ସ୍ୱାସ୍ଥ୍ୟ ସମ୍ବାଦ : କରୋନା ପରବର୍ତ୍ତୀ ସମୟରେ ଦେଖା ଦେଉଥିବା ମାନସିକ ସମସ୍ୟା

ଡାକ୍ତର ସତ୍ୟକାମ ମହାପାତ୍ର

ଆମ ରାଜ୍ୟରେ ପାଖାପାଖି ତିନି ଲକ୍ଷ ଲୋକ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଲେଣି। ଏଥି ମଧ୍ୟରୁ କିଛି ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଓ ଆଉ କିଛି ଲୋକ ଘରେ ରହି ଚିକିତ୍ସିତ ହୋଇ ଭଲ ହୋଇଛନ୍ତି। ଏକ ଗବେଷଣାରୁ ଜଣାପଡିଛି ଯେ, କରୋନା ଭାଇରସ ଦ୍ଵାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ କୋଡିଏ ପ୍ରତିଶତ ଲୋକଙ୍କଠାରେ ତିନି ମାସ ମଧ୍ୟରେ ବିଭିନ୍ନ ମାନସିକ ସମସ୍ୟା ଦେଖା ଦେଉଛି। ଏହାର ଅନେକ କାରଣ ରହିଛି। ପ୍ରଥମତଃ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେବା ହିଁ ସମସ୍ତଙ୍କ ମନରେ ଏକ ମାନସିକ ଚାପ ସୃଷ୍ଟି କରିଛି। ମୁଖ୍ୟତଃ ଏହି ରୋଗର ଭୟାବହତା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଆକ୍ରାନ୍ତ ହେଲା ପରେ ସମସ୍ତଙ୍କଠାରୁ ଦୂରେଇ ରହିବା ଓ କାହା ସଂସ୍ପର୍ଶରେ ନ ଆସିବା ମଧ୍ୟ ଏକ ମାନସିକ ଚାପ ସୃଷ୍ଟି କରିଛି। ଅନେକ କ୍ଷେତ୍ରରେ ପୁରା ପରିବାରର ସମସ୍ତ ସଦସ୍ୟମାନେ ଅନେକ ସମୟରେ କାରୋନା ଭାଇରସ ଦ୍ଵାରା ସଂକ୍ରମିତ ହେଉଛନ୍ତି। ଏହା ଦ୍ୱାରା ସେମାନଙ୍କୁ ସାମାଜିକ ସ୍ତରରେ ଏକପ୍ରକାରର ବାସନ୍ଦ ହେଲା ଭଳି ଅନୁଭବ ହେଉଛି। ଏହା ସେମାନଙ୍କ ମନ ଉପରେ କୁପ୍ରଭାବ ପକାଉଛି।

କିଛି ବୟସ୍କ ଲୋକ ଯେଉଁ ମାନେ ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି, ସେମାନେ କାରୋନା ସଂକ୍ରମିତ ହେଲା ପରେ ଆହୁରି ଭାଙ୍ଗି ପଡ଼ୁଛନ୍ତି। ଯେଉଁ ରୋଗୀମାନଙ୍କ ଠାରେ କରୋନା ଭାଇରସର ଗମ୍ଭୀର ଲକ୍ଷଣ ଦେଖା ଦେଉଛି ସେମାନଙ୍କ ଠାରେ ବିଭିନ୍ନ ମାନସିକ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଉଛି। ହସ୍ପିଟାଲ କିମ୍ବା ଆଇସିୟୁରେ ଅଧିକ ଦିନ ପର୍ଯ୍ୟନ୍ତ ଭର୍ତ୍ତି ହୋଇ ରହିବାର ମାନସିକ ଚାପ, ପାଖ ବେଡରେ ଅନ୍ୟ ରୋଗୀଙ୍କର ମୃତ୍ୟୁକୁ ଦେଖିବାର ଚାପ, ଅନେକ ଦିନ ଧରି ପରିବାରଠାରୁ ଦୂରେଇ ରହିବାର ଚାପ, ନିଜର ଭବିଷ୍ୟତକୁ ନେଇ ଅନିଶ୍ଚିତତାର ଚାପ ଯୋଗୁଁ ସେମାନଙ୍କ ଠାରେ ବିଭିନ୍ନ ମାନସିକ ସମସ୍ୟା ଦେଖା ଦେଉଛି। ଯେଉଁ ରୋଗୀମାନେ ଘରେ ରହି ଚିକିତ୍ସିତ ହୋଇ ସୁସ୍ଥ ହେଉଛନ୍ତି ସେମାନଙ୍କ ଠାରେ ମଧ୍ୟ କିଛି ମାନସିକ ସମସ୍ୟା ଦେଖା ଦେଉଛି। ଏସବୁ ଲୋକମାନଙ୍କଠାରେ ଦେଖା ଦେଉଥିବା ପ୍ରମୁଖ ମାନସିକ ସମସ୍ୟା ହେଲା ଅନିଦ୍ରା, ମନରେ ଅତ୍ୟଧିକ ଭୟ, ବ୍ୟସ୍ତତା, ଛାନିଆ ଓ ଚିଡିଚିଡା ଭାବ, ମାନସିକ ଉଦବେଗ ବା ଏଙ୍ଗଜାଇଟି ଆଦି। କିଛି ଲୋକଙ୍କ ମନ ଅଧିକାଂଶ ସମୟ ଦୁଃଖ ରହୁଛି। କାହା ସହିତ ମିଳାମିଶା କରିବାକୁ ଇଚ୍ଛା ହେଉନାହିଁ। ବ୍ୟକ୍ତି ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରୁଛି। ସ୍ମରଣ ଶକ୍ତି ହ୍ରାସ ପାଉଛି। ଅଧିକାଂଶ ସମୟରେ କ୍ଳାନ୍ତ ଲାଗୁଛି ଓ କାମ କରିବାକୁ ଇଚ୍ଛା ହେଉ ନାହିଁ। ନିଜର ଆତ୍ମବିଶ୍ଵାସ କମି ଯାଉଛି। ସକାଳୁ ଉଠିଲେ ମନ ସତେଜ ଲାଗୁନାହିଁ। ମନର ଏକାଗ୍ରତା କମି କମି ଯାଉଛି। ଏସବୁ ଅବସାଦ ବା ଡିପ୍ରେସନ ରୋଗର ଲକ୍ଷଣ ହୋଇ ପାରେ।

ଏବେ ଦେଖା ଦେଉଛି କରୋନା ସଂକ୍ରମଣରୁ ସୁସ୍ଥ ଲାଭ କଲାପରେ ଅନେକ ଲୋକ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି। ଏହା ଏକ ସମ୍ବେଦନଶୀଳ ବିଷୟ ଅଟେ। କେତେକ ରୋଗୀଙ୍କଠାରେ ହସ୍ପିଟାଲ କିମ୍ବା ଆଇସିୟୁର ପୁରୁଣା କଥା ମନେ ପଡିଗଲେ କିମ୍ବା କାରୋନା ବିଷୟରେ କୌଣସି ଭୟାନକ କଥା ମନେ ପଡିଗଲେ, ସେମାନେ ହଠାତ ଅତ୍ୟଧିକ ଛାନିଆ ହୋଇ ଯାଉଛନ୍ତି। ଏହି ସମୟରେ ସେମାନଙ୍କର ଦେହ ହାତ ଝିମ ଝିମ ହୋଇ ଯାଉଛି, ପାଟି ଶୁଖି ଯାଉଛି, ଛାତି ଅତି ଜୋରରେ ଧଡ ଧଡ ହେଉଛି ଓ ଅଣନିଃଶ୍ଵାସୀ ଲାଗୁଛି। ତାଙ୍କୁ ଏତେ ଜୋରରେ ଛାନିଆ ଲାଗୁଛି ଯେ, ସେ ଅନୁଭବ କରୁଛନ୍ତି ହଠାତ ତାଙ୍କର ମୃତ୍ୟୁ ହୋଇ ଯିବ। ଏହା ପ୍ୟାନିକ ରୋଗ ବା ମାନସିକ ଛାନିଆ ରୋଗର ଲକ୍ଷଣ ଅଟେ। କରୋନାରୁ ସୁସ୍ଥ ହୋଇଥିବା ଅନେକ ଲୋକଙ୍କ ମନରେ ପୁନଃସଂକ୍ରମଣ ହେବାର ଅନେକ ଆଶଙ୍କା ରହୁଛି। ଏହା ମଧ୍ୟ ସେମାନଙ୍କ ମନରେ ଏକ ପ୍ରକାରର ଭୟ ଓ ଛାନିଆ ସୃଷ୍ଟି କରୁଛି। କିଛି ଲୋକ ଯେଉଁ ମାନେ କରୋନା ରୋଗରୁ ସୁସ୍ଥ ହୋଇଛନ୍ତି ସେମାନେ ମାନସିକ ଚାପ ଯୋଗୁଁ ବିଭିନ୍ନ ନିଶା ଦ୍ରବ୍ୟ ଯେମିତି କି ମଦ, ସିଗାରେଟ ଓ ତମାଖୁ ଆଦିର ସେବନ ଆରମ୍ଭ କରୁଛନ୍ତି। ଏହା ସେମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। ତେଣୁ ଏପରି କୌଣସି ମାନସିକ ସମସ୍ୟାର ଲକ୍ଷଣ ଦେଖା ଦେଲେ ତାହାକୁ ଆଦୌ ଅବହେଳା କରନ୍ତୁ ନାହିଁ। ଦରକାର ପଡିଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

କରୋନା ରୋଗରୁ ସୁସ୍ଥ ହୋଇଥିବା ଲୋକମାନେ ନିଜର ଶାରୀରିକ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ନିଜ ମାନସିକ ସ୍ଵାସ୍ଥ୍ୟର ମଧ୍ୟ ଉପଯୁକ୍ତ ଯତ୍ନ ନିଅନ୍ତୁ। ଏକ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ। ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ପ୍ରତିଦିନ ୬ ରୁ ୮ ଘଣ୍ଟା ଶୁଅନ୍ତୁ। ପ୍ରତିଦିନ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ଵାସ ପ୍ରଶ୍ଵାସ ନିଅନ୍ତୁ। ଏହା ଦ୍ଵାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢି ଥାଏ । ଯାହା ମନକୁ ସୁସ୍ଥ ଓ ଚାପ ଶୂନ୍ୟ ରଖିଥାଏ। ସମସ୍ତ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ମନରେ ସକାରାତ୍ମକ ଚିନ୍ତା ଧାରା ରଖନ୍ତୁ। ଯେଉଁ ବୟସ୍କ ଲୋକମାନେ କାରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି, ସେମାନଙ୍କ ପରିବାରର ସଦସ୍ୟମାନେ ବୟସ୍କଲୋକ ମାନଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ ଓ ସେମାନଙ୍କର ମନୋବଳ ବୃଦ୍ଧି କରାନ୍ତୁ। ଗତ ନଅ ମାସ ଭିତରେ ସାରା ବିଶ୍ଵ ଏକ ନୂତନ ଓ ପରିବର୍ତ୍ତିତ ଅବସ୍ଥାକୁ ଆସିଯାଇଛି। ଯାହାକୁ “ଦି ନ୍ୟୁ ନର୍ମାଲ” ବୋଲି କୁହାଯାଉଛି। ତେଣୁ ଏହି ପରିବର୍ତ୍ତିତ ସମାଜ ସହିତ ଖାପ ଖୁଆଇ ଚଳିବାର କୌଶଳ ମଧ୍ୟ ଶିଖନ୍ତୁ।

ମାନସିକ ରୋଗ ବିଶେଷଜ୍ଞ

ସମ୍ବନ୍ଧିତ ଖବର