରମଣ ପରେ ଏସବୁ ସମସ୍ୟା ସୃଷ୍ଟି ହେଉଛି। ହାତ ଓ ଗୋଡର ଗଣ୍ଠି ଦରଜ ହେବା ଏକ ସାଧାରଣ କଥା। ଅଳ୍ପ ବହୁତେ ବୟସ ନିର୍ବିଶେଷରେ ସମସ୍ତେ କିଛି ନା କିଛି ଯନ୍ତ୍ରଣା ଭୋଗିଥା’ନ୍ତି। ଆଉ କେତେକଙ୍କର ଦୀର୍ଘଦିନ ପାଇଁ ଗଣ୍ଠି ଦରଜ ହେବା ଓ ଫୁଲିବା ସମସ୍ୟା ଲାଗିରହିଥାଏ। ଏହାକୁ ଆଥ୍ରାଇଟିସ୍ କୁହାଯାଏ। ଏହା ବିଭିନ୍ନ ପ୍ରକାରର ଯଥା, ଇନ୍ଫେକ୍ସନ୍ ଆଥ୍ରାଇଟିସ୍, ରିମାଟଏଡ଼୍ ଆଥ୍ରାଇଟିସ୍ ଓ ଗାଉଟ୍ ଆଥ୍ରାଇଟିସ୍ ଇତ୍ୟାଦି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଫେକସନ୍ ଆଥ୍ରାଇଟିସ୍: ଟିବି ଜୀବାଣୁ, ଗଳାରେ ଇନ୍ଫେକସନ୍ କରୁଥିବା ଷ୍ଟ୍ରେପ୍ଟୋକୋକାଇ, ନିମୋନିଆ ଜୀବାଣୁ ଦ୍ବାରା ଗଣ୍ଠି ଦରଜ ଓ ଫୁଲା ରୋଗ ଦେଖାଯାଇଥାଏ। ଠିକ୍ ସମୟରେ ଓ ଠିକ୍ ଭାବରେ ଔଷଧ ଓ ଆଣ୍ଟିବାୟୋଟିକ୍ ବ୍ୟବହାର କଲେ ଏହା କମିଯାଏ। ଷ୍ଟ୍ରେପ୍ଟୋକୋକାଇ ଆଥ୍ରାଇଟିସ୍କୁ ରିଉମାଟିକ୍ ଆର୍ଥ୍ରାଇଟିସ୍ କୁହାଯାଏ। ଏହା ହୃଦ୍ରୋଗ ସହିତ ଜଡିତ।
ରିମାଟଏଡ଼୍ ଆଥ୍ରାଇଟିସ୍: ଏହା ସାଧାରଣତଃ ସ୍ତ୍ରୀ ଲୋକମାନଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଏ। ଏହା କଷ୍ଟଦାୟକ ଓ ଗଣ୍ଠି ମଧ୍ୟ ଫୁଲିଯାଏ। ଏପରିକି ଗଣ୍ଠିଗୁଡିକ ସାଧାରଣତଃ ଲାଲ ଦେଖାଯାଏ, ଉଷୁମ ଲାଗେ ଓ କେତେକ ସ୍ଥଳରେ ଗଣ୍ଠିରେ ପାଣି ଜମିଯାଏ। ରୋଗୀ ଦୁର୍ବଳ ହୋଇ ହାଲିଆ ହୋଇପଡେ। ହାତ ମୁଠା କରିହୁଏନି। ସମୟକ୍ରମେ ହାତ ଓ ଗୋଡର ଗଣ୍ଠିଗୁଡିକର ଆକାର ବଦଳିଯାଏ। ତା’ସାଙ୍ଗକୁ ରକ୍ତହୀନତା ହୋଇ ରୋଗୀ ଦୁର୍ବଳ ହୋଇପଡେ। ଶୀତଦିନରେ ଏହି ଯନ୍ତ୍ରଣା ଅଧିକ କଷ୍ଟଦାୟକ ହୋଇଥାଏ। ଏହି ପ୍ରକାର ରୋଗୀ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତା’ହେଲେ ରୋଗୀର ଯନ୍ତ୍ରଣା ଆହୁରି ବଢାଇ ଦିଏ। କାରଣ କରୋନା ସଂକ୍ରମଣରେ ସାଇଟୋକାଇନ୍ ନାମକ ରାସାୟନିକ ପଦାର୍ଥ ନିର୍ଗତ ହୋଇ ସାଇଟୋକାଇନ୍ ରିଲିଜ ସିଣ୍ଡ୍ରୋମ୍ ବା ସାଇଟୋକାଇନ୍ ଷ୍ଟର୍ମ କରି ଯନ୍ତ୍ରଣା ବଢାଇଦିଏ । ଏହାଦ୍ବାରା ମାଂଶପେଶୀ ପତଳା ହେବାକୁ ଲାଗେ ଓ ଯନ୍ତ୍ରଣା ବଢିଯାଏ। ଏପ୍ରକାର ରୋଗୀଙ୍କୁ ବିଶ୍ରାମ, ସୁଷମ ଖାଦ୍ୟ ଓ ଆସ୍ପିରିନ୍ ଟାବ୍ଲେଟ୍ ଦିଆଯାଏ। କେତେକ ସ୍ଥଳରେ ମାଲିସ ସହିତ ଗଣ୍ଠିରେ ଇଞ୍ଜେକସନ୍ ମଧ୍ୟ ଦେବାକୁ ପଡିଥାଏ।
ଗାଉଟ୍ ଆଥ୍ରାଇଟିସ୍: ଏହା ଏକପ୍ରକାର ହାଡର ମେଟାବଲିକ୍ ରୋଗ। ଏହା ଯନ୍ତ୍ରଣାଦାୟକ ଆଣ୍ଠୁଗଣ୍ଠି ରୋଗ। ଏହା ଏକ ଜିନ୍ଗତ ରୋଗ ମଧ୍ୟ। ସାଧାରଣତଃ ପୁରୁଷମାନଙ୍କର ମଧ୍ୟମ ବୟସରେ ଏହି ରୋଗ ଦେଖାଯାଇଥାଏ। ରକ୍ତରେ ୟୁରିକ୍ ଏସିଡ୍ ବଢିଯାଏ। ଯାହା ଜମାଟ ବାନ୍ଧି ଟଫି ସଦୃଶ ଗଣ୍ଠି ସଂଲଗ୍ନ ତନ୍ତୁରେ ରହି ଫୁଲିବା ସହ ଯନ୍ତ୍ରଣା ଦେଇଥାଏ। ଏହି ରୋଗ ହଠାତ୍ ଦେଖାଯାଇଥାଏ ଓ ଅନେକ ସ୍ଥଳରେ ବହୁଦିନ ପର୍ଯ୍ୟନ୍ତ ରହି ରୋଗୀକୁ କଷ୍ଟ ଦେଇଥାଏ। ଗଣ୍ଠିରେ ପାଣି ଜମିଗଲେ ଏହା ଅଧିକ ଯନ୍ତ୍ରଣା ଦେଇଥାଏ। କ୍ରମେ ଆଙ୍ଗୁଠିଗୁଡିକ ବିକୃତ ଦେଖାଯାଏ। ଶୀତଦିନରେ ଏହି ରୋଗୀମାନେ ଅଧିକ ଯନ୍ତ୍ରଣା ପାଇଥାନ୍ତି। ଔଷଧ ସହ ବିଶ୍ରାମ, ଅଧିକ ପାଣି, ଫଳରସ ପିଇବା ପାଇଁ ପରାମର୍ଶ ଦିଆଯାଏ। ସମୟେ ସମୟେ ଫୁଲାସ୍ଥାନରୁ ପାଣି କାଢିନେଲେ ରୋଗୀକୁ ଆରାମ ମିଳିଥାଏ।
ଅଷ୍ଟିଓ ଆଥ୍ରାଇଟିସ୍: ବିଶେଷକରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହା ଦେଖାଯାଏ। ଆଣ୍ଠୁ ଗଣ୍ଠି, ହାତର ଗଣ୍ଠିମାନ ଫୁଲି ଦରଜ ହୁଏ। ଗଣ୍ଠିମାନଙ୍କ ଭିତରେ ଥିବା ସାଇନୋଭିଆଲ ଫ୍ଲୁଇଡ୍ ଶୁଖିଗଲେ ହାଡ଼ ଦୁଇଟି ପରସ୍ପର ସହିତ ଘଷି ହୋଇ କଷ୍ଟ ହୋଇଥାଏ। ଚାଲିବା ସମୟରେ କିମ୍ବା ଉଠିବା ସମୟରେ ହାଡ ଘୂରି ହୋଇ ଯନ୍ତ୍ରଣା ବଢିଯାଏ। ଏପରିକି ସମୟକ୍ରମେ ଲୋକ ଅକର୍ମଣ୍ୟ ହୋଇପଡେ। ସାଧାରଣତଃ ବୟସ୍କା ସ୍ତ୍ରୀ ଲୋକମାନଙ୍କଠାରେ ଏହା ଦେଖାଯାଏ। ଏହି ରୋଗୀମାନେ ମୋଟା ଓ ଅଧିକ ଓଜନର ହୋଇଥାନ୍ତି। ତେଣୁ ରୋଗୀଙ୍କୁ ଓଜନ କମାଇବାକୁ କୁହାଯାଏ। ଏଥିପାଇଁ ଆଜିକାଲି ଜଏଣ୍ଟ ରିପ୍ଲେସ୍ମେଣ୍ଟ ଏକ ଅବ୍ୟର୍ଥ ବ୍ୟବସ୍ଥା। ଏହାଦ୍ବାରା ବହୁରୋଗୀ କଷ୍ଟରୁ ରକ୍ଷା ପାଇବା ସହ ଚଳାବୁଲା ମଧ୍ୟ କରିପାରନ୍ତି।
ବରିଷ୍ଠ ଅର୍ଥୋପେଡିକ୍ ସର୍ଜରି ବିଶେଷଜ୍ଞ,
ଆପୋଲୋ ହସ୍ପିଟାଲ