ସ୍ୱାସ୍ଥ୍ୟ ସମ୍ବାଦ : ମସ୍ତିଷ୍କାଘାତ ଓ ହୃଦ୍‌ଘାତକୁ କେମିତି କରିବେ ନିୟନ୍ତ୍ରଣ?

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

କରୋନା ସମୟରେ ଅନେକ ରୋଗୀଙ୍କ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ସମସ୍ୟା ସାମନାକୁ ଆସୁଛି। ଯଦିଓ ଏହାର ସିଧାସଳଖ ସଂଯୋଗ କିଛି ନାହିଁ କିନ୍ତୁ ଏହି ଦୁଇଟି ରୋଗ ଗୋଟିଏ ପ୍ରକାର କାରଣରୁ ହୋଇଥାଏ। ସେସବୁ ଜାଣି ଆଗରୁ ସତର୍କ ରହିଲେ, ଏହାକୁ ଯଥା ସମ୍ଭବ ହ୍ରାସ କରି ହେବ। ରକ୍ତଶିରା ବା ଆର୍ଟେରି, ଯେଉଁଥିରେ କି ଅମ୍ଳଜାନ ଥିବା ଶୁଦ୍ଧ ରକ୍ତ ପ୍ରବାହ କରିଥାଏ, ତାହା ବିଭିନ୍ନ କାରଣରୁ ବ୍ଲକ ହୋଇଯାଇଥାଏ। ହୃତ୍‌ପିଣ୍ତର ମା˚ସପେଶୀ ଓ ମସ୍ତିଷ୍କର ନ୍ୟୁରନଗୁଡ଼ିକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ବାରା ଅମ୍ଳଜାନ, ଗ୍ଲୁକୋଜ ଓ ଅନ୍ୟ ସବୁ ଖାଦ୍ୟ ପଦାର୍ଥ, ଧାତବ ପଦାର୍ଥ, ଭିଟାମିନ୍‌ ଯାହାକୁ ‘ନ୍ୟୁଟ୍ରିଏନ୍‌ଟ୍‌’ କୁହାଯାଏ, ତାହା ମିଳେ ନାହିଁ। ଯାହାଦ୍ବାରା ହାର୍ଟ ଓ ବ୍ରେନ୍‌ର ଅଶେଷ କ୍ଷତି ହୋଇଥାଏ। କେତେକ ଟିସୁ କିଛି ସେକେଣ୍ତ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ିଥାଏ ଓ ଅନେକ ଆଘାତପ୍ରାପ୍ତ ହୋଇ କାର୍ଯ୍ୟଦକ୍ଷତା ହରାଇ ଥାଆନ୍ତି।

ସେହିଭଳି ବହୁମୂତ୍ର, ଉଚ୍ଚରକ୍ତଚାପ, ଅଧିକ କୋଲେଷ୍ଟ୍ରୋଲ, ମୋଟାପଣ ଓ ଘରେ ବସିରହି କୌଣସି ପ୍ରକାରର ବ୍ୟାୟାମ ଓ କୌଣସି ପ୍ରକାରର କାର୍ଯ୍ୟ କରୁନଥିବା ବ୍ୟକ୍ତି ଏହି ଦୁଇ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମସ୍ତିଷ୍କାଘାତ ଓ ହୃଦ୍‌ଘାତର ଚିକିତ୍ସା ମଧ୍ୟ ପ୍ରାୟ ଏକପ୍ରକାରର। ମସ୍ତିଷ୍କାଘାତ ଦୁଇପ୍ରକାରର ଯଥା ‘ଇସ୍‌ଚିମିକ୍‌’ ଓ ‘ହିମୋରେଜିକ୍‌’। ଇସ୍‌ଚିମିକ୍‌ ମସ୍ତିଷ୍କାଘାତ ଓ ହୃଦ୍‌ଘାତର ଚିକିତ୍ସା ଚିକାର୍ଣ୍ଣାଲାଇଜେସନ୍‌ ଦ୍ବାରା କରାଯାଇଥାଏ। ଔଷଧୀୟ ପଦ୍ଧତି ହେଉ କିମ୍ବା ଅପରେସନ୍‌ ଦ୍ବାରା ବ୍ଲକ୍‌ ହୋଇଥିବା ରକ୍ତ ଶୀରାଗୁଡ଼ିକ ଖୋଲାଯାଇଥାଏ ଓ ଲୋକଟି ବଞ୍ଚି ଯାଇଥାଏ। ହିମୋରେଜିକ୍‌ ମସ୍ତିଷ୍କାଘାତ ଓ ଔଷଧରେ ଖୋଲି ପାରୁନଥିବା ରକ୍ତଶୀରା ଗୁଡ଼ିକ ପାଇଁ ଅସ୍ତ୍ରୋପଚାର ଦରକାର ହୋଇଥାଏ। ମସ୍ତିଷ୍କାଘାତରେ ପକ୍ଷାଘାତ ରୋଗ ହୋଇଥାଏ। ଯାହାକୁ ହେମିପ୍ଲେଜିଆ କୁହାଯାଏ। ଏହା ମସ୍ତିଷ୍କାଘାତ ମୃତ୍ୟୁର ପଞ୍ଚମ କାରଣ ଅଟେ। ସେହିପରି ହୃଦ୍‌ଘାତ ମୃତ୍ୟୁର ମଧ୍ୟ ଏହା ମୁଖ୍ୟ କାରଣ ହୋଇଥାଏ। ହଠାତ୍‌ ମୃତ୍ୟୁ ଏଡ଼ାଇବା ପାଇଁ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ବିଷୟରେ ସଚେତନ ହୋଇ କେତେଗୋଟି ପଦକ୍ଷେପ ନେବା ଅତ୍ୟନ୍ତ ଜରୁରି ଅଟେ। ଏହି ଦୁଇ ରୋଗର ଭୟବହତା ଓ ପ୍ରାଦୁର୍ଭାବ କମ୍‌ କରିବାକୁ ହେଲେ ଆମକୁ ସଚେତନ ରହିବା ଜରୁରି।

ସକାଳୁ ଶଯ୍ୟା ତ୍ୟାଗକରି ପ୍ରାତଃ ଭ୍ରମଣରେ ଯିବାକୁ ହେବ। ପ୍ରତିଦିନ ୩୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ବାହାରେ ଜୋର‌୍‌ରେ ଚାଲିବା ଉଚିତ୍‌। ବେଶୀ ଥକ୍କା ଲାଗିଲେ କିମ୍ବା ହୃଦ୍‌ସ୍ପନ୍ଦନ ବଢିଗଲେ ଗୋଟିଏ ଜାଗାରେ ବସିଯିବା ଉଚିତ୍‌। ସେହି କ୍ଷେତ୍ରରେ ଡାକ୍ତର ପରାମର୍ଶ ଆବଶ୍ୟକ ଅଟେ। ଚାଲିଲାବେଳେ ଝାଳ ବୋହିଥାଏ ଓ ହୃଦ୍‌ସ୍ପନ୍ଦନର ଗତି ବଢିଥାଏ। ପ୍ରତ୍ୟେକ ବ୍ୟକ୍ତି ଯୁବାବସ୍ଥାରେ ଚାଲିବା ସମୟରେ ଅତ୍ୟଧିକ ଝାଳ ବୋହିବା, ହୃଦ୍‌ସ୍ପନ୍ଦନ ଗତି ବଢିବା, ଗୋଡ଼ର ମା˚ସପେଶୀ କାମୁଡ଼ି ଧରିବା ଓ ଥକା ଲାଗିବା ଇତ୍ୟାଦି କେତେକ ଲକ୍ଷଣ ଦେଖା ଦେଲେ, ସେହିସବୁ ଲକ୍ଷଣ ଗୁଡ଼ିକ କେତେ ଦୂରରେ ଆରମ୍ଭ ହେଉଛି, ଦୂରତା ଜାଣି ସବୁଦିନେ ସେତିକି ବାଟ ଚଲିବା ଉଚିତ୍‌। ସପ୍ତାହକୁ ଅତି କମ୍‌ରେ ୫ଦିନ ଚାଲିବାକୁ ପଡ଼ିଥାଏ। ବର୍ଷାଦିନେ ବା ଅନ୍ୟଦିନମାନଙ୍କରେ କିମ୍ବା ଯେଉଁମାନେ ପଦାକୁ ବାହାରି ପାରନ୍ତିନି ସେମାନେ ଘରେ ବି ଏଭଳି ଅଭ୍ୟାସ ରଖିବା ଆବଶ୍ୟକ। ଵାକର, ଜଗର, ସ୍ଲିପିଙ୍ଗ କରିବା ପାଇଁ ଉପକରଣ ଇତ୍ୟାଦି ରଖିବା ଉଚିତ୍‌। ମୋଟାପଣ କମେଇବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ମଧୁମେହ ରୋଗରେ ରକ୍ତ ଶର୍କରା ଠିକ୍‌ ରହିବା, କୋଲେଷ୍ଟ୍ରଲ କମିବା, ନିଦ ନହେଉଥିଲେ ଠିକ୍‌ ନିଦ ହେବା ସହ ମା˚ସପେଶୀ ଓ ହାଡ଼ ଇତ୍ୟାଦିକୁ ରକ୍ତ ସଞ୍ଚାଳନ ଭଲ ରଖିବାକୁ କାର୍ଯ୍ୟ କରିବା ଆବଶ୍ୟକ। ଏହା ଦ୍ବାରା ଅନେକା˚ଶରେ ହୃଦ୍‌ଘାତ ଓ ମସ୍ତିଷ୍କାଘାତ ସମ୍ଭାବନା ହ୍ରାସ ପାଏ।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର