ହାର୍ଟ ଫେଲ୍ୟୁଅର (ହୃଦ୍‌ପାତ) ଭଳି ଗୁରୁତର ସମସ୍ୟାର ଦୁଇଟି ଦିଗ ରହିଛି। ଗୋଟିଏ ହେଉଛି ଯେଉଁ ରୋଗୀମାନଙ୍କର ଆରମ୍ଭରୁ ହାର୍ଟ ଫେଲ୍ୟୁଅର ଅଛି, ସେମାନେ କରୋନା ଦ୍ବାରା କିଭଳି ପ୍ରଭାବିତ ହୋଇଥାଆନ୍ତି ଏବ˚ ଦ୍ବିତୀୟଟି ହେଉଛି ଯେଉଁମାନଙ୍କର ଆଗରୁ ଏହି ସମସ୍ୟା ନାହିଁ, ସେମାନେ କରୋନାରେ ଆକ୍ରାନ୍ତ ହେବାପରେ ଏହି ସମସ୍ୟା ଦେଖାଯିବାର ଆଶଙ୍କା କେତେ ପରିମାଣରେ ରହିଛି। ସାଧାରଣ ଭାବେ ହୃଦ୍‌ପାତ ବା ହାର୍ଟ ଫେଲ୍ୟୁଅର ରୋଗୀଙ୍କ ସ˚ଖ୍ୟା ଆମ ଭାରତରେ ୧୩ ଲକ୍ଷରୁ ୪୬ ଲକ୍ଷ ମଧ୍ୟରେ ଥିବା ଅନୁମାନ କରାଯାଏ। ଏହି ରୋଗୀମାନଙ୍କର ହୃଦ୍‌ଯନ୍ତ୍ରର ରକ୍ତ ସଞ୍ଚାଳନ କରିବାର କ୍ଷମତା ହ୍ରାସ ପାଇଥାଏ। ତେବେ ସବୁରୋଗୀମାନଙ୍କର ହୃଦ୍‌ପାତର ଲକ୍ଷଣ ସ୍ପଷ୍ଟଭାବେ ପରିଲକ୍ଷିତ ହୋଇନଥାଏ। ସ˚ଖ୍ୟାଧିକ ରୋଗୀମାନଙ୍କ କ୍ଷେତ୍ରରେ ଏହା ଛପି ରହିଥାଏ। ଯାହା କେବଳ ପରୀକ୍ଷା କଲେ ହିଁ ଜଣାପଡ଼ିଥାଏ। ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବ˚ କିଡ୍‌ନି ସମସ୍ୟାଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ଅପେକ୍ଷାକୃତ ଅଧିକ ଦେଖାଯାଇଥାଏ। ସ˚ଯୋଗ ବଶତଃ ଏହି ତିନି ଶ୍ରେଣୀର ରୋଗୀମାନଙ୍କୁ କରୋନା ସ˚କ୍ରମଣ ହେଲେ, ସେମାନେ ଗୁରୁତର ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ।

Advertisment

ତେବେ ଯେଉଁ ରୋଗୀମାନଙ୍କର ସ୍ପଷ୍ଟଭାବେ ହୃଦ୍‌ପାତ ସମସ୍ୟା ଥିବା ଜଣାଥିବ, ସେମାନେ କୌଣସି ପରିସ୍ଥିତିରେ ମଧ୍ୟ ସେମାନଙ୍କର ନିୟମିତ ଔଷଧ ହୃଦ୍‌ରୋଗ ବିଶେଷଜ୍ଞଙ୍କ ପରାମର୍ଶ ବିନା ବନ୍ଦ କରିବା ଅନୁଚିତ। କିନ୍ତୁ ଦେଖାଯାଇଥାଏ, ଏହି ରୋଗୀମାନେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଏତେ ପରିମାଣରେ ଭୟଭୀତ ହୋଇଯାଆନ୍ତି ଯେ, ଡାକ୍ତରଖାନାରେ ଭର୍ତ୍ତିହେବାବେଳକୁ ନିଜର ପୂର୍ବ ପ୍ରେସ୍‌କ୍ରିପସନ୍‌ କିମ୍ବା ଔଷଧ ସାଙ୍ଗରେ ନେବାକୁ ଭୁଲିଯାଆନ୍ତି। ଥରେ ଡାକ୍ତରଖାନାରେ ଭର୍ତ୍ତିହେବାପରେ ସେମାନେ ବାହ୍ୟ ଜଗତଠାରୁ ସ˚ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହନ୍ତି ଏବ˚ ସେଠାରେ ନିର୍ଦ୍ଦିଷ୍ଟ ଚିକିତ୍ସା ଠିକ ଭାବରେ ହେବା କଷ୍ଟକର ହୋଇଥାଏ। କେତେଗୁଡ଼ିଏ ଔଷଧ ଯାହାକି ହୃଦ୍‌ପାତ ସମସ୍ୟା ଚିକିତ୍ସାର ଅବିଚ୍ଛେଦ୍ୟ ଅଙ୍ଗ, କିଛିଦିନ ପାଇଁ ବନ୍ଦ ହୋଇଯାଏ। ପୁଣିଥରେ ରୋଗ ନିର୍ଦ୍ଧାରଣ କରି ଠିକ୍‌ ମାତ୍ରାରେ ଆବଶ୍ୟକ ଔଷଧ କୋଭିଡ୍‌ ହସ୍‌ପିଟାଲରେ ଆରମ୍ଭ କରିବା ଭିତରେ ଅତି ଗୁରୁତ୍ବପୂର୍ଣ୍ଣ ଦିନ କେତୋଟି ଅତିକ୍ରାନ୍ତ ହୋଇଥାଏ। ଏହି ରୋଗରେ ଅଳ୍ପ କିଛିଦିନ ଔଷଧ ବନ୍ଦ ହୋଇଗଲେ ମଧ୍ୟ ଅପେକ୍ଷାକୃତ ସ୍ଥିର ଥିବା ରୋଗୀ ଅସ୍ଥିର ଅବସ୍ଥାରେ ପହଞ୍ଚିଥାଏ। ଏହି ରୋଗୀମାନଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ପାଣି ଗୋଟିଏ ଦିନରେ ପିଇବାର ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଅନ୍ୟ କରୋନା ରୋଗୀମାନଙ୍କ ଭଳି ଏମାନେ ମଧ୍ୟ ଯେତେବେଳେ କୋଭିଡ୍‌ ହସ୍‌ପିଟାଲରେ ବାରମ୍ବାର ଗରମ ପାଣି ପଇବା ଆରମ୍ଭ କରନ୍ତି, ସେତେବେଳେ ସେହି ପରିମାଣଠାରୁ ଯଥେଷ୍ଟ ଅଧିକ ହୋଇଯିବାର ନଜିର ଅଛି। ତେଣୁ ସମଗ୍ର ପୃଥିବୀରେ ଏହି ରୋଗୀମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ଅଧିକ ହେବା କୋଭିଡ୍‌ ପରିସ˚ଖ୍ୟାନରୁ ଜଣାପଡ଼ିଛି।

ଏହାଛଡ଼ା କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ହେଉଥିବା ଷ୍ଟିରଏଡ୍‌ ପ୍ରକାରର ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଶରୀରରେ ଜଳୀୟ ଅ˚ଶର ମାତ୍ରା ବୃଦ୍ଧିପାଇଥାଏ। ଯାହାକି ହୃଦ୍‌ପାତ ରୋଗୀମାନଙ୍କ ପାଇଁ ଏକ ଗୁରୁତର ସମସ୍ୟା। ଏହି ରୋଗୀମାନଙ୍କ କ୍ଷେତ୍ରରେ ଶ୍ବାସ ସହାୟକ ଯନ୍ତ୍ର ବା ଭେଣ୍ଟିଲେଟର ଆବଶ୍ୟକତା ପଡ଼ିବାର ଆଶଙ୍କା ମଧ୍ୟ ଅଧିକ। ନିଦ୍ରାହୀନତା ଏବ˚ ଅତ୍ୟଧିକ ମାନସିକ ଚାପ ଏମାନଙ୍କ ପାଇଁ ଡାକ୍ତରଖାନାରେ ଥିବାବେଳେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଦ୍ବାରା ପ୍ରକାଶିତ ହୋଇଥିବା ବୁଲେଟିନ୍‌ରେ ଏହି ରୋଗୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ସ୍ବତନ୍ତ୍ର ଭାବେ ଉଲ୍ଲେଖ କରାଯାଇଛି। ଏହି ସମସ୍ୟାର ଅନ୍ୟ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଯେଉଁମାନଙ୍କୁ ଏହି ଅସୁବିଧା ନାହିଁ କିମ୍ବା ପ୍ରଚ୍ଛନ୍ନ ଭାବେ ଅଛି, ଯାହାକି ପରୀକ୍ଷା ହୋଇନଥିବା ଯୋଗୁଁ ସେମାନେ ଏ ବିଷୟରେ ସଚେତନ ନାହାନ୍ତି, ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ଏହାର ପରିଣାମ କ’ଣ ହୋଇପାରେ? କରୋନା ଭୂତାଣୁ ରୋଗୀର ଶ୍ବାସଯନ୍ତ୍ର ମଧ୍ୟରେ ପ୍ରବେଶ କରିବା ପରେ ସେଠାରେ ବ˚ଶବୃଦ୍ଧି କରେ ଏବ˚ ପରବର୍ତ୍ତୀ ସମୟରେ ଏହି ଭୂତାଣୁ ବିରୁଦ୍ଧରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଲଢାଇ କରିବାର ପରିଣାମ ସ୍ବରୂପ ପ୍ରଦାହର ମାତ୍ରା ଯେତେବେଳେ ଅଧିକ ହୋଇଯାଏ, ତାହା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକ ଉପରେ କୁପ୍ରଭାବ ପକାଇବା ଆରମ୍ଭ କରେ। ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକ ଭିତରେ ହୃଦ୍‌ଯନ୍ତ୍ର ଅନ୍ୟତମ। ହୃଦ୍‌ଯନ୍ତ୍ରର ମା˚ସପେଶୀ ଉପରେ ଏହି ପ୍ରଦାହର କୁପ୍ରଭାବ ପଡ଼ିଲେ ତାକୁ ‘ମାୟୋକାର୍ଡାଇଟିସ୍‌’ କୁହାଯାଇଥାଏ। ଏହା ହୃଦ୍‌ଯନ୍ତ୍ରର ମା˚ଶପେଶୀକୁ ଦୁର୍ବଳ କରିପକାଏ ଏବ˚ ହୃଦ୍‌ପାତ ବା ହାର୍ଟ ଫେଲ୍ୟୁଅର ହେବାର ସମ୍ଭାବନାକୁ ଯଥେଷ୍ଟ ବଢାଇଥାଏ।

ଏହି ଅବସ୍ଥାର ପ୍ରାଥମିକ ଲକ୍ଷଣ ଧଇଁସଇଁ ହେବା। ଯେହେତୁ ଅଧିକା˚ଶ କୋଭିଡ୍‌ ରୋଗୀ ଡାକ୍ତରଖାନାରେ ଭର୍ତ୍ତିହେବା ସମୟରେ ଧଇଁସଇଁ ହୋଇଥାନ୍ତି, ଅନେକ ସମୟରେ ଏହି ଗୁରୁତର ସମସ୍ୟାର ଠିକ୍‌ ସମୟରେ ଆକଳନ ହୋଇପାରେ ନାହିଁ। ଡେରିରେ ଜାଣିବା ଦ୍ବାରା ଏହି ହୃଦ୍‌ପାତ ସମସ୍ୟାର ନିର୍ଦ୍ଧିଷ୍ଟ ଚିକିତ୍ସା ଆରମ୍ଭ କରିବାରେ ମଧ୍ୟ ବିଳମ୍ବ ହୋଇଥାଏ। କେତେକ ରୋଗୀଙ୍କ କ୍ଷେତ୍ରରେ ଏହି ଜଟିଳତା ଡାକ୍ତରଖାନାରୁ ଆରମ୍ଭ ହୋଇ ଘରକୁ ଯିବାପରେ ମଧ୍ୟ ଜଣା ପଡ଼ିପାରେ। ଏହି ସମସ୍ୟାର ଠିକ୍‌ ନିର୍ଦ୍ଧାରଣ କରିବା ପାଇଁ ଇସିଜି, ଏକ୍ସ-ରେ, ଇକୋ ଏବ˚ କେତୋଟି ରକ୍ତ ପରୀକ୍ଷାର ସହାୟତା ନେବାର ଆବଶ୍ୟକତା ପଡ଼ିଥାଏ। ଅନେକ ଡାଇବେଟିସ୍ ରୋଗୀ ଓ କିଡ୍‌ନି ରୋଗୀ, ଯେଉଁମାନଙ୍କ କ୍ଷେତ୍ରରେ ଏହା ପ୍ରଚ୍ଛନ୍ନ ଭାବେ ରହିଥାଏ, ସେମାନେ ଥରେ କୋଭିଡ୍‌ରେ ଆକ୍ରାନ୍ତ ହେବାପରେ ଏହା ସ୍ପଷ୍ଟଭାବେ ଜଣାପଡ଼ିଯାଏ। ଏହି ରୋଗୀମାନେ ଖାଦ୍ୟରେ ଲୁଣର ମାତ୍ରା ଯେତେ ସମ୍ଭବ କମ୍‌ କରିବା ଉଚିତ୍‌ ଏବ˚ ପାଣି ପିଇବାର ପରିମାଣ ବିଶେଷଜ୍ଞଙ୍କ ପରାମର୍ଶଠାରୁ କେବେ ମଧ୍ୟ ଅତିକ୍ରମ କରିବା ଅନୁଚିତ୍‌। ଅପେକ୍ଷାକୃତ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଅଳ୍ପ ପରିମାଣରେ ଦିନରେ ବାରମ୍ବାର ଖାଇବା ଉପାଦେୟ। ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଯଥେଷ୍ଟ ଅଧିକ। ସାଧାରଣ ଲୋକ ତଥା କୋଭିଡ୍‌ ଚିକିତ୍ସାରେ ସ˚ପୃକ୍ତ ପ୍ରତ୍ୟେକ ସ୍ବାସ୍ଥ୍ୟକର୍ମୀ ଏହି ସମସ୍ୟା ଦିଗରେ ସଚେତନ ହେଲେ ଏହାର ସଫଳ ମୁକାବିଲା ସମ୍ଭବପର ହୋଇପାରିବ।

ସହକାରୀ ପ୍ରାଧ୍ୟାପକ, ହୃଦ୍‌ରୋଗ ବିଭାଗ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ