କରୋନା ଭୂତାଣୁ ସାଧରଣତଃ ହେମାଟୋଜିନସ୍ ଅର୍ଥାତ୍ ରକ୍ତରେ ଓ ଶ୍ବାସକ୍ରିୟା ଦ୍ବାରା ମଣିଷ ଶରୀରରେ ପ୍ରବେଶ କରେ। ଏହି ଭୂତାଣୁର ମୁଖ୍ୟ ହେଉଛି ଏସିଇ-୨ ରିସେପ୍ଟର। ଯାହାକି ରକ୍ତ ଶିରାପ୍ରଶିରାର କୋଷମାନଙ୍କ ମଧ୍ୟରେ ଓ ନାଜାଲ ଇପିଥିଲିୟମ୍ରେ ବାସ କରେ। ସାଧାରଣତଃ ଏହି ଭୂତାଣୁ ମଣିଷର ନିଶ୍ବାସପ୍ରଶ୍ବାସକୁ ଆକ୍ରାନ୍ତ କରିଥାଏ। କରୋନା ସଂକ୍ରମଣ ପ୍ରଭାବରେ ୩୦ ଭାଗ ରୋଗୀଙ୍କର ସ୍ନାୟୁଜନିତ ରୋଗ ଦେଖାଦିଏ। କରୋନା ଭୂତାଣୁ ରୋଗୀର ଶିରାପ୍ରଶିରାକୁ ବା ସ୍ନାୟୁକୁ ତିନିପ୍ରକାର ଉପାୟରେ ଆକ୍ରାନ୍ତ କରିପାରେ। ପ୍ରଥମ ହେଉଛି ମସ୍ତିଷ୍କ ଜ୍ବର (ଏନ୍ସେଫାଲାଇଟିସ୍), ରୋଗୀ ବାଉଳିଚାଉଳି ହେବା ବା ଚେତା ଶୂନ୍ୟ ହେବା, ଅପସ୍ମାର ମଧ୍ୟ ହୋଇପାରେ। ଏପରିକି ପକ୍ଷାଘାତ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି। ପକ୍ଷାଘାତ ସାଧାରଣତଃ ଦୁଇ ପ୍ରକାର। ପ୍ରଥମଟିରେ, ଉଚ୍ଚ ରକ୍ତଚାପ କାରଣରୁ ରକ୍ତଶିରା ଫାଟିଯିବା ଫଳରେ ଜଣେ ପକ୍ଷାଘାତରେ ଆକ୍ରାନ୍ତ ହୋଇପାରେ। ଅନ୍ୟଟିରେ ରକ୍ତ ଶିରାରେ ରକ୍ତସଂଚାଳନ କମ୍ ହେବା କାରଣରୁ ମଧ୍ୟ ପକ୍ଷାଘାତ ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡା ମୁଖମଣ୍ଡଳର ସ୍ନାୟୁ ଦୁର୍ବଳ ହେଲେ ଫେସିଆଲ ପାରାଲିସିସ୍ ମଧ୍ୟ ହୋଇପାରେ। ସ୍ନାୟୁ ଜନିତ ରୋଗରେ ସାଧାରଣତଃ ଘ୍ରାଣ ଶକ୍ତି ଓ ସ୍ବାଦ ଶକ୍ତି ହ୍ରାସ ପାଏ। । ପ୍ରାୟ ୭୦/୮୦ ଭାଗ ଲୋକ ଏଭଳି ସମସ୍ୟାରେ ପଡନ୍ତି। ଏହାଛଡା ଶରୀରର ଅଙ୍ଗଗୁଡିକ ବିଶେଷକରି ଗୋଡ, ହାତର ଶିରା ପ୍ରଶିରା ଦୁର୍ବଳ ହୋଇଯାଏ, ଯାହାକୁ କି ଗୁଲେନ୍ବାରି ସିଣ୍ଡ୍ରୋମ୍ କୁହାଯାଏ। ଏହାଛଡା ସ୍ପାଇନାଲ କର୍ଡ୍ ବା ମେରୁଦଣ୍ଡ ମଧ୍ୟ ଏହାଦ୍ବାରା ଆକ୍ରାନ୍ତ ହୋଇପାରେ, ଯାହାକୁ ମାଇଲାଇଟିସ୍ କୁହାଯାଏ। ମାଂସପେଶୀର ଦୁର୍ବଳତା ଓ ତାର ସଂକ୍ରମଣ(ଇନ୍ଫ୍ଲାମେସନ୍)କୁ ମାୟୋସାଇଟିସ୍ କୁହାଯାଏ। ସାଧାରଣତଃ ୭୦ରୁ ୮୦ଭାଗ ରୋଗୀ ବିନା ଲକ୍ଷଣରେ କରୋନା ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଯେଉଁମାନଙ୍କର ସ୍ନାୟବିକ ଦୁର୍ବଳତା ଦେଖାଯାଏ, ସେମାନଙ୍କର ସାଧାରଣ ଭାବେ ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲା, ମାଂସପେଶୀର ପିଡ଼ା, ଅପସ୍ମାର, ସ୍ବାଦ ଓ ଘ୍ରାଣଶକ୍ତି ହ୍ରାସ ପାଇବା, ହାତ-ପାଦ ଝିମ୍ଝିମ୍ ହେବାର ଲକ୍ଷଣ ଦେଖାଯାଏ। ସାଧାରଣତଃ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ସ୍ନାୟୁଜନିତ ଲକ୍ଷଣ ଥିବା ରୋଗୀମାନଙ୍କୁ ଚିକିତ୍ସା ଦ୍ବାରା ଠିକ୍ କରାଯାଇପାରିବ। ବିଭିନ୍ନ ପ୍ରକାର ଇଞ୍ଜେକସନ୍ ଯେଉଁଭଳି କି, ଷ୍ଟିରଏଡ୍, ହେପାରିନ୍, ପ୍ଲାଜମା ଥେରାପି ତଥା ଇମ୍ୟୁନୋଗ୍ଲୋବିଲିନ୍ ଚିକିତ୍ସା କରାଯାଏ। ଯଦି ଜଣେ ରୋଗୀ ପକ୍ଷାଘାତରେ ପୀଡ଼ିତ ଓ ତାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସେ ତା’ହେଲେ କରୋନା ଚିକିତ୍ସା ସହ ଏକାସାଙ୍ଗରେ ପକ୍ଷାଘାତ ରୋଗର ଚିକିତ୍ସା ମଧ୍ୟ କରାଯିବା ଦରକାର। ସାଧାରଣତଃ ଜଣେ କରୋନା ଆକ୍ରାନ୍ତ ହେବା ପରେ ଯଦି ରୋଗୀର ଯାହା କିଛି ପୁରୁଣା ରୋଗ ରହିଛି, ତା’ର ଯଦି ଠିକ୍ ଭାବରେ ଚିକିତ୍ସା କରାନଯାଏ ତେବେ ରୋଗୀର ଅବସ୍ଥା ଅଧିକ ଗୁରୁତର ହୋଇପଡେ। ଚିକିତ୍ସା ସହ ବିଭିନ୍ନ ପ୍ରକାର ବ୍ୟାୟାମ୍, ଫିଜିଓଥେରାପି ପୁନର୍ବାସ ଥେରାପି ଚିକିତ୍ସା ଦ୍ବାରା ସ୍ନାୟୁ ଓ ମାଂସପେଶୀର ଦୁର୍ବଳତାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣି ହେବ। କିନ୍ତୁ ସବୁବେଳେ ସତର୍କତା ହିଁ ଜରୁରୀ। କରୋନା ସଂକ୍ରମଣ ଦ୍ବାରା ପକ୍ଷାଘାତ, ମସ୍ତିଷ୍କ ଜ୍ବର, ସ୍ନାୟବିକ ଦୁର୍ବଳତା ଆଦି ବିଭିନ୍ନ ସ୍ନାୟୁଜନିତ ସମସ୍ୟା ଦେଖା ଦେଉଛି। ତେଣୁ ଯେଉଁମାନଙ୍କର ଏଭଳି ସ୍ନାୟୁଜନିତ ସମସ୍ୟା ଦେଖାଦେଉଛି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ୍ ଏହା ଆଗକୁ ଘାତକ ସାଜିପାରେ।
ଆସିଷ୍ଟାଣ୍ଟ ପ୍ରଫେସର, ନ୍ୟୁରୋଲୋଜି ବିଭାଗ
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ