ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଅସ୍ୱାଭାବିକ ହୃତ୍‌ସ୍ପନ୍ଦନ

ଡାକ୍ତର ଦୀପକ ର˚ଜନ ଦାସ

କୌଣସି ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସମୟରେ ହେଉ ବା ରୋଗମୁକ୍ତ ହେବା ପରେ ହେଉ, ଅନେକ ସମୟରେ ତାଙ୍କର ଛାତି ଧଡ଼ପଡ ଲାଗୁଛି ବୋଲି କହିଥାନ୍ତି। ଏହାକୁ ଡାକ୍ତରୀ ଭାଷାରେ ‘ପାଲ୍‌ପିଟେସନ୍‌’ ବା ଅସ୍ବାଭାବିକ ହୃଦ୍‌ସ୍ପନ୍ଦନ ବୋଲି କୁହାଯାଏ। ଆମେ ଯଦି ଜଲଦି ଜଲଦି ଦୁଇମହଲା ଉପରକୁ ସିଡିରେ ଚଢିଯାଉ, ତାହେଲେ ଆମର ଛାତି ଅଳ୍ପ ସମୟ ପାଇଁ ଦମ୍‌ଦମ୍‌ ହେବା ଭଳି ଲାଗେ, ଯାହାକି କିଛି ସମୟ ପରେ ଆପେ କମିଯାଏ। ଜଣେ ସ˚ପୂର୍ଣ୍ଣ ସୁସ୍ଥ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଦେଇପାରେ। ତେବେ କୌଣସି କାରଣରୁ ଯଦି ଜଣେ ବ୍ୟକ୍ତି ବିଶ୍ରାମ ନେଉଥିବା ସମୟରେ ହେଉ ବା କିଛି ଶାରୀରିକ ପରିଶ୍ରମ ନକରି ମଧ୍ୟ ତାଙ୍କର ଛାତି ଧଡ଼ଧଡ ଲାଗେ ଏବ˚ ଦୀର୍ଘ ସମୟ ଧରି ଏହା ଲାଗରିହେ, ତେବେ ଏହାକୁ ଅସ୍ବଭାବିକ ହୃତ୍‌ସ୍ପନ୍ଦନ କୁହାଯାଏ।

ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଜାରି କରିଥିବା କରୋନା ସ˚ପର୍କିତ ସୂଚନାପତ୍ରରେ ମାନସିକ ଦୁଶ୍ଚିନ୍ତା ବା ଅବସାଦ ଏହାର ସବୁଠାରୁ ଗୁରୁତର କାରଣ ବୋଲି ବର୍ଣ୍ଣନା କରିଛନ୍ତି। କରୋନା ଭୂତାଣୁ ଦ୍ବାରା ହୃଦ୍‌ଯନ୍ତ୍ର ଆକ୍ରାନ୍ତ ହୋଇ ହୃଦ୍‌ଘାତ ବା ‘ହାର୍ଟ ଫେଲୁଅର’ ଭଳି ପରିସ୍ଥିତି ଉପୁଜିଲେ ମଧ୍ୟ ଏହିଭଳି ଲକ୍ଷଣ ଦେଖା ଯାଇପାରେ। କିନ୍ତୁ ଶହେ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କ କ୍ଷେତ୍ରରେ ଏହିଭଳି ଗୁରୁତର ପରିସ୍ଥିତି ଉପୁଜିଥାଏ। ଯେଉଁ ବ୍ୟକ୍ତିମାନେ କରୋନା ସ˚କ୍ରମିତ ହେବା ପୂର୍ବରୁ ହୃଦ୍‌ରୋଗରେ ପୀଡ଼ିତ ଥାଆନ୍ତି ବା ଦୀର୍ଘଦିନ ଅନିୟନ୍ତ୍ରିତ ମଧୁମେହ ବା ଥାଇରଏଡ୍‌ ସମସ୍ୟାଗ୍ରସ୍ତ ହୋଇଥାନ୍ତି। ସେମାନେ ଏହି ଲକ୍ଷଣକୁ ଗୁରୁତର ସହିତ ବିଚାର କରିବା ଯଥାର୍ଥ। ସାଧାରଣ ଭାବେ ଜଣେ ସୁସ୍ଥ ବ୍ୟକ୍ତିଙ୍କର ହୃତ୍‌ସ୍ପନ୍ଦନ ଗୋଟିଏ ମିନିଟ୍‌ରେ ୬୦ରୁ ୧୦୦ ଥର ଘଟିଥାଏ। କୌଣସି କାରଣ ଯୋଗୁଁ ହୃତ୍‌ସ୍ପନ୍ଦନ ୬୦ ଥରରୁ କମ୍‌ ହେଲେ କିମ୍ବା ୧୦୦ ଥରରୁ ଅଧିକ ହେଲେ ଆମକୁ ଛାତି ଧଡ଼ଧଡ଼ ଲାଗିପାରେ। ଏହିଭଳି ଲକ୍ଷଣ ପ୍ରକାଶ ପାଇଲେ ଜଣେ ବ୍ୟକ୍ତି ସ୍ବଳ୍ପବ୍ୟୟରେ ଗୋଟିଏ ଇସିିଜି ପରୀକ୍ଷା କରାଇପାରିବେ। ଆଜିକାଲି ଏହି ସୁବିଧା ପ୍ରତି ଜିଲ୍ଲା ବା ସବ୍‌ଡିଭିଜନ୍‌ ମୁଖ୍ୟାଳୟରେ ଉପଲବ୍ଧ ହେଲାଣି। ଇସିଜି ପରୀକ୍ଷା ରିପୋର୍ଟ ଯଦି ସ˚ପୂର୍ଣ୍ଣ ଠିକ୍‌ ବାହାରେ, ତେବେ ଛାତି ଧଡ୍‌ଧଡ୍‌ ହେବା ଲକ୍ଷଣଟି ମାନସିକ କାରଣରୁ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ତେବେ ପୁରୁଣା ହୃଦ୍‌ରୋଗୀଙ୍କ ପାଇଁ ଏଭଳି ଧାରଣା ପ୍ରଯୁଜ୍ୟ ନୁହେଁ। ଅନେକ କୋଭିଡ୍‌ ଆକ୍ରାନ୍ତମାନେ ଡାକ୍ତରଖାନାରେ ଥିବା ସମୟରେ ବା ଡିସ୍‌ଚାର୍ଜ ହେବାପରେ ମଧ୍ୟ ନିଦ୍ରାହୀନତା ସମସ୍ୟାରେ ଦୀର୍ଘଦିନ ଧରି ପୀଡ଼ିତ ହୁଅନ୍ତି। ତେବେ ଅଳ୍ପ କେତେ ଦିନ ପାଇଁ ନିଦ୍ରାର ଲୟ ଠିକ୍‌ କରିବା ଭଳି ଔଷଧ ସେବନ କରିବା ଦ୍ବାରା ସେମାନେ ସ˚ପୂର୍ଣ୍ଣ ସୁସ୍ଥ ଅନୁଭବ କରିଥାନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ବିନା ଔଷଧ ଦୋକାନୀଙ୍କୁ ପଚାରି ବଟିକା ଖାଇ କେତେଜଣ ଗୁରୁତର ଅବସ୍ଥାରେ ଭର୍ତ୍ତିହେବା ମଧ୍ୟ ଏବେ ଦେଖା ଯାଉଛି। ଯେଉଁ କୋଭିଡ୍‌ ରୋଗୀମାନେ ଡାକ୍ତରଖାନାରେ ଥିବା ସମୟରେ ଶ୍ବାସ ସହାୟକ ଯନ୍ତ୍ର ବା ଭେଣ୍ଟିଲେଟର ଦ୍ବାରା ଚିକିତ୍ସିତ ହୋଇଥାନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଅସ୍ବଭାବିକ ହୃଦ୍‌ସ୍ପନ୍ଦନ ଯଥେଷ୍ଟ ଅଧିକ ପରିମାଣରେ ଏବ˚ ଦୀର୍ଘଦିନ ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ। ଏହି ଅବସ୍ଥାରେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ବ୍ୟବହୃତ ହେଉଥିବା କେତେକ ନିର୍ଦ୍ଧିଷ୍ଟ ପ୍ରକାର ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଭାବରେ ମଧ୍ୟ ଛାତି ଧଡ଼ଧଡ ଲାଗିପାରେ।

ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, ସବୁ କୋଭିଡ୍‌ ରୋଗୀମାନଙ୍କ କ୍ଷେତ୍ରରେ ନିର୍ଦ୍ଧିଷ୍ଟ କୌଣସି ମାପଦଣ୍ତ ନରଖି ‘ଷ୍ଟେରଏଡ୍‌’ ଔଷଧ ବ୍ୟବହାର କରିବା ଦ୍ବାରା ମଧ୍ୟ ପରବର୍ତ୍ତି ସମୟରେ ଏହିଭଳି ଲକ୍ଷଣ ଅଧିକ ଦେଖାଦେଇଥାଏ। ଯେଉଁ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିମାନେ ଆଗରୁ ଧୂମପାନ କରୁଥିଲେ ବା ରୋଗମୁକ୍ତ ହେବା ପରେ ଧୂମପାନ କରିବା ଆରମ୍ଭ କରନ୍ତି, ସେମାନେ ଏଭଳି ଲକ୍ଷଣ ଅନୁଭବ କରିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ। ଅନେକ ରୋଗୀମାନଙ୍କ କ୍ଷେତ୍ରରେ ଉପଯୁକ୍ତ ପରିମାଣର ମାନସିକ ଶାନ୍ତ୍ବନା ଏବ˚ ଧୈର୍ଯ୍ୟହରା ନହେବା ପାଇଁ ପରାମର୍ଶ ହିଁ ଏହି ଲକ୍ଷଣକୁ ଯଥେଷ୍ଟ ପରିମାଣରେ ନିୟନ୍ତ୍ରଣକୁ ଆଣିପାରେ। ଶୀତଦିନେ ଶ୍ବାସରୋଗୀମାନେ ଧଇଁ ପେଲାରୁ ଉପଶମ ପାଇବା ପାଇଁ ବ୍ୟବହାର କରୁଥିବା ଅନେକ ଔଷଧ ବା ଇନ୍‌ହେଲର ନେବା ପରେ ସାମୟିକ ଭାବେ କିଛି ସମୟ ପାଇଁ ଛାତି ଧଡ଼ଧଡ ଲାଗିପାରେ। ଏହି ପରିସ୍ଥିତିରେ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ। ୭୦ ବର୍ଷରୁ ଅଧିକ ଲୋକମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ପ୍ରକାଶିତ ହେଲେ କିମ୍ବା ଏହାସହିତ ଛାତି ଯନ୍ତ୍ରଣା ବାରମ୍ବାର ଲାଗି ରହିଲେ କାଳବିଳମ୍ବ ନକରି ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍‌। ନଚେତ୍‌ ଇସିଜି କରିବାର ସୁବିଧା ଥିଲେ ଯଥାଶୀଘ୍ର ଇସିଜି ପରୀକ୍ଷା କରି ତାକୁ ହ୍ବାଟ୍ସଆପ୍‌ ମାଧ୍ୟମରେ ବିଶେଷଜ୍ଞଙ୍କୁ ପଠାଇ ମତାମତ ନେବା ବିଚାରଯୋଗ୍ୟ। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞମାନେ ନିର୍ଦ୍ଧିଷ୍ଟ ରୋଗୀମାନଙ୍କୁ ଇକୋ ବା ହୋଲଟସ୍‌ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇପାରନ୍ତି। ସାମାନ୍ୟ ଭାବେ ପ୍ରତ୍ୟେକ କରୋନା ରୋଗୀ ନିଜ ଘଣ୍ଟା ଦେଖି ନିଜର କଚଟି ବା ମଣିବନ୍ଧ ପାଖରେ ଧମନୀର ଗତିକୁ ମାପିପାରିବେ। ଏହି ଅଭ୍ୟାସଟି ନିଜ ପାଇଁ ଏବ˚ ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଖୁବ୍‌ ଉପାଦେୟ। ସମୟ ଅସମୟରେ କାହାର ଛାତି ଧଡ଼ଧଡ ଲାଗିବା ଯୋଗୁଁ ସ˚ପୂର୍ଣ୍ଣ ପରିବାର ଅଯଥା ଆତଙ୍କିତ ହେବା ପରିସ୍ଥିତିରେ ଏହା ମାନସିକ ଶାନ୍ତ୍ବନା ଆଉ ଧୈର୍ଯ୍ୟ ଯୋଗାଇପାରିବ।

ସହକାରୀ ପ୍ରାଧ୍ୟାପକ, ହୃଦ୍‌ରୋଗ ବିଭାଗ,
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର