ସ୍ୱାସ୍ଥ୍ୟ ସମ୍ବାଦ : ଅଷ୍ଟିଓପୋରସିସ୍‌ରୁ ରକ୍ଷା ପାଇବାକୁ କୁଅଭ୍ୟାସ ଛାଡ଼ିବା ଉଚିତ

ଡାକ୍ତର ଡି.ଏନ୍‌. ମହାରଣା

ପ୍ରାପ୍ତ ବୟସରେ ଅଷ୍ଟିଓପୋରସିସ୍‌ ଏକ ଅତି ସାଧାରଣ ରୋଗ। ଏହି ରୋଗରେ ହାଡ଼ ସବୁ ପତଳା, ଦୁର୍ବଳ ଓ ପୋରିଆ ହୋଇଯାଏ। ନିଦା ହାଡ଼ର ଓଜନ ବହୁତ କମିଯାଏ। ଶରୀରରେ ପ୍ରତ୍ୟେକ ହାଡ଼ ଏହିପରି ଭାବେ ଦୁର୍ବଳ ହୋଇଯାଏ। ଶରୀରରେ ଓଜନ ଅଧିକ ଥିବା ହାଡ଼ଗୁଡ଼ିକ ସହଜରେ ଭାଙ୍ଗି ଯାଇଥାନ୍ତି। ସେଗୁଡ଼ିକ ହେଲା ଅଣ୍ଟାହାଡ଼, ମେରୁଦଣ୍ତ ହାଡ଼, ପେଲଭିସ୍‌ ହାଡ଼ ଓ ହାତର ଛୋଟଛୋଟ ହାଡ଼ ଇତ୍ୟାଦି। ଶରୀରର ଯେକୌଣସି ହାଡ଼ ମଧ୍ୟ ଭାଙ୍ଗିବାର ସମ୍ଭାବନା ଥାଏ। ଅଷ୍ଟିଓପୋରସିସ୍‌ ରୋଗରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ହାଡ଼ରେ ସାମାନ୍ୟ ବ୍ୟଥା ହୋଇଥାଏ। କିନ୍ତୁ ହାଡ଼ ଭାଙ୍ଗିଗଲା ପରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଏବ˚ ଭାଙ୍ଗିଯାଇଥିବା ହାଡ଼ଗୁଡ଼ିକ ଶୁଖିଲା ପରେ ବହୁତ ଦିନ ଧରି ସେହି ସ୍ଥାନରେ ବଥା, ଦରଜ ରହିଥାଏ।

ପ୍ରାପ୍ତ ବୟସରେ ସମସ୍ତଙ୍କର ଅଷ୍ଟିଓପୋରସିସ୍‌ ହୋଇଥାଏ। କିନ୍ତୁ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେଲା ପରେ ହାଡ଼ଗୁଡ଼ିକ ଦ୍ରୁତଗତିରେ ପୋରିଆ ହୋଇଯାଏ। କେତୋଟି ରୋଗ ଯଥା, ହାଇପର ଥାଇରଏଡ୍‌, କିଡ୍‌ନି ରୋଗ, ଓଭାରି ରୋଗ ଇତ୍ୟାଦିଙ୍କ କ୍ଷେତ୍ରରେ ଏହି ରୋଗ ହେବା ସମ୍ଭାବନା ଅଧିକ ଥାଏ। ସ୍ତ୍ରୀଲୋକମାନଙ୍କର ଅପରେସନ୍‌ କରି ଓଭାରି ଦୁଇଟି କାଢ଼ି ଦେଲେ ଓ ପୁରୁଷମାନଙ୍କର ଟେସ୍‌ଟିସ୍‌ ଦୁଇଟି କୌଣସି କାରଣରୁ ଅପରେସନ୍‌ କରି କାଢ଼ିଦେଲେ ମଧ୍ୟ ଦ୍ରୁତଗତିରେ ଅଷ୍ଟିଓପୋରସିସ୍‌ ହୋଇଥାଏ। କେତେ ପ୍ରକାର ଔଷଧ ଯଥା; ଅପସ୍ମାର ବାତ ପାଇଁ ବ୍ୟବହାର ହେଉଥିବା ଔଷଧ, ମାନସିକ ବିଷାଦତା ପାଇଁ ବ୍ୟବହାର ହେଉଥିବା ଏସ୍‌ଏସ୍‌ଆର‌୍‌ଆଇ ଓ ଷ୍ଟିରଏଡ୍‌ ଔଷଧ ଇତ୍ୟାଦି ଦ୍ବାରା ଏହାର ଚିକିତ୍ସା କରାଯାଏ। ଚିକିତ୍ସା ପାଇଁ ଷ୍ଟିରଏଡ ଔଷଧ ବହୁଳ ଭାବରେ ବ୍ୟବହାର କରାଯାଏ ଏବ˚ ଅଷ୍ଟିଓପୋରସିସ୍‌ର ଏହା ଏକ ସାଧାରଣ କାରଣ ଅଟେ। ଏହି ଔଷଧ ପ୍ରତିମାତ୍ରାରେ ବ୍ୟବହାର ହେଲେ କିମ୍ବା ବହୁତ ଦିନ ପାଇଁ ବ୍ୟବହାର କରାଗଲେ ଦ୍ରୁତ ଗତିରେ ହାଡ଼ କ୍ଷୟ ହୋଇଯାଏ। ଏହି ଔଷଧକୁ ଦିନେ ଛଡ଼ା ଦିନେ, ସପ୍ତାହରେ ଦୁଇଥର କିମ୍ବା ଥରେ ଦେଲେ ହାଡ଼ କ୍ଷୟର ଗତି ହ୍ରାସ ହୋଇଥାଏ। ଧୂମପାନ ଓ ମଦ୍ୟପାନ ଅଷ୍ଟିଓପୋରସିସ୍‌ର ଏକ ସାଧାରଣ କାରଣ ଅଟେ। ନିୟମିତ ବ୍ୟାୟାମ ନକରିବା ଦ୍ବାରା ହାଡ଼ କ୍ଷୟ ହୋଇଥାଏ।

ଅଷ୍ଟିଓପୋରସିସ୍‌କୁ ମାପିବା ପାଇଁ ‘ଡେକ୍‌ସା’ ନାମକ ଏକ ରଞ୍ଜନରଶ୍ମୀ ପରୀକ୍ଷା କରିଛି। ଯଦି ହାଡ଼ର ଘନତା ବା ଡେନ୍‌ସିଟି ଏକ ଯୁବକଠାରୁ ୨.୫ ପ୍ରତିଶତରୁ କମ୍‌ ରହେ, ତାହେଲେ ତାଙ୍କଠାରେ ଅଷ୍ଟିଓପୋରସିସ୍‌ ହୋଇଥାଏ ବୋଲି କୁହାଯାଏ। ଅଷ୍ଟିଓପୋରସିସ୍‌ରୁ ରକ୍ଷା ପାଇବା ପାଇଁ ହେଲେ ପିଲାଙ୍କୁ ସୁଷମ ଖାଦ୍ୟ ଓ କ୍ୟାଲସିୟମ ଖାଇବାକୁ ଦେବା ଉଚିତ୍‌ ଏବ˚ ମଦ୍ୟପାନ ଓ ଧୂମପାନ ସମ୍ପୂର୍ଣ୍ଣ ତ୍ୟାଗ କରିବା ଉଚିତ୍‌। ଷ୍ଟିରଏଡ୍‌ ଔଷଧ କେବଳ ଅତି ଆବଶ୍ୟକ ହେଲେ କମ୍‌ ମାତ୍ରାରେ ଓ ମଝିରେ କିଛି ସମୟ ଛାଡ଼ି ବ୍ୟବହାର କରିବା ଉଚିତ୍‌। ନିୟମିତ ଶାରୀରିକ ବ୍ୟାୟାମ ଏବ˚ ପଡ଼ିଯିବା ଓ ହାଡ଼ ନ ଭାଙ୍ଗିବା ପାଇଁ ବ୍ୟବସ୍ଥା କରିବା ଉଚିତ୍‌। ଯେଉଁମାନଙ୍କର ଅଷ୍ଟିଓପୋରସିସ୍‌ ଜନିତ ହାଡ଼ ଭଙ୍ଗା ରୋଗ ହୋଇଥାଏ, ସେମାନଙ୍କୁ ବାଇ ଫସ୍‌ପୋନେଟ୍‌ ନାମକ ଔଷଧ ହେବା ଉଚିତ୍‌।

ଅଷ୍ଟିଓପୋରସିସ୍‌ର ବିଭିନ୍ନ ଲକ୍ଷଣ ରହିଛି। ହାଡ଼ ଭାଙ୍ଗିଗଲେ ବହୁତ ବ୍ୟଥା ହୋଇଥାଏ। ଅଷ୍ଟିଓପୋରସିସ୍‌ ହେଲେ ହାଡ଼ ଭାଙ୍ଗିବାର ସମ୍ଭାବନା ୩ରୁ ୪ଗୁଣ ବଢ଼ି ଯାଇଥାଏ। ବେଳେବେଳେ ଛୋଟଛୋଟ ହାଡ଼ ଭଙ୍ଗା ଦ୍ବାରା ହଠାତ୍‌ ବ୍ୟଥା ହୋଇ ନଥାଏ। କିନ୍ତୁ ପରେ ବ୍ୟଥା ବଢ଼ିଯାଇଥାଏ। ଅଣ୍ଟା ଓ ବଡ଼ ବଡ଼ ହାଡ଼ ଭାଙ୍ଗିବା ଦ୍ବାରା ଥ୍ରୋମ୍ବୋଏମ୍‌ବୋଲିଜିମ୍‌ ହୋଇଥାଏ। ପ୍ରାପ୍ତ ବୟସରେ ପାର୍କିଙ୍ଗ ସୋନିଜିନ୍‌, ଅଷ୍ଟିଓଆଥ୍ରାଇଟିସ୍‌, ମୁଣ୍ତବୁଲା ରୋଗ, ଅପସ୍ମାର ବାତ, କାଡିୟା ଆରିଦିନିୟା ଇତ୍ୟାଦିର ଚିକିତ୍ସା ଯୋଗୁଁ ଦ୍ରୁତ ଗତିରେ ହାଡ଼ କ୍ଷୟ ହୋଇଥାଏ। ଏବ˚ ରୋଗୀଟି ପଡ଼ିଯାଇ ହାଡ଼ ଭାଙ୍ଗିବାର ସମ୍ଭାବନା ବେଶୀ ଥାଏ।

ଅଷ୍ଟିଓପୋରସିସ୍‌ର ବହୁତ ଗୁଡ଼ିଏ ରିସ୍କ ଫ୍ୟାକ୍ଟର ଅଛି। ୟୁରୋପ ଓ ଏସିଆ ମହାଦେବଶର ବ୍ୟକ୍ତିବିଶେଷ ବେଶୀ ପରିମାଣରେ ଅଷ୍ଟିଓପୋରସିସ୍‌ରେ ଆକ୍ରାନ୍ତ ହୋଇଥାନ୍ତି। ବ˚ଶାନୁକ୍ରମିକ ଭାବେ ମଧ୍ୟ କେତେଗୋଟି ପାରିବାରରେ ଏହି ରୋଗ ଓ ହାଡ଼ଭଙ୍ଗା ଅଧିକ ପରିମାଣରେ ଦେଖାଦେଇଥାଏ। ଛୋଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିମାନଙ୍କଠାରେ ଅଧିକ ପରିମାଣରେ ଅଷ୍ଟିଓପୋରସିସ୍‌ ଦେଖାଦିଏ। ଅନ୍ୟ ସବୁ ରିସ୍କ୍‌ ଫ୍ୟାକ୍ଟର୍‌ ହେଲା କ୍ୟାଲସିୟମ, ଭିଟାମିନ୍‌-ଡି, ପ୍ରୋଟିନ୍‌ ତଥା କେତେଗୁଡ଼ିଏ ଧାତବ ପଦାର୍ଥର ଅଭାବ ଅଷ୍ଟିଓପୋରସିସ୍‌ର କାରଣ ଅଟେ। ଏହା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୋଲା ଭଳି ସଫ୍ଟ ଡ୍ରିଙ୍କ୍ସ ପିଉଥିବା ଲୋକମାନଙ୍କଠାରେ ଅଷ୍ଟିଓପୋରସିସ୍‌ ଦେଖାଦେଇଥାଏ।

ପକ୍ଷାଘାତ ବା ଯେକୌଣସି ଶଯ୍ୟାଶାୟୀ ହେଉଥିବା ଲୋକଙ୍କଠାରେ ବହୁତ ଦ୍ରୁତ ଗତିରେ ହାଡ଼ କ୍ଷୟ ହୋଇଥାଏ। ଡାଇବେଟିସ୍‌, ଥାଇରଏଡ୍‌ ଓ ଅନ୍ୟ କେତେକ ଅନ୍ତଃସ୍ରାବୀ ଗ୍ରନ୍ଥିରୋଗରେ ଅଷ୍ଟିଓପୋରସିସ୍‌ ହୋଇଥାଏ। ବହୁତ ପ୍ରକାରର ଗଣ୍ଠିବାତ ରୋଗ, କିଡ୍‌ନି ରୋଗ ଓ ବହୁତ ପ୍ରକାରର ରକ୍ତରୋଗରେ ଅଷ୍ଟିଓପୋରସିସ୍‌ ହୋଇଥାଏ।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର