ସ୍ୱାସ୍ଥ୍ୟ ସମ୍ବାଦ : ଭୟର ରୋଗ ଫୋବିଆ

ଡାକ୍ତର ସତ୍ୟକାମ ମହାପାତ୍ର

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ହସ, ଖୁସି, ଦୁଃଖ ଓ କ୍ରୋଧ ଭଳି ଭୟ ମଧ୍ୟ ଏକ ସ୍ବାଭାବିକ ମାନସିକ ପ୍ରତିକ୍ରିୟା। କେତେକ ବସ୍ତୁ, ସ୍ଥାନ ଓ ପରିସ୍ଥିତି ପ୍ରତି କେବେ ନା କେବେ ଭୟ ଲାଗିବା ଏକ ସାଧାରଣ କଥା। ମାତ୍ର କିଛି ବ୍ୟକ୍ତିଙ୍କଠାରେ କେତେକ ନିର୍ଦ୍ଦିଷ୍ଟ ବସ୍ତୁ, ସ୍ଥାନ ଓ ପରିସ୍ଥିତି ପ୍ରତି ଅସ୍ବାଭାବିକ ଭାବରେ ଭୟ ଦେଖାଯାଇଥାଏ। ଯାହାଫଳରେ ସେମାନେ ଏସବୁ ବସ୍ତୁ, ସ୍ଥାନ ଓ ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି। ଏହି ପ୍ରକାରର ଅସ୍ବାଭାବିକ ଭୟକୁ ଫୋବିଆ ରୋଗ ବୋଲି କୁହାଯାଏ। ଫୋବିଆ ରୋଗ ବିଭିନ୍ନ ପ୍ରକାରର ଅଛି।

ଆଗୋରାଫୋବିଆ:-
ଏଥିରେ ବ୍ୟକ୍ତିଙ୍କଠାରେ କିଛି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରତି ଅହେତୁକ ଭୟ ଦେଖା ଯାଇଥାଏ। ଏହି ସ୍ଥାନଗୁଡିକ ହେଲା କୌଣସି ଖୋଲା ସ୍ଥାନ(ପାର୍କ, ପଡିଆ), ରୁଦ୍ଧ ସ୍ଥାନ(ଲିଫ୍ଟ, ସିନେମା ହଲ), ଭିଡ଼ ଜାଗା, ସପିଙ୍ଗ ମଲ, ଉଚ୍ଚ ସ୍ଥାନ, ବସ ଓ ଟ୍ରେନ ଆଦି।

ସ୍ପେସିଫିକ ଫୋବିଆ:-
ଏହି ରୋଗରେ ନିର୍ଦ୍ଦଷ୍ଟ ବସ୍ତୁ, ଜୀବଜନ୍ତୁ ଓ ପରିସ୍ଥିତି ପ୍ରତି ମାତ୍ରାଧିକ ଭୟ ଦେଖାଦେଇଥାଏ। ଯେମିତିକି କେତେକ ଜୀବଜନ୍ତୁ, ସରୀସୃପ, ପୋକ, କେତେକ ପ୍ରାକୃତିକ ପରିସ୍ଥିତି (ବିଜୁଳି, ଘଡ଼ଘଡ଼ି, ପବନ, ନିଆଁ, ସମୁଦ୍ର),ରକ୍ତ, ଇଂଜେକସନ, କ୍ଷତ ଆଦି।

ସୋସିଆଲ ଫୋବିଆ:-
ଅନେକ ଲୋକ ଅଛନ୍ତି ଯେଉଁମାନଙ୍କଠାରେ କୌଣସି ଜନସମାଗମ ସ୍ଥାନରେ ଭାଷଣ ଦେବା, କଥା ହେବା, କୌଣସି କାର୍ଯ୍ୟକ୍ରମରେ ଭାଗନେବାକୁ ଅତ୍ୟନ୍ତ ଭୟ ଲାଗିଥାଏ। ଏସବୁ ପରିସ୍ଥିତିକୁ ସେମାନେ ସବୁବେଳେ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଏହି ରୋଗ ବହୁଳ ଭାବରେ ଦେଖାଯାଉଛି। ମାତ୍ର ଲୋକମାନଙ୍କ ମଧ୍ୟରେ ଏହାର ଲକ୍ଷଣ ସଂପର୍କରେ ସଚେତନତାର ଅଭାବ ଯୋଗୁଁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିହ୍ନଟ ଓ ଚିକିତ୍ସା ହୋଇ ପାରୁ ନାହିଁ। ଏହି ରୋଗ ସାଧାରଣତଃ ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଫୋବିଆ ଅଧିକ ଦେଖାଯାଇଥାଏ। ବେଳେବେଳେ ଛୋଟ ପିଲାମାନଙ୍କଠାରେ ମଧ୍ୟ ଫୋବିଆ ରୋଗ ଦେଖା ଦେଇଥାଏ।

କାରଣ:-
ଫୋବିଆ ରୋଗରେ ମସ୍ତିଷ୍କରେ ସେରୋଟୋନିନ, ନରଏପିନେଫ୍ରିନ ଓ ଗାବା ନାମକ ନିଉରୋଟ୍ରାନ୍ସମିଟର(ରାସାୟନିକ ପଦାର୍ଥ)ଗୁଡିକର ମାତ୍ରାରେ ଅସନ୍ତୁଳନ ଦେଖାଯାଇଥାଏ। ଅନେକ ଲୋକଙ୍କ କ୍ଷେତ୍ରରେ ଏହା ବଂଶାନୁଗତିକ ହୋଇଥାଏ। କିଛି ଲୋକଙ୍କଠାରେ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ମିଳି ନ ଥାଏ।

ଲକ୍ଷଣ:-
ଫୋବିଆ ରୋଗରେ ଭୟ ଏତେ ଅଧିକ ଥାଏ ଯେ ବ୍ୟକ୍ତି ଉପରୋକ୍ତ ବସ୍ତୁ, ସ୍ଥାନ ଓ ପରିସ୍ଥିତିଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରେ। ସେ ନିଜର ଏହି ଭୟକୁ ନିୟନ୍ତ୍ରଣ କରି ପାରେ ନାହିଁ। ଏସବୁ ବସ୍ତୁ, ସ୍ଥାନ ଓ ପରିସ୍ଥିତିର ସମ୍ମୁଖୀନ ହେଲେ ବ୍ୟକ୍ତି ଛାନିଆ, ବ୍ୟସ୍ତ ଓ ବିଚଳିତ ହୋଇଯାଏ। ଛାତିରେ ଯନ୍ତ୍ରଣା ହୁଏ, ଦେହ-ହାତ ଝିମ୍‌ଝିମ୍‌ ହୋଇଯାଏ, ପାଟି ଶୁଖିଯାଏ, ଛାତି ଅତି ଜୋରରେ ଧଡ଼ଧଡ଼ ହୁଏ, ନିଃଶ୍ବାସ ପ୍ରଶ୍ବ‌ାସ ନେବାରେ ଅସୁବିଧା ହୁଏ, ହାତଗୋଡ ଥରେ, ମୁଣ୍ଡ ବୁଲାଏ, ଝାଳ ବହେ ଓ ଦେହ ଅତ୍ୟନ୍ତ ଗରମ ହୋଇଯାଏ। ରୋଗୀକୁ ଏତେ ଜୋରରେ ଛାନିଆ ଲାଗେ ଯେ, ସେ ଅନୁଭବ କରେ ଯେପରି ହଠାତ ତା’ର ମୃତ୍ୟୁ ହୋଇଯିବ। ଏହି ଭୟ ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ।

ଆଗୋରାଫୋବିଆ ଓ ସୋସିଆଲ ଫୋବିଆ ରୋଗରେ ବ୍ୟକ୍ତିମାନେ ଘରୁ ବାହାରକୁ ଯିବା ବନ୍ଦ କରି ଦିଅନ୍ତି। ଧୀରେ ଧୀରେ ସେମାନେ ସାମାଜିକ ସ୍ତରରେ ମିଳାମିଶା କମ୍‌ କରିଦିଅନ୍ତି। ଅତି ଦରକାର ପଡିଲେ ନିଜ ଚିହ୍ନାଲୋକକୁ ସାଙ୍ଗରେ ନେଇ ବାହାରକୁ ଯାଇଥାଆନ୍ତି। କେତେକ ରୋଗୀଙ୍କଠାରେ ନିଦ ମଧ୍ୟ କମିଯାଇଥାଏ। ସୋସିଆଲ ଫୋବିଆ ରୋଗରେ ପିଲାମାନଙ୍କର ପାଠପଢା ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

ଚିକିତ୍ସା:-
ଫୋବିଆ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଠିକ ସୂଚନାର ଅଭାବ ରହିଛି। ଯାହାଦ୍ୱାରା ସେମାନେ ଠିକ୍‌ ସମୟରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତି ନାହିଁ। ଅନେକ ରୋଗୀ ନିଜର ଲକ୍ଷଣ ସମ୍ବନ୍ଧରେ ଅନ୍ୟ କାହାକୁ ଜଣାଇବା ପାଇଁ କୁଣ୍ଠାବୋଧ କରିଥାନ୍ତି। ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଏଥି ନିମନ୍ତେ ଔଷଧ ସହିତ ମନସ୍ତାତ୍ତ୍ବିକ ଚିକିତ୍ସା (ବିହେଭିରାଲ୍‌ ଥେରାପି, ସିବିଟି) ଦରକାର ପଡିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଠିକ ଚିକିତ୍ସା କରାଇଲେ ରୋଗୀ ସମ୍ପୂର୍ଣ ସୁସ୍ଥ ହୋଇ ପାରିବ। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରନ୍ତୁ ନାହିଁ। ଚିକିତ୍ସା ଦ୍ବାରା ରୋଗର ଲକ୍ଷଣରେ ଉନ୍ନତି ଆସିଲେ ଧୀରେଧୀରେ ଔଷଧର ମାତ୍ରା କମାଇ ଦିଆଯାଇଥାଏ। ଏସବୁ ଔଷଧ ଖାଇଲେ ଅଭ୍ୟାସରେ ପଡିଯାଏ ନାହିଁ କିମ୍ବା ଶରୀରର କୌଣସି ଅଙ୍ଗପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପକାଏ ନାହିଁ। ନିୟମିତ ଶାରୀରିକ ବ୍ୟାୟମ, ଯୋଗ ଅଭ୍ୟାସ ଓ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ଏହି ରୋଗର ଚିକିତ୍ସାରେ ସହାୟକ ହୋଇଥାଏ। ଫୋବିଆ ରୋଗର ସଠିକ୍‌ ସମୟରେ ଚିକିତ୍ସା କରା ନଗଲେ ଭବିଷ୍ୟତରେ ରୋଗୀକୁ ଡିପ୍ରେସନ ଓ ଅନ୍ୟ ଏଙ୍ଗଜାଇଟି (ମାନସିକ ଉଦବେଗ) ରୋଗ ହେବାର ସମ୍ଭାବନା ଥାଏ। ଏହା ଛଡ଼ା ଅନେକ ରୋଗୀ ନିଜ ଲକ୍ଷଣର ମୁକାବିଲା ନ କରି ପାରି ନିଶା (ମଦ, ସିଗାରଟେ, ଗୁଟଖା) ସେବନ କରିଥାନ୍ତି। ଏହାଦ୍ଵାରା ରୋଗର ଲକ୍ଷଣ ଓଲଟା ଆହୁରି ବଢ଼ିଯାଏ।

ଆସିଷ୍ଟାଣ୍ଟ ପ୍ରଫେସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌

ସମ୍ବନ୍ଧିତ ଖବର