ସ୍ୱାସ୍ଥ୍ୟ ସମ୍ବାଦ : କେ‌ତେ ଘାତକ କୋଭିଡର ନୂଆ ଷ୍ଟ୍ରେନ୍

ଡାକ୍ତର ସମ୍ପତ ଦାସ

ସବୁପ୍ରକାର ଭୂତାଣୁ ସମୟ ଅନୁସାରେ ନିଜର ରୂପ ବଦଳାଇଥାନ୍ତି। ଏହାଦ୍ବାରା କିଛି ଭୂତାଣୁ ଦୁର୍ବଳ ଓ କିଛି ସବଳ ହୋଇଥାନ୍ତି। କୋଭିଡ଼୍‌ ପ୍ରଥମେ ଯେତେବେଳେ ଉହାନ୍‌ ସିଟିରେ ଆରମ୍ଭ ହୋଇଥିଲା, ଏହା ୟୁରୋପରେ ପହଞ୍ଚିଲାବେଳକୁ ନିଜର ରୂପ ପରିବର୍ତ୍ତନ କରିସାରିଥିଲା। ପ୍ରତ୍ୟେକ ଜୀବାଣୁ ଯେତେବେଳେ ନିଜ ସଂଖ୍ୟା‌ ବଢାଇଥାନ୍ତି ଏହାର ଗୁଣ ଓ ଗଠନ ଶୈଳୀରେ କିଛି ପରିମାଣରେ ପରିବର୍ତ୍ତନ ହୋଇଥାଏ। ସେହିପରି କୋଭିଡ୍‌ ଯେତେବେଳେ ନିଜର ସଂଖ୍ୟା ବଢାଇଥାଏ ଏହା ବି ନିଜ ଦେହରେ ପରିବର୍ତ୍ତନ ଆଣେ। ପରିବର୍ତ୍ତନ ଅନୁସାରେ କୋଭିଡ୍‌ର ବାହାର ପ୍ରୋଟିନ୍‌ ଅଂଶ ଯାହାକୁ ସ୍ପାଇଟ୍‌ ବୋଲି କୁହାଯାଏ, ତାହାର ପରିବର୍ତ୍ତନ ଘଟିଥାଏ। ଏହା ମଣିଷର କୋଷିକା ଦେହରେ ସଂକ୍ରମିତ ହେବାରେ ସାହାଯ୍ୟ କରେ। ଯେଉଁ ରୋଗୀଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌, ସେହି କ୍ଷେତ୍ରରେ ଭାଇରସ୍‌ଟି ରୋଗୀ ଦେହରେ ଅଧିକ ଦିନ ଧରି ରହିଥାଏ। ତା’ସହିତ ନିଜର ଷ୍ଟ୍ରେନ୍‌କୁ ପରିବର୍ତ୍ତନ ମଧ୍ୟ କରିଥାଏ। ମଧୁମେହ, ଉଚ୍ଚରକ୍ତଚାପ, କିଡ୍‌ନି ରୋଗୀଙ୍କ ପାଇଁ ନୂଆ ଷ୍ଟ୍ରେନ୍‌ ଅଧିକ ବିପଦ। ପରିବର୍ତ୍ତନ ଷ୍ଟ୍ରେନ୍‌ ସିଧାସଳଖ ମୃତ୍ୟୁର ସମ୍ଭାବନା ନ ବଢାଇଥଲେ ବି ଯେହେତୁ ଅଧିକ ମାତ୍ରାରେ, ଅଧିକ ବ୍ୟକ୍ତିଙ୍କୁ ଏହା ସଂକ୍ରମିତ କରିଥାଏ, ତେଣୁ ରୋଗୀଙ୍କ ସଂଖ୍ୟା ବଢିଥାଏ ଓ ରୋଗୀ ମଧ୍ୟ ଅଧିକ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।

ଆଜି ପର୍ଯ୍ୟନ୍ତ ଯେତିକି ଟିକା ବାହାରିଛି ଏହା ସବୁ ଷ୍ଟ୍ରେନ୍‌ ପ୍ରତି ସମାନ ମାତ୍ରାରେ ସଫଳତା ଦେଇପାରିନି। ତେଣୁ ଆଗାମୀ ଦିନରେ ଟିକା ଆମକୁ ବହୁତ ପରିମାଣରେ ଏହି ରୋଗରୁ ବଂଚାଇପାରିବ। କିନ୍ତୁ କିଛି ପ୍ରକାର ନୂଆ ଷ୍ଟ୍ରେନ୍‌ ହୁଏତ ଏହି ଟିକାଠାରୁ ବି ଅଧିକ ଶକ୍ତିଶାଳୀ ହୋଇପାରେ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ପୂରା ଟିକା ସବୁ ଲୋକଙ୍କୁ ନମିଳିଛି ସେ ପର୍ଯ୍ୟନ୍ତ କୋଭିଡ୍‌ର ସଂକ୍ରମଣ ରୋକିବା ପାଇଁ ଯେଉଁସବୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି ତାକୁ ମାନି ଚଳିବାକୁ ପଡିବ।

କୋଭିଡ୍‌ ଯୁଦ୍ଧ ବର୍ତ୍ତମାନ ଦୁଇଟି ସ୍ତରରେ ଚାଲିଛି। ଗୋଟିଏପଟେ ଭାଇରସ୍ ତାର ରୂପ ବଦଳାଉଛି ଅନ୍ୟପଟେ ଆମେ ଟିକା ପ୍ରସ୍ତୁତିରେ ବ୍ୟସ୍ତ। ଏଥିପାଇଁ ସମସ୍ତଙ୍କ ସହଯୋଗ ଦ୍ବାରା ହିଁ କୋଭିଡ୍‌ ସଂକ୍ରମଣକୁ ବିଶ୍ବରୁ ଦୂରେଇ ହେବ, ନଚେତ୍‌ ଏହା ଆଗକୁ ଅଧିକ ଅଧିକ ନୂଆ ନୂଆ ଷ୍ଟ୍ରେନ୍‌ରେ ଆସି ଧନଜୀବନ ହାନି କରିବ।

ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ

ସମ୍ବନ୍ଧିତ ଖବର