ସାରା ବିଶ୍ବରେ ସହରାଞ୍ଚଳରେ ଏବଂ ବୟସ୍କ ଲୋକଙ୍କ କ୍ଷେତ୍ରରେ କୋଭିଡ୍ର ଭୟାବହତା ଅଧିକ ବୋଲି ପ୍ରମାଣିତ ହୋଇସାରିଲାଣି। କିନ୍ତୁ କରୋନା ଭୂତାଣୁ ସିଧାସଳଖ ଭାବେ ହୃଦ୍ଯନ୍ତ୍ରକୁ ଆକ୍ରାନ୍ତ କରିବାର କୌଣସି ବୈଜ୍ଞାନିକ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। କରୋନା ଭୂତାଣୁ ଆମ ଶରୀରରେ କାୟା ବିସ୍ତାର କରିବା ପରେ ଆମ ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ଲଢିଥାଏ। ଯାହାର ଫଳସ୍ବରୂପ କେତେଜଣ ଲୋକଙ୍କ ଦେହରେ ଅତ୍ୟଧିକ ପ୍ରଦାହ ପରିଲକ୍ଷିତ ହୁଏ। ଏହି ପ୍ରଦାହର କୁପ୍ରଭାବ ଯେଉଁ ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକ ଉପରେ ପଡ଼ିଥାଏ, ତା ମଧ୍ୟରୁ ହୃଦ୍ଯନ୍ତ୍ର ଅନ୍ୟତମ।
ତାଛଡ଼ା ଡାଇବେଟିସ୍ ରୋଗୀମାନଙ୍କ କ୍ଷେତ୍ରରେ ହୃଦ୍ରୋଗ ଅନେକ ପରିସ୍ଥିତିରେ ପ୍ରଚ୍ଛନ୍ନ ଅବସ୍ଥାରେ ରହିଥାଏ। ଯେତେବେଳେ ସେହି ରୋଗୀମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହୁଅନ୍ତି, ସେତେବେଳେ ସେମାନେ ‘ଷ୍ଟିରଏଡ୍’ ଶ୍ରେଣୀର ଔଷଧ ବ୍ୟବହାର କଲେ ସେମାନଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ ଓ ଏହି ବର୍ଦ୍ଧିତ ଶର୍କରାର କୁପ୍ରଭାବ ସ୍ବରୂପ ଆଗରୁ ଲୁକ୍କାୟିତ ଥିବା ହୃଦ୍ରୋଗ ପରିପ୍ରକାଶ ପାଇପାରେ। ଯେଉଁ ହୃଦ୍ରୋଗୀମାନେ ନିୟମିତ ଭାବେ ଡାକ୍ତରଙ୍କୁ ଦେଖାକରି ନିଜର ସ୍ବାସ୍ଥ୍ୟ ଯାଞ୍ଚ କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଏହି କୋଭିଡ୍ ସମୟରେ ପୂର୍ବଭଳି ମାସିକ ଅନ୍ତରରେ ଦେଖାକରିବେ କି ନାହିଁ, ଏହି ସନ୍ଦେହରେ ରହିଥାନ୍ତି। କେତେକ କ୍ଷେତ୍ରରେ ଦେଖାଯାଇଥାଏ, ନିୟମିତ ଯାଞ୍ଚ ନକରି ରୋଗୀମାନେ ଆଗରୁ ଖାଇଆସୁଥିବା ଔଷଧ ମଧ୍ୟ ବନ୍ଦ କରିଦେଇଥାନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବ˚ ସେତେବେଳେ କରୋନା ପରୀକ୍ଷା କରିବାପରେ ଜଣାପଡେ଼ ଯେ, ସେମାନେ ସ˚କ୍ରମିତ ହୋଇଛନ୍ତି।
ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ନିର୍ଦ୍ଦେଶାବଳୀରେ ଏହା ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ, ହୃଦ୍ରୋଗୀମାନେ ବ୍ୟକ୍ତିଗତ ଭାବେ ନିୟମିତ ଯାଞ୍ଚ କରିବା ପାଇଁ ଯାଇନପାରିଲେ ମଧ୍ୟ ଟେଲିଫୋନ୍ ଯୋଗେ ହେଉ ବା ହ୍ବାଟ୍ସଆପ୍ ବା ଭର୍ଚୁଆଲ ମାଧ୍ୟମରେ ହେଉ, ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅତ୍ୟାବଶ୍ୟକ ତଥ୍ୟ ବିଶେଷଜ୍ଞଙ୍କ ସହିତ ଆଦାନପ୍ରଦାନ କରନ୍ତୁ। ଯଦି ସେମାନଙ୍କ ଛାତି ଯନ୍ତ୍ରଣା, ଧଇଁସଇଁ ହେବା ବା ଧଡ଼ପଡ ହେବା ଅସ୍ବଭାବିକ ଭାବେ ବଢିଯାଏ, ତେବେ ଅଯଥା ବିଳମ୍ବ ନକରି ନିକଟସ୍ଥ ଡାକ୍ତର ବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନିଜର ସ୍ବାସ୍ଥ୍ୟ ଯାଞ୍ଚ କରାନ୍ତୁ। ଅନେକ ଲୋକଙ୍କର ଭ୍ରାନ୍ତଧାରଣା ଥାଏ ଯେ, ହୃଦ୍ରୋଗୀମାନଙ୍କୁ କରୋନା ସ˚କ୍ରମିତ ହେବାର ସମ୍ଭାବନା ଅଧିକ। ମାତ୍ର ତାହା ସ˚ପୂର୍ଣ୍ଣ ଭୁଲ। ସମାଜର ସବୁବର୍ଗର ଲୋକମାନଙ୍କୁ ଏହି ଭୂତାଣୁ ସ˚କ୍ରମଣ କରିବାର ସମ୍ଭାବନା ଯାହା, ହୃଦ୍ରୋଗୀମାନଙ୍କ ପାଇଁ ମଧ୍ୟ ତାହା ସମାନ। ତେବେ ଥରେ କରୋନାରେ ସ˚କ୍ରମିତ ହେବାପରେ ଏମାନଙ୍କର ଗୁରୁତର ହେବାର ଆଶଙ୍କା ଅଧିକ। ଏମାନଙ୍କର ଶ୍ବାସ ସହାୟକ ଯନ୍ତ୍ର ବା ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିବାର ସମ୍ଭାବନା ମଧ୍ୟ ଅଧିକ। ଯେଉଁ ହୃଦ୍ରୋଗୀମାନଙ୍କର ମଧୁମେହ ବା ଉଚ୍ଚ ରକ୍ତଚାପ ରହିଥାଏ, ସେମାନଙ୍କର କୋଭିଡ୍ ଭୟବହତା ଆହୁରି ଅଧିକ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ସେମାନେ କଡ଼ାକଡି ଭାବେ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ ପିନ୍ଧିବା ନିହାତି ଜରୁରି। ବ୍ରିଟେନ୍ରେ ଆରମ୍ଭ ହୋଇଥିବା କରୋନା ଟିକାକରଣରେ ମଧ୍ୟ ଏହିଭଳି ଗୁରୁତର ରୋଗୀଙ୍କୁ ଅଧିକ ପ୍ରାଥମିକତା ଦିଆଯିବାର ଯୋଜନା ରହିଛି।
ଅନେକ ହୃଦ୍ରୋଗୀ ଆଗରୁ ରକ୍ତ ତରଳ ରଖିବା ପାଇଁ ଔଷଧ ଖାଇଥାନ୍ତି। ଯେତେବେଳେ ସେମାନଙ୍କୁ ‘ହେପାରିନ୍’ ଦେବାର ଆବଶ୍ୟକତା ପଡେ଼, ସେତେବେଳେ ଠିକ୍ ମାତ୍ରା ବିଷୟରେ ବିଚାରକରି ନିର୍ଣ୍ଣୟ ନେବା ଜରୁରି। ଯେଉଁ ହୃଦ୍ରୋଗୀମାନଙ୍କୁ ଆଗରୁ ‘ହାର୍ଟ ଫେଲ୍ୟୁଅର’ ରହିଥାଏ, ସେମାନେ କୋଭିଡ୍ରେ ଆକ୍ରାନ୍ତ ହେଲେ ସେମାନଙ୍କୁ ‘ଷ୍ଟିରଏଡ୍’ ଔଷଧର ମାତ୍ରା ସହିତ ଖାପ ଖାଇବା ଭଳି ଅନ୍ୟ ଔଷଧର ମାତ୍ରାକୁ ମଧ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥାଏ। ଘର ଭିତରେ ରହିଲେ ମଧ୍ୟ ଏହି ରୋଗୀମାନେ ସବୁବେଳେ ଶୋଇ ନରହି ବା ବସି ନରହି ଯେତେ ସମ୍ଭବ ଚଲାବୁଲା କରିବା ଉଚିତ୍। ଅଥବା ଘରର ବିଭିନ୍ନ ପ୍ରକାର କାମରେ ନିଜକୁ ନିୟୋଜିତ କରିବା ଉଚିତ୍। ପ୍ରତ୍ୟହ ଯୋଗ, ପ୍ରାଣାୟମ ବା ଧ୍ୟାନ କରିବା ଫଳରେ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ ଏବ˚ ମାନସିକ ଅବସାଦ ଦୂର କରିବା ଦିଗରେ ଏହା ଯଥେଷ୍ଟ ସହାୟକ ହୋଇଥାଏ। ଯେଉଁ ହୃଦ୍ରୋଗୀମାନଙ୍କୁ କମ୍ ପାଣି ପିଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ, ସେମାନେ ସେହି ନିର୍ଦ୍ଦେଶକୁ କୋଭିଡ୍ ଆଶଙ୍କାରେ ବିଶେଷଜ୍ଞଙ୍କୁ ପରାମର୍ଶ ନକରି ଅବମାନନା କରିବା ବିପଦଜନକ ହୋଇପାରେ। ପ୍ରତ୍ୟେକ ହୃଦ୍ରୋଗୀ ନିଜ ଘରେ ଅମ୍ଳଜାନର ମାତ୍ରା ମାପିବା ପାଇଁ ‘ଅକ୍ସିମିଟର’ ରଖିବା ଉଚିତ୍ ଏବ˚ ପ୍ରତ୍ୟେହ ଏହା ଦେଖିନେବା ଜରୁରି। ଯେତେବେଳେ ଅମ୍ଳଜାନର ମାତ୍ରା ୯୪ ଭାଗରୁ କମ୍ ବୋଲି ଜଣାପଡ଼ିବ, ତତ୍କ୍ଷଣାତ୍ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।
ସହକାରୀ ପ୍ରଫେସର, ହୃଦ୍ରୋଗ ବିଭାଗ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ