କମୁଛି କରୋନା ସଂକ୍ରମଣ। କିନ୍ତୁ ଏହାର ୨ୟ ଲହରକୁ ନେଇ ସମସ୍ତେ ଚିନ୍ତାରେ। ଯଦିଓ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ଦ୍ବିତୀୟ ଲହର ଉଦ୍ବେଗଜନକ ନୁହେଁ, ତଥାପି ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କୋଭିଡ୍ ଭ୍ୟାକ୍ସିନ୍ ବା ଟିକା କେବେ ଆସିବ ତାକୁ ନେଇ ସମସ୍ତଙ୍କ ମନରେ ଲାଗିରହିଛି ଉତ୍କଣ୍ଠା। ଖୁବ୍ଶୀଘ୍ର ଟିକା ଉପଲବ୍ଧ ହେବ ଓ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଡାଟାବେସ୍ ମଧ୍ୟ ପ୍ରସ୍ତୁତି କରାଯାଇ ସାରିଛି।
ଅତି ନିକଟରେ ଆମେ କାରୋନା ରୋଗ ପାଇଁ ପ୍ରତିଷେଧକ ଟିକା ବା ଭାକ୍ସିନ୍ ପାଇବା ପାଇଁ ଯାଉଛୁ। ବ୍ରିଟେନ ଓ କାନାଡାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। କିନ୍ତୁ ଆମକୁ ମନେ ରଖିବାକୁ ପଡ଼ିବ ଯେ, ଗୁଣାତ୍ମକ ଟିକା ଏବଂ ନିରାପଦ ଟିକାକରଣ ଅଭ୍ୟାସ ଏକ ସଫଳ କାର୍ଯ୍ୟକ୍ରମ ପାଇଁ ଅପରିହାର୍ଯ୍ୟ। ଟିକାକାରଣ ପରେ ଏହାର ପ୍ରତିକୂଳ ଘଟଣାବଳୀ ପ୍ରତି ସମସ୍ତେ ସଚେତନ ହେବା ଜରୁରୀ। ଅବଶ୍ୟ ପୂରା ଟିକାର ଲାଇସେନ୍ସ ପାଇବା ସମୟରୁ ହିଁ ସବୁ ପାର୍ଶ୍ବପ୍ରତିକ୍ରିୟାର ଟିକିନିଖି ଯାଞ୍ଚ କରାଯାଏ। ତେବେ, ସମୂହ ବା ବହୁଳ ବ୍ୟବହାର ସମୟରେ ଅଧିକ ପାର୍ଶ୍ବପ୍ରତିକ୍ରିୟା ନଜର ଆସିବାର ଆଶଙ୍କା ଅଧକା ରହିଥାଏ। ଟିକାକରଣ ପରେ ଏହାର ସୁଫଳ(ଏଫିକେସି) କ’ଣ ମିଳୁଛି ବା ନାହିଁ, ତା’ ମଧ୍ୟ ଜାଣିବା ଜରୁରୀ। ଶରୀରରେ ଏହାର ପ୍ରଭାବ କେମିତି ପଡୁଛି, ତା’ ମଧ୍ୟ ଜାଣିବା ଆବଶ୍ୟକ। ଟିକାକରଣ ସମୟରେ ଆପଣ କ’ଣ ଖାଦ୍ୟ ଖାଉଛନ୍ତି ବା ଅନ୍ୟ କ’ଣ ଔଷଧ ବ୍ୟବହାର କରୁଛନ୍ତି ତା’ର ମଧ୍ୟ ପାର୍ଶ୍ବପ୍ରତିକ୍ରିୟା କ’ଣ ହେବ ତାହା ଅତ୍ୟନ୍ତ ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ।
ଗର୍ଭବତୀ ଓ ଛୋଟ ପିଲାଙ୍କ ଦେହରେ ଏହାର କିପରି ପ୍ରଭାବ ପଡୁଛି, ତାହା ସକରାତ୍ମକ ବା ନକାରାତ୍ମକ ତା’କୁ ମଧ୍ୟ ନଜର ରଖିବା ଦରକାର। ଟିକାକରଣ ପରେ କିଛି ଶ୍ବାସଜନିତ ସଂକ୍ରମଣ ଅଧିକ ଗୁରୁତରଭାବେ ଆମ ଶରୀର ଉପରେ ପକାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟିକାକରଣ କାର୍ଯ୍ୟକ୍ରମ ସମୟରେ ବୃଦ୍ଧ, ବୟସ୍କ, ମଧ୍ୟବୟସ୍କ, ଯୁବବର୍ଗ, ଶିଶୁ ଓ ମହିଳାଙ୍କୁ ନେଇ ବିଭିନ୍ନ ବର୍ଗୀକରଣ କରାଯିବ ଓ ଦିଆଯାଉଥିବା ଟିକା ବିଭିନ୍ନ ବର୍ଗରେ କେଉଁଭଳି ପ୍ରଭାବ ପକାଉଛି ତାକୁ ମଧ୍ୟ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍ନି ତଥା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଟିକା ଦିଆଯିବ ନା’ ନାହିଁ ସେ ସଂପର୍କରେ କୌଣସି ସ୍ପଷ୍ଟ କରାଯାଇ ନଥିବାବେଳେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ ଟିକା। ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କର ଏକ ସ୍ବତନ୍ତ୍ର ବିଭାଗ (ଏଇଏଫ୍ଆଇ)ଏହି ଟିକାକରଣଜନିତ ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ ରେକର୍ଡ କରିବା ପାଇଁ ଅବିରତ କାର୍ଯ କରୁଥାଏ। ଏହି ସଂସ୍ଥା ମୁଖ୍ୟତଃ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାମାନଙ୍କର ରିପୋର୍ଟ ଓ ପାସିଭ୍ ସିସିଟିଭିର ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଥାଏ। ଏଣୁ ଏହି ଟିକାକରଣ ଓ ଏହାର ପ୍ରତିକ୍ରିୟା ସଂପର୍କରେ ସଚେତନ ରହି ସ୍ୱାସ୍ଥ୍ୟର୍କମୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଆମର ନୈତିକ ଦାୟିତ୍ବ ଅଟେ।
ବିଭାଗୀୟ ମୁଖ୍ୟ, ଫାର୍ମାକୋଲୋଜି ବିଭାଗ
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କୋରାପୁଟ