ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଫଙ୍ଗାଲ୍‌ ସଂକ୍ରମଣ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

କରୋନା ପରବର୍ତ୍ତୀ ସମୟରେ ଆପଣଙ୍କ ନାକ ବନ୍ଦ ହୋଇଯାଉଛି କି? କିମ୍ବା ଆଖିକୁ କମ୍ ଦେଖାଯାଉଛି କି? ଏହାକୁ ଆପଣ ମାମୁଲି ବା ହାଲ୍‌କା ଭାବନ୍ତୁ ନାହିଁ। କାରଣ ଏହା ହେଉଛି ବର୍ତ୍ତମାନ ସମୟରେ କରୋନା ପରବର୍ତ୍ତୀ ଏକ ପ୍ରକାର ବିରଳ ଫଙ୍ଗାଲ ସଂକ୍ରମଣ ରୋଗ। ପ୍ରାଥମିକସ୍ତରରେ ଏହାର ଚିକିତ୍ସା କରାନଗଲେ ସଂକ୍ରମଣ ମସ୍ତିଷ୍କକୁ ପହଞ୍ଚିବାର ସମ୍ଭାବନା ଅଛି। ମସ୍ତିଷ୍କ ସଂକ୍ରମଣ ହେବା ପରେ ରୋଗୀ ବଞ୍ଚିବାର ଆଶା ବହୁତ କମ୍‌ ରହୁଛି। ଏହି ଫଙ୍ଗାଲ ବିଭିନ୍ନ ପ୍ରାଣୀ, ଗଛଲତା ଓ ବାୟୁରେ ରହିଥାଏ। ଯାହାକି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିକୁ ଆକ୍ରମଣ କରେ। କାରଣ ସେମାନଙ୍କୁ ଚିକିତ୍ସା ବେଳେ ସାଇଟେକାଇନ ଷ୍ଟର୍ମ ହ୍ରାସ କରିବା ଲାଗି ଅଧିକ ମାତ୍ରାରେ ଷ୍ଟେରଏଡ୍‌ ଦିଆଯାଇଥାଏ ଏବଂ ସେମାନେ ଅନ୍ୟ ରୋଗରେ ପୀଡ଼ିତ ଥାଆନ୍ତି। ଏହା ଏକ ଭୂତାଣୁ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ଏହା ଆକ୍ରମଣ କରେ। ଏହି ଫଙ୍ଗସ ଶରୀରର ଯେଉଁ ଅଂଶକୁ ପ୍ରବେଶ କରନ୍ତି ତାକୁ ନଷ୍ଟ କରିଦିଅନ୍ତି। କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ନିକଟରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି।

କିନ୍ତୁ ବର୍ତ୍ତମାନ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଏକ ପ୍ରକାର ବିରଳ ତଥା ଘାତକ ଫଙ୍ଗାଲ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ଶରୀରରେ ‘ବ୍ଲାକ୍‌ ଫଙ୍ଗସ୍‌’ ବା ‘ମୁକୋରମାଇକୋସିସ୍’ ନାମକ ଏକ ଫଙ୍ଗସ୍‌ ସଂକ୍ରମଣ ଦେଖାଯାଉଛି ଯାହାର ପ୍ରଭାବରେ ଲୋକଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଉଛି। ନାକ ଓ ଅଧହନୁ ହାଡ଼ ହଟାଇବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଏହା ମସ୍ତିଷ୍କକୁ ସଂକ୍ରମିତ କରୁଥିବାର ମଧ୍ୟ ଦେଖାଯାଉଛି। ବ୍ଲାକ୍‌ ଫଙ୍ଗସ ଦ୍ବାରା ମସ୍ତିଷ୍କ ସଂକ୍ରମିତ ହେବାରା ପନ୍ଦର ଦିନ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ଘଟୁଛି। ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଗତ ପନ୍ଦରଦିନ ଭିତରେ ଏଭଳି ତେରଟି ମାମଲା ଆସିଛି। ତାହା ଭିତରୁ ୫୦ ପ୍ରତିଶତଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ପୂର୍ବରୁ ଏକାଧିକ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କ ନିକଟରେ କରୋନା ପରେ ଫଙ୍ଗଲ ସଂକ୍ରମଣ ମାତ୍ରା ଅଧିକ ଦେଖାଯାଉଛି। ଯେଉଁମାନଙ୍କ ଶରୀରରେ ଜୀବାଣୁ ସହ ଲଢ଼ିବାର ଶକ୍ତି କମ୍ ରହିଛି ସେମାନଙ୍କ ପାଇଁ ଫଙ୍ଗାଲ ସଂକ୍ରମଣ ଅଧିକ ବିପଦ ସାବ୍ୟସ୍ତ ହେଉଛି।

କରୋନା ଟିକାର ଗୋଟିଏ ବିଶେଷତ୍ବ ହେଉଛି ଶରୀରରେ ପ୍ରାଥମିକ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିବା। ପରବର୍ତ୍ତୀ ସମୟରେ ଶରୀର କୋଭିଡ-୧୯କୁ ଲଢ଼ିବା ଲାଗି ମେମୋରି ବି କିମ୍ବାଟି ସେଲ ପ୍ରସ୍ତୁତ କରାଯିବାରେ ସହାୟକ ହୋଇପାରିବ। ବହୁ ସଂଖ୍ୟାରେ କୋଭିଡ-୧୯କୁ ଲଢ଼ିବା ଲାଗି ମେମୋରି ବି କିମ୍ବା ଟି ସେଲ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ। ଭୂତାଣୁ ସଂକ୍ରମଣ ପରେ ଶରୀରରେ ଦୁଇ ପ୍ରକାରର ରୋଗ ପ୍ରତିରୋଧ କ୍ଷମତା ବିକଶିତ ହୋଇଥାଏ। କୋଭିଡ-୧୯ ସଂକ୍ରମଣ କିମ୍ବା ଟିକାର ପ୍ରଥମ ଡୋଜ ନେବା ପରେ ଶରୀରରେ ପ୍ରାଥମିକ ରୋଗ ପ୍ରତିରୋଧକ କ୍ଷମତା ଆରମ୍ଭ ହୋଇଥାଏ। ତେବେ ଏହା ପ୍ରସ୍ତୁତ ହେବାଲାଗି ସମୟ ନେଇଥାଏ। ଦ୍ବିତୀୟ ଡୋଜର ଟିକା ନେବା ପରେ ଶରୀରରେ ଦ୍ବିତୀ‌ୟ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥାଏ ଯାହାକି ବେଶ ସୁଦୃଢ଼ ଓ ମେମୋରି ବି ଓ ଟି ସେଲ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଥାଏ। ଶରୀରରେ ଦ୍ରୁତ ବେଗରେ ଆଣ୍ଟିବଡ଼ି ସୃଷ୍ଟି ହେବା ସହିତ ଭୂତାଣୁକୁ ନଷ୍ଟ ଓ କରୋନା ଭୂତାଣୁର ଲକ୍ଷଣକୁ କମାଇବାରେ ସହାୟକ ହୋଇଥାଏ। କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପ୍ରକାରର ଟିକା ପ୍ରସ୍ତୁତ କରାଯାଉଛି। ଏହାସହ ପୂର୍ବରୁ ଯେଉଁସବୁ ଟିକା ଅଛି ତାହା ଫଳପ୍ରଦ ହେବ କି ନାହିଁ ସେ ନେଇ ବି ବୈଜ୍ଞାନିକମାନେ ପରୀକ୍ଷା କରୁଛନ୍ତି। ଏଥିରେ ମୁଖ୍ୟତଃ ଟିବି ରୋଗ ପାଇଁ ଥିବା ଟିକା ‘ବେସିଲ୍‌ କାଲମେଟ ଗୁଏରିନ’(ବିସିଜି) ଟିକା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ବୈଜ୍ଞାନିକମାନେ ସେମାନଙ୍କ ତଥ୍ୟ ପ୍ରମାଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଦେଇଥିବା ବେ‌େଳ ଖୁବ୍‌ ଶୀଘ୍ର ବିସିଜି ଟିକା କରୋନା ପାଇଁ ଫଳପ୍ରଦ ହେବ କି ନାହିଁ ଜଣାପଡ଼ିଯିବ।

ହେପାଟୋଲୋଜି ବିଭାଗ ମୁଖ୍ୟ, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ

ସମ୍ବନ୍ଧିତ ଖବର