ସ୍ୱାସ୍ଥ୍ୟ ସମ୍ବାଦ : ସ୍ମାର୍ଟ ଫୋନର ଅତ୍ୟଧିକ ବ୍ୟବହାର ପିଲାଙ୍କୁ ଚିଡଚିଡ଼ା କରୁଛି

ଡାକ୍ତର ସତ୍ୟକାମ ମହାପାତ୍ର

କରୋନା ମହାମାରୀ ଯୋଗୁଁ ଗତ ଆଠ ମାସ ହେବ ପିଲାମାନଙ୍କର ସ୍କୁଲ ବନ୍ଦ ରହିଛି। ପିଲାମାନଙ୍କର ଜୀବନ ଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି। ପିଲାମାନେ ନିଜର ସାଙ୍ଗ ମାନଙ୍କ ସହିତ ସ୍ବାଭାବିକ ମିଳାମିଶା କରି ପାରୁ ନାହାନ୍ତି। ବାହାରେ ଆଗ ଭଳି ଖେଳ କୁଦ କରି ପାରୁ ନାହାନ୍ତି କି ପାର୍କ ଓ ପଡିଆକୁ ଯାଇ ପାରୁ ନାହାନ୍ତି। ଲକଡାଉନ ଖୋଲିଲା ପରେ ପିଲାମାନେ କିଛି ମାତ୍ରାରେ ନିଜର ସାଙ୍ଗ ସାଥି ମାନଙ୍କ ସହିତ ମିଳାମିଶା କରି ପାରୁଛନ୍ତି ସତ କିନ୍ତୁ ତାହାକୁ ସ୍ବାଭାବିକ ବୋଲି କହି ହେବ ନାହିଁ। ଏଭଳି ସ୍ଥିତିରେ ପିଲାମାନଙ୍କ ମଧ୍ୟରେ ସ୍ମାର୍ଟ ଫୋନର ବ୍ୟବହାର ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଅନଲାଇନରେ ପାଠପଢିବା, ବିଭିନ୍ନ ଗେମ୍ ଖେଳିବା ଓ ସୋସିଆଲ ମିଡିଆର ବ୍ୟବହାର କରିବା ପାଇଁ ପିଲାମାନେ ସ୍ମାର୍ଟ ଫୋନର ବ୍ୟବହାର କରୁଛନ୍ତି। ମାତ୍ର କେତେକ ପିଲା ସ୍ମାର୍ଟ ଫୋନର ମାତ୍ରାଧିକ ବ୍ୟବହାର କରୁଛନ୍ତି। ଏହା ଯୋଗୁଁ ସେମାନଙ୍କ ମଧ୍ୟରେ ସ୍ମାର୍ଟ ଫୋନ ଓ ଇଣ୍ଟରନେଟ୍ ପ୍ରତି ଅତ୍ୟଧିକ ଆକର୍ଷଣ ସୃଷ୍ଟି ହୋଇଛି। ସେମାନେ ଫୋନ ଠାରୁ ନିଜକୁ ଦୂରେଇ ରଖି ପାରୁ ନାହାନ୍ତି। ଏସବୁ ଫଳରେ ପିଲାଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି। ସ୍ମାର୍ଟ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାମାନଙ୍କର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖା ଦେଉଛି। ଅଧିକ ଚିଡି ଚିଡା ହେବା, ପରିବାରର ସଦସ୍ୟ ଓ ସାଙ୍ଗ ସାଥିଙ୍କ ସହିତ ମିଳାମିଶା କମ କରିବା, ଏକୁଟିଆ ରହିବାକୁ ପସନ୍ଦ କରିବା, ସ୍ମରଣ ଶକ୍ତି ହ୍ରାସ ପାଇବା, ନିଦ କମି ଯିବା, ଖାଦ୍ୟ କମ ଖାଇବା ଓ ଛୋଟ ଛୋଟ କଥାରେ ଭୟଭୀତ ହୋଇ ଯିବା ଆଦି ଦେଖାଯାଉଛି। ଅନକେ ମାତାପିତା ଅନୁଭବ କରୁଛନ୍ତି ଯେ ଗତ କିଛି ମାସ ହେବ ସେମାନଙ୍କର ପିଲାମାନେ ଜିଦିଆ ହୋଇ ଯାଇଛନ୍ତି, ଛୋଟ ଛୋଟ କଥାରେ ଅତ୍ୟଧିକ ରାଗୁଛନ୍ତି, ସେମାନଙ୍କର କଥା ମାନୁ ନାହାନ୍ତି ଓ ପାଠ ପଢାରେ କମ ଧ୍ୟାନ ଦେଉଛନ୍ତି।

ଏହି ଘଡି ସନ୍ଧି ମୁହୂର୍ତ୍ତରେ ପ୍ରତ୍ୟେକ ମାତାପିତା ନିଜ ପିଲା ମାନଙ୍କର ସ୍ବତନ୍ତ୍ର ଯତ୍ନ ନିଅନ୍ତୁ। ସେମାନଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ। ଯଦିଓ ଅନେକ ସ୍କୁଲ ତରଫରୁ ଅନଲାଇନରେ ପାଠପଢା ଯାଉଛି, ତଥାପି ପ୍ରତିଦିନ ପିଲା ମାନଙ୍କର ପାଠପଢା ପାଇଁ ନିର୍ଦ୍ଧିଷ୍ଟ ସମୟ ଦିଅନ୍ତୁ। କିଛି ସମୟ ବିଭିନ୍ନ ପ୍ରକାରର ଖେଳ, ଯେମିତିକି ଚେସ୍, ଲୁଡୋ, କ୍ୟାରମ ଆଦି ଖେଳିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଏହା ସହିତ ପିଲାର ଇଚ୍ଛା ଅନୁଯାୟୀ ନାଚ, ଗୀତ, ଚିତ୍ର ଆଙ୍କିବା ଓ କମିକ୍ସ ପଢିବା ଆଦିରେ ବ୍ୟସ୍ତ ରଖନ୍ତୁ। ପିଲାକୁ ପ୍ରତିଦିନ କିଛି ସମୟ ଶାରୀରିକ ପରିଶ୍ରମ କରିବା ପାଇଁ କୁହନ୍ତୁ। ପିଲାର ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, ମିଠା ଓ ଫାଷ୍ଟ ଫୁଡ ଠାରୁ ଦୂରେଇ ରଖନ୍ତୁ। ପିଲାମାନଙ୍କୁ ସେମାନଙ୍କ ସାଙ୍ଗ ମାନଙ୍କ ସହିତ ଫୋନରେ କଥା କରାଇ ଦିଅନ୍ତୁ। ଯାହା ଫଳରେ ସେମାନଙ୍କର ମନ ହାଲକା ଓ ଖୁସି ରହିବ। ନିଜର ପିଲାକୁ ଅତ୍ୟଧିକ ଆକଟ କିମ୍ବା ଅତ୍ୟଧିକ ଶୃଙ୍ଖଳାରେ ରଖନ୍ତୁ ନାହିଁ। ଏହା ପିଲାର କୋମଳ ମନ ଉପରେ ଖରାପ ପ୍ରଭାବ ପକାଇଥାଏ।

ପିଲା ଯେପରି ସ୍ମାର୍ଟ ଫୋନର ଅତ୍ୟଧିକ ବ୍ୟବହାର ନ କରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କ ନିକଟତର ହୁଅନ୍ତୁ ଓ ସେମାନଙ୍କର ମନ କଥା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ନିଜ ପିଲାର ବ୍ୟବହାର ଉପରେ ସବୁବେଳେ ନଜର ରଖନ୍ତୁ। ପିଲାକୁ ସନ୍ଧ୍ୟା ସମୟରେ ବାହାରକୁ ଖେଳିବାକୁ ଛାଡନ୍ତୁ। ମୋବାଇଲ ଫୋନ ଠାରୁ ପିଲାକୁ ଯେତେ ଦୂରେଇ ରଖି ହେବ ସେତେ ଚେଷ୍ଟା କରନ୍ତୁ। ସନ୍ଧ୍ୟା ପରେ ପିଲାକୁ ଫୋନ ବ୍ୟବହାର ପାଇଁ ଦିଅନ୍ତୁ ନାହିଁ। ପିଲା ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ତାକୁ ଏକୁଟିଆ ଛାଡନ୍ତୁ ନାହିଁ । ନିଜ ସାମ୍ନାରେ ହିଁ ପିଲାକୁ ମୋବାଇଲ ଫୋନ ବ୍ୟବହାର କରିବାକୁ କୁହନ୍ତୁ। ପିଲା କେଉଁ ଗେମ୍ ଖେଳୁଛି କିମ୍ବା ଇଣ୍ଟରନେଟରେ କେଉଁ ସାଇଟ ବ୍ୟବହାର କରୁଛି ତାହା ଉପରେ ନଜର ରଖନ୍ତୁ। ବିଭିନ୍ନ ସୋସିଆଲ ମିଡିଆକୁ ବ୍ୟବହାର ପାଇଁ ପିଲାକୁ ଅନୁମତି ଦିଅନ୍ତୁ ନାହିଁ।

ପିଲା ଆଗରେ କରୋନା ସଂପର୍କରେ ବେଶୀ ଆଲୋଚନା କରନ୍ତୁ ନାହିଁ। ନିଜେ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ପିଲାକୁ ଅଯଥା ଭୟଭୀତ କରାନ୍ତୁ ନାହିଁ। ପିଲା ଆଗରେ ନ୍ୟୁଜ ଚ୍ୟାନେଲରେ ଦେଉଥିବା କରୋନା ସଂପର୍କିତ ଖବର ବି ବେଶୀ ଦେଖନ୍ତୁ ନାହିଁ। ନିଜେ ଓ ନିଜର ପିଲାମାନଙ୍କୁ ସୁସ୍ଥ, ସୁରକ୍ଷିତ ଓ ଦୃଢ ରଖନ୍ତୁ।

ଆସିଷ୍ଟାଣ୍ଟ୍ ପ୍ରଫେସର, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍

ସମ୍ବନ୍ଧିତ ଖବର