ସ୍ୱାସ୍ଥ୍ୟ ସମ୍ବାଦ : ବୟସ୍କଙ୍କ କ୍ଷେତ୍ରରେ ବାଚାଳାମି, ଓଠ-ମୁହଁ ନୀଳ ପଡ଼ିବା ଲକ୍ଷଣ ବି ରହୁଛି

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

ବୟସ୍କ ଲୋକମାନଙ୍କଠାରେ ନାନା ପ୍ରକାରର ବୟସ ଜନିତ ଦୁର୍ବଳତା ଓ ରୋଗ ମାନ ଥାଏ। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍‌ ଥାଏ। କରୋନା ରୋଗ କେବଳ ଏକ ଶ୍ବାସ ପ୍ରକ୍ରିୟାର ରୋଗ ନୁହେଁ, ଏହା ଏକ ରକ୍ତଶିରା ଓ ରକ୍ତଜମାଟ ପ୍ରକ୍ରିୟାର ରୋଗ ମଧ୍ୟ ହୋଇପାରେ। ତାହାଛଡ଼ା ହୃତ୍‌ପିଣ୍ତ, ଯକୃତ ଓ ବୃକକ୍‌ ତଥା ମସ୍ତିଷ୍କ ଇତ୍ୟାଦି ମଧ୍ୟ ଏଥିରେ ପ୍ରଭାବିତ ହୋଇଥାଏ। କିନ୍ତୁ କରୋନା ରୋଗର ଅନ୍ୟନାମ ଲକ୍ଷଣ ହେଉଛି ସ୍ବଚ୍ଛନୀୟ ଶ୍ବାସକଷ୍ଟ ରୋଗ, ଯାହାକୁ ସାର୍ସ କୁହାଯାଏ। ଇଟାଲିରେ ଗତବର୍ଷ ସେପ୍ଟେମ୍ବର ଓ ଚୀନ୍‌ରେ ଡିସେମ୍ବରରେ ପ୍ରଥମେ ଏହି ରୋଗ ବୟସ୍କମାନଙ୍କଠାରେ ସାର୍ସ ଆକାରରେ ପରିଲକ୍ଷିତ ହୋଇଥିଲା। କରୋନା ରୋଗ କଫ ଓ ବିଭିନ୍ନ ପ୍ରକାରର ଶାରୀରିକ ଜଳୀୟ ଅ˚ଶ, ମଳମୂତ୍ର ଦ୍ବାରା ବି ବ୍ୟାପିଥାଏ। ମୁଖ୍ୟତଃ ପ୍ରଶ୍ବାସରେ ଅତି କ୍ଷୁତ୍ର ଜଳୀୟ ଅ˚ଶ ଯାହାକୁ ଡ୍ରପଲେଟ୍‌ ଓ ଏରୋସଲ୍‌ କୁହାଯାଏ, ତାହା ରୋଗୀଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ।

ଏହି ଭୂତାଣୁ ସବୁ ରୋଗୀ କାଶିବା, ଛିଙ୍କିବା ଓ କଥା କହିବାବେଳେ ସୁସ୍ଥ ଲୋକ ଦେହରେ ପହଞ୍ଚିଥାଏ। ରୋଗୀ ବ୍ୟବହାର କରୁଥିବା ପାଇଖାନା, ରୁମାଲ, ଗାମୁଛା, ଅନ୍ତବସ୍ତ୍ର ମାଧ୍ୟମରେ ମଧ୍ୟ ଏହି ଭୂତାଣୁ ସୁସ୍ଥ ଲୋକଙ୍କୁ ସ˚କ୍ରମିତ କରିଥାଏ। ବୟସ୍କମାନଙ୍କର ଏହି ଭୂତାଣୁ ମୁହଁ, ପାଟି, ନାକ ଓ ଶରୀରର ବାହାର ଅ˚ଶରେ ବେଶୀ ସମୟ ଲାଗି ରହିଥାଏ ଓ ଦ୍ରୁତ ଗତିରେ ବ˚ଶବୃଦ୍ଧି କରେ। ଉଷୁମ ପାଣିରେ ଗାଧୋଇବା, ନାକ ଭିତର ଓ ପାଟି ଭିତରକୁ ଉଷୁମ ପାଣିରେ କୁଳି କରି ଏବ˚ ଆଖିକୁ ଉଷୁମ ପାଣିରେ ଧୋଇ ଶରୀରରେ ଥିବା ଭୂତାଣୁ ସ˚ଖ୍ୟା କମାଇବା ଦରକାର। ପ୍ରତ୍ୟେକ କରୋନା ରୋଗୀଙ୍କଠାରେ ରୋଗ ସ˚କ୍ରମଣ କରିବା କ୍ଷମତା ୧୦ ଦିନ ପର୍ଯ୍ୟନ୍ତ ଥାଆନ୍ତି। ବେଳେବେଳେ ତାହା ୧୪ ଦିନ କିମ୍ବା ତାହାଠାରୁ ଅଧିକ ହୋଇଥାଏ। ବୟସ୍କ ଲୋକମାନଙ୍କୁ ନିବୁଜ ଓ ବନ୍ଦ ଘରେ ରଖିବା ଅନୁଚିତ୍‌। ଘରର କବାଟ ଝରକା ଖୋଲା ରହିଲେ ସ˚କ୍ରମିତ ହୋଇଥିବା ବାୟୁମଣ୍ତଳରେ ଭୂତାଣୁ ସ˚ଖ୍ୟା କମି ଯାଇଥାଏ। ବୟସ୍କ ବ୍ୟକ୍ତି ରହୁଥିବା ଚଟାଣ ଗାଧୁଆ ଘରେ ବ୍ୟବହାର କରୁଥିବା ପାଇଖାନା ପ୍ୟାନ୍‌ ଇତ୍ୟାଦିକୁ ଫିନାଇଲ୍‌ କିମ୍ବା ସାନିଟାଇଜରରେ ବାରମ୍ବାର ସଫା କରିବା ଉଚିତ୍‌। ମୁଖ୍ୟତଃ ରୋଗୀ ଓ ରୋଗ ବ୍ୟାପିଥିବା ସ୍ଥାନଠାରୁ ବୟସ୍କ ଲୋକଠାରୁ ଦୂରେଇ ରଖିବା ଉଚିତ୍‌। କୌଣସି ସନ୍ଦିଗ୍ଧ ବ୍ୟକ୍ତିଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ପଡ଼ିବ।

ବୟସ୍କ ଲୋକଙ୍କଠାରେ କରୋନା ଲକ୍ଷଣ ମୁଖ୍ୟତଃ ଦୁଇ ପ୍ରକାରର ଦେଖା ଦେଇଥାଏ। ସାଧାରଣ ଲକ୍ଷଣ ଓ ଅସାଧାରଣ ଲକ୍ଷଣ। ସାଧାରଣ ଲକ୍ଷଣଗୁଡ଼ିକ ହେଲା ଜ୍ବର ଓ କାଶ। ଜ୍ବର କମ୍‌ ହୋଇପାରେ କିମ୍ବା ବେଶୀ ହୋଇପାରେ। ବୟସ୍କମାନଙ୍କଠାରେ ବିଭିନ୍ନ ପ୍ରକାରର ଜ୍ବର ଆସିଥାଏ। ଖୁବ୍‌ ଅଳ୍ପ ସମୟ ଜ୍ବର ହୋଇକି ବେଶୀ ଝାଳ ବୋହିବା କିମ୍ବା ଜ୍ବର ବିଲକୁଲ ନହେବା ବୟସ୍କଙ୍କଠାରେ ପରିଲକ୍ଷିତ ହୋଇଥାଏ। ତାଙ୍କଠାରେ କାଶ ଭୟଙ୍କର ହୋଇପାରେ କିମ୍ବା ମୋଟେ ବି ନ ହୋଇପାରେ। କାଶ, ଜ୍ବର, ନହୋଇ ବେଳେବେଳେ ସ୍ବାଦ ଓ ଘ୍ରାଣ ଶକ୍ତି ହ୍ରାସ ପାଇଥାଏ। କୌଣସି ନାଶା, ଗଳା ଓ କର୍ଣ୍ଣ ଜନିତ ଲକ୍ଷଣ ମୋଟେ ନଥାଇପାରେ। ଶ୍ବାସ ନେବାରେ କଷ୍ଟ ହେବା, ଛାତି ବ୍ୟଥା, ମାନସିକ ବାଚାଳାମି, ଓଠ ଓ ମୁହଁ ନୀଳ ରଙ୍ଗ ହୋଇଗଲେ ଶୀଘ୍ର କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇ ସେମାନଙ୍କୁ ଆଇସିୟୁରେ ଚିକିତ୍ସା କରାଇବା ଉଚିତ୍‌। ବୟସ୍କ ଲୋକମାନଙ୍କର କୋଭିଡ୍‌ ଜନିତ ଜଟିଳତା ଗୁଡ଼ିକ ହେଲା ନିମୋନିଆ, ସେପ୍ଟିସିୟମ୍‌, ଏଆର‌୍‌ଡିଏସ୍‌, ହୃଦ୍‌ଘାତ, ମସ୍ତିଷ୍କାଘାତ, ବୃକକ୍‌ ଓ ଯକୃତ ଖରାପ ହେବା ଇତ୍ୟାଦି। ଏହି ଜଟିଳତା ସବୁ ବୟସ୍କ କରୋନା ଆକ୍ରାନ୍ତଙ୍କଠାରେ ଅଧିକ ପରିମାଣରେ ଦେଖାଦେଇଥାଏ। ବୟସ୍କ ଲୋକମାନଙ୍କର ଅକ୍ସିଜେନ୍‌ର ମାତ୍ରା ନିୟମିତ ପରୀକ୍ଷା କରାଇନେବା ଉଚିତ୍‌। ଏକ ପରିସ˚ଖ୍ୟନରୁ ଜଣାପଡ଼ିଛି ଯେ, ବୟସ୍କ କରୋନା ରୋଗୀଙ୍କଠାରେ ନିମୋନିଆ ହେବାର ସମ୍ଭାବନା ଶତକଡ଼ା ୧୦ରୁ ୭୦ ପ୍ରତିଶତ ହୋଇଥାଏ। କରୋନାର ପ୍ରାଦୁର୍ଭାବ ସମୟରେ ବୟସ୍କ ବ୍ୟକ୍ତି ଯଦି ଅସୁସ୍ଥତା ଅନୁଭବ କରନ୍ତି ଓ ବର୍ଣ୍ଣନା କରାଯାଇଥିବା ଲକ୍ଷଣ ଯେତେ ସାମାନ୍ୟ ହେଲେ ମଧ୍ୟ ଆର‌୍‌ଟିପିସିଆର‌୍‌ ଟେଷ୍ଟ କରାଇନେବା ଉଚିତ୍‌। କାଶ, କଫ ହୋଇଥିଲେ ଛାତିର ଫଟୋ କିମ୍ବା ଏଚ୍‌ଆର‌୍‌ସିଟି ପରୀକ୍ଷା କରାଇନେବା ଉଚିତ୍‌।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର