‘କରୋନା’ ମୁକାବିଲା କରିବାକୁ ଯାଇ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଅନେକ ବିକାଶ ସମ୍ଭବ ହୋଇପାରିଛି। ଭେଣ୍ଟିଲେଟର, ଆଇସିୟୁ, ଅକ୍ସିଜେନ୍ ଚିକିତ୍ସା ବ୍ୟବସ୍ଥା ବିସ୍ତାରିତ ହୋଇପାରିଛି। ନୂଆ ପ୍ରକାରର ଆଣ୍ଟି ଭାଇରାଲ ଔଷଧ, ଅନ୍ୟାନ୍ୟ ଆନୁସଙ୍ଗିକ ଚିକତ୍ସା ଭାରତରେ ଉପଲବ୍ଧ ହେବାରୁ କରୋନା ଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ସ˚କ୍ରମିତଙ୍କୁ ବଞ୍ଚାଇ ପାରିଲେ। ଭାରତୀୟ ଚିକିତ୍ସା ପ୍ରଣାଳୀ ବି ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଦେଶରେ ମୃତ୍ୟୁ ହାର ଅନ୍ୟ ଦେଶମାନଙ୍କ ତୁଳନାରେ କମ ରହିଛି। ଗଲା ଡିସେମ୍ବର ମାସ ସୁଦ୍ଧା ସାରା ପୃଥିବୀରେ ୫ରୁ ୬ପ୍ରକାର ଟିକା ପରୀକ୍ଷିତ ହୋଇ ଲୋକଙ୍କ ଉପକାରରେ ଲାଗିଲାଣି। ଭାରତରେ ମଧ୍ୟ ଦୁଇଟି ଟିକା ବିକଶିତ ହୋଇଛି। କୋଭାକ୍ସିନ୍ ଓ କୋଭିସିଲ୍ଡ ସବୁପ୍ରକାର ପରୀକ୍ଷା କରାଯିବା ପରେ ତାହା ଆଣ୍ଟିବଡି ସୃଷ୍ଟି କରିବାରେ ସହାଯ୍ୟ କରିପାରୁଥିବା ପ୍ରମାଣିତ ହୋଇଛି। ଏହି ଟିକା ଦ୍ବାରା ନିଶ୍ଚିତ ଭାବେ ବହୁ ଲୋକ ଉପକୃତ ହେବେ। ଏହା ଅତ୍ୟନ୍ତ ସୁରକ୍ଷିତ ଟିକା। ଏଥିରେ ଆଣ୍ଟିବଡି ୯୦ ପ୍ରତିଶତ ସୃଷ୍ଟି ହେଉଛି। ନୂଆ ଭାଇରସ୍କୁ ଏହି ଟିକା ପ୍ରତିରୋଧ କରିପାରିବ।
ଗୋଟିଏ ଡୋଜ୍ ନେବାର ମାସକ ପରେ ଆଉ ଗୋଟିଏ ଡୋଜ୍ ଦିଆଯିବ। ଟିକାକରଣ ପାଇଁ ବହୁଳ ପରିମାଣରେ ଟିକା ତିଆରି ହୋଇଛି। ଏଗୁଡିକର ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ଏଯାଏ ଦେଖାଯାଇନାହିଁ। ଜ୍ବର, ଥଣ୍ତା, ଛିଙ୍କ, କାଶ ଇତ୍ୟାଦି ଯେ କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା। ତେଣୁ ଏହାକୁ ନେଇ ଚିନ୍ତିତ ବା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆମ ଦେଶକୁ କରୋନା ମୁକ୍ତ କରିବାରେ ଏହି ଟିକା ସହାୟକ ହେବ। କରୋନା ଆମକୁ ବହୁତ କଥା ବି ଶିଖାଇଛି। ସ୍ବାସ୍ଥ୍ୟ ପାଇଁ ଯେତେ ସତର୍କ ହେବା କଥା ଆମେ ଏବେ ହୋଇ ପାରିଛେ। ତାହା ଜାରି ରହିବା ଆବଶ୍ୟକ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ଦେଶର ନାଗରିକ କରୋନା ମୁକାବିଲା ପାଇଁ କିନ୍ତୁ ସେତିକି ସତର୍କ ଓ ସଚେତନ ହେଲେନି। ସେମାନଙ୍କ ପାଖରେ ସାଧାରଣ ଔଷଧ ରହିଲାନି। ପରିସ୍ଥିତି ଉଦ୍ବେଗଜନକ ହେବାରୁ ଶେଷରେ ଭାରତରୁ ଔଷଧ ମଗାଇ ନେଲେ। ଭାରତ ଯୋଗାଇ ଦେଇଥିବା ଔଷଧ ଭଳି ସଫଳ ଚିକିତ୍ସା ଏଯାଏ କୌଣସି ଦେଶ ଦେଇ ପାରିନାହାନ୍ତି। କରୋନାକୁ ମୁକାବିଲା କରିବାରେ ଭାରତ ସଫଳ ହୋଇଛି। କରୋନା ବିପକ୍ଷ ଲଢେଇ ଭାରତରେ ବିପର୍ଯ୍ୟସ୍ତ ହୋଇନାହିଁ। ଓଡ଼ିଶାରେ ଯେପରି ଭାବେ କରୋନା ଯୋଦ୍ଧାମାନେ ଚିକିତ୍ସା କଲେ ସେମାନେ ସବୁଦିନ ପାଇଁ ନମସ୍ୟ ହୋଇ ରହିବେ। ଆସନ୍ତା ୧୬ ତାରିଖରୁ ଟିକାକରଣ ଦେଶରେ ଆରମ୍ଭ ହେଉଛି। ଏହି ଅଭିଯାନର ସଫଳତା ନିଶ୍ଚିତ ଭାବେ ଏକ ସୁସ୍ଥ ଭାରତ ଗଠନରେ ସହାୟକ ହେବ। କିନ୍ତୁ କରୋନା ଲଢେଇ ସରିନାହିଁ ବୋଲି ଭାବିବାକୁ ହେବ। ସତର୍କତା ଆଉ ସଚେତନତା ଏବେ ବି ଜରୁରି। ଟିକା ଦାନ ଅଭିଯାନ ସହିତ ସତର୍କତା, ସଚେତନତା ଅପରିହାର୍ଯ୍ୟ।
ବିଶିଷ୍ଟ ଭେଷଜ ବିଶେଷଜ୍ଞ