ନବଜାତ ଶିଶୁ ପାଇଁ ମା’ର କ୍ଷୀର ହେଉଛି ସର୍ବଶ୍ରେଷ୍ଠ ଖାଦ୍ୟ। ପ୍ରସବର ଅଧଘଣ୍ଟା ଭିତରେ ଶିଶୁକୁ ସ୍ତନ୍ୟପାନ କରାଇବା ଅତି ଜରୁରୀ। କାରଣ ଏହି ସମୟରେ ଶିଶୁ ସକ୍ରିୟ ରହିଥାଏ। ଜନ୍କ ହେବାର କିଛି ସମୟ ପରେ ଶିଶୁ ଗଭୀର ନିଦରେ ଶୋଇପଡ଼େ। ତେଣୁ ତା’ପରେ ସ୍ତନ୍ୟପାନ ଆରମ୍ଭ କରାଇବା ମା’ ପାଇଁ କଷ୍ଟକର ହୋଇଥାଏ। ପ୍ରଥମ ୨-୩ ଦିନ ଯେଉଁ ହଳଦିଆ ରଙ୍ଗର କ୍ଷୀର ବାହାରେ ତାକୁ କଷ କ୍ଷୀର କୁହାଯାଏ। ଏହା ଶିଶୁକୁ ପୋଷଣ ପ୍ରଦାନ କରିବା ସହିତ ନବଜାତକୁ ବିଭିନ୍ନ ସଂକ୍ରମଣର ରକ୍ଷା କରିଥାଏ। କାରଣ ଏଥିରେ ପ୍ରୋଟିନ୍‌ ଓ ଆଣ୍ଟିବଡ଼ି ଏବଂ ଇମ୍ୟୁନୋଗ୍ଲୋବସ ରହିଥାଏ। କଷ କ୍ଷୀର ନବଜାତ ଶିଶୁର ପ୍ରଥମ ଟିକା ରୂପେ କାର୍ଯ୍ୟ କରିଥାଏ। ସେଥିପାଇଁ ଶିଶୁକୁ କଷକ୍ଷୀର ନିଶ୍ଚିତ ଭାବରେ ଦିଅନ୍ତୁ। ପ୍ରଥମ ୨ ଦିନରେ କୋଲୋଷ୍ଟ୍ରମ (କଷକ୍ଷୀର)ର ପରିମାଣ ବହୁତ କମ୍‌ ହେଲେ ମଧ୍ୟ ଏହା ଶିଶୁ ପାଇଁ ଯଥେଷ୍ଟ ହୋଇଥାଏ। ଶିଶୁକୁ ୬ ମାସ ପୂରଣ ହେବା ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦେବା ଜରୁରୀ। ଏହି ସମୟର ବାହରର କୌଣସି ଖାଦ୍ୟ ଯଥା ମହୁପାଣି, ମିଶ୍ରିପାଣି, ଆଲି ପାଣି ମଧ୍ୟ ଦେବା କଥା ନୁହେଁ। ମା’କୁ ଶିଶୁଠାରୁ ଆଦୌ ଅଲଗା କରନ୍ତୁ ନାହିଁ ଏବଂ ନବଜାତକୁ ମା’ ପାଖରେ ଓ ମା’ର ଶେଯରେ ଶୋଇବାକୁ ଦିଅନ୍ତୁ। ଏହା ମା’କୁ ସ୍ତନ୍ୟପାନ ଆରମ୍ଭ କରିବା ତଥା ଜାରି ରଖିବା ପାଇଁ ସାହାଯ୍ୟ କରିଥାଏ।

Advertisment

publive-image ସାଧାରଣତଃ ପ୍ରଥମ କିଛି ସପ୍ତାହ ଭିତରେ ଆପଣଙ୍କ ଶିଶୁକୁ ପ୍ରତି ୨୦ ଘଣ୍ଟାରେ ଅତିକମ୍‌ରେ ୮ ବା ଅଧିକ ଥର କ୍ଷୀର ପିଆଇବା ଉଚିତ୍‌। ଏହାଛଡ଼ା ଯଦି କୌଣସି ସମୟରେ ଶିଶୁକୁ ଭୋକ ଲାଗେ, ସେହି ସମୟରେ ସ୍ତନ୍ୟପାନ କରାଇବା ଜରୁରୀ। ମା’ ଧିରେ ଧିରେ ଶିଶୁର କ୍ଷୀର ଖାଇବାର ସମୟ ବ୍ୟବଧାନ ଜାଣିପାରେ। ସ୍ତନ୍ୟପାନ କରାଇବାର କିଛି ପ୍ରାରମ୍ଭିକ ସଙ୍କେତ ଦେଖିବା ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। ଯଥା ଶିଶୁଟିକୁ ଭୋକ ଲାଗିଲେ ସେ ବ୍ୟସ୍ତ ହୋଇପଡ଼େ। ନିଜ ହାତ ମୁଠା ବା ଆଙ୍ଗୁଠିକୁ ଚୁଚୁମିବା ଆରମ୍ଭ କରେ, ଧିର ସ୍ବରରେ କଥା କହିଲା ପରି ଶବ୍ଦ କରେ ଏବଂ ମୁଣ୍ଡ ବୁଲାଇ ପାଟି ମେଲା କରିଥାଏ। ଥରେ ଶିଶୁଟିଏ ଭୋକିଲା ରହି କାନ୍ଦିବା ଆରମ୍ଭ କଲେ ସ୍ତନ୍ୟପାନ କରାଇବା କଷ୍ଟ ହୋଇଥାଏ। ବହୁସମୟରେ ମା’ମାନେ ସନ୍ଦେହ ପ୍ରକାଶ କରନ୍ତି ଯେ ପର୍ଯ୍ୟାପ୍ତ ପରିମାଣରେ କ୍ଷୀର ହେଉ ନାହିଁ। ଯଦି ଶିଶୁଟିଏ ଦିନରେ (୨୪ଘଣ୍ଟା) ଅତିକମ୍‌ରେ ୪-୫ଥର ପରିସ୍ରା କରୁଥାଏ, ସ୍ତନ୍ୟପାନ ପରେ ପାଖାପାଖି ୧ ଘଣ୍ଟା ଆରାମରେ ବିଶ୍ରମ କରୁଥାଏ, ଓଜନ ଠିକ୍‌ ଭାବେ ବଢୁଥାଏ, ତାହା ଦର୍ଶାଏ ଯେ ଶିଶୁ ପର୍ଯ୍ୟାପ୍ତ ପରିମାଣରେ କ୍ଷୀର ପିଉଛି।

ଶିଶୁଟିକୁ ସ୍ତନ୍ୟପାନ କରାଇବା ପରେ ବର୍ଫି କରାଇବା ଉଚିତ୍‌। ଏହାଦ୍ବାରା ଶିଶୁ ସ୍ତନ୍ୟପାନ କରୁଥିବା ସମୟରେ ପେଟକୁ ଯାଉଥିବା ପବନ ବାହାରିଯାଏ ଏବଂ ପେଟ ଫୁଲି ରହିବା ସମସ୍ୟା ଦେଖାଯାଏ ନାହିଁ। ପ୍ରତ୍ୟେକ ଶିଶୁକୁ ୬ ମାସ ପରେ ପରିପୂରକ ଖାଦ୍ୟ ଖୁଆଇବା ସହିତ ସ୍ତନ୍ୟପାନ ୨ ବର୍ଷ ଯାଏ ଦେବା ଜରୁରୀ। କାରଣ ଏହି ସମୟରେ ଶିଶୁର ମସ୍ତିଷ୍କର ଅଭିବୃଦ୍ଧି ହୋଇଥାଏ। ଯଦି ମା’ ବାହାରେ କାର୍ଯ୍ୟ କରୁଥାଏ ବା ଚାକିରି କରୁଥାଏ, ଶିଶୁକୁ ଯଦି ୬ ମାସ ମଧ୍ୟରେ ଯଦି ଘରେ ଛାଡି କାର୍ଯ୍ୟକ୍ଷେତ୍ରକୁ ଯିବାକୁ ପଡେ,‌ ତେବେ ସେମିତି ସମୟରେ ମା’ମାନେ ନିଜ କ୍ଷୀର ବାହାର କରି ରଖିଯାଇପାରିବେ। ଏହି କ୍ଷୀରକୁ ଶିଶୁକୁ ଗିନା ଓ ଚାମଚରେ ପିଆଇବା ଜରୁରୀ। ଏଥିପାଇଁ ବୋତଲ ବ୍ୟବହାର କରନ୍ତୁ ନାହିଁ।

ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର