କରୋନା ସମୟରେ ଗର୍ଭବତୀ ମାନଙ୍କୁ ଅଧିକ ସତର୍କତାର ସହ ଚଳିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଗର୍ଭାବସ୍ଥାରେ ଯଦି ଜ୍ଵର ହୁଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଉଚିତ୍। କାରଣ କରୋନାଜନିତ ଅତ୍ୟଧିକ ଜ୍ଵର ହେଲେ ତାହା ଗର୍ଭସ୍ଥ ଶିଶୁକୁ ମଧ୍ୟ ନଷ୍ଟ କରିପାରେ। ଏହାଛଡା ମୁଣ୍ଡବ୍ୟଥା, ଦେହହାତ ଘୋଳାବିନ୍ଧା, ଥଣ୍ଡା, ଛିଙ୍କ ଆଦି ଲକ୍ଷଣ ଦେଖାଦେଲେ ତାର ଚିକିତ୍ସା କରିବ ଜରୁରୀ। କରୋନା ଆକ୍ରାନ୍ତ ଗର୍ଭବତୀମାନେ ଟୀକାକରଣକୁ ବନ୍ଦ କରନ୍ତୁ ନାହିଁ। ଟିଟାନସ ଟକ୍ସାଇଡ ଗର୍ଭାବସ୍ଥାରେ ଯେମିତି ନେବା କଥା ସେଭଳି ନିଅନ୍ତୁ। ବର୍ତ୍ତମାନ ସୁଦ୍ଧା ଗର୍ଭାବସ୍ଥାରେ କରୋନା ପ୍ରଭାବରେ କୌଣସି କ୍ଷତି ଘଟୁଥିବାର ନଜିର ନାହିଁ।
ଗର୍ଭାବସ୍ଥାରେ ଅନ୍ୟାନ୍ୟ ଅସୁବିଧା ଯଥା, ଅତ୍ୟଧିକ ରକ୍ତସ୍ରାବ, ପେଟରେ ଯନ୍ତ୍ରଣା, ଖୁବ ଜୋରରେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଆଦିର ଚିକିତ୍ସା ମଧ୍ୟ ସାଧାରଣଭାବେ କରାଯିବା ଦରକାର। କରୋନା ଲକ୍ଷଣ ନଥାଇ ଯଦି ସ୍ବାବ ପରୀକ୍ଷାରେ ରିପୋର୍ଟ ପଜିଟିଭ ଆସେ ତେବେ ଏଥିରେ କୌଣସି ପ୍ରକାର ସଙ୍କୋଚ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ। ଲକ୍ଷଣ ନଥିବା ଭାବି ଚିକିତ୍ସା ନକଲେ ଏହା ବିପଦ ଆଣିପାରେ। ଜଣେ ଗର୍ଭବତୀ ପ୍ରସବ ସମୟରେ କରୋନା ସଂକ୍ରମିତ ହେଲେ କୋଭିଡ ଚିକିତ୍ସା ସୁବିଧା ଥିବା ହସ୍ପିଟାଲରେ ହିଁ ନିଜର ସନ୍ତାନ ପ୍ରସବ କରାଇବା ଉଚିତ। କାହିଁକି ନା ପ୍ରସବ ସମୟରେ ଅନେକ ଅସୁବିଧା ଆସିବାର ଆଶଙ୍କା ଥାଏ। ଗର୍ଭାବସ୍ଥାରେ ପିଲାଟି ଜରାୟୁ ମଧ୍ୟରେ ରହି ଯେତେବେଳେ ଏହା ଅଧିକ ସ୍ଥାନ ଅଧିକାର କରେ ସେହି ସମୟରେ ଫୁସଫୁସକୁ ଅଧିକ ମାତ୍ରାରେ ପ୍ରସାରିତ କରିଥାଏ। ଯଦ୍ବାରା ଫୁସଫୁସଜନିତ ସମସ୍ୟା ପ୍ରସବ ସମୟରେ ଅଧିକ ମାତ୍ରାରେ ଦେଖାଦେଇଥାଏ। ପ୍ରସବ ସମୟରେ ନିଶ୍ବାସ ପ୍ରଶ୍ବାସର ଗତି ଅଧିକ ବଢିଲେ କିମ୍ବା କଷ୍ଟ ଅନୁଭବ କଲେ ତୁରନ୍ତ ଅକ୍ସିଜେନ ଚିକିତ୍ସାର ଆବଶ୍ୟକତା ପଡେ। କରୋନା ପ୍ରସବର ପ୍ରକାରକୁ ନେଇ କୌଣସି ପ୍ରଭାବ ପକାଏ ନାହିଁ। ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତଙ୍କ ସନ୍ତାନ ପ୍ରସବ ସମୟରେ ସିଜରିଆନ ହେବ ବୋଲି କିଛି ନିଶ୍ଚିତ ନୁହେଁ। ଏହା ସାଧାରଣ ପ୍ରସବ ମଧ୍ୟ ହୋଇପାରେ।
ସାଧାରଣତଃ ପ୍ରସବ ସମୟରେ ଜଳୀୟ ଅଂଶ ଓ ଅକ୍ସିଜେନ ପ୍ରବାହକୁ ଅଧିକ ଗୁରୁତ୍ବ ଦିଆଯାଏ। ତା’ ସହିତ ଯଦି ଜ୍ବର ହୋଇଥିବ, ତାର ମଧ୍ୟ ଚିକିତ୍ସା ଆବଶ୍ୟକ। କରୋନା ଆକ୍ରାନ୍ତଙ୍କ ପ୍ରସବ ସମୟରେ ଯଦି ସିଜରିଆନ କରାଯାଏ, ତାହେଲେ ଜେନେରାଲ ନିଶ୍ଚେତକ ବ୍ୟବହାର କରାଯାଏ ନାହିଁ। କାରଣ ଏଭଳି ନିଶ୍ଚେତକ ବ୍ୟବହାର ଦ୍ବାରା ବାୟୁଜନିତ ସଂକ୍ରମଣ ଫଳରେ ରୋଗ ଅଧିକ ବ୍ୟାପି ଥାଏ। ତେଣୁ ସିଜରିଆନ ସମୟରେ ରିଜିଅନାଲ ନିଶ୍ଚେତକ ବ୍ୟବହାର କରାଯିବା ଉଚିତ। କରୋନା ଆକ୍ରାନ୍ତଙ୍କ ପ୍ରସବ ସମୟରେ ସମସ୍ତ ଡାକ୍ତର ଏବଂ କର୍ମଚାରୀ ପିପିଇ କିଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଲେବର ରୁମ କିମ୍ବା ଓଟିରେ ପ୍ରସବ ସମୟରେ ଉପସ୍ଥିତ ଥିବା ଶିଶୁ ଡାକ୍ତର ମଧ୍ୟ ପିପିଇ କିଟ ପିନ୍ଧି ସଦ୍ୟଜାତ ଶିଶୁର ଯତ୍ନ ଓ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଛି। ଜନ୍ମ ହେବା ପରେ ଶିଶୁକୁ ମା’ ଠାରୁ ଅଲଗା ରଖା ଯାଉଛି। କରୋନା ଗାଇଡଲାଇନ ଅନୁସାରେ ମା'ର ଆଇସୋଲେସନ ପର୍ଯ୍ୟନ୍ତ ଶିଶୁଟିକୁ ଅଲଗା କୋଠରୀରେ ରଖିବା ଆବଶ୍ୟକ। ସ୍ଥଳ ବିଶେଷରେ ପ୍ରସବ ପରେ ମା'ର କରୋନାଜନିତ ଯଦି କୌଣସି ଅସୁବିଧା ହେଲା ବା ସଂକ୍ରମଣ ଅଧିକ ବଢିବା କିମ୍ବା ଫୁସଫୁସଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ତୁରନ୍ତ ଅନ୍ୟ ବିଭାଗ ଡାକ୍ତରମାନଙ୍କୁ ନେଇ ମିଳିତ ଟିମ ଗଠନ କରାଯାଇଥାଏ ଓ ସେହି ଟିମ ଦ୍ବାରା ମା'ର ଚିକିତ୍ସା କରାଯାଇଥାଏ। କିନ୍ତୁ ଗର୍ଭବତୀ ମହିଳା କରୋନା ସଂକ୍ରମିତ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଠିକ୍ ଚିକିତ୍ସା କରାଗଲେ କରୋନା ଭୂତାଣୁ ଗର୍ଭବାସ୍ଥା ଉପରେ କୌଣସି ବିଶେଷ ପ୍ରଭାବ ପକାଇ ନଥାଏ ।
ବିଭାଗୀୟ ମୁଖ୍ୟ; ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ, ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Swasthya-Sambad-add-copy.jpg)