କରୋନା ମହାମାରୀ ପରିପ୍ରେକ୍ଷୀରେ ମେଦ ବହୁଳତା ବହୁଳ ଭାବେ ସମଗ୍ର ବିଶ୍ବରେ ବୃଦ୍ଧି ପାଇଛି। ଏହା ମୁଖ୍ୟତଃ ଦୁଇଟି କାରଣରୁ ହେଉଛି। ପ୍ରଥମତଃ ପୃଥୁଳାକାୟ ଲୋକମାନେ କୋଭିଡ ସ˚କ୍ରମଣ ହେଲେ ଗୁରୁତର ହେବା ଓ ଶ୍ବାସ ସହାୟକ ଯନ୍ତ୍ରର ଆବଶ୍ୟକତା ପଡ଼ିବା ଯଥେଷ୍ଟ ଅଧିକ। ଦ୍ବିତୀୟରେ ଲକ୍ଡାଉନ ହେତୁ ଘରୁ ବାହାରକୁ ଯିବାର ସୁଯୋଗ ନମିଳିବା, ଅଧିକ ଶାରୀରିକ କାର୍ଯ୍ୟ ନ କରିବା, ଘରେ ରହୁ ଥିବାରୁ ଅପେକ୍ଷାକୃତ ଖାଦ୍ୟ ଖାଇବାରୁ ଅନେକ ଲୋକଙ୍କର ଓଜନ ବୃଦ୍ଧି ଘଟିଛି। ପ୍ରତ୍ୟେକ ବ୍ୟକ୍ତି ଜାଣିବା ଉଚିତ୍ ଯେ, ଆମ ଶରୀରରେ ମେଦ ବା ଚର୍ବିର ପରିମାଣ କେବଳ ଆମେ ଖାଇବା ଓ ବ୍ୟାୟାମ କରିବା ଉପରେ ନିର୍ଭରଶୀଳ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାର ପରିମାଣ ସାମଗ୍ରିକ ଭାବେ ଆମେ ଦେହରେ ‘ମେଟାବୋଲିଜିମ୍’ର ଏକ ପ୍ରତିଫଳନ।
‘ମେଟାବୋଲିଜିମ୍’ କହିଲେ ଆମ ଅନ୍ତଃସ୍ଥ ଶରୀରର ଉର୍ଜ୍ଜାର ଉପଚୟ ଓ ଅପଚୟର ସମଷ୍ଟିଗତ ପ୍ରକ୍ରିୟା। ସାଧାରଣ ଭାବେ ଦେଖିବାକୁ ଗଲେ ଏହି ଜଟିଳ କ୍ରିୟାଶୀଳତା ଉପରେ ଆମର ପ୍ରଭାବ କେବଳ ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମ କରିବା ମାଧ୍ୟମରେ ହିଁ ହାସଲ କରାଯାଇପାରେ। ଅନେକ ଗୁଡ଼ିଏ କାରକ, ଯେଭଳି ହରମୋନ୍ କ୍ଷରଣର ମାତ୍ରା ତଥା ଜିନ୍ ଦ୍ବାରା ପରିଚାଳିତ ପ୍ରକ୍ରିୟାଗୁଡ଼ିକ ଉପରେ ଆମର ବିଶେଷ କିଛି ନିୟନ୍ତ୍ରଣ ନଥାଏ। ସେଥିପାଇଁ ଦେଖାଯାଇଥାଏ ଯେ, କେତେଜଣ ଯଥେଷ୍ଟ ଅଧିକ ପରିମାଣରେ ଖାଦ୍ୟ ଖାଇବା ସତ୍ତ୍ବେ ମୋଟା ହୋଇନଥାନ୍ତି, କିନ୍ତୁ ଆଉ କେତେଜଣ ଅପେକ୍ଷାକୃତ କମ୍ ଖାଧୢ ଖାଇବା ସତ୍ତ୍ବେ ମଧ୍ୟ ମୋଟା ହୋଇଯାଆନ୍ତି। ବିଭିନ୍ନ ବ୍ୟକ୍ତିଙ୍କର ଶରୀରରେ ମେଦବୃଦ୍ଧି ଜୀବନର ବିଭିନ୍ନ ସମୟରେ ହୋଇଥାଏ। କେତେଜଣଙ୍କର ପିଲାବେଳେ, କାହାର ଯୁବାବସ୍ଥାରେ, କାହାର ପରିଣତ ବୟସରେ ଏଭଳି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ। ସାରା ପୃଥୀବିରେ ମୋଟାପଣ ମାପିବା ପାଇଁ ‘ବିଏମ୍ଆଇ’ ନାମକ ଏକ ମାପଦଣ୍ତ ବ୍ୟବହାର କରାଯାଇଥାଏ। ଏଥିରେ ଆମ ଉଚ୍ଚତାକୁ ମିଟରରେ ମାପି ଏବ˚ ଓଜନକୁ କିଲୋଗ୍ରାମରେ ମାପି ନିର୍ଦ୍ଦିଷ୍ଟ ସୂତ୍ରଦ୍ବାରା ନିର୍ଧାରଣ କରାଯାଇଥାଏ। ପ୍ରତ୍ୟେକ ଲୋକ ନିଜେ ହିଁ ଏହାର ଆକଳନ କରିପାରିବେ। ଏହି ଆକଳନ ୨୫ରୁ କମ୍ ଥିଲେ ଆମେ ସୁସ୍ଥ ଓଜନ ସୀମା ମଧ୍ୟରେ ଅଛୁ ବୋଲି ବିଚାର କରାଯାଇପାରେ। ଏହା ୨୫ ରୁ ୩୦ ମଧ୍ୟରେ ରହିଲେ ତାହା ମେଦବହୁଳତାର ପ୍ରାଥମିକ ଲକ୍ଷଣ। ଏହି ସମୟରେ ହିଁ ଠିକ୍ ଭାବରେ ଖାଦ୍ୟପେୟରେ ସନ୍ତୁଳନ ତଥା ଶାରୀରିକ ପରିଶ୍ରମ ବଢାଇବା ଦ୍ବାରା ସଫଳତାର ସହ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରେ।
କିନ୍ତୁ ଦେଖାଯାଇଥାଏ ଯେ, ସାଧାରଣତଃ ଲୋକମାନେ ଏହି ଆକଳନ ୩୦ରୁ ଅଧିକ ହେବାପରେ ହିଁ ଓଜନ ବୃଦ୍ଧି ବା ମୋଟାପଣ ବିଷୟରେ ସଚେତନ ହୁଅନ୍ତି ବା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି। ଯେଉଁମାନଙ୍କର ଏହି ମାପଦଣ୍ତ ୩୫ରୁ ଅଧିକ, ସେମାନଙ୍କୁ ‘ଅସୁସ୍ଥ ମୋଟାପଣ’ ଭାବରେ ନିର୍ଧାରିତ କରାଯାଇଥାଏ। ଯାହାକି ସ୍ବତନ୍ତ୍ର ରୋଗ ଭାବରେ ବିବେଚନା କରାଯାଇଥାଏ। ଅନେକ ସମୟରେ ଲୋକମାନେ ଡାକ୍ତରଙ୍କୁ ଦେଖାକରି ଏଭଳି ଔଷଧ ଲେଖିବା ପାଇଁ ଅନୁରୋଧ କରନ୍ତି, ଯାହା ଖାଇବା ମାତ୍ରେ ସେମାନଙ୍କର ଓଜନ ହ୍ରାସ ହେବା ଆରମ୍ଭ ହୋଇଯିବ। କିନ୍ତୁ କେବଳ ଓଜନ କମାଇବା ଔଷଧ ଦ୍ବାରା ସାରା ବିଶ୍ବରେ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ ଦ୍ବରା ୧୦ କିଲୋଗ୍ରାମରୁ ଅଧିକ ଓଜନ ହ୍ରାସ କରାଇବା ସମ୍ଭବପର ହୋଇପାରିନାହିଁ। ବହୁତ ନକଲି ଡାକ୍ତରମାନେ ସହରାଞ୍ଚଳରେ ବିଶେଷକରି ମହାନଗର ମାନଙ୍କରେ ସଫଳତାର ସହ ଔଷଧ ଦେଇ ମୋଟାପଣ କମାଉଥିବା ପ୍ରଚାରପତ୍ର ବା କାନ୍ଥବାଡ଼ରେ ଲଗାଇବାର ଦୃଷ୍ଟାନ୍ତ ପରିଲକ୍ଷିତ ହୋଇଥାଏ। ଏହିଭଳି ଅନୈତିକ ପ୍ରଚାର ଦ୍ବାରା ପ୍ରଭାବିତ ହୋଇ ଅନେକସ୍ଥଳେ ଲୋକମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ହତାଶ ହେଉଛନ୍ତି। ମେଦବହୁଳତା ବିଷୟରେ ସଚେତନତାର ଅଭାବ, ଅନେକ ଭୁଲ୍ ତଥ୍ୟର ବହୁଳ ପ୍ରସାର ହିଁ ସମଗ୍ର ବିଶ୍ବରେ ଏହାର ସ˚ଖ୍ୟାକୁ ବିଗତ ୫୦ ବର୍ଷରେ ତିନିଗୁଣ ବୃଦ୍ଧି କରିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପ୍ରକାଶ କରିଛି। ଏହା ଏକ ବିଚିତ୍ର ପରିସ୍ଥିତି ଯେ, ସବୁ ଦେଶରେ ସହରାଞ୍ଚଳରେ ଅପେକ୍ଷାକୃତ ଅଧିକ ସଚେତନ ନାଗରିକ ବସବାସ କରନ୍ତି। କିନ୍ତୁ ସେଠାରେ ମେଦବହୁଳତାର ମାତ୍ରା ଯଥେଷ୍ଟ ଅଧିକ।
ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଯଦିଓ ୧୯୯୦ ମସିହା ପୂର୍ବରୁ ଏହା ମୁଖ୍ୟତଃ ବିକଶିତ ଦେଶମାନଙ୍କର ସମସ୍ୟା ବୋଲି ବିବେଚିତ ହେଉଥିଲା, କିନ୍ତୁ ବିଗତ ୩୦ ବର୍ଷ ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଦେଶମାନଙ୍କରେ ମଧ୍ୟ ଏହା କ୍ଷିପ୍ର ଗତିରେ ବଢିଚାଲିଛି। ଏହି ବୃଦ୍ଧି ମହିଳାମାନଙ୍କର ମଧ୍ୟରେ ପୁରୁଷମାନଙ୍କ ଅପେକ୍ଷା ଅଧିକ ପରିଲକ୍ଷିତ ହେଉଛି। ଅଧିକ ମିଠା ଓ ତେଲଯୁକ୍ତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀର ବିଭିନ୍ନ ଗଣମାଧ୍ୟମରେ ବହୁଳ ପ୍ରଚାର ଏହାର ଗୋଟିଏ ସମ୍ଭାବ୍ୟ କାରଣ ହୋଇପାରେ। ବିଭିନ୍ନ ପ୍ରକାର ଯାନବାହାନ ମାଧ୍ୟମରେ ଚଳପ୍ରଚଳ ହେବାଦ୍ବାରା ଶାରୀରିକ ପରିଶ୍ରମ ସାରା ପୃଥିବୀରେ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ତଥାକଥିତ ଅତ୍ୟାଧୁନିକ ଓ ଲୋକଦେଖାଣିଆ ଜୀବନଶୈଳୀର ଅନ୍ଧ ଅନୁକରଣ କରିବାଦ୍ବାରା ଲୋକମାନେ ଘରେ ଓ ବାହାରେ କୌଣସି ଶାରୀରିକ ପରିଶ୍ରମ କରିବାକୁ ନିଜ ସାମାଜିକ ପ୍ରତିଷ୍ଠାର ପରିପନ୍ଥୀ ବୋଲି ଭାବୁଛନ୍ତି। ଯଦିଓ ଏଭଳି ଚିନ୍ତାଧାରା ଆମ ଦେଶର ଅନେକା˚ଶରେ ଦେଖିବାକୁ ମିଳିଥାଏ, ଆମେରିକା ଏବ˚ ୟୁରୋପରେ ଏହା ଏତେ ପରିମାଣରେ ପ୍ରଚଳିତ ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେ, ଆମେରିକାରେ ୨୦୧୬ରେ ହୋଇଥିବା ଏକ ପରିସ˚ଖ୍ୟନ ଅନୁସାରେ ଗ୍ରାଜୁଏଟ୍ ବା ତଦୁର୍ଦ୍ଧ ଶିକ୍ଷାଲାଭ କରିଥିବା ଲୋକମାନଙ୍କ ମଧ୍ୟରେ ମେଦବହୁଳତା ପରିମାଣ ଅପେକ୍ଷାକୃତ କମ୍ ଶିକ୍ଷାଲାଭ କରିଥିବା ଲୋକମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଶିକ୍ଷାଗତ ଯୋଗ୍ୟତା ଓ ସଚେତନତା ଏହି ସର୍ବବ୍ୟାପୀ ସ୍ବାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଅନେକା˚ଶରେ ବିଫଳ ହୋଇଛି ବୋଲି ମାନିବାକୁ ପଡ଼ିବ। ଆଗାମୀ ସ˚ଖ୍ୟାରେ ଏଥିଯୋଗୁଁ ଉପୁଜିଥିବା ବିଭିନ୍ନ ରୋଗ ଓ ଏହାର ଉପଚାର ବିଷୟରେ ଆଲୋଚନା କରିବା।
ସହକାରୀ ପ୍ରାଧ୍ୟାପକ, ହୃଦ୍ରୋଗ ବିଭାଗ,
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dr.-dipak-ranjan-das.jpg)