ସ୍ୱାସ୍ଥ୍ୟ ସମ୍ବାଦ : ସ୍ତ୍ରୀରୋଗ ସମସ୍ୟା ଥିବା ମହିଳା କରୋନା କାଳରେ ଅଧିକ ସତର୍କ ରୁହନ୍ତୁ

ପ୍ରଫେସର ଡାକ୍ତର ତୁଷାର କର

ସ୍ତ୍ରୀ ରୋଗ ସମସ୍ୟା ଭୋଗୁଥିବା ମହିଳାମାନେ ସବୁବେଳେ ସତର୍କ ରହିବା ଜରୁରୀ। ଏବେ କରୋନା ସମୟରେ ସେମାନଙ୍କ ପାଇଁ ଅଧିକ ବିପଦ ଥିବାରୁ ଏହି ସମୟରେ ସତର୍କ, ସାବଧାନ ନରହିଲେ ସେମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ। ଯଦି କୌଣସି ସ୍ତ୍ରୀ ଲୋକର ତଳ ପେଟରେ ଯନ୍ତ୍ରଣା ହେବା, ଅତ୍ୟଧିକ ଋତୁସ୍ରାବ ହେବା କିମ୍ବା ଶ୍ବେତ ସ୍ରାବ ହେବା ଆଦି ଲକ୍ଷଣ ଦେଖାଦିଏ ତା’ହେଲେ ତୁରନ୍ତ ସେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏଭଳି ଲକ୍ଷଣ ଦେଖାଦେଲେ ବା ସମସ୍ୟା ଉପୁଜିଲେ ରକ୍ତର ବିଭିନ୍ନ ପରୀକ୍ଷା, ଅଲଟ୍ରାସାଉଣ୍ଡ ଆଦି କରାଯାଇ ରୋଗ ନିରୂପଣ କରାଯାଇଥାଏ। ଏମାନଙ୍କ ମଧ୍ୟରୁ କରୋନା ସଂକ୍ରମିତ ହେବା ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଯଦି କାହାର କାହାର ଜରୁରୀକାଳୀନ ଚିକିତ୍ସା ଦରକାର ପଡିଥାଏ ତା’ହେଲେ କେବଳ କୋଭିଡ୍‌ ହସ୍ପିଟାଲରେ ହିଁ ସେମାନଙ୍କର ଚିକିତ୍ସା କରାଯିବା ଦରକାର। ଯଦି ସାଧା‌ରଣ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଏ ତା’ହେଲେ ସାଧାରଣ ରୋଗୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଥାଏ।

ଏହା ବ୍ୟତୀତ କୌଣସି ଟ୍ୟୁମର କିମ୍ବା ଅନ୍ୟ ସ୍ତ୍ରୀ ରୋଗର ଯଦି ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ନଥାଏ ତା’ହେଲେ ସାଧାରଣ ଔଷଧ ଦେଇ ପ୍ରଥମେ କୋଭିଡ୍‌ ଚିକିତ୍ସା କରିବା ଆବଶ୍ୟକ। ପରବର୍ତ୍ତୀ ଅବସ୍ଥାରେ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଲେ ଏହାର ଉପଯୁକ୍ତ ଅସ୍ତ୍ରୋପଚାର କରାଯାଇଥାଏ। ଯଦି ଜଣେ ସ୍ତ୍ରୀ ଲୋକ ଅତ୍ୟଧିକ ଋତୁସ୍ରାବ ହୋଇ ଡାକ୍ତରଖାନାକୁ ଆସନ୍ତି ଏବଂ କରୋନା ପରୀକ୍ଷାରେ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୁଏ, ତା’ହେଲେ ତାହାର ଦୁଇଟି ଦିଗରେ ଚିକିତ୍ସା କରାଯାଇଥାଏ। ପ୍ରଥମରେ ଅତ୍ୟଧିକ ଋତୁସ୍ରାବ ବନ୍ଦ ହେବା ପାଇଁ ଔଷଧ ଦିଆଯାଏ । ଏବଂ ଅତ୍ୟଧିକ ଋତୁସ୍ରାବର କାରଣ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା କରାଯାଇ ରୋଗ ନିରୂପଣ କରାଯାଇଥାଏ। ଏହି ଚିକିତ୍ସା ସହିତ କରୋନାର ମଧ୍ୟ ଚିକିତ୍ସା ଜରୁରୀ। ସ୍ଥଳବିଶେଷରେ ଏହି ରୋଗୀମାନଙ୍କୁ ସିଧାସଲଖ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଏ। ଅଧିକାଂଶ ସ୍ତ୍ରୀ ଲୋକମାନଙ୍କର ଅତ୍ୟଧିକ ଋତୁସ୍ରାବ ଔଷଧ ଦ୍ବାରା ନିୟନ୍ତ୍ରଣ ହୋଇଯାଏ। ତେଣୁ ଏମାନଙ୍କର ଯଦି ଆସ୍ତ୍ରୋପଚାର ଦରକାର ପଡେ, ତାହେଲେ କରୋନା ନେଗେଟିଭ୍‌ ରିପୋର୍ଟ ଆସିବା ପରେ ହିଁ ଅସ୍ତ୍ରୋପଚାର କରାଯାଏ। କିନ୍ତୁ ଯଦି ଅତ୍ୟଧିକ ଋତୁସ୍ରାବ ଔଷଧ ଦ୍ବାରା ନିୟନ୍ତ୍ରଣ ନ ହୁଏ, ତାହେଲେ ଜରୁରିକାଳୀନ ଅସ୍ତ୍ରୋପଚାର କରାଯାଏ।

ଯେଉଁ ମାନଙ୍କର କରୋନା ଅବସ୍ଥାରେ ଅସ୍ତ୍ରୋପଚାର କରାଯାଏ ସେମାନଙ୍କର ଅଧିକ ଯତ୍ନ ଦରକାର ପଡିଥାଏ। କାରଣ କୋଭିଡ୍‌ ହେଉଛି ପ୍ରାଥମିକ ରୋଗ ଏବଂ ଏହାର ଅସ୍ତ୍ରୋପଚାର ପର ଅବସ୍ଥାକୁ ଅଧିକ ଦୁର୍ବଳ କରିପାରେ। ଏହା ସହିତ କରୋନା ଆମର ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରି ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥାରେ ଅକ୍ସିଜେନକୁ କମାଇପାରେ। ଯାହାଫଳରେ ରୋଗୀର ଅବସ୍ଥା ସଙ୍କଟାପନ୍ନ ଆଡକୁ ଗତି କରିପାରେ। ତେଣୁ ଏହି ସମୟରେ ରୋଗୀଙ୍କୁ ଅଧିକ ସତର୍କତାର ସହିତ ଡାକ୍ତରମାନେ ଚିକିତ୍ସା କରିଥାନ୍ତି । ଏହା ବ୍ୟତୀତ କୌଣସି ସ୍ତ୍ରୀ ଲୋକର ଯଦି ଓଭାରିଆରନ୍‌ ସିଷ୍ଟ ହୋଇଛି ଏବଂ ସେ ଯଦି କରୋନା ସଂକ୍ରମିତ ହୋଇଥିବେ ତାଙ୍କର ଚିକିତ୍ସା ମଧ୍ୟ ଔଷଧ ଦ୍ବାରା କରାଯାଇଥାଏ। ଯଦି ଏହି ସିଷ୍ଟଗୁଡିକ ବୁଲିଯାଇଥାଏ(ଟରସନ୍‌ ଓଭାରିଆନ୍ ସିଷ୍ଟ) ହୁଏ, ତାହେଲେ ପେଟରେ ଯନ୍ତ୍ରଣା, ବାନ୍ତି କିମ୍ବା ପରିସ୍ରା ମଧ୍ୟ ଅଟକି ଯାଇଥାଏ। ତେଣୁ ଏଭଳି ଅସୁବିଧା ହେଲେ ଜରୁରୀକାଳୀନ ଅସ୍ତ୍ରୋପଚାର ନିହାତି କରାଯିବା ଦରକାର। ଏହି ଅସ୍ତ୍ରୋପଚାର କୋଭିଡ୍‌ ହସ୍ପିଟାଲ ବ୍ୟତୀତ ଅନ୍ୟସ୍ଥାନରେ କରିବା ବିପଦଜନକ। କୌଣସି କୋଭିଡ୍‌ ସଂକ୍ରମିତ ସ୍ତ୍ରୀ ଲୋକ ଡାକ୍ତରଖାନାରୁ ଘରକୁ ଯିବା ପରେ ସାମାଜିକ ଦୂରତା ଅବଲମ୍ବନ କରି, କୋଭିଡ୍‌ କଟକଣା ମାନି ଚଳିବା ଦରକାର। ଏମାନଙ୍କୁ ଡାକ୍ତଖାନାମାନଙ୍କରେ ଖୋଲାଯାଇଥିବା ପୋଷ୍ଟ କୋଭିଡ୍‌ କ୍ଲିନିକ୍‌ରେ ଆସି ପର୍ଯ୍ୟାୟକ୍ରମେ ଡାକ୍ତରୀ ପରାମର୍ଶ ନେବା ଜରୁରୀ। କିନ୍ତୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ଯଦି କିଛି ସମସ୍ୟା ଦେଖାଦିଏ, ତାହେଲେ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ କି ହାଲୁକା ଭାବେ ନିଅନ୍ତୁ ନାହିଁ। ଏମିତିରେ ଗାଇନିକ୍‌ ସମସ୍ୟା ଥିବା ସ୍ତ୍ରୀ ଲୋକମାନେ କରୋନାକୁ ଅତି ହାଲୁକା ଭାବେ ନନେଇ ଯଦି କିଛି ଅସୁବିଧା ଦେଖାଦେଉଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବିଭାଗୀୟ ମୁଖ୍ୟ; ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ୍

ସମ୍ବନ୍ଧିତ ଖବର