ସ୍ୱାସ୍ଥ୍ୟ ସମ୍ବାଦ : ଧମନୀରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ରାଜ୍ୟରେ ଦିନକୁ ଦିନ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ଆକ୍ରାନ୍ତ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଛନ୍ତି। ତେବେ ଏହି ସମୟରେ ଆଣ୍ଟିବଡିକୁ ନେଇ ଖବର କରୋନାକୁ ନେଇ ରହିଥିବା ଭୟକୁ ଦୂରେଇବା ସହ କିଛିଟା ଆଶ୍ବସ୍ତ କରିଛି। ନିକଟରେ ଆରଏମ୍ଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ କଟକ ସହରରେ ସାର୍ସ କୋଭ–୨ ବା କୋଭିଡ଼ –୧୯ ପାଇଁ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ଲୋକମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ତାହା ଭିତରୁ ୯୦%ଙ୍କ ଶରୀରରେ କୌଣସି ପ୍ରକାର ଲକ୍ଷଣ ନଥିବା କୁହାଯାଉଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି କୋଭିଡ଼ ଯୋଦ୍ଧାଙ୍କ ଠାରେ ଅଧିକ ଭାବେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଡାକ୍ତର, ନର୍ସ, ପୁଲିସ, ସାମ୍ବାଦିକଙ୍କ ଭଳି କୋଭିଡ଼ ଯୋଦ୍ଧା ଅଥବା ସମ୍ବେଦନଶୀଳ ଗୋଷ୍ଠୀଙ୍କ ମଧ୍ୟରେ ୫୬.୪୦ ପ୍ରତିଶତ ଆଣ୍ଟିବଡ଼ି ତିଆରି ହୋଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ଆଣ୍ଟିବଡ଼ିରେ କୌଣସି ଫରକ ଦେଖିବାକୁ ମିଳିନାହିଁ। ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ସୂଚନା ଥାଉକି ପୂର୍ବରୁ ଭୁବନେଶ୍ବରରେ ହୋଇଥିବା ସେରୋ ସର୍ଭେରେ ୫୫ ପ୍ରତିଶତ, ବ୍ରହ୍ମପୁର ସହରରେ ୩୧ ପ୍ରତିଶତରୁ ଅଧିକ ଓ ଗଜପତିରେ ୬୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା।

କରୋନା ଭୂତାଣୁ ବା କୋଭିଡ–୧୯ ସଂପର୍କିତ ସଦ୍ୟ ଅଧ୍ୟୟନରୁ କିଛି ନୂଆ ତଥ୍ୟ ଆଉ ଭିନ୍ନ ନିର୍ଯ୍ୟାସ ବାହାରିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। କୋଭିଡ଼–୧୯ କେବଳ ଏକ ଶ୍ବାସକ୍ରିୟାଜନିତ ରୋଗ ନୁହେଁ, ବରଂ ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କର ସମ୍ପୂର୍ଣ୍ଣ ଶରୀର ପ୍ରଭାବିତ ହେଉଛି। ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଧୀରେ ଧୀରେ ଏହି ଭୂତାଣୁ ଶରୀରକୁ ଅବଶ କରିପକାଉଛି। କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ଦେଖିବାକୁ ମିଳିଛି। ଯୁବ ରୋଗୀଙ୍କ ଠାରେ ଏହା ଷ୍ଟ୍ରୋକ ବା ଆଘାତ ଭଳି ସମସ୍ୟା ସୃଷ୍ଟି କରୁଛି। ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ନେଇ ଆଶଙ୍କା ରହୁଛି। ଅତ୍ୟନ୍ତ କ୍ଷୁଦ୍ର ରକ୍ତ କଣିକାରେ ଜମାଟ ଭଳି ସ୍ଥିତି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ରୋଗୀମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଇବାକୁ ପଡ଼ୁଛି। ପିଲାମାନଙ୍କର ପ୍ରତିରୋଧକ କ୍ଷମତାକୁ ଏହା ପ୍ରଭାବିତ କରୁଛି। ଅବଶ୍ୟ ଅଧିକାଂଶ ରୋଗୀ ଠାରେ ଜ୍ବର, ନିମୋନିଆ, ଶ୍ବାସକ୍ରିୟା ସମସ୍ୟା ଦେଖାଦେଉଛି। ଡାକ୍ତରଙ୍କ ମୁତାବକ ଏହି ଭୂତାଣୁ ସିଧାସଳଖ ଭାବେ କିଛି ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇପାରେ।

କରୋନା ଭୂତାଣୁ ସଂକ୍ରମଣ ଏକ ଜ୍ବଳନ ସମ୍ବନ୍ଧୀୟ ରୋଗ। ଏହାଦ୍ବାରା ପ୍ରତିରୋଧକ ବ୍ୟବସ୍ଥା ପ୍ରତିକ୍ରିୟାଶୀଳ ହେଉଛି। ଏହି ପ୍ରତିକ୍ରିୟା ବାରମ୍ବାର ହେଲେ ଏହା କାୱାସାକି ଭଳି ରୋଗ ସୃଷ୍ଟି କରିପାରେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପାଦରେ ନାଲି ନାଲି ଫଳିଯିବା ଭଳି ଘା ସୃଷ୍ଟି ହେଉଥିବା ନିକଟରେ ଏକାଧିକ ରିପୋର୍ଟରୁ ଜଣାପଡ଼ିଥିଲା। କରୋନା ରୋଗୀ ଠାରେ ଏହା ନୂଆ ଲକ୍ଷଣ ପ୍ରକାଶ ପାଇଥିଲା। ଏହି ରୋଗକୁ କୋଭିଡ଼ଟୋଜ ବୋଲି କୁହାଯାଉଛି। ତେବେ ଅତି କ୍ଷୁଦ୍ର ରକ୍ତ ଜମାଟ ବାନ୍ଧିବା ସମସ୍ୟା ଯୋଗୁଁ ପାଦରେ ଏଭଳି ସମସ୍ୟା ଦେଖାଦେଉଥିବା ଡାକ୍ତରମାନେ ମତପୋଷଣ କରିଛନ୍ତି। କୋଭିଡ଼–୧୯ ସଂକ୍ରମିତ ରୋଗୀଙ୍କ ଠାରେ ଚର୍ମ ପ୍ରତିକ୍ରିୟା ଘଟଣା ଘଟୁଥିବା ଏଥିରୁ ସ୍ପଷ୍ଟ ହେଉଛି। ପାଦର ରକ୍ତ କଣିକାରେ ଅତ୍ୟନ୍ତ କ୍ଷୁଦ୍ର ରକ୍ତ ଜମାଟ ବାନ୍ଧୁଥିବାରୁ ଏଭଳି ଘା’ମାନ ସୃଷ୍ଟି ହେଉଛି ବୋଲି ଚିକିତ୍ସକ ମାନେ କହିଛନ୍ତି। କିନ୍ତୁ ଏହା କୌଣସି ସାଂଘାତିକ ଲକ୍ଷଣ ସହ ଜଡ଼ିତ ନୁହେଁ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

ସମ୍ବନ୍ଧିତ ଖବର