ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ନିମୋନିଆ

ଡାକ୍ତର ସମ୍ପତ ଦାସ

ନିମୋନିଆ ହେଉଛି ଏମିତି ଏକ ରୋଗ ଯେଉଁଥିରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥାଏ। ନିମୋନିଆର ବହୁତ କାରଣ ରହିଛି, ସେଥିରୁ କୋରାନା ଭୂତାଣୁ ଗୋଟିଏ କାରଣ ଅଟେ।

କରୋନା ନିମୋନିଆର ହେବାର କାରଣ:
ଯଦି ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ବ୍ୟକ୍ତି ସହିତ ମିଳାମିଶା କରନ୍ତି, ବିନା ମାସ୍କରେ ଯଦି ଆକ୍ରାନ୍ତଙ୍କ ପାଖକୁ ଯାଆନ୍ତି, ଭିଡ ସ୍ଥାନରେ ଅର୍ଥାତ୍‌ ଯେଉଁଠି କରୋନା ସଂକ୍ରମିତ ହେବାର ଆଶଙ୍କା ଥାଏ ସେଭଳି ସ୍ଥାନକୁ ଗଲେ କରୋନା ନିମୋନିଆ ହେବାର ଆଶଙ୍କା ଅଧିକ ରହିଥାଏ। କରୋନା ସଂକ୍ରମଣ ହେଲେ ୨୦ ପ୍ରତିଶତ ‌ଆକ୍ରାନ୍ତଙ୍କ ଛାତିକୁ ଯାଇ କରୋନା ନିମୋନିଆ ହେବାର ଦେଖିବାକୁ ମିଳିଥାଏ।

କରୋନା ନିମୋନିଆର ଲକ୍ଷଣ
ଅତ୍ୟଧିକ ଦୁର୍ବଳ ଲାଗିବା, ହାଲିଆ ଲାଗିବା, ଶୁଖିଲା କାଶ ହେବା, ଛାତି ବ୍ୟଥା ହେବା, ଧଇଁସଇଁ ଲାଗିବା, ଜ୍ବର ହେବା, ଛାତି ଚୋକ୍‌ ହେବା ଭଳି ଅନୁଭବ କରିବା ଏବଂ ଦେହରେ ଅକ୍ସିଜେନର ମାତ୍ର କମିଯିବା ଆଦି ଲକ୍ଷଣ ଦେଖାଦେଲେ ରୋଗୀ ନିମୋନିଆରେ ପୀଡିତ ବୋଲି ଜଣା ପଡିଥାଏ।

ଡାକ୍ତର କେମିତି ଚିହ୍ନନ୍ତି
ନିମୋନିଆ ହୋଇଛି ନା ନାହିଁ, ଏସଂପର୍କରେ ଜାଣିବା ପାଇଁ ଛାତି ଏକ୍ସରେ କରିବାକୁ ପଡିଥାଏ। ଏକ୍ସରେ ବହୁ ପରିମାଣରେ ନିମୋନିଆ ସଂକ୍ରମଣ ସଂପର୍କରେ ଜଣାପଡିଥାଏ। କିଛି କ୍ଷେତ୍ରରେ ସିଟି ସ୍କାନର ମଧ୍ୟ ଆବଶ୍ୟକତା ପଡିଥାଏ। ନିମୋନିଆକୁ ୩ ଭାଗରେ ଭାଗ କରାଯାଏ। ମାଇଲ୍ଡ, ମଧ୍ୟମ (ମଡୋରେଟ୍‌) ଓ ସିଭିୟର। ଯାହାକୁ ସିଟି ସୁପରିଟି ସ୍କୋର ବୋଲି କୁହାଯାଏ। ଏହା ସହିତ ଡାକ୍ତରମାନେ ଅନେକ ପ୍ରକାର ରକ୍ତ ପରୀକ୍ଷା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଯାହାକି ନିମୋନିଆ ସଂକ୍ରମଣ ସଂପର୍କରେ ଜଣାପଡିଥାଏ। ରୁଟିନ ପରୀକ୍ଷା ସହିତ ହାଇଏଣ୍ଡ ପରୀକ୍ଷା ମଧ୍ୟ କରାଯାଏ । ଯଦ୍ବାରା ନିମୋନିଆ କେତେ ପ୍ରତିଶତ ସଂକ୍ରମିତ ହୋଇଛି ଓ କେତେ ଗୁରୁତର ବା ସିଭିୟର ରହିଛି ସେ ସଂପର୍କରେ ଜଣାପଡିଥାଏ।

କେମିତି ଚିକିତ୍ସା କରାଯିବ
ଏହାର ଚିକିତ୍ସା ଅନେକ ପ୍ରକାରର। ଡାକ୍ତରଙ୍କ ଉପରେ ନିର୍ଭର କରେ ଏହାର ଚିକିତ୍ସା ପଦ୍ଧତି। ହେଲେ ମାଇଲ୍ଡ ନିମୋନିଆ ରୋଗୀଙ୍କୁ ଘରେ ରଖି ଚିକିତ୍ସିତ କରିହେବ। କିନ୍ତୁ ଧ୍ୟାନ ଦେବାକୁ ପଡିବ ଯେ, ରୋଗୀର ଶରୀରରେ ଅକ୍ସିଜେନର ପରିମାଣ କେତେ ରହୁଛି। ବାରମ୍ବାର ଅକ୍ସିଜେନ ପରିମାଣ ଦେଖିବାକୁ ପଡିବ। କଣ କଣ ଲକ୍ଷଣ ଦେଖାଯାଉଛି, ଲକ୍ଷଣରେ ପରିବର୍ତ୍ତନ ହେଉଛି କି, ରୋଗୀର ଅବସ୍ଥା ବିଗୁଡୁଛି କି.. ଏହାରି ଉପରେ ନଜର ରଖିବା ସହ ଯଦି ପରିସ୍ଥିତି ଜଟିଳ ଆଡକୁ ଯାଏ, ତେବେ ତୁରନ୍ତ ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରନ୍ତୁ। ମଧ୍ୟମ ଧରଣର ମଡ୍‌ରେଟ୍‌ ନିମୋନିଆରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ସେମି ଆଇସିୟୁର ଆବଶ୍ୟକତା ପଡିଥାଏ। ଅକ୍ସିଜେନର ଆବଶ୍ୟକତା ପଡେ, ଆଣ୍ଟି ଭାଇରାଲ ଇଞ୍ଜେକସନ୍‌ ଓ ବିଭିନ୍ନ ଔଷଧ ଦେଇ ଡାକ୍ତର ଚିକିତ୍ସା କରିଥାନ୍ତି। ଯଦି ଅବସ୍ଥା ଗୁରୁତର ହୁଏ ‌ତେବେ ଆଇସିୟୁର ଆବଶ୍ୟକ ପଡେ। ସିଭିୟର ନିମୋନିଆ ରୋଗୀଙ୍କୁ ଆଇସିୟୁ ସହ ହାଇଫ୍ଲୋ ଅକ୍ସିଜେନ୍‌ ମଧ୍ୟ ଦରକାର। ଦରକାର ପଡିଲେ ଭେଣ୍ଟିଲେଟରର ମଧ୍ୟ ଆବଶ୍ୟକତା ପଡିଥାଏ। ଆଣ୍ଟିବାୟୋଟିକ୍‌, ଆଣ୍ଟିଭାଇରାଲ ଇଞ୍ଜେକସନ୍‌ ଓ ଅନ୍ୟ ସବୁ ଔଷଧ ରୋଗୀଙ୍କୁ ଦିଆଯାଏ। କିଛି କ୍ଷେତ୍ରରେ ଏହା ପ୍ରାଣହାନୀ ଘଟାଇଥାଏ। ଏହି କ୍ଷେତ୍ରରେ ଶରୀରର ଫୁସ୍‌ଫୁସ୍‌ ସହିତ ଅନ୍ୟାନ୍ୟ ଅଙ୍ଗ, ମଲ୍ଟି ଅର୍ଗାନ ଫେଲୁଅର ଅବସ୍ଥା ସୃଷ୍ଟି କରିଥାଏ।

ନିମୋନିଆରୁ ସୁସ୍ଥ ହେବା ପରେ କେମିତି ଯତ୍ନ ନେବେ
ନିମୋନିଆରୁ ସୁସ୍ଥ ହେବା ପରେ ଆ‌କ୍ରାନ୍ତ ବ୍ୟକ୍ତି ନିଜର ଯତ୍ନ ନେବା ଦରକାର। ନଚେତ୍‌ ରୋଗୀର ଅବସ୍ଥା ପୁଣି ଥରେ ଗୁରୁତର ହୋଇପାରେ। ମାଇଲ୍ଡ ନିମୋନିଆରେ ଆକ୍ରାନ୍ତ ବ୍ୟକ୍ତି ଭଲ ହେବାକୁ ୭ରୁ ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ସିଭିୟର ନିମୋନିଆରେ ଆକ୍ରାନ୍ତ ବ୍ୟକ୍ତିକୁ ସୁସ୍ଥ ହେବାକୁ ଏକ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। ତେଣୁ ନିମୋନିଆରୁ ସୁସ୍ଥ ହେବାପରେ ଯେଉଁ ରୋଗୀମାନେ ଆଇସିୟୁରେ ବା ସେମି ଆଇସିୟୁରେ ରହି ଚିକିତ୍ସିତ ହେଉଥାନ୍ତି ସେହି ରୋଗୀମାନେ ଅଧିକ ଯତ୍ନରେ ରହିବା ଦରକାର। ଯେଉଁମାନଙ୍କ ଅକ୍ସିଜେନ ଦରକାର ସେମାନେ ଅକ୍ସିଜେନ ଘରେ ନିଅନ୍ତୁ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍‌ ସମୟରେ ଆଣ୍ଟିବାୟୋଟିକ୍‌ ନେବା, ନିବୁଲାଇଜର ନେବା, ସୁଷମ ଖାଦ୍ୟ ଓ ପୂର୍ବରୁ ଥିବା ରୋଗ ଅର୍ଥାତ୍‌ ଯାହାର (ମଧୁମେହ, ଉଚ୍ଚ ରକ୍ତଚାପ ତଥା ବିଭିନ୍ନ ରୋଗ ରହିଛି) ତାର ଔଷଧ ମଧ୍ୟ ଠିକ୍‌ ସମୟରେ ଖାଆନ୍ତୁ।

କରୋନା ନିମୋନିଆ ହେଉଛି କରୋନାର ସିଭିୟର ଫର୍ମ ବା ଗୁରୁତର ଅବସ୍ଥା। ଅଳ୍ପ କିଛି କ୍ଷେତ୍ରରେ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହୋଇଥାଏ। ତେଣୁ ଆଦୌ ଭୟ କରନ୍ତୁ ନାହିଁ, ସୁସ୍ଥ ରୁହନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ଆପଣ ନିଶ୍ଚିତ ସୁସ୍ଥ ହେବେ।

ପଲ୍ୟୁମନାରି ମେଡିସିନ୍ ବି‌ଶେଷଜ୍ଞ
ଚିଫ୍‌ ମେଡିକାଲ ଅଫିସର
ଅଶ୍ୱିନୀ କୋଭିଡ ହସ୍ପିଟାଲ, ସିଡ଼ିଏ, କଟକ

ସମ୍ବନ୍ଧିତ ଖବର