ସ୍ୱାସ୍ଥ୍ୟ ସମ୍ବାଦ : ଲଙ୍ଗ୍‌ କୋଭିଡ୍-୧୯ର ଲକ୍ଷଣ

ଡାକ୍ତର ସମ୍ପତ ଦାସ

ଲଙ୍ଗ କୋଭିଡ୍‌-୧୯ ଏକ ନୂତନ ରୋଗ
କୋଭିଡ୍‌ ସଂକ୍ରମିତ ବ୍ୟକ୍ତି ଦୁଇ ସପ୍ତାହ ଭିତରେ ଏକ ପ୍ରକାର ସ୍ବାଭାବିକ ହୋଇଯାଆନ୍ତି। କିଛି ରୋଗୀଙ୍କ ଠାରେ ଏହାର ସାମାନ୍ୟ ଲକ୍ଷଣ ଅଳ୍ପ ଦିନ ପାଇଁ ଦେଖା ଦେଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ଏବେ ଦେଖାଦେଉଛି ଏହି ସବୁ ଲକ୍ଷଣ ଦୀର୍ଘ ଦିନ ଧରି ଲାଗି ରହୁଛି ଓ ସଂକ୍ରମିତ ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରକାର ଲକ୍ଷଣକୁ ଲଙ୍ଗ କୋଡିଡ-୧୯ ବା ଲମ୍ବା କୋଭିଡ୍‌-୧୯ ବୋଲି କୁହାଯାଇଥାଏ। ବୟସ୍କ ବ୍ୟକ୍ତି ଯେଉଁମାନଙ୍କର ମଧୁମେହ, ଲିଭର ସମସ୍ୟା, ଉଚ୍ଚ ରକ୍ତଚାପ, କର୍କଟ ରୋଗ, ସିଓପିଡି, ଆଜମା ଭଳି ସମସ୍ୟା ଥାଏ, ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖା ଯାଉଛି। ହାଲିଆ ଲାଗିବା, ଧଇଁସଇଁ ହେବା, କାଶ ହେବା, ଛାତି ଓ ଜଏଣ୍ଟ ପେନ୍‌ ହେବା, ମୁଣ୍ଡ ବିନ୍ଧା‌, ଛାତି ଧଡ଼ ଧଡ଼ ହେବା, ସ୍ମରଣ ଶକ୍ତି ହ୍ରାସ ପାଇବା, ଠିକ୍‌ ଭାବରେ ନିଦ ନହେବା, ଏକାଗ୍ରତା କମିଯିବା, ଚୁଟି ଝଡିବା ଓ ଚର୍ମରେ ଦାଗ ହେବା ଭଳି ଲକ୍ଷଣ ଏଥିରେ ଦେଖାଦିଏ। ଏ କ୍ଷେତ୍ରରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ ଫୁସ୍‌ଫୁସ୍‌। କୋଭିଡ୍‌ ନିମୋନିଆ ପରେ ଫୁସ୍‌ଫୁସ୍‌ରେ ଦାଗ ହେବା ଦ୍ବାରା ବିଭିନ୍ନ ସମସ୍ୟା ଦେଖାଦିଏ। ପରେ ହୃତପିଣ୍ଡର ମସଲଗୁଡିକ ଅଧିକ ମାତ୍ରାରେ ନଷ୍ଟ ହୋଇଥାଏ। ସମୟକ୍ରମେ ଏହି ରୋଗୀମାନଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ରହିଥାଏ।

କୋଭିଡ୍‌ -୧୯ ଦ୍ବାରା ପକ୍ଷାଘାତ, ବାତମାରିବା, ରକ୍ତଜମାଟ ବାନ୍ଧିବା ଭଳି ଅନେକ ସମସ୍ୟା ମସ୍ତିଷ୍କରେ ‌ଦେଖା ଦେଇଥାଏ। ଯାହା ଫଳରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥାଏ। ବୟସ୍କଙ୍କ କ୍ଷେତ୍ରରେ ପାର୍କିନସନ୍‌, ଆଲଝେମର ରୋଗ ଅଧିକ ମାତ୍ରାରେ ଦେଖାଦେଉଛି। ରକ୍ତ ଜମାଟ ବାନ୍ଧିବା ସହ ରକ୍ତ କୋଶିକାରେ ସମସ୍ୟା ଦେଖାଯାଇଥାଏ। ଏହା ଫୁସ୍‌ଫୁସ୍‌, ଲିଭର, କିଡନି ଓ ଶରୀରର ମାଂସପେଶୀକୁ ଆକ୍ରାନ୍ତ କରିଥାଏ। ଅନ୍ୟପଟେ କ‌ରୋନା ସଂକ୍ରମଣରେ ଗୁରୁତର ହୋଇ ଅନେକ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ଦେଖାଯାଉଛି ରୋଗୀ ଆଇସିୟୁରୁ ବାହାରିବା ପରେ ସେମାନଙ୍କଠାରେ ଡିପ୍ରେସନ୍‌ ଓ ଆଙ୍ଗଜାଇଟି ଅଧିକ ମାତ୍ରା‌ରେ ଦେଖିବାକୁ ମିଳୁଛି। କିଛି କ୍ଷେତ୍ରରେ ଏହା ଏମିତି ବଢିଯାଉଛି ଯେ, ସେଥିରୁ ଆକ୍ରାନ୍ତ ଜଣକ ମୁକୁଳି ପାରୁନି। ଯେତେ ସତର୍କତା ଅବଲମ୍ବନ କଲେ ସୁଦ୍ଧା ରୋଗୀ ମାନସିକ ଚାପରୁ ମୁକୁଳି ପାରୁନଥିବା ଦେଖାଯାଉଛି।

କୋଭିଡ୍‌-୧୯ ଏକ ନୂତନ ରୋଗ। ତେଣୁ କୁହାଯାଉଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ନିୟମିତ ଡାକ୍ତରଙ୍କ ସହିତ ସଂପର୍କରେ ରହନ୍ତୁ, ନିୟମିତ ରକ୍ତ ପରୀକ୍ଷା କରି ନିଜର ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କେତେ ସୁରକ୍ଷିତ ସେ ସଂପର୍କରେ ଜାଣନ୍ତୁ। ମନେରଖିବା କଥା ଯେ କୋଭିଡ୍‌ରୁ ଲୋକ ଶୀଘ୍ର ଭଲ ହୋଇ ଯାଆନ୍ତି କିନ୍ତୁ ଲଙ୍ଗ୍‌ କୋଭିଡର ଆଶଙ୍କା ଯୋଗୁଁ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି। ଏବେ ବି ବିଭିନ୍ନ ସତର୍କତା ଭିତରେ ରହନ୍ତୁ। ଭିଡକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ। ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ।

ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ

ସମ୍ବନ୍ଧିତ ଖବର