ଆଜିର ଦିନରେ ଆମେ ଘରେ ଘରେ ମଧୁମେହ ରୋଗୀଙ୍କୁ ପାଉଛୁ। ଭାରତକୁ ଡାଇବେଟିକ୍ର କ୍ୟାପିଟାଲ୍ ବୋଲି କୁହାଯାଉଛି। ଆମର ଆଜିର ଜୀବନଶୈଳୀ ସେଥିପାଇଁ ଅନେକାଂଶରେ ଦାୟୀ। ଆଡଭାନ୍ସ ମେଡିକାଲ ଚିକିତ୍ସା ଦ୍ବାରା ଡାଇବେଟିକ୍ ରୋଗୀ ବହୁତ ଦିନ ଧରି ସୁସ୍ଥ ଜୀବନଯାପନ କରିପାରୁଛନ୍ତି। ମଧୁମେହ ଯୋଗୁଁ କେବଳ ଯେ ରକ୍ତଶର୍କରା ବଢ଼େ, ତା’ ନୁହେଁ, ଏହାଦ୍ବାରା କିଡ୍ନି, ହାର୍ଟ, ରକ୍ତ ଶିରାପ୍ରଶିରା, ସ୍ନାୟୁ, ଚକ୍ଷୁ ଇତ୍ୟାଦି ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ। ଏଥିମଧ୍ୟରୁ ଚକ୍ଷୁକୁ ପ୍ରଭାବିତ କରିବାଟା ବେଶି ସାଂଘାତିକ। ଏଥିରେ ଦୃଷ୍ଟିଶକ୍ତି ହରେଇବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ। ମଧୁମେହ ରୋଗ ଫଳରେ ବାରମ୍ବାର ଆଖିରେ ଆଲୁଅ ଉଠିବା, ମୋତିଆବିନ୍ଦୁ ଶୀଘ୍ର ଆରମ୍ଭ ହେବା, ଶୀଘ୍ର ପାକଳ ହେବା, କଳାମୋତିଆ ଧରିବା, ରେଟିନୋପାଥି ହେବା ଇତ୍ୟାଦି ଅନେକାଂଶରେ ଦେଖାଦେଇଥାଏ। ସେଥିମଧ୍ୟରୁ ଡାଇବେଟିକ୍ ରେଟିନୋପାଥି ସବୁଠାରୁ ସାଂଘାତିକ। ବେଶୀ ବର୍ଷ ମଧୁମେହ ରୋଗ ଦେହରେ ରହିଲେ, ରକ୍ତଚାପ ଅଧିକ ରୁହେ। ଲିପିଡ୍ ପ୍ରୋଫାଇଲ୍ରେ ମଧ୍ୟ ଠିକ୍ ରହେନି। ଯା’ଫଳରେ ରେଟିନୋପାଥି ଶୀଘ୍ର ଆରମ୍ଭ ହୁଏ ଓ ସାଂଘାତିକ ରୂପ ନେଇଥାଏ। ଏହା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ। ଏଥିରେ ରୋଗୀକୁ କିଛି ପୂର୍ବ ଲକ୍ଷଣ ଜଣାପଡ଼ି ନଥାଏ। ହଠାତ୍ ରକ୍ତଶିରା ଫାଟି ଚକ୍ଷୁଡୋଳା ଭିତରେ ରକ୍ତକ୍ଷରଣ ହୋଇ ଦୃଷ୍ଟିଶକ୍ତି ଚାଲି ଯାଇଥାଏ। ଯେଉଁଥିପାଇଁ ରୋଗୀ ଭାବିଥାଏ, କାଲିଯାଏ ତା’ର ଆଖି ସବୁ ଠିକ୍ଠାକ୍ ଥିଲା ଓ ଆଜି ହଠାତ୍ ଆଖିଟି ନଷ୍ଟ ହେଇଗଲା।
କିନ୍ତୁ ଯଦି ଆମେ ପ୍ରତ୍ୟେକ ମଧୁମେହ ରୋଗୀଙ୍କ ରେଟିନା ନିୟମିତ ବ୍ୟବଧାନରେ(ପ୍ରତିବର୍ଷ) ପରୀକ୍ଷା କରିବା, ତେବେ ଏହି ରେଟିନୋପାଥି ରୋଗକୁ ବହୁତ ଆରମ୍ଭରୁ ଚିହ୍ନିପାରିବା। ସାମାନ୍ୟା ଚିକିତ୍ସା, ଯଥା ଆଞ୍ଜିଓଗ୍ରାମ, ଇନ୍ଟ୍ରାଭାରିଟାଲ୍ ଇନ୍ଜେଟିୟମ୍, ଲେଜର୍ ଥେରାପି (ଲେଜର୍ ରଶ୍ମୀ ଚିକିସିା) ଦ୍ବାରା ଦୃଷ୍ଟିଶକ୍ତିକୁ ସବୁଦିନ ପାଇଁ ବଞ୍ଚେଇ ରଖିପାରିବା। ଏସବୁ ସରକାରୀ ମେଡ଼ିକାଲ କଲେଜ୍ ଚିକିତ୍ସାଳୟରେ ସୁବିଧାରେ ଉପଲବ୍ଧ। ତେଣୁ ଠିକ୍ ସମୟରେ କେବଳ ରେଟିନା ପରୀକ୍ଷା କରେଇ ପାରିଲେ ବିନା ଖର୍ଚ୍ଚରେ ବି ଆମେ ଆମ ଦୃଷ୍ଟିଶକ୍ତିକୁ ସାରା ଜୀବନ ରକ୍ଷା କରିପାରିବା। ହେଲେ, ଯଦି ବିଳମ୍ବ ହୋଇଯାଏ, ରକ୍ତକ୍ଷରଣ ହୁଏ ଅଥବା ରେଟିନା ଛିଣ୍ଡିଯାଏ, ତେବେ ରେଟିନାକୁ ସଜାଡ଼ି ରଖିବା ପାଇଁ ବହୁ ଜଟିଳ ଅପରେସନ୍ କରିବାକୁ ପଡ଼ିଥାଏ। ଏହାର ଚିକିତ୍ସା ସରକାରୀ ମେଡିକାଲ କଲେଜଗୁଡିକରେ ମଧ୍ୟ ଉପଲବ୍ଧ। କିନ୍ତୁ ଏହି ଜଟିଳ ଅସ୍ତ୍ରୋପଚାର ପରେ ମଧ୍ୟ ରୋଗୀଟି ପୂର୍ବବତ୍ ଦୃଷ୍ଟି ଶକ୍ତି ଫେରି ପାଇ ନ ଥାଏ। ବେଳେବେଳେ ଏତେ ବିଳମ୍ବ ହେଇଯାଇଥାଏ ଯେ ରେଟିନା ଅସ୍ତ୍ରୋପଚାର କରି ମଧ୍ୟ ଠିକ୍ କରାଯାଇ ପାରି ନଥାଏ। ତେଣୁ ମୋର ସବୁ ମଧୁମେହ ରୋଗୀମାନଙ୍କୁ ବିଶେଷ ଅନୁରୋଧ ଯେ, କିଛି ଅସୁବିଧା ନଥିଲେ ମଧ୍ୟ, ସେମାନେ ପ୍ରତ୍ୟେକ ବର୍ଷ ନିକଟସ୍ଥ ଚକ୍ଷୁ ଡାକ୍ତରଙ୍କ ପାଖରେ ରେଟିନା ପରୀକ୍ଷା କରାଇ ତା’ର ରିପୋର୍ଟକୁ ସମ୍ଭାଳି ରଖିବେ ଓ ଅକାଳରେ ଜାଣିଶୁଣି ନିଜର ଦୃଷ୍ଟିଶକ୍ତି ହରାଇବେ ନାହିଁ।
ଚକ୍ଷୁରୋଗ ବିଭାଗ ମୁଖ୍ୟ,
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ