କରୋନା ମହାମାରୀ ଯୋଗୁଁ ଆମେ ସମସ୍ତେ ଏକ କଠିନ ସମୟ ଦେଇ ଗତି କରୁଛେ। ଆମ ମଧ୍ୟରୁ ମୁଖ୍ୟତଃ ବୟସ୍କ ଲୋକମାନେ ଏହି ସମୟରେ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବୟସ୍କ ଲୋକ ତଥା ଯେଉଁମାନଙ୍କର ବିଭିନ୍ନ ଶାରୀରିକ ସମସ୍ୟା ଅଛି, ସେମାନେ କରୋନା ଭାଇରସ ଦ୍ଵାରା ଅଧିକ ସଂକ୍ରମିତ ହୋଇଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କ ମୃତ୍ୟୁହାର ମଧ୍ୟ ଅଧିକ ରହିଛି। ଯାହା କି’ ଏକ ଚିନ୍ତାଜନକ ବିଷୟ। ଅନେକ ବୟସ୍କ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ସଂପୂର୍ଣ୍ଣ ସୁସ୍ଥ ଲାଭ କରି ଘରକୁ ଫେରିଛନ୍ତି, କିଛିଲୋକ ଆଂଶିକ ରୂପରେ ସୁସ୍ଥ ହୋଇଛନ୍ତି। ହସ୍ପିଟାଲରେ ରହି ଚିକିତ୍ସିତ ହେବା ସେମାନଙ୍କ ପାଇଁ ଏକ କଷ୍ଟଦାୟକ ଅନୁଭୂତି। ସେ ସମୟକୁ ବୟସ୍କ ଲୋକମାନେ କେବେ ବି ଭୁଲି ପାରିବେନି। ଯେଉଁ ବୟସ୍କ ଲୋକମାନେ ଘରେ ରହି ସୁସ୍ଥ ହୋଇ ପାରିଛନ୍ତି, ସେମାନଙ୍କୁ ମଧ୍ୟ ଅନେକ କଟକଣା ମଧ୍ୟରେ ରହିବାକୁ ପଡିଛି। ଏସବୁ ଫଳରେ ସେମାନେ ଉଭୟ ଶାରୀରିକ ଓ ମାନସିକ ଭାବେ ଚାପର ଶିକାର ହୋଇଛନ୍ତି। ଯେଉଁ ବୟସ୍କ ବ୍ୟକ୍ତିମାନେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ନାହାନ୍ତି, ସେମାନେ ଏତେଦିନ ଘର ଭିତରେ ଏକପ୍ରକାର ବନ୍ଦୀ ହୋଇ ରହିଛନ୍ତି। ଲକ୍‌ଡାଉନ ଖୋଲିଲା ପରେ ମଧ୍ୟ ସେମାନେ ଅଧିକାଂଶ ସମୟ ଘରେ ହିଁ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ ବାହାରକୁ ଗଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଅନେକ ବୟସ୍କ ଲୋକମାନଙ୍କ ପାଇଁ ସକାଳୁ ପ୍ରାତଃ ଭ୍ରମଣ କରିବା, ପୂଜା ପାଇଁ ଫୁଲ ତୋଳି ଆଣିବା, ବଜାରରୁ ପନିପରିବା କିଣି ଆଣିବା ଏକ ଦୈନନ୍ଦିନ କାମ ଥିଲା। ମାତ୍ର ଏସବୁ କାମ ଗତ ୯ମାସ ହେବ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେମାନେ ନିଜ ସାଙ୍ଗ ସାଥୀଙ୍କ ସହ ବାହାରକୁ ଯାଇ ଆଗ ଭଳି ମିଳାମିଶା କରିପାରୁ ନାହାନ୍ତି। ଏସବୁ ଦ୍ଵାରା ବୟସ୍କ ଲୋକମାନଙ୍କର ଜୀବନଶୈଳୀ ସଂପୂର୍ଣ୍ଣ ବଦଳିଯାଇଛି। ଅନେକ ବୟସ୍କ ଦମ୍ପତି, ଯେଉଁମାନେ ଏକୁଟିଆ ଘରେ ରହୁଛନ୍ତି, ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ କଷ୍ଟଦାୟକ ହୋଇଯାଇଛି।

Advertisment

ଯେଉଁ ବୟସ୍କ ଲୋକମାନେ କିଛି ଦୀର୍ଘସ୍ଥାୟୀ ଶାରୀରିକ ରୋଗ ଯଥା-ମଧୁମେହ, ଉଚ୍ଚ ରକ୍ତଚାପ, ବିଭିନ୍ନ ଶ୍ଵାସରୋଗ ଓ ଆଣ୍ଠୁଗଣ୍ଠି ସମସ୍ୟା ଆଦିର ଚିକିତ୍ସା କରାଉଥିଲେ, ସେମାନେ ଏହି ମହାମାରୀ ସମୟରେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ପରାର୍ମଶ କରି ପାରୁ ନାହାନ୍ତି। ଯଦ୍ଵାରା ସେମାନଙ୍କ ପୁରୁଣା ରୋଗର ଲକ୍ଷଣଗୁଡିକ ବଢ଼ିଢିଯିବାର ଅଧିକ ସମ୍ଭାବନା ଦେଖାଦେଇଛି। କିଛି ବୟସ୍କ ବ୍ୟକ୍ତିଙ୍କର ଶାରୀରିକ ବ୍ୟାୟମ କମିଯିବା ଫଳରେ ସେମାନଙ୍କର ଓଜନ ମଧ୍ୟ ବୃଦ୍ଧି ପାଇଛି। ତା’ସହିତ ସେମାନଙ୍କ ମନରେ କରୋନା ସଂକ୍ରମଣର ଭୟ, ସଂକ୍ରମଣ ପରେ ମୃତ୍ୟୁର ଭୟ, ଆତ୍ମୀୟ ଲୋକଙ୍କ ସ୍ୱାସ୍ଥ୍ୟ ଚିନ୍ତା ନେଇ ଭୟ, ଅନେକ ଚିହ୍ନା ଲୋକଙ୍କର କରୋନାରେ ମୃତ୍ୟୁର ଖବର ଆଦି ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏତେ ସବୁ ଦୁଃଶ୍ଚିନ୍ତା ମଧ୍ୟରେ ଅନକେ ବୟସ୍କ ଲୋକ ହତାଶ ହୋଇ ଯାଉଛନ୍ତି ଓ ସେମାନଙ୍କ ମନର ଦୃଢ଼ତା ହ୍ରାସ ପାଉଛି। କିଛି ବୟସ୍କ ଲୋକଙ୍କର ମନ ଅଧିକାଂଶ ସମୟ ବ୍ୟସ୍ତ, ବିଚଳିତ ଓ ଅସ୍ଥିର ରହୁଛି। ସେମାନେ ଅନେକ ସମୟରେ ଦୁଃଖିତ ରହୁଛନ୍ତି। ନିଦ ମଧ୍ୟ କମିଯାଉଛି। କିଛି ବୟସ୍କ ଲୋକ ମାନସିକ ଉଦ୍‌ବେଗ ରୋଗ (ଏଙ୍ଗଜାଇଟି), ମାନସିକ ଛାନିଆ ରୋଗ (ପ୍ୟାନିକ୍‌ ରୋଗ), ଅବସାଦ ରୋଗ(ଡିପ୍ରସେନ) ଓ ଅନିଦ୍ରା ରୋଗ ଆଦିରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ସମସ୍ତ ବୟସ୍କ ଲୋକ ନିଜ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଉପଯୁକ୍ତ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏହି ପରିବର୍ତ୍ତିତ ସମାଜରେ ଖାପଖୁଆଇ ଚଳିବା ପାଇଁ ଚେଷ୍ଟା କରନ୍ତୁ। ଅନେକ ବୟସ୍କ ଲୋକମାନଙ୍କ ପାଇଁ ଏହା କଷ୍ଟ ଦାୟକ ହୋଇପାରେ। କରୋନା ଭାଇରସ୍‌ଠାରୁ ଦୂରେଇ ରହିବା ପାଇଁ ଶାରୀରିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ମାନସିକ ଅସୁସ୍ଥତା ଠାରୁ ଦୂରେଇ ରହିବା ପାଇଁ ନିଜର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଚିତ। ଅର୍ଥାତ ନିଜ ମନର ଉପଯୁକ୍ତ ଯତ୍ନ ନିଅନ୍ତୁ। ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ। ନିୟମିତ ଶାରୀରିକ ବ୍ୟାୟମ ଓ ଯୋଗ ଅଭ୍ୟାସ କରନ୍ତୁ। ପ୍ରତିଦିନ ବାଡ଼ି ବଗିଚା କାମ ଭଳି କିଛି ଶାରୀରିକ ପରିଶ୍ରମ କରନ୍ତୁ। ନିଜ ପରିବାର ଓ ନାତି ନାତୁଣୀଙ୍କ ସହ ସମୟ ଅତିବାହିତ କରନ୍ତୁ। ଦିନ ବଳୋ ଆଦୌ ଶୁଅନ୍ତୁ ନାହିଁ। ଏହାଦ୍ୱାରା ରାତିର ନିଦ କମି ଯାଇଥାଏ। ନିଜର ସାଙ୍ଗସାଥି ଓ ଆତ୍ମୀୟଲୋକଙ୍କ ସହ ଫୋନରେ କଥା ହୁଅନ୍ତୁ ଓ ନିଜ ଭାବର ଆଦାନ ପ୍ରଦାନ କରନ୍ତୁ। ନିଜର ଆଧ୍ୟାତ୍ମିକ ମନୋଭାବ ଓ ଆଧ୍ୟାତ୍ମିକ କାର୍ଯ୍ୟକୁ ଏହି ସମୟରେ ଚାହିଁଲେ ବଢ଼ାଇ ପାରିବେ। ଏହାଦ୍ୱାରା ମନ ସ୍ଥିର, ଦୃଢ଼ ଓ ଶାନ୍ତ ରହିବ। ମନେ ରଖିବା ଉଚିତ, ମାନସିକ ଚାପ ଆମର ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇଥାଏ। ଯାହାଦ୍ୱାରା କରୋନା ସଂକ୍ରମଣର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ। ତେଣୁ ମାନସିକ ଚାପଠାରୁ ସବୁବେଳେ ନିଜକୁ ଦୂରେଇ ରୁହନ୍ତୁ।

ବୟସ୍କ ଲୋକମାନଙ୍କର ପରିବାରର ସଦସ୍ୟଙ୍କ ଦାୟିତ୍ଵ ଏହି ଜଟିଳ ପରିସ୍ଥିତିରେ ଆହୁରି ବଢ଼ି ଯାଇଛି। ସେମାନେ ନିଜ ପରିବାରର ବୟସ୍କ ଲୋକଙ୍କୁ ଅଧିକ ସମୟ ଦିଅନ୍ତୁ। ପ୍ରଥମତଃ ସେମାନଙ୍କର ପୂର୍ବରୁ ଥିବା ଶାରୀରିକ ସମସ୍ୟା ଗୁଡିକର ଉପଯୁକ୍ତ ଚିକିତ୍ସା କରାନ୍ତୁ। ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇ ଠିକ୍‌ ସମୟରେ ଔଷଧ ଦିଅନ୍ତୁ। ସେମାନଙ୍କର ମନୋବଳ ବୃଦ୍ଧି କରାନ୍ତୁ। ସେମାନଙ୍କ ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଆଶ୍ଵାସନା ଦିଅନ୍ତୁ ଯେ, ଆଉ କିଛିଦିନ ପରେ ସବୁ କିଛି ପୂର୍ବ ଭଳି ଠିକ୍‌ ହୋଇଯିବ। ପରିବାରର ସଦସ୍ୟମାନେ ବୟସ୍କ ଲୋକଙ୍କ ମାନସିକ ସ୍ଥିତି ପ୍ରତି ସମ୍ବେଦନଶୀଳ ରହିବା ଉଚିତ। ଯଦି ସେମାନଙ୍କଠାରେ କୌଣସି ଉପରୋକ୍ତ ମାନସିକ ସମସ୍ୟାର ଲକ୍ଷଣ ଦେଖା ଦିଏ, ତେବେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାର୍ମଶ କରି ଉଚିତ ଚିକିତ୍ସା କରାନ୍ତୁ।

ଆସିଷ୍ଟାଣ୍ଟ ପ୍ରଫେସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌