ସ୍ୱାସ୍ଥ୍ୟ ସମ୍ବାଦ : ବୟସ୍କଙ୍କ କୋଭିଡ୍ ପରବର୍ତ୍ତୀ ସମସ୍ୟା ଓ ସେମାନଙ୍କ ଯତ୍ନ

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

ବର୍ତ୍ତମାନ କୋଭିଡ୍‌ ପରବର୍ତ୍ତୀ ସମୟରେ ବୟସ୍କଙ୍କ ସ୍ବାସ୍ଥ୍ୟର ଯତ୍ନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବୟସ୍କମାନଙ୍କ ପ୍ରତି କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଗୁରୁତର ହେଉଛି। ସାଧାରଣତଃ ବୟସ୍କ ଲୋକମାନଙ୍କର ଅନ୍ୟ ସବୁ ସ୍ବାସ୍ଥ୍ୟ ସମସ୍ୟା ଯଥା ଉଚ୍ଚ ରକ୍ତଚାପ, ବହୁମୂତ୍ର ବା ଡାଇବେଟିସ୍‌, ବ୍ରୋଙ୍କାଇଟିସ୍‌ ଭଳି ରୋଗ ଆଗରୁ ଥାଏ। ସୁସ୍ଥ ବୟସ୍କମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ପେଲାରୋଗ, ଦେହ ହାତ ଘୋଳା ବିନ୍ଧା ହେବା, ମାନସିକ ଦୁର୍ବଳତା, ହୃଦ୍‌ଘାତ ଓ ମସ୍କିଷ୍କାଘାତ ରୋଗ ଅଧିକ ପରିମାଣରେ ଦେଖାଦିଏ। ଫୁସ୍‌ଫୁସ୍‌ ସ˚କ୍ରମଣ ଓ ଶରୀରରେ ଅନ୍ୟ ସବୁ ସ˚କ୍ରମଣ କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ଦେଖା ଦେଇଥାଏ।

ଶାରୀରିକ ଦୁର୍ବଳତା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଏତେ ଗୁରୁତର ହୋଇଥାଏ ଯେ, ବୟସ୍କ ଲୋକଙ୍କୁ ଅନେକ ସମୟରେ ଶଯ୍ୟାଶାୟୀ ହେବାକୁ ପଡେ଼। ଏପରିକି ମେଦ ବହୁଳତା ଓ କର୍କଟ ରୋଗର ବିଭିନ୍ନ ସମସ୍ୟା ବଢିଯାଇଥାଏ। କର୍କଟ ରୋଗର ବିଭିନ୍ନ ଚିକିତ୍ସା ପ୍ରଣାଳୀ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସହ୍ୟ କରିବା କଷ୍ଟ ହୋଇଥାଏ। କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ମଧ୍ୟ ଜଟିଳତା ସବୁ ବଢି ଚାଲେ। ବୟସ୍କ ଲୋକଙ୍କର ଖାଦ୍ୟ ହଜମ ହେବା ଓ ଭୋକ କମି ଯାଇଥାଏ। ଫଳତଃ ସେମାନେ ସୁଷମ ଖାଦ୍ୟ ପାଆନ୍ତି ନାହିଁ। କାଳକ୍ରମେ ରକ୍ତହୀନତା ତଥା ପ୍ରୋଟିନ୍‌ ଅଭାବ ରୋଗରେ ପୀଡ଼ିତ ହୁଅନ୍ତି। ଏଥିଯୋଗୁଁ ମୁହଁ, ଗୋଡ଼ହାତ ଫୁଲିଯାଏ। କୌଣସି ପ୍ରକାରର ଶାରୀରିକ ବ୍ୟାୟାମ ଏପରିକି ଚାଲିବା ତାଙ୍କ ପକ୍ଷରେ କଷ୍ଟକର ହୁଏ। ଅନେକ ସମୟରେ ଝାଡ଼ା ସଫା ହୁଏନି। ତେଣୁ ଅର୍ଶ, ଭଗନ୍ଦର ଓ ମଳକଣ୍ଟକ ରୋଗ ଦେଖା ଦିଏ। ଶ୍ବାସ କଷ୍ଟ ଯୋଗୁଁ ସେମାନେ ମାସ୍କ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ଓ ମାସ୍କ ପିନ୍ଧିଲେ ବେଶି ଧଇଁସଇଁ ହୁଅନ୍ତି। ବାରମ୍ବାର ମାସ୍କ ନବଦଳେଇବା ଓ ସଫା ଲୁଗାପଟା ନପିନ୍ଧିବା ଦ୍ବାରା ସେମାନଙ୍କ ଚର୍ମ ସ˚କ୍ରମଣ, ଫଙ୍ଗଲ ସ˚କ୍ରମଣ ଅଧିକ ପରିମାଣରେ ହୋଇଥାଏ। ପାଇଖାନାକୁ ଭଲ ଭାବେ ସଫା ନରଖିଲେ ମଳଦ୍ବାର ଓ ପରିସ୍ରା ଦ୍ବାରରେ ସ˚କ୍ରମଣ ହୋଇଥାଏ।

ପ୍ରାପ୍ତ ବୟସରେ ବିଭିନ୍ନ ପ୍ରକାର ସ˚କ୍ରମଣର ଚିକିତ୍ସା ବ୍ୟୟବହୁଳ ହେବା ସହ କେତେକା˚ଶରେ ତାହା ଫଳପ୍ରଦ ହୋଇନଥାଏ। ବୟସ୍କଙ୍କର ମାନସିକ ରୋଗ ଡିପ୍ରେସନ୍‌ ଏତେ ଶୋଚନୀୟ ରୂପ ଧାରଣ କରେ ଯେ, ତାହାର ଚିକିତ୍ସା ଦରକାର ହୋଇଥାଏ। ତେଣୁ ମାନସିକ ରୋଗ ବିଶେଷଜ୍ଞ ଓ କାଉନସିଲରମାନେ ତାଙ୍କୁ ଘରେ ନିୟମିତ ବ୍ୟବଧାନରେ ଚିକିତ୍ସା ଓ ପରାମର୍ଶ କରିବା ଆବଶ୍ୟକ ପଡେ଼। ବୟସ୍କଙ୍କର ଜ୍ବର, କାଶ, ନିମ୍ନ ରକ୍ତଚାପ, ମାନସିକ ବାଚାଳାମି, ଲିଭର, କିଡ୍‌ନି ସମସ୍ୟା ଦେଖାଦେଲେ, କରୋନା ରିପୋର୍ଟ ନେଗେଟିଭ୍‌ ହୋଇଥିଲେ ବି କେତେକ ପରୀକ୍ଷା କରାଇ ନେବା ଉଚିତ୍‌। ଏଚ୍‌ବି, ଡିସି, ଟିଏଲ୍‌ସି, ଇଏସ୍‌ଆର‌୍‌, ଵାଇଡେଲ ଟେଷ୍ଟ, କିଡ୍‌ନି ଓ ଲିଭରର ସ୍ବାସ୍ଥ୍ୟ ସମ୍ପର୍କୀୟ ପରୀକ୍ଷା ଇତ୍ୟାଦି କରାଇନେବା ଉଚିତ୍‌। ମାନସିକ ଦୁର୍ବଳ ଥିବା ପ୍ରତ୍ୟେକ ବୟସ୍କ ଲୋକଙ୍କର ମସ୍ତିଷ୍କର ସିଟି କିମ୍ବା ଏମ୍‌ଆର‌୍‌ଆଇ ସ୍କାନ୍‌ ଦରକାର ହୋଇଥାଏ। କାଶ, କଫ, ପେଲା ହୋଇଥିବା ଲୋକଙ୍କର ଛାତିରେ ଏଚ୍‌ଆର‌୍‌ସିଟି ସ୍କାନ କରାଇବା ଉଚିତ୍‌। ବେଳେବେଳେ ପତଳା ଝାଡ଼ା, ବାନ୍ତି ଓ କମ୍‌ ପାଣି ପିଇବା ଯୋଗୁଁ ଶରୀରର ଜଳ ଓ ଲବଣ ମାତ୍ରା କମିଯାଇଥାଏ। ଉପଯୁକ୍ତ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଇ ଓଆର‌୍‌ଏସ୍‌ ପାଣି କିମ୍ବା ରକ୍ତରେ ସାଲାଇନ୍‌ ଦେବା ଉଚିତ୍‌। ତା ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଜିଙ୍କ୍‌, ଭିଟାମିନ୍‌ ବି କମ୍ପ୍ଲେକ୍ସ, ଭିଟାମିନ୍‌ ସି, ଡି’ ଇତ୍ୟାଦି ଔଷଧ ନିୟମିତ ଭାବେ ନଦେଲେ ଦୁର୍ବଳତା ବଢିଯାଏ। କୋଭିଡ୍‌ରୁ ସୁସ୍ଥ ହୋଇଥିବା ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କ ପରିବାର ଲୋକ ଜାଣିରଖିବା ଉଚିତ୍‌ ଯେ, ଲକ୍ଷଣବିହୀନ ଥିଲେ ମଧ୍ୟ ୨ବର୍ଷ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ଉଚିତ୍‌। ବାହାରକୁ ଯିବା, ବାହାର ଖାଦ୍ୟ ଖାଇବା, ସହଜରେ ହଜମ ହେଉ ନଥିବା ଖାଦ୍ୟ ଦେବା ଉଚିତ୍‌ ନୁହେଁ। ଅଳ୍ପ ଅଳ୍ପ ଖଦ୍ୟ ବେଶୀଥର ଦେବା ଉଚିତ୍‌। ଯୋଗ, ପ୍ରାଣାୟମ ଓ ହାଲୁକା ଶାରୀରିକ ବ୍ୟାୟାମ ସେମାନଙ୍କ ପାଇଁ ନିହାତି ଆବଶ୍ୟକ।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର

Comments are closed.