କରୋନା ମହାମାରୀ ଯୋଗୁଁ ସାରା ବିଶ୍ଵରେ ବିଭିନ୍ନ ମାନସିକ ସମସ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମାନସିକ ଚାପ, ଅବସାଦ ରୋଗ, ସ୍କିଜୋଫ୍ରେନିଆ ରୋଗ ଏଥି ମଧ୍ୟରୁ ପ୍ରମୁଖ।

Advertisment

ଡିପ୍ରେସନ ବା ଅବସାଦ ରୋଗ
ଡିପ୍ରେସନ ବା ଅବସାଦ ରୋଗରେ ଦୁଇ ସପ୍ତାହରୁ ବେଶୀ ଦିନ ପର୍ଯ୍ୟନ୍ତ ମନ ଅଧିକାଂଶ ସମୟ ଦୁଃଖ ରହିଥାଏ। କାହା ସହିତ ମିଳାମିଶା କରିବାକୁ ଇଚ୍ଛା ହୁଏ ନାହିଁ। ବ୍ୟକ୍ତି ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରିଥାଏ। ପୂର୍ବରୁ ଖୁସି ଲାଗୁଥିବା କାମ ଆଉ ଆଗଭଳି ଖୁସି ଲାଗେ ନାହିଁ । ମନରେ ଏକାଗ୍ରତା ରହେ ନାହିଁ, ମନ ବିଚଳିତ ଓ ଅସ୍ଥିର ରହେ, ସ୍ମରଣ ଶକ୍ତି ହ୍ରାସ ପାଏ। ଅଧିକାଂଶ ସମୟରେ କ୍ଲାନ୍ତ ଲାଗେ ଓ କାମ କରିବାକୁ ଇଚ୍ଛା ହୁଏ ନାହିଁ। ନିଜର ଆତ୍ମବିଶ୍ଵାସ କମିଯାଏ ଓ ଭବିଷ୍ୟତ ଅନ୍ଧକାର ଲାଗେ। ବ୍ୟକ୍ତି ଛୋଟ ଛୋଟ କଥାରେ ନିଜକୁ ଦୋଷୀମନେ କରେ। ମନରେ ଆତ୍ମହତ୍ୟାର ବିଚାର ଆସେ ଏବଂ ୧୫ ରୁ ୨୦ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା ମଧ୍ୟ କରିଥାନ୍ତି। ନିଦ ଓ ଭୋକ ସାଧାରଣତଃ କମିଯାଏ। ବିଶେଷତଃ ସକାଳ ସମୟରେ ମନ ଅତ୍ୟନ୍ତ ଦୁଃଖ ରହେ। ବିନା କାରଣରେ କାନ୍ଦ ଲାଗେ। ଏହି ସମୟରେ ନାନା ପ୍ରକାରର ଶାରୀରିକ ସମସ୍ୟା ଯଥା ମୁଣ୍ଡ ବିନ୍ଧା, ଦେହ ହାତ ପୀଡା ହେବା, ବଦହଜମି ହେବା, ଯୌନ ସମସ୍ୟା ଆଦି ଦେଖାଦେଇଥାଏ।

ସ୍କିଜୋଫ୍ରେନିଆ ରୋଗ
ସ୍କିଜୋଫ୍ରେନିଆ ଏକ ଗମ୍ଭୀର ମାନସିକ ସମସ୍ୟା। ସ୍କିଜୋଫ୍ରେନିଆ ରୋଗ ମୁଖ୍ୟତଃ ୧୫ ରୁ ୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗରେ ବ୍ୟକ୍ତିର ବ୍ୟବହାରରେ ଧୀରେ ଧୀରେ ପରିବର୍ତ୍ତନ ଦେଖାଥାଏ। ରୋଗୀ ଅନ୍ୟମାନଙ୍କ ଉପରେ ସନ୍ଦେହ କରିଥାଏ। ରୋଗୀର ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖାଯାଏ। ତାକୁ ଲାଗେ ସମସ୍ତେ ତା’ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି। କେହି କେହି ଭାବନ୍ତି ତାଙ୍କ ବିରୁଦ୍ଧରେ ଗୁଣିଗାରେଡି କରାଯାଇ ତାଙ୍କୁ ହଇରାଣ ମଧ୍ୟ କରାଯାଉଛି। ଏମିତିକି ରୋଗୀ ନିଜ ପରିବାରର ଲୋକମାନଙ୍କ ଉପରେ ମଧ୍ୟ ସନ୍ଦେହ କରିଥାନ୍ତି। ରୋଗୀକୁ ଲାଗେ ଯେପରି ତା’ର ଖାଦ୍ୟରେ ବିଷ ମିଶାଇ ତାକୁ ଖାଇବାକୁ ଦିଆଯାଉଛି। ରୋଗୀ କିଛି କାରଣ ନ ଥାଇ କଥା ଶୁଣାଯାଉଛି ଓ ଶୂନ୍ୟବାଣୀ ହେଉଛି ବୋଲି କହିଥାଏ। ରୋଗୀମାନେ ବେଳେ ବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏହି ପ୍ରତିକ୍ରିୟାରେ ସେମାନେ ନିଜେ ମନେ ମନେ କଥା ହୁଅନ୍ତି, ଶୂନ୍ୟରେ ଜବାବ ଦିଅନ୍ତି, ମନକୁ ମନ ହସନ୍ତି ଓ କାନ୍ଦନ୍ତି। ରୋଗୀ ଛୋଟ ଛୋଟ କଥାରେ ଚିଡ଼ଚିଡା ଓ ଉତ୍ତେଜିତ ହୋଇପଡନ୍ତି। ରୋଗୀର ନିଦ ଓ ଭୋକ ମଧ୍ୟ କମିଯାଏ। ନିଜର ଯତ୍ନ ଠିକଭାବରେ ସେ ନେଇ ପାରେ ନାହିଁ। ସେ ଘରୋଇ ଦାୟିତ୍ଵ ନେବା, କର୍ମ କ୍ଷେତ୍ରରେ କାର୍ଯ୍ୟ ଭାର ନେବା ଓ ବିଭିନ୍ନ ସାମାଜିକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳାଇବାରେ ଅସମର୍ଥ ହୁଏ। କିଛି ରୋଗୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥାନ୍ତି। ଅନେକ ସ୍କିଜୋଫ୍ରେନିଆ ରୋଗୀ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯଥା ମଦ, ଗଞ୍ଜେଇ, ଭାଙ୍ଗ, ସିଗାରେଟ ଓ ଗୁଟଖା ଆଦିର ସେବନ ଆରମ୍ଭ କରି ଦେଇଥାନ୍ତି। ଯାହାଫଳରେ ରୋଗର ଲକ୍ଷଣ ଆହୁରି ବଢି ଯାଇଥାଏ।

ମାନସିକ ଚାପ ବା ଷ୍ଟ୍ରେସ
ମାନସିକ ଚାପ ଯୋଗୁଁ ନାନା ପ୍ରକାରର ଲକ୍ଷଣମାନ ଦେଖା ଯାଇଥାଏ। ଏଥି ଯୋଗୁଁ ମନ ଅସ୍ଥିର, ବ୍ୟସ୍ତ ଓ ବିଚଳିତ ରହେ, ଛୋଟ ଛୋଟ କଥାରେ ଚିଡି ଚିଡା ଲାଗେ। ଠିକଭାବରେ କୌଣସି ନିଷ୍ପତ୍ତି ନେଇ ହୁଏ ନାହିଁ ଏବଂ ସ୍ମରଣ ଶକ୍ତି ହ୍ରାସ ପାଇ ଥାଏ। ମାନସିକ ଚାପ ଯୋଗୁଁ ଦେହ ହାତ ଥରିବା, ପାଟି ଶୁଖିଯିବା, ଛାତି ଜୋରରେ ଧଡ ଧଡ ହେବା, ଅତ୍ୟଧିକ ଝାଳ ବୋହିବା, ମୁଣ୍ଡ ବୁଲାଇବା, ଅଣନିଶ୍ଵାସୀ ଲାଗିବା ଓ ବାରମ୍ବାର ପରିସ୍ରା ଲାଗିବା ଆଦି ଲକ୍ଷଣ ମନ ଦେଖା ଯାଇଥାଏ। ଏହି ସମୟରେ ଅଳ୍ପ କାମ କଲା ପରେ ଥକା ଲାଗି ଥାଏ ଓ କାମରେ ଏକାଗ୍ରତା କମିଯାଏ। ଭୋକ ଓ ନିଦ କମି ଯାଏ। ସକାଳୁ ଉଠିଲେ ସତେଜ ଲାଗେ ନାହିଁ। ଯେଉଁ ମଧୁମେହ(ଡାଇବେଟିସ) ରୋଗୀମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ମାନସିକ ଚାପର ସମ୍ମୁଖୀନ ହୋଇଥାନ୍ତି ସେମାନଙ୍କର ରକ୍ତଶର୍କରା (ବ୍ଲଡ ସୁଗାର) ନିୟନ୍ତ୍ରଣରେ ରହିବା କଷ୍ଟକର ହୋଇଥାଏ। କେତେକ ଲୋକଙ୍କଠାରେ ମାନସିକ ଚାପ ଦୀର୍ଘଦିନ ଧରି ଲାଗିରହିଲେ ଓଜନ ବଢିଥାଏ ଓ ମେଦବହୁଳତା ଦେଖାଯିବାର ସମ୍ଭାବନା ମଧ୍ୟ ଥାଏ। କିଛି ଲୋକଙ୍କ ଠାରେ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଯାହାଫଳରେ ବିଭିନ୍ନ ପ୍ରକାରର ସଂକ୍ରମଣ ବାରମ୍ବାର ଦେଖା ଯିବାର ସମ୍ଭାବନା ଥାଏ।

ତେଣୁ ଯଦି ଉପରୋକ୍ତ କିଛି ସମସ୍ୟା ଦେଖା ଦେଉଛି, ସେତେବେଳେ ଆଦୌ ବିଳମ୍ବ ନ କରି ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଧୈର୍ଯ୍ୟ ଧରନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟମ କରନ୍ତୁ। ନିୟମିତ ଭାବରେ ପ୍ରତିଦିନ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। କୌଣସି ନିଶା ସେବନ କରନ୍ତୁ ନାହିଁ। ମନରେ ସକାରାତ୍ମକ ଚିନ୍ତା ଧାରା ରଖନ୍ତୁ।

ଆସିଷ୍ଟାଣ୍ଟ ପ୍ରଫେସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌