ସ୍ୱାସ୍ଥ୍ୟ ସମ୍ବାଦ : କୋଭିଡ୍‌ ପରେ ଫୁସଫୁସ୍‌ର ସୁରକ୍ଷା ପାଇଁ ସତର୍କତା

ଡାକ୍ତର ସମ୍ପତ ଦାସ

ବର୍ଷକ ତଳୁ କୋଭିଡ୍‌ ଆରମ୍ଭ ହୋଇଥିଲା ଚାଇନାରୁ। ସମୟକ୍ରମେ ଖୁବ୍‌ ଦ୍ରୃତବେଗରେ ସାରା ବିଶ୍ବକୁ କବଳିତ କରିଥିଲା। ଏଥିରେ ୨୬ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ। କୋଭିଡ୍‌ ଏକ ଭୂତାଣୁଜନିତ ରୋଗ ଯାହା ସିଧାସଳଖ ଫୁସଫୁସକୁ ଆକ୍ରାନ୍ତ କରିଥାଏ। କୋଭିଡ୍‌ ସମୟରେ ରୋଗୀର ପ୍ରାୟତଃ ଲକ୍ଷଣ ସବୁ ଫୁସ୍‌ଫୁସ୍‌ ଜନିତ ହୋଇଥାଏ। ଯେପରି କାଶ ହେବା, ଧଇଁସଇଁ ଲାଗିବା, କଫ ବାହାରିବା, ଜ୍ବର ହେବା ଏବଂ କିଛି କ୍ଷେତ୍ରରେ କାଶରେ ରକ୍ତ ବି ପଡିଥାଏ। ୯୫ପ୍ରତିଶତ ଆକ୍ରାନ୍ତ ଏହି ରୋଗରୁ ସୁସ୍ଥ ହେଉଥିଲେ ମଧ୍ୟ ୧୫ରୁ ୨୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ କିଛି ନା କିଛି ପରିମାଣରେ ଫୁସ୍‌ଫୁସ୍‌କୁ ଖରାପ କରିଥାଏ।

ରୋଗୀଠାରେ ଧଇଁସଇଁ ଲାଗି ରହିବା କାଶ ଲାଗିରହିବା, ହାଲିଆ ଲାଗିବ ଓ କାର୍ଯ୍ୟକରିବା ସମୟରେ ଦୁର୍ବଳ ଅନୁଭବ କରିବା ହେଉଛି ଏହାର ଲକ୍ଷଣ। ପ୍ରାୟତଃ ୪ରୁ ୬ସପ୍ତାହ ପରେ କୋଭିଡ୍ ଆକ୍ରାନ୍ତମାନେ ଥରେ ଡାକ୍ତରଙ୍କ ପରାମର୍ଶ ନେବା କଥା। ଏବଂ ନିଜର ଲକ୍ଷଣ ଅନୁସାରେ ପରାମର୍ଶ ଅନୁଯାୟୀ ପରୀକ୍ଷା କରିବା କଥା। ଫୁସ୍‌ଫୁସ୍‌ର ସିଟିସ୍କାନ୍‌ ଦ୍ବାରା କୋଭିଡ୍‌ ନିମୋନିଆ ଅଧିକ ଥିଲେ ଜଣାପଡିଯାଏ। ଲଙ୍ଗଫାଇବ୍ରୋସିସ୍‌, ଲଙ୍ଗ‌ସ୍‌ରେ ଅନ୍ୟ କୌଣସି ସଂକ୍ରମଣ, ଫଙ୍ଗସ୍‌ ଓ ବ୍ୟାକ୍ଟେରିଆ, ଯଦି କିଛି ପୁରୁଣା ରୋଗ ବା କୋଭିଡ୍‌ ପୂର୍ବରୁ ଯଦି କିଛି କ୍ରୋନିକ୍‌ ରୋଗ ରହିଛି ତା ମଧ୍ୟ ଜଣାପଡିଥାଏ।

ସେହିଭଳି ସ୍କାଇରୋମେଟ୍ରି ରୋଗୀ ମେସିନ୍‌ରେ ଫୁଙ୍କିବା ଫଳରେ ତାର ଫୁସ୍‌ଫୁସ୍‌ର ଶକ୍ତି ସଂପର୍କରେ ଜଣାପଡିଥାଏ। ଯଦ୍ବାରା କୋଭିଡ୍ ପରେ ଫୁସ୍‌ଫୁସ୍‌ କେତେ ପରିମାଣରେ ଦୁର୍ବଳ ହୋଇଛି, କେତେ ପରିମାଣରେ କାର୍ଯ୍ୟ କରୁଛି ସେ ସଂପର୍କରେ ଜଣାପଡିଥାଏ।

ଏଫ୍‌ଇଏନ୍‌ଓ ଦ୍ବାରା ଗୋଟିଏ ମେସିନ୍‌ରେ ଫୁସ୍‌ଫୁସ୍‌ରୁ କେଉଁ ପରିମାଣର ନାଇଟ୍ରିକ୍‌ ଅକ୍‌ସାଇଡ ବାହାରିଥାଏ ତାହା ଏକ ମେସିନ୍ ଫୁଙ୍କି ମପା ଯାଇଥାଏ। ଯଦି ଅଧିକ ମାତ୍ରାରେ ଥାଏ ସେହି ରୋଗୀଙ୍କ ଦେହରେ ଇନ୍‌ହେଲର ଭଲ ଭାବରେ କାମ କରିଥାଏ।

ଡିଏଲ୍‌ସିଓ ପରୀକ୍ଷାରେ ଫୁସ୍‌ଫୁସ୍‌ରେ କେତେ ପରିମାଣରେ କାର୍ବନ ‌ମନୋକ୍‌ସାଇଡ୍‌କୁ ଗ୍ରହଣ କରିଥାଏ ସେ ସଂପର୍କରେ ଜଣାପଡେ। ଏହାକୁ ମଧ୍ୟ ମେସିନ୍‌ରେ ମପାଯାଇଥାଏ। ଯଦି ଏହା କମ୍‌ ପରିମାଣରେ ଗ୍ରହଣ କରିଥାଏ ତାହେଲେ ଫୁସ୍‌ଫୁସ୍‌ଟି ଖରାପ ଆଡକୁ ଯାଉଛି ବୋଲି ଜଣାପଡିଥାଏ। ଛଅ ମିନିଟର ଚାଲିବା ପରୀକ୍ଷାରେ ରୋଗୀ ଜଣକ ୬ମିନିଟ୍‌ରେ କେତେ ଦୂର ଚାଲିପାରେ ‌ତାକୁ ମପାଯାଇଥାଏ। ସେହି ସମୟରେ ରୋଗୀର ଅକ୍ସିଜେନ ହୃଦ୍‌ସ୍ପନ୍ଦନ ମପାଯାଇଥାଏ। ଏବଂ କେତେ ବ୍ୟବଧାନରେ ରୋଗୀ ଚାଲୁଛି ଓ କେତେ ଦୂର ପର୍ଯ୍ୟନ୍ତ ଚାଲିପାରୁଛି ସେହି ଅନୁସାରେ ଫୁସ୍‌ଫୁସ୍‌, ହୃଦ୍‌ପିଣ୍ଡ ଓ ମାଂସପେଶୀର କାର୍ଯ୍ୟଧାରା କେମିତି ରହିଛି ତାକୁ ମପା ଯାଇଥାଏ।

ଏହାବାଦ୍‌ ଫୁସ୍‌ଫୁସ୍‌ର ସୁସ୍ଥତା ଜାଣିବା ପାଇଁ ଅନେକ ପରୀକ୍ଷା ସବୁ ରହିଛି। କିନ୍ତୁ ଏହି ୫ଟି ପରୀକ୍ଷାରେ ପ୍ରାୟତଃ ଅନେକ କିଛି ପୋଷ୍ଟ କୋଭିଡ୍‌ ଫୁସ୍‌ଫୁସ୍‌ ସସମ୍ୟା ସଂପର୍କରେ ଧରାପଡିଥାଏ। ଫୁସ୍‌ଫୁସ୍‌ ଶରୀରର ଏକ ପ୍ରମୁଖ ଅଙ୍ଗ। ପୋଷ୍ଟ କୋଭିଡ୍‌ ପରେ ଫୁସ୍‌ଫୁସ୍‌ର ଅସୁବିଧା ଯେତେ ଶୀଘ୍ର ଧରାପଡିଥାଏ ତାର ଚିକିତ୍ସା ମଧ୍ୟ ଶୀଘ୍ର ଆରମ୍ଭ ହୁଏ ଓ ରୋଗୀ ସୁସ୍ଥ ହୋଇପାରେ। ତେଣୁ କୋଭିଡ୍‌ରୁ ସୁସ୍ଥ ହୋଇଥିବା ରୋଗୀ ଯଦି କୌଣସି ପ୍ରକାର ଅସୁସ୍ଥତା ଅନୁଭବ କରନ୍ତି ତାହେଲେ ତୁରନ୍ତ ଛାତିରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଏସବୁ ପରୀକ୍ଷା କରାଇ ଚିକିତ୍ସିତ ହୁଅନ୍ତୁ। ବିଳମ୍ବ କଲେ ରୋଗ ବଢିବ ଓ ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ବଢିଥାଏ।

କନ୍‌ସଲ୍‌ଟାଣ୍ଟ
ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ତଥା ଅଶ୍ବିନୀ ଲଙ୍ଗ ଇଷ୍ଟିଚ୍ୟୁଟ୍‌

ସମ୍ବନ୍ଧିତ ଖବର