ଲିଭରକୁ କ୍ଷତି ପହଞ୍ଚାଏ କରୋନା ଭଳି ଭୂତାଣୁ ଜନିତ ରୋଗ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଲିଭର ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାକୁ ଶରୀରର ଏକ ଉତ୍ତମମାନର ଲାବୋରୋଟରି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଘଟିଥାଏ ଓ ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପୋଷଣ ଦେଇଥାଏ। ଖାଦ୍ୟ ହଜମରେ ସହାୟତା, ଶରୀରର ବିଷାକ୍ତ ଦ୍ରବ୍ୟ ବିଶୋଧନ କରିବା, ରକ୍ତସଂଚାଳନ ଓ ରକ୍ତଜମାଟ ପ୍ରକ୍ରିୟାରେ ସହାୟକ ହେବା, ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଆଲବୁମିନ୍ ତିଆରିରେ ସାହାଯ୍ୟ କରିବା ଇତ୍ୟାଦି ଲିଭରର ପ୍ରଧାନ କାମ। ଏହି କାମଗୁଡିକ କରି ନପାରିଲେ ଯକୃତ ଖରାପ ବୋଲି ଧରି ନିଆଯାଏ। ଯକୃତର କୋଷଗୁଡିକ ନିଜସ୍ବ ବୃଦ୍ଧି କ୍ଷମତା ଅଛି। ତଥାପି ବେଳେବେଳେ ଏହା ବିଭିନ୍ନ କାରଣରୁ ଅକାମୀ ହୋଇପଡେ ଓ ଏହାର ପ୍ରତିରୋପଣ ନକେଲ ରୋଗୀ ମୃତ୍ୟୁମୁଖରେ ପଡେ।

ଅତ୍ୟଧିକ ମଦ୍ୟପାନ, ଅତ୍ୟଧିକ ଶରୀର ହାନି କାରକ ଔଷଧ ସେବନ (ପାରାସିଟାମଲ ଓ ଟିବି ଔଷଧ), ଜନ୍ମ ସମୟରୁ ଲିଭର ରୋଗ (କନ୍‌ଜେନିଟାଲ ଲିଭର ରୋଗ) ଓ କପର୍ ଜନିତ ଲିଭର ରୋଗ ଯୋଗୁଁ ଲିଭର ଅକାମୀ ହୋଇପଡେ। ଅତ୍ୟଧିକ ମଦ୍ୟପାନ କଲେ ଫ୍ୟାଟିଲିଭର, ଲିଭର ଫାଇବ୍ରୋସିସ୍‌ ଓ ଶେଷରେ ଲିଭର ସିରୋସିସ୍‌ ହୋଇଯାଏ। କିନ୍ତୁ ଭୂତାଣୁ ଜନିତ ରୋଗ ବି ଅନେକ ସମୟରେ ଲିଭରକୁ ନଷ୍ଟ କରିବାରେ ପ୍ରମୁଖ କାରଣ ସାଜିଥାଏ। ଯାହାକି ବର୍ତ୍ତମାନ ସ୍ଥିତିରେ ଘଟୁଛି। ଯେଉଁ ବ୍ୟକ୍ତିମାନଙ୍କର ପୂର୍ବରୁ ଲିଭର ଖରାପ ଥାଏ, କରୋନା ସଂକ୍ରମଣ ହେଲେ ସେମାନଙ୍କ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଅଥବା ଯେଉଁମାନଙ୍କର ଡାଇବେଟିସ୍ ଭଳି ରୋଗ ରହୁଛି, ସେମାନେ କରୋନା ସଂକ୍ରମିତ ହେବା ପରେ ବିଭିନ୍ନ ଅଙ୍ଗ ମଧ୍ୟରୁ ଲିଭର ବି ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହୁଛି। ତେଣୁ ଏଥିପ୍ରତି ବିଶେଷ ସତର୍କ ରହିବାକୁ ପଡ଼ୁଛି।

ହେପାଟାଇଟସ୍‌ ବି, ସି ଓ ଡି ଭୂତାଣୁ ଦ୍ବାରା ଲିଭର ସଂକ୍ରମିତ ହେଲେ ମଧ୍ୟ ଲିଭର ସିରୋସିସ୍‌ ରୋଗ ହୁଏ। ଆମ ଦେହରେ ଅତ୍ୟଧିକ ମଦ୍ୟପାନ ଓ ହେପାଟାଇଟିସ୍‌ ବି ରୋଗର ପ୍ରାଦୁର୍ଭାବ ବେଶୀ। ସାଧାରଣତଃ ମଦ୍ୟପାନ (୩୫%) ଓ ହେପାଟାଇଟିସ୍‌ ବି (୨୪%) ରୋଗ ସିରୋସିସ୍‌ ରୋଗର ମୁଖ୍ୟକାରଣ। ଅତ୍ୟଧିକ ତେଲ ଓ ଚର୍ବିଯୁକ୍ତ ଖାଦ୍ୟ ଓ ଆମିଷ ଖାଦ୍ୟ ଖାଇଲେ ମଧ୍ୟ ଲିଭର ସିରୋସିସ୍‌ ହୁଏ। ଜନ୍ମଗତ ଲିଭର ରୋଗ ମଧ୍ୟ ପରବର୍ତ୍ତି ଅବସ୍ଥାରେ ସିରୋସିସ୍‌ରେ ରୂପାନ୍ତରିତ ହୁଏ। ଥରେ ଯକୃତ ଅକାମୀ ହୋଇଗଲେ ବିଭିନ୍ନ ବିଶୋଧନ କାର୍ଯ୍ୟ ହୋଇପାରେ ନାହିଁ। ତେଣୁ ବିଷାକ୍ତ ପଦାର୍ଥ ଯଥା ଏମୋନିଆ ଓ ମେର୍‌କାପ୍‌ଟେନ ଇତ୍ୟାଦିର ପରିମାଣ ଶରୀରରେ ବୃଦ୍ଧିପାଏ ଓ ମସ୍ତିଷ୍କକୁ ଆକ୍ରାନ୍ତ କରେ। ବୃକକ୍, ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌ ଇତ୍ୟାଦି ମଧ୍ୟ ଏହି ବିଷାକ୍ତ ପଦାର୍ଥରେ ଆକ୍ରାନ୍ତ ହୋଇ ଅକାମୀ ହୋଇଯାଏ ଓ ଏହାକୁ ମଲଟି ଅର୍ଗାନ ଫେଲ୍ୟୁର୍ କୁହନ୍ତି। ଶରୀରରେ ଆଲବୁମିନ୍ କମିଯିବା ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗରେ ପାଣି ଜମିଯାଏ, ଗୋଡ଼ ଫୁଲିଯାଏ, ପେଟରେ ପାଣି ଜମିଯାଏ ଓ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୁଏ। ଛାତିରେ ମଧ୍ୟ ପାଣି ପଶିଯାଏ। ତେବେ ଯକୃତ ପ୍ରତିରୋପଣ ହେଲେ ସମସ୍ତ ଅଙ୍ଗ ପୁନଃ କାର୍ଯ୍ୟକ୍ଷମ ହୋଇଥାନ୍ତି ଓ ରୋଗୀ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରେ।

ଯକୃତ ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା। କୌଣସି ସୁସ୍ଥ ବ୍ୟକ୍ତିର ପ୍ରାୟ ୫୦ ପ୍ରତିଶତ ବା ମସ୍ତିଷ୍କ ମୃତ୍ୟୁ ବ୍ୟକ୍ତିର ସମ୍ପୂର୍ଣ୍ଣ ଯକୃତ ଏଥିରେ ବ୍ୟବହାର କରାଯାଏ। ଜୀବନ୍ତ ଯକୃତ ଦାନ କରିଥିବା ବ୍ୟକ୍ତିଙ୍କ ଯକୃତ କିଛିଦିନ ପରେ (୧ ମାସ) ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯାଏ ଓ ସେ ସାଧାରଣ ସୁସ୍ଥ ବ୍ୟକ୍ତିଙ୍କ ପରି ଜୀବନ ଯାପନ କରିପାରେ। ଯକୃତ ପ୍ରତିରୋପଣ ଅନ୍ୟ ସମସ୍ତ ଅଙ୍ଗ ପ୍ରତିରୋପଣ ଅପେକ୍ଷା ଜଟିଳ ପକ୍ରିୟା। ଏଥିପାଇଁ ଅଙ୍ଗଦାନ ନିୟମ, ମାନବାଧିକାର ବ୍ୟକ୍ତି ତଥା ପରିବାର ବର୍ଗଙ୍କ ସମ୍ମତି ନିତାନ୍ତ ଆବଶ୍ୟକ। ସାଧାରଣତଃ ସମାନ ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତି ଯକୃତ ଦାନ କରିପାରିବେ। ଆମ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯକୃତ ପ୍ରତିରୋପଣ ପ୍ରାଥମିକ ଅବସ୍ଥାରେ ଅଛି। ବାହାର ରାଜ୍ୟରେ ଏଥିପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଅତିଶୀଘ୍ର ଆମ ରାଜ୍ୟରେ ଯକୃତ, ପ୍ରତିରୋପଣ ହେବାର ଆଶା ରହିଛି।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ

ସମ୍ବନ୍ଧିତ ଖବର