ସ୍ୱାସ୍ଥ୍ୟ ସମ୍ବାଦ : ମୋତିଆବିନ୍ଦୁକୁ ଭୟ କରନ୍ତୁନି, ଅସ୍ତ୍ରୋପଚାର ହିଁ ଏହାର ବିକଳ୍ପ

ପ୍ରଫେସର ଡାକ୍ତର ଶୁଭବ୍ରତା ପରିଡା

ମୋତିଆବିନ୍ଦୁ କହିଲେ ପ୍ରାୟ ସ‌ମସ୍ତେ (ପିଲାଠୁ ବୁଢା ଯାଏ) ବୁଝି ପାରିବେ। ବୟସାଧିକ୍ୟ ହେଲେ ଏହା ଅନେକଙ୍କଠା‌ରେ ଦେଖାଯାଏ। ବୟସଜନିତ ମୋତିଆବିନ୍ଦୁକୁ ଆମେ ରୋଗ ହିସାବରେ ଦେଖୁନି। ‌ଯେମିତି ବୟସ ବଢ଼ିବାରେ ଚୁଟି ପାଚିବା, ଚର୍ମ ଧୁଡୁଧୁଡୁ ହେବା ରୋଗ ନୁହେଁ। ସେମିତି ମୋତିଆବିନ୍ଦୁ ବି ରୋଗ ନୁହେଁ। କିନ୍ତୁ ଯେତେବେଳେ ଅଳ୍ପ ବୟସରେ ମୋତିଆବିନ୍ଦୁ ହୁଏ, ଆମେ ତାରି କାରଣ ଖୋଜିଥାଉ ଓ ତାକୁ ରୋଗ ହିସାବରେ ହେଖିଥାଉ। ପିଲା ମା’ ପେଟରେ ଥିଲାବେଳେ ଯଦି ମା’କୁ କିଛି ରୋଗ ହୋଇଥାଏ ବା କିଛି ଔଷଧ ସେବନ କରିଥାଏ, ତେବେ ଜନ୍ମିତ ପିଲାର ବି ମୋତିଆବିନ୍ଦୁ ଦେଖାଦେଇଥାଏ।

କେବେ କେବେ ଆଖିରେ ମାଡ଼ ବାଜିଲେ ବା କୌଣସି ରୋଗ ଥିଲେ ମୋତିଆବିନ୍ଦୁ ହୋଇଥାଏ। ମଧୁମେହ ରୋଗୀଙ୍କର ଶୀଘ୍ର ମୋତିଆବିନ୍ଦୁ ହୁଏ ଓ ଖୁବ୍‌ଶୀଘ୍ର ଏହା ପାକଳ ମଧ୍ୟ ହୋଇଥାଏ। ମୋତିଆବିନ୍ଦୁ ଯେଉଁ କାରଣରୁ ବି ହେଉ ନା କାହିଁକି ତାର ଚିକିତ୍ସା ହେଲା ଅସ୍ତ୍ରୋପଚାର। ଯଦି ମୋତିଆବିନ୍ଦ କୁ ଆମେ ଅସ୍ତ୍ରୋପଚାର ନକରି ଛାଡି ଦେଉ ତେବେ ତା’ ପ‌ାକଳ ହୋଇ ଫାଟିଯିବାର ସମ୍ଭାବନା ଥାଏ। ଏହା ଫାଟିଗଲେ ରୋଗୀକୁ ବହୁତ ଯନ୍ତ୍ରଣା ହୋଇଥାଏ। ଯଦି ଏହା ଫାଟିଯାଏ ତା’ହେଲେ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିବାକୁ ପଡ଼ିଥା‌ଏ। ଏ କ୍ଷେତ୍ରରେ ଅସ୍ତ୍ରୋପଚାର କଲାପରେ ମଧ୍ୟ ରୋଗୀଙ୍କୁ ଦୃଷ୍ଟିଶକ୍ତିରେ ସମସ୍ୟା ହୋଇଥାଏ ଓ ଯନ୍ତ୍ରଣା ଲାଗିରହିଥାଏ। ଆଜିକାଲି ମୋତିଆବିନ୍ଦୁ ବହୁତ ଆଧୁନିକ ଉପାୟରେ ଚିକିତ୍ସା କରାଯାଇଛି। ସେଥିରେ ପଟି, ଛୁରି ଲାଗୁନି କି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇ ରହିବାକୁ ପଡୁନି। ତାକୁ ଆମେ ଲେରର ସର୍ଜରି ବୋଲି କହିଥାଉ। ଏହି ଅସ୍ତ୍ରୋପଚାର ୧୦ରୁ ୧୫ ମିନିଟ୍‌ ଭିତରେ ସରିଯାଇଥାଏ ଓ ଅପରେସନ୍‌ ପରେ ଗୋଟିଏ ଯବକାଚ ରୋପଣ କରାଯାଇଥାଏ। ମୋତିଆବିନ୍ଦୁ ବହୁତ ପାକଳ ହୋଇଯିବା ପୂର୍ବରୁ ଯଦି ଆମେ ଅପରେସନ୍‌ କରିଦେଲେ, ପ୍ରାୟତଃ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନଥାଏ। କିନ୍ତୁ ଅପରେସନ୍‌ କରିବାରେ ବିଳମ୍ବ କଲେ କିଛି ନା କିଛି ସମସ୍ୟା ରହିଥାଏ। ଅପରେସନ୍‌ ପରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କଳାଚଷମା ଦିଆଯାଏ ଓ ତାକୁ ୧-୨ ସପ୍ତାହ ପର୍ଯ୍ୟନ୍ତ ପିନ୍ଧିବାକୁ ଓ ଆଖି ଡ୍ରପ୍‌ ପକେଇବାକୁ ପରାମର୍ଶ ଦିଆଯାଇଥାଏ। ଗୋଟିଏ ସପ୍ତାହ ଯଦି ରୋଗୀଟି ଡାକ୍ତରଙ୍କ ପରାମର୍ଶ ମାନି ଚଳିଥାଏ, ତା’ହେଲେ ସବୁଦିନ ପାଇଁ ସେ ତାର ଚକ୍ଷୁ ଓ ଦୃଷ୍ଟିଶକ୍ତିକୁ ବଞ୍ଚାଇ ରଖିପାରେ।

ଏହି ଲେଜର ସର୍ଜରୀ ବହୁତ ସରକାରୀ ଡାକ୍ତରଖାନା, ମେଡିକାଲ କଲେଜରେ ଉପଲବ୍ଧ ଅଛି। ତେଣୁ ଅଳ୍ପ ସମୟର ଅସ୍ତ୍ରୋପଚାରରେ ଭୟଭୀତ ନହୋଇ ଜାଣିଶୁଣି ନିଜର ଦୃଷ୍ଟିଶକ୍ତି ହରାନ୍ତୁ ନାହିଁ। ସରକାରୀ ଡାକ୍ତରଖାନାରେ ସମ୍ପୂର୍ଣ୍ଣ ନିଃଶୁକ୍ଳରେ ଏହି ଅସ୍ତ୍ରୋପଚାର ହୋଇପାରୁଛି।

ଚକ୍ଷୁରୋଗ ବିଭାଗ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ

ସମ୍ବନ୍ଧିତ ଖବର