ସ୍ୱାସ୍ଥ୍ୟ ସମ୍ବାଦ : କରୋନା ସମୟରେ ମାନସିକ ସମସ୍ୟା

ଡାକ୍ତର ସତ୍ୟକାମ ମହାପାତ୍ର

କରୋନା ମହାମାରୀ ଯୋଗୁଁ ଆମ ସମସ୍ତଙ୍କର ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି। ଏହାର ଅନେକ କୁପ୍ରଭାବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଛି। ଫଳରେ ବିଭିନ୍ନ ମାନସିକ ରୋଗ ଯେମିତିକି ଅବସାଦ ବା ଡିପ୍ରେସନ, ଏଙ୍ଗ୍‌ଜାଇଟି, ମାନସିକ ଛାନିଆ ରୋଗ ବା ପ୍ୟାନିକ ରୋଗ, ଅନିଦ୍ରା ଓ ମାନସିକ ଚାପ ଆଦି ବୃଦ୍ଧି ପାଇବାରେ ଲାଗିଛି।

କିଛି ଲୋକଙ୍କର ମନ ଆଜିକାଲି ଅଧିକାଂଶ ସମୟ ଦୁଃଖ ରହୁଛି। ସେମାନଙ୍କର କାହା ସହିତ ମିଳାମିଶା କରିବାକୁ ଇଚ୍ଛା ହେଉ ନାହିଁ। ସେମାନେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ସମୟରେ କ୍ଳାନ୍ତ ଲାଗୁଛି ଓ କାମ କରିବାକୁ ଇଚ୍ଛା ହେଉ ନାହିଁ। ନିଜର ଆତ୍ମବିଶ୍ବାସ କମି ଯାଉଛି ଓ ଭବିଷ୍ୟତ ଅନ୍ଧକାର ଲାଗୁଛି। ଏଗୁଡିକ ଅବସାଦ ବା ଡିପ୍ରେସନ ରୋଗର ଲକ୍ଷଣ।

ଆଉ କିଛି ଲୋକଙ୍କର ମନରେ ସବୁବେଳେ ଅତ୍ୟଧିକ ବ୍ୟସ୍ତତା, ଛାନିଆ ଓ ବିଚଳିତ ଭାବ ଦେଖା ଦେଉଛି। ସେମାନଙ୍କର ମନରେ ବିନା କାରଣରେ ଚିଡ୍‌ଚିଡ଼ା ଭାବ ଦେଖାଦେଉଛି। ଅତି ଛୋଟ ଛୋଟ କଥାରେ ମନରେ ଉଦ୍‌ବେଗ ଲାଗି ରହୁଛି। ମନ ସବୁବେଳେ ଅସ୍ଥିର ରହୁଛି। ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧା ହେଉଛି। ନିଦ ଓ ଭୋକ କମି ଯାଉଛି। ଏହାସବୁ ଏଙ୍ଗଜାଇଟି ବା ମାନସିକ ଉଦ୍‌ବେଗ ରୋଗର ଲକ୍ଷଣ ଅଟେ।

ସେହିଭଳି, ଅନେକ ଲୋକ ଅତ୍ୟଧିକ ଛାନିଆ ହୋଇ ଯାଉଛନ୍ତି। ବେଳେ ବେଳେ କିଛି ଲୋକଙ୍କ ମନରେ ହଠାତ ମାତ୍ରାଧିକ ଛାନିଆ ଓ ଭୟର ଭାବନା ଆସୁଛି। ଏହି ସମୟରେ ଛାତିରେ ଯନ୍ତ୍ରଣା ହୁଏ, ଦେହ ହାତ ଝିମ୍‌ଝିମ୍‌ ହୋଇ ଯାଏ। ପାଟି ଶୁଖି ଯାଏ, ଛାତି ଅତି ଜୋରରେ ଧଡ଼ଧଡ଼ ହୁଏ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୁଏ। ହାତ ଗୋଡ ଥରେ, ମୁଣ୍ଡ ବୁଲାଏ , ଝାଳ ବୋହେ, ଦେହ ଅତ୍ୟନ୍ତ ଗରମ ହୋଇ ଯାଏ। ଲୋକକୁ ଏତେ ଜୋରରେ ଛାନିଆ ଲାଗି ଥାଏ ଯେ ସେ ଅନୁଭବ କରେ ହଠାତ୍‌ ତା’ର ମୃତ୍ୟୁ ହୋଇ ଯିବ। ଏସବୁ ମାନସିକ ଛାନିଆ ରୋଗ ବା ପ୍ୟାନିକ ରୋଗର ଲକ୍ଷଣ ଅଟେ।

ଯେବେଠାରୁ କରୋନା ମହାମାରୀ ଆରମ୍ଭ ହେଲାଣି ସେହି ଦିନଠାରୁ ଅନେକ ଲୋକଙ୍କ ଠାରେ ନିଦ୍ରା ଜନିତ ସମସ୍ୟା ଦେଖା ଦେଉଛି। ଫଳରେ ସେମାନଙ୍କୁ ଦିନବେଳା କ୍ଳାନ୍ତ ଲାଗୁଛି ଓ କୌଣସି କାମରେ ମନ ଲାଗୁନି।

ଏହାର ପ୍ରଭାବ ମଧ୍ୟ ପିଲାମାନଙ୍କ ଉପରେ ପଡ଼ୁଛି। ୭ ମାସ ହେବ ସ୍କୁଲ୍‌ ବନ୍ଦ ହୋଇଯାଇଥିବାରୁ ସେମାନେ ନିଜର ସାଙ୍ଗ ମାନଙ୍କ ସହିତ ମିଳାମିଶା କରି ପାରୁନାହାନ୍ତି। ଫଳରେ ସେମାନଙ୍କ ଠାରେ ବିଭିନ୍ନ ବ୍ୟବହାରିକ ସମସ୍ୟା ଯେମିତିକି ଚିଡ୍‌ଚିଡ଼ା ହୋଇ ଯିବା, ଜିଦି କରିବା, ରାଗିବା, ଏକୁଟିଆ ରହିବାକୁ ପସନ୍ଦ କରିବା ଆଦି ଦେଖା ଯାଉଛି।

ଏହିଭଳି ଅବସ୍ଥାରୁ ମୁକୁଳିବା ପାଇଁ ପ୍ରତିଦିନ ୩୦ ରୁ ୪୫ ମିନିଟ ବ୍ୟାୟାମ ଓ ଯୋଗ ଅଭ୍ୟାସ କରନ୍ତୁ। ନିୟମିତ ଭାବରେ ପ୍ରତିଦିନ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଶ୍ବାସ ପ୍ରଶ୍ବାସ ନିଅନ୍ତୁ। ଏହାଦ୍ବାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢି ଥାଏ । ଯାହା ମାନସିକ ଚାପ କମାଇବାରେ ସାହାଯ୍ୟ କରିଥାଏ। ସର୍ବଦା ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। କୌଣସି ମାନସିକ ସମସ୍ୟାର ଲକ୍ଷଣ ଦେଖାଦେଲେ, ତାହାକୁ ଆଦୌ ଅବହେଳା କରନ୍ତୁ ନାହିଁ। ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। କାଉନସେଲିଂ ଓ ଔଷଧ ଦ୍ବାରା ଆପଣ ସମ୍ପୂର୍ଣ ସୁସ୍ଥ ହୋଇ ପାରିବେ।

ଆସିଷ୍ଟାଣ୍ଟ୍ ପ୍ରଫେସର, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍

ସମ୍ବନ୍ଧିତ ଖବର