ସ୍ୱାସ୍ଥ୍ୟ ସମ୍ବାଦ : ସତର୍କ ନରହିଲେ ପ୍ରସୂତିଙ୍କ ମଲ୍ଟି ଅର୍ଗାନ ଫେଲୁୟର ହୋଇପାରେ

ପ୍ରଫେସର ଡାକ୍ତର ତୁଷାର କର

ପ୍ରତ୍ୟେକ ମହିଳା ପ୍ରସବ ପରେ ଅଧିକ ସତର୍କତା ଅବଲମ୍ବନ କରିବା କଥା। କିନ୍ତୁ ଯଦି କରୋନା ସଂକ୍ରମିତ ପ୍ରସୂତି ମହିଳା ଅଧିକ ସତର୍କ ନହରନ୍ତି ତା’ହେଲେ ସେକେଣ୍ଡାରୀ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ତେଣୁ କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହୋଇ ସନ୍ତାନ ପ୍ରସବ କରିଥିବା ମହିଳାମାନଙ୍କ ପ୍ରତି ପରିବାର ଲୋକ ଅଧିକ ଧ୍ୟାନ ଦେବା ଉଚିତ୍‌। ଏମିତିରେ ସନ୍ତାନ ପ୍ରସବ ପରେ ମହିଳାମାନେ ଦୁର୍ବଳ ହୋଇପଡନ୍ତି। ଏପଟେ କୋଭିଡ୍‌ ସଂକ୍ରମଣ କାରଣରୁ ପ୍ରସୂତି ଅଧିକ ଦୁର୍ବଳ ହୋଇପଡିବା ସହ ସେମାନଙ୍କଠାରେ ଅନ୍ୟାନ୍ୟ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ‌ସେମାନେ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇପଡନ୍ତି।

ଜଣେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ ପରେ ଅନ୍ତତଃ ପକ୍ଷେ ଦୁଇରୁ ତିନି ଦିନ ଡାକ୍ତରଖାନାରେ ରହିବା କଥା। ଯଦି କରୋନା ସଂକ୍ରମଣ ଦ୍ବାରା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯଥା, କାଶ, କଫ, ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୁଏ ,ତାହେଲେ ଅଧିକ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବାକୁ ପଡିଥାଏ। ଯଦି ଲକ୍ଷଣ ବିହୀନ ହୁ୍ଅନ୍ତି, ତାହେଲେ ସେମାନେ ଯାଇ ଗୃହ ସଙ୍ଗରୋଧରେ କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ ରହିବା କଥା। କିନ୍ତୁ ଘରେ ରହିଲେ ବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ କରିବା, ହାତ ସବୁବେଳେ ପରିସ୍କାର ପରିଚ୍ଛନ୍ନ ରଖିବା ସହ ସଫା ବସ୍ତ୍ର ପିନ୍ଧିବା ଦରକାର। କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳାଙ୍କ ଠାରେ ଜ୍ବର, ଦେହରୁ ଗନ୍ଧଯୁକ୍ତ ଶ୍ବେତ ସ୍ରାବ, କିମ୍ବା ସ୍ତନହରା ବା ସ୍ତନରେ ବ୍ୟଥା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଜରୁରୀ। ପୋଷ୍ଟ କୋଭିଡ୍‌ରେ କରୋନା ଅତ୍ୟଧିକ ଦୁର୍ବଳ କରିପାରେ। ଏବଂ ବେଳେ ବେଳେ ମାନସିକ ଅସ୍ଥିରତା ବି ଦେଖାଯାଏ। ତେଣୁ ଏଥିପାଇଁ ଡାକ୍ତରୀ ଚିକିତ୍ସା ସହିତ ପରିବାର ଲୋକଙ୍କ ସହଯୋଗ ଓ ମାନସିକ ଅନୁକମ୍ପା ଦରକାର ପଡିଥାଏ।

ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ବି ହୋଇପାରେ। ଯଦି ପ୍ରସବ ସିଜରିଆନ ଦ୍ବାରା ହୋଇଥାଏ ତାଙ୍କୁ ଡାକ୍ତରଖାନାରେ ଅଧିକ ଦିନ ବା ୬ରୁ ୧୦ ଦିନ ପର୍ଯ୍ୟନ୍ତ ରଖାଯାଏ। ଏହି ସମୟରେ ଶିଶୁଟିକୁ ସାମାଜିକ ଦୂରତା ଅବଲମ୍ବନ କରି ସ୍ତନପାନ କରାଯାଏ। ତା’ସହିତ ପିଲାଟିର ଟିକାକରଣ ଯଥା ସମୟର ଦିଆଯାଏ। ମା’କୁ ଅଧିକ ଭିଟାମିନ ଯୁକ୍ତ ଖାଦ୍ୟ ଦିଆଯାଇଥାଏ। ଯଦି କୋଭିଡ ପରେ ପ୍ରସୂତି ମହିଳା ନିଜେ ସଚେତନ ନରହନ୍ତି ତାହେଲେ କରୋନାରୁ ସୁସ୍ଥ ହେବା ପରେ ବି ସଂକ୍ରମଣ ଶରୀରର ବିଭିନ୍ନ ସ୍ଥାନକୁ ବ୍ୟାପିଥାଏ। ଫୁସଫୁସ୍‌, ପରିସ୍ରା ସଂକ୍ରମଣ ସର୍ବୋପରି ଶରୀର ଯେକୌଣସି ଅଙ୍ଗକୁ ଏହା ବ୍ୟାପିପାରେ। ସୁସ୍ଥ ହେବା ପରେ ଯଦି ପ୍ରସୂତି ମହିଳା ସାବଧାନତା ଅବଲମ୍ବନ ନକରନ୍ତି ତାହେଲେ ମଲ୍ଟି ଆର୍ଗନ ଫେଲୁଅର ବି ହୋଇପାରେ। ସିଜରିଆନ ପରେ କୌଣସି ମହିଳା ଡାକ୍ତରଖାନାରୁ ଅନୁରୋଧ କରି ଡିସଚାର୍ଜ ହେବା ବା ସମୟ ପୂର୍ବରୁ ଘରକୁ ଯିବା ଉଚିତ୍‌ ନୁହେଁ। କାରଣ ସିଜରିଆନ ଅପେରେସନ୍‌ ପାଇଁ କୋଭିଡ୍ ଭୂତାଣୁ ଅଧିକ ଜଟିଳତା ବଢାଇଦିଏ। ଏହି ସମୟରେ ଡାକ୍ତରଖାନାରେ ଉପଯୁକ୍ତ ଆଣ୍ଟିବାୟୋଟିକ୍‌ ଦେଇ ଷ୍ଟିଚକୁ ଶୁଖାଯାଇଥାଏ। ଷ୍ଟିଚ ଖୋଲାଯିବା ପରେ ଅବସ୍ଥା ଦେଖି ବା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରକୁ ଯାଆନ୍ତୁ। ପ୍ରସବ ପରେ ମାନସିକ ବିକୃତି ବି ଆସିପାରେ। ପ୍ରସୂତି ମହିଳା ସୁସ୍ଥ ହୋଇ ଘରକୁ ଯିବାପରେ ଯଦି ସତର୍କ ନରହନ୍ତି ତା’ହେଲେ ମା’ ଓ ଶିଶୁ ଉଭୟଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ। ଅନେକ ପରିବାରରେ ଘରେ ପ୍ରସୂତି ପହଞ୍ଚିବା ପରେ ଘରୋଇ ଉପଚାର ଆରମ୍ଭ କରିଥାନ୍ତି। କିନ୍ତୁ ଏଭଳି ଆଦୌ କରନ୍ତୁନି, କାରଣ ଏହି ଉପଚାର ହିଁ ପ୍ରସୂତିଙ୍କୁ ଖରାପ ଅବସ୍ଥାକୁ ନେଇପାରେ।

ବିଭାଗୀୟ ମୁଖ୍ୟ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ

ସମ୍ବନ୍ଧିତ ଖବର