ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଅସ୍ୱାଭାବିକ ଥକାପଣ

ଡାକ୍ତର ଦୀପକ ର˚ଜନ ଦାସ

ସାଧାରଣତଃ କୌଣସି ବ୍ୟକ୍ତିଙ୍କୁ ଅଳ୍ପ କାମ କରିବା ପରେ ହାଲିଆ ଲାଗିଲେ କିମ୍ବା ଗୋଡ଼ହାତ ଅନେକ ସମୟରେ ଅବଶ ହେବାଭଳି ଅନୁଭୂତ ହେଲେ ତାଙ୍କୁ ହୃଦରୋଗ ହୋଇଥାଇପାରେ ବୋଲି ଲୋକମାନେ ସନ୍ଦେହ କରିଥାନ୍ତି। ଏହିଭଳି ଲକ୍ଷଣକୁ ଡାକ୍ତରୀ ଭାଷାରେ ‘ଫାଟିଗ୍‌’ ବୋଲି କୁହାଯାଏ। କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ସମୟରେ ଏବଂ ଏଥିରୁ ଭଲହେବାର ପରବର୍ତ୍ତୀ ସମୟରେ ଏହି ଲକ୍ଷଣ ଅନେକ ଲୋକଙ୍କ ପାଖରେ ଦେଖାଦେଇଥାଏ। କେତେକଙ୍କ କ୍ଷେତ୍ରରେ ଶାରୀରିକ ହାଲିଆ ଲାଗିବା ବ୍ୟତୀତ ମାନସିକ ହାଲିଆ ଲାଗିବା ମଧ୍ୟ ଦେଖା ଦେଇଥାଏ।

ଥକାପଣ ବା ହାଲିଆ ଲାଗିବା ମୁଖ୍ୟତଃ ତିନି ପ୍ରକାରର; କ୍ଷଣିକ, ସଂଜୟୀ ଓ ଦିବସୀୟ। କରୋନା ରୋଗୀମାନଙ୍କ କ୍ଷେତ୍ରରେ ଏହି ତିନିପ୍ରକାରର ଥକାପଣ ବିଭିନ୍ନ ସମୟରେ ପରିଲକ୍ଷିତ ହୋଇପାରେ। ଶତକଡା ୭୫ରୁ ୧୦ ଭାଗ ରୋଗୀ, ଯେଉଁମାନେ ପ୍ରାୟତଃ ଲକ୍ଷଣମୁକ୍ତ ବା ସାମାନ୍ୟ ଲକ୍ଷଣମୁକ୍ତ ହୋଇ ଆରୋଗ୍ୟ ଲାଭ କରିଥାନ୍ତି, ସେମାନେ ମଧ୍ୟ ମଝିରେ ମଝିରେ କ୍ଷଣିକ ଭାବେ ତଥା ଅସ୍ଥାୟୀ କିମ୍ବା ଚଳାୟମାନ ଭାବେ ହାଲିଆ ଅନୁଭବ କରନ୍ତି। ଏହି ଲକ୍ଷଣରେ ରୋଗୀ ଅଳ୍ପ ସମୟ ପରେ ପୁଣି ସକ୍ରିୟତା ଫେରିପାଇଥାଏ। ତେଣୁ ଅନେକ ଲୋକ ଏହାକୁ ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଦିବସୀୟ ଥକା କ୍ଷେତ୍ରରେ ରୋଗୀଜଣକ ଦିନର ନିର୍ଦ୍ଦିଷ୍ଟ ସମୟରେ ଅସ୍ବାଭାବିକ ହାଲିଆ ଅନୁଭବ କରିଥାନ୍ତି। କିନ୍ତୁ ଅନ୍ୟ ସମୟରେ ତାଙ୍କୁ ଅପେକ୍ଷାକୃତ ଭାବେ ସୁସ୍ଥ ଲାଗିପାରେ। ‌ ତେବେ ଏହି ତିନି ପ୍ରକାର ଭିତରୁ ସବୁଠାରୁ ଯନ୍ତ୍ରଣାଦାୟକ ତଥା ଭୟଙ୍କର ହେଉଛି ସଂଚୟୀ ବା କ୍ରମବର୍ଦ୍ଧନୀୟ ଥକାପଣ, ଯେଉଁ ରୋଗୀମାନେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ବା ଶ୍ବାସ ସହାୟକ ଯନ୍ତ୍ର (ଭେଣ୍ଟିଲେଟର)‌ରେ ରହିଥାନ୍ତି ବା ସାମୟକି ଭାବେ ଡାଇଆଲିସିସ୍‌ ଆବଶ୍ୟକ ପଡିଥାଏ, ସେମାନଙ୍କ ମଧ୍ୟରୁ ଅନେକ ରୋଗୀ ଡାକ୍ତରଖାନାରୁ ଭଲ ହୋଇ ଆସିବା ପରେ ମଧ୍ୟ ସଂଚୟୀ ବା କ୍ରମବର୍ଦ୍ଧନୀୟ ଥକାପଣ ଅନୁଭବ କରିଥାନ୍ତି। ଏହି ଲକ୍ଷଣ କେତେକଙ୍କ କ୍ଷେତ୍ରରେ ୮ ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ଲାଗିରହିପାରେ।

ସମଗ୍ର ପୃଥିବୀର ବିଭିନ୍ନ ଦେଶମାନଙ୍କରେ ବୈଜ୍ଞାନିକମାନେ ଏହି ଲକ୍ଷଣର ନିର୍ଦ୍ଦିଷ୍ଟ କାରଣ ବିଷୟରେ ଗବେଷଣା ଜାରି ରଖିଛନ୍ତି। ଏବେ ପର୍ଯ୍ୟନ୍ତ ଏହି ଲକ୍ଷଣ ସମ୍ବନ୍ଧୀୟ ଅନ୍ତିମ ସତ୍ୟ ଅନାବୃତ ହୋଇପାରି ନାହିଁ। ଏହା ମଧ୍ୟ ଦେଖାଯାଇଥାଏ ଯେ, ଅନେକ ରୋଗୀ ଏହି ଲକ୍ଷଣରୁ ମୁକ୍ତି ପାଇବା ପାଇଁ ଔଷଧ ଖୋଜି ଚାଲନ୍ତି ଏବଂ କେତେକ ଅନୈତିକ ବ୍ୟକ୍ତିବିଶେଷଙ୍କ କବଳରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି। ଯଦିଓ କୋଭିଡ଼୍‌ ଯୋଗୁଁ ହୃଦଯନ୍ତ୍ର ଆକ୍ରାନ୍ତ ହୋଇପାରେ ଏବଂ ଏହି ପ୍ରକାରର ସଂକ୍ରମଣର ଫଳସ୍ବରୂପ ଜଣେ ରୋଗୀ ଅସ୍ବାଭାବିକ ଭାବେ ହାଲିଆ ଅନୁଭବ କରିପାରେ, ତେବେ ତାହା ଥକାପଣ ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ଦୁଇଭାଗରୁ କମ କ୍ଷେତ୍ରରେ ପରିଲକ୍ଷିତ ହୁଏ। ଆଉ କେତେଜଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଫୁସ୍‌ଫୁସ୍‌ର ଦୁର୍ବଳତା ଯୋଗୁଁ ମଧ୍ୟ ଏହି ଲକ୍ଷଣ ଦେଖାଯାଇପାରେ। କିନ୍ତୁ ମୋଟାମୋଟି ଭାବେ ଆମକୁ ଜାଣିବାକୁ ପଡ଼ିବ ଯେ, ହୃଦଯନ୍ତ୍ର ବା ଫୁସ୍‌ଫୁସ୍‌ର କୌଣସି ସାଂଘାତିକ ଅଚଳତା ନଥାଇ ମଧ୍ୟ ଏହି ଥକାପଣ ଦେଖାଯାଇଥାଏ।

ଅନେକ ସମୟରେ ଲୋକମାନେ ଏହି ଥକାପଣ ଯୋଗୁଁ ସେମାନଙ୍କ ପୂର୍ବର କର୍ମକ୍ଷେତ୍ରରେ ଯୋଗ ନଦେଇ ଆଶା କରନ୍ତି ଯେ ସଂପୂର୍ଣ୍ଣ ସୁସ୍ଥହେବା ପରେ କାର୍ଯ୍ୟରେ ଯୋଗଦେବେ। ତେବେ ଏହା ଭ୍ରାନ୍ତଧାରଣା। ପ୍ରାଣାୟାମ, ଧ୍ୟାନ, ଶ୍ବାସ ସମ୍ବନ୍ଧିତ ବିଭିନ୍ନ ଶାରୀରିକ ପ୍ରକ୍ରିୟା ଆଦି ଫଳପ୍ରଦ ହୋଇଥାଏ ବୋଲି ବିଶ୍ବର ବିଭିନ୍ନ ଦେଶମାନଙ୍କରେ ପ୍ରମାଣିତ ହୋଇସାରିଲାଣି। ଇଣ୍ଟରନେଟ୍‌ ଏବଂ ୟୁଟ୍ୟୁବ୍‌ରେ ଉପଲବ୍ଧ ଅନେକ ସହାୟକ ଭିଡିଓ ଦ୍ବାରା ଜଣେ ବ୍ୟକ୍ତି ଭୌତିକ ଚିକିତ୍ସା କରିବାକୁ ସକ୍ଷମ ହୋଇପାରିବେ। ପରିବାରର ସମସ୍ତେ ନିର୍ଦ୍ଦିଷ୍ଟ ସମୟରେ ଏକାଠି ହୋଇ ଏହି ପ୍ରକ୍ରିୟା କରିବା ଦ୍ବାରା ମାନସିକ ତଥା ଶାରୀରିକ ଥକାପଣକୁ ସଫଳତାର ସହିତ ମୁକାବିଲା କରିବା ସମ୍ଭବପର ହୋଇଥା। ସଠିକ୍‌ ସମୟରେ ଖାଦ୍ୟ ଖାଇବା, ଅଧିକ ତୈଳଯୁକ୍ତ ଖାଦ୍ୟ ନଖାଇ ଯଥେଷ୍ଟ ପରିମାଣରେ ସବୁଜ ପନିପରିବା, ଫଳ ଆଦି ଖାଇବା, ପଯ୍ୟା‌ପ୍ତ ପରିମାଣ‌ର ପାଣି ଓ ଫଳରସ ଆଦି ପିଇବା ମଧ୍ୟ ସହାୟକ ହୋଇଥାଏ। ହାଲିଆ ଲାଗିଲେ ମଧ୍ୟ ଅଧିକାଂଶ ସମୟ ବିଛଣାରେ ଶୋଇ ରହନ୍ତୁ ନାହିଁ, କି ଗୋଟିଏ ସୋଫାରେ ବସିରହି ଟିଭି ଦେଖନ୍ତୁ ନାହିଁ । ବରଂ ଯେତେ ସମୟ ସମ୍ଭବ ଘର ଭିତରେ ଚଳାବୁଲା କରିବା ଅଥବା ଘରେ ଥିବା ଛୋଟ ମୋଟ କାମରେ ନିଜକୁ ନିୟୋଜିତ ରଖିବା ଦ୍ବାରା ଏହି ଦୀର୍ଘସ୍ଥାୟୀ ଲକ୍ଷଣ କବଳରୁ ମୁକ୍ତି ପାଇ ପୂର୍ଣ୍ଣ ସୁସ୍ଥତା ଦିଗରେ ଆପଣକୁ ଅଗ୍ରସର ହେବା ପାଇଁ ଏହା ସହାୟକ ହୋଇଥାଏ।

ଆସୋସିଏଟ୍‌ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର