ସ୍ୱାସ୍ଥ୍ୟ ସମ୍ବାଦ : ମେଦବହୁଳତାର ପାର୍ଶ୍ବପ୍ରତିକ୍ରିୟା

ଡାକ୍ତର ଦୀପକ ର˚ଜନ ଦାସ

ମୋଟାପଣ ଯୋଗୁଁ ବିଭିନ୍ନ ଶାରୀରିକ ସମସ୍ୟା ସହିତ ମାନସିକ ସ୍ବାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ବିଶ୍ବ ମାନସିକ ସ୍ବାସ୍ଥ୍ୟ ପରିସ˚ଖ୍ୟାନ ଅନୁଯାୟୀ ଶାରୀରିକ ସ୍ଥୁଳତା ବୃଦ୍ଧି ସହିତ ମାନସିକ ଅବସାଦ ଓ ଉତ୍କଣ୍ଠା ଜନିତ ରୋଗର ପରିମାଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଥାଏ। ଏହି ସମସ୍ୟା କିଶୋର ଓ ଯୁବ ବର୍ଗରେ ଅପେକ୍ଷାକୃତ ଅଧିକ ପରିମାଣରେ ପରିଲକ୍ଷିତ ହେବା ପ୍ରମାଣିତ ହୋଇସାରିଛି। ଏହାମଧ୍ୟ ଚିନ୍ତାର ବିଷୟ ଯେ, ଅନେକ କ୍ଷେତ୍ରରେ ଠିକ ବିଚାର ନକରି କେବଳ ମାନସିକ ସମସ୍ୟା ପାଇଁ ଏହି ଯୁବାବର୍ଗର ରୋଗୀମାନଙ୍କୁ ଯେଉଁ ଔଷଧ ଦିଆଯାଇଥାଏ, ସେସବୁ ଔଷଧର ପାର୍ଶ୍ବ ପ୍ରତିକ୍ରିୟାରେ ଓଜନ ଆହୁରି ବୃଦ୍ଧି ପାଇଥାଏ।

ମେଦବହୁଳତାର ପରିଣାମ ସ୍ବରୂପ ସମଗ୍ର ବିଶ୍ବରେ କ୍ରମାଗତଭାବେ ବୃଦ୍ଧି ପାଇଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟା ହେଉଛି ମଧୁମେହ ରୋଗ ଓ ଉଚ୍ଚ ରକ୍ତଚାପ। ଆମ ଶରୀରର ସାମଗ୍ରିକ ରୋଗ ପ୍ରତିରୋଧକ ଶକ୍ତିରେ ଚର୍ବି କୋଷିକାରୁ କ୍ଷରିତ ହେଉଥିବା ‘ଲେପ୍‌ଟିନ୍‌’, ‘ଆଡିପୋନେକ୍‌ଟିନ୍‌’ ଆଦି ରାସାୟନିକ ପଦାର୍ଥମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଚର୍ବି କୋଷିକା ଗୁଡ଼ିକ ଧଳା ବା ମାଟିଆ ରଙ୍ଗର ହୋଇପାରନ୍ତି। ମାଟିଆ ରଙ୍ଗର ଚର୍ବିକୋଷିକାଗୁଡ଼ିକ ଆମ ଶରୀର ପାଇଁ ଖୁବ୍‌ ଉପାଦେୟ। ଏଗୁଡ଼ିକ ଶିଶୁମାନଙ୍କ କ୍ଷେତ୍ରରେ ଯଥେଷ୍ଟ ଅଧିକ ପରିମାଣରେ ଥାଏ। ବୟସ ବଢିବା ସହିତ ଏମାନଙ୍କର ପରିମାଣ କ୍ରମଶଃ ହ୍ରାସ ପାଇଥାଏ। ଆମର ଖାଦ୍ୟପେୟ ଓ ଶାରୀରିକ ପରିଶ୍ରମ ମଧ୍ୟରେ ସନ୍ତୁଳନର ଅଭାବରୁ ଧଳା ଚର୍ବି କୋଷିକାଗୁଡ଼ିକ କ୍ରମେ ବୃଦ୍ଧି ପାଇଯାଆନ୍ତି। ଆମର ଅଣ୍ଟା ଚାରିପଟେ ତଥା ପେଟର ନିମ୍ନ ଅ˚ଶ ବୃଦ୍ଧି ପାଉଥିବା ଚର୍ବି କୋଷିକା ଗୁଡ଼ିକ ଶରୀରର ଅନ୍ତଃସ୍ଥ ଉର୍ଜାର ସନ୍ତୁଳିତ ଉପଚୟ ଏବ˚ ଅପଚୟରେ ବ୍ୟାଘାତ ସୃଷ୍ଟି କରନ୍ତି। ସେମାନେ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପ ଭଳି ସମସ୍ୟାକୁ ଅଧିକ କ୍ଷତିକାରକ କରିଥାନ୍ତି।

ବି˚ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଧନୀ ଦେଶଗୁଡ଼ିକରେ ମୁଖ୍ୟତଃ ଆମେରିକା ଓ ୟୁରୋପରେ ମେଦବହୁଳତା ଆଶାତୀତ ଭାବେ ବୃଦ୍ଧି ପାଇଲା। ସେହି ସମୟରେ ମଧ୍ୟ ତତ୍‌ ସ˚ଲଗ୍ନ ଜୀବନଶୈଳୀ ଜନିତ ରୋଗଗୁଡ଼ିକର ବୃଦ୍ଧି ପରିଲକ୍ଷିତ ହେଲା। ପରବର୍ତ୍ତୀ ସମୟରେ ଅନେକ ବୈଜ୍ଞାନିକ ଗବେଷଣା ଜନିତ ତଥ୍ୟ ଓ ସକ୍ରିୟ ଜନ ସଚେତନତା ଅଭିଯାନ ଦ୍ବାରା ବିଗତ ଦୁଇ ଦଶନ୍ଧିରେ ଏହି ବିକଶିତ ରାଷ୍ଟ୍ରମାନଙ୍କରେ ମେଦବହୁଳତା ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଆମ ଦେଶରେ ଏପର୍ଯ୍ୟନ୍ତ ମୋଟାପଣ ସହିତ ଜଡ଼ିତ ଶାରୀରିକ ସମସ୍ୟା ଗୁଡ଼ିକ ବିଷୟରେ ସଚେତନତାର ଅଭାବ ଅନେକ କ୍ଷେତ୍ରରେ ପ୍ରକଟିତ ହେଉଛି। ସ୍ତ୍ରୀ ଲୋକମାନଙ୍କର ରଜୋନିବୃତ୍ତି ପରେ ଶରୀରରେ ଚର୍ବିର ମାତ୍ରା ବୃଦ୍ଧି ପାଇବା ଏକ ପ୍ରକୃତିଦତ୍ତ ସମସ୍ୟା। ଏ ସମ୍ବନ୍ଧରେ ସମସ୍ତେ ସଚେତନ ହେଲେ ସେମାନେ ଖାଦ୍ୟ ଓ କାର୍ଯ୍ୟ ମଧ୍ୟରେ ଆବେଶ୍ୟକ ସମନ୍ବୟ ହାସଲ କରିବା ଦିଗରେ ଅଧିକ ଯତ୍ନଶୀଳ ହୋଇପାରିବେ। ନଚେତ୍‌ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଯୋଗୁଁ ଦୈନନ୍ଦିନ ଜୀବନରେ ସାଧାରଣ ଘରକାମ କରିବା ବି ଯନ୍ତ୍ରଣାର କାରଣ ହୋଇପାରେ।

ଆମ ଶରୀରର ଦୁଇ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୃଦ୍‌ଯନ୍ତ୍ର ଓ ମସ୍ତିଷ୍କ ଉପରେ ମୋଟାପଣର କୁପ୍ରଭାବ ମଧ୍ୟ ଚିନ୍ତାଜନକ ବୋଲି ବୈଜ୍ଞାନିକ ତଥ୍ୟରୁ ପ୍ରମାଣିତ ହୋଇଛି। ହୃଦ୍‌ଘାତ ବା ହାର୍ଟ ଆଟାକ ଏବ˚ ମସ୍ତିଷ୍କାଘାତ ବା ବ୍ରେନ୍‌ ଷ୍ଟ୍ରୋକ୍‌ ମେଦବହୁଳ ଲୋକଙ୍କ କ୍ଷେତ୍ରରେ ଅଧିକ ସ˚ଖ୍ୟାରେ ଘଟିଥାଏ। ତେବେ ଏଭଳି ଭୟାବହ ରୋଗ ବ୍ୟତୀତ ଆହୁରି ଅନେକ ଅପେକ୍ଷାକୃତ କମ୍‌ ଭୟଙ୍କର ରୋଗ ମଧ୍ୟ ମୋଟାପଣ ସହିତ ବେଶି ପରିମାଣରେ ପରିଲକ୍ଷିତ ହୋଇଥାଏ। ତା ଭିତରେ ପିତ୍ତକୋଷରେ ପଥର ହେବା କିମ୍ବା ପ୍ରତିରୋଧୀ ଶ୍ବାସ ସମସ୍ୟା ମଧ୍ୟ ଦିନକୁ ଦିନ ଅଧିକ ସ˚ଖ୍ୟାରେ ଦେଖା ଗଲାଣି। ଯୁକ୍ତରାଷ୍ଟ୍ର ଆମେରିକାରେ ସରକାରଙ୍କ ଦ୍ବାରା କରାଯାଇଥିବା ସର୍ବେକ୍ଷଣରୁ ସାବ୍ୟସ୍ତ ହୋଇଛି ଯେ, ମେଦବହୁଳତାର ସାମଗ୍ରିକ କୁପ୍ରଭାବ ଜାତୀୟ ଅର୍ଥନୀତି ଉପରେ ମଧ୍ୟ ପଡ଼ିଥାଏ। ପୃଥିବୀର ବିଭିନ୍ନ ବିକଶିତ ରାଷ୍ଟ୍ରମାନଙ୍କର ବିଗତ ତିନି ଦଶନ୍ଧିର ଅଭିଜ୍ଞତାରୁ ଆମେ ଏହି ଶିକ୍ଷାଲାଭ କରିବା ଉଚିତ୍‌ ଯେ, ବ୍ୟକ୍ତିଗତ ସ୍ତରରେ ମେଦବହୁଳତା ଚିକିତ୍ସା ସୁବିଧା ଉପଲବ୍‌ଧ କରିବା ମାଧ୍ୟମରେ ଏହି କ୍ରମବର୍ଦ୍ଧିଷ୍ଣୁ ସମସ୍ୟାର ସଫଳ ମୁକାବିଲା କରିବା ଅସମ୍ଭବ। ଆମ ଦେଶରେ ବିଗତ କେତେ ବର୍ଷର ଅହେତୁକ ଭାବେ ବୃଦ୍ଧି ପାଉଥିବା ମେଦବହୁଳତା ସମସ୍ୟାର ଗତିରୋଧ କରିବା ପାଇଁ ସ୍କୁଲ୍‌ କଲେଜର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କଲୋକଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମରେ ଏକ କ୍ରିୟାଶୀଳ ସଚେତନତା ଅଭିଯାନ ହିଁ ଏକମାତ୍ର ଅମୋଘ ଅସ୍ତ୍ର।

ଆସିଷ୍ଟାଣ୍ଟ୍ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର