ଅଷ୍ଟିଓ ଆର୍ଥ୍ରାଇଟିସ୍‌ : ବୟସ ଓ ମେଦବହୁଳତା ଯୋଗୁ ହୋଇଥାଏ ଏହି ଗଣ୍ଠି ରୋଗ

ଡାକ୍ତର ଡି.ଏନ୍‌. ମହାରଣା

ଅଷ୍ଟିଓ ଆର୍ଥ୍ରାଇଟିସ୍‌ ଏକ ସାଧାରଣ ଗଣ୍ଠି ରୋଗ। ପ୍ରାପ୍ତ ବୟସରେ ଅଧିକା˚ଶ ଲୋକଙ୍କୁ ଏହି ପ୍ରକାର ଗଣ୍ଠିରୋଗ ହୋଇଥାଏ। ସମସ୍ତ ଗଣ୍ଠି ବାତ ମଧ୍ୟରେ ଅଷ୍ଟିଓ ଆର୍ଥ୍ରାଇଟିସ୍‌ର ପ୍ରଭାବ ଏକ ନମ୍ବରରେ ରହିଛି। ଏହି ଗଣ୍ଠି ରୋଗରେ ଗଣ୍ଠି ଭିତରେ ଥିବା କାର‌୍‌ଟିଲେଜ ଓ ହାଡ଼ ପ୍ରଥମେ ପ୍ରଭାବିତ ହୋଇଥାଆନ୍ତି। ହାଡ଼ ସବୁ ଗଣ୍ଠି ଭିତରେ ବଡ଼ ଥାଏ। ତାହାକୁ ଅଷ୍ଟ୍ରିଓ ଫାଇତ କୁହନ୍ତି। କିଛି ବର୍ଷ ପରେ କାର‌୍‌ଟିଲେଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଓ ଅସ୍ତ୍ରୋପଚାର ଦ୍ବାରା କାର‌୍‌ଟିଲେଜ୍‌ଟିକୁ କାଢି ଦିଆଯାଏ। ପରେ ଗଣ୍ଠିକୁ ପୁନର୍ବାର ପ୍ରତିରୋପଣ କରାଯାଇଥାଏ। ତାହାକୁ ଗଣ୍ଠି ପ୍ରତ୍ୟାର୍ପଣ ସର୍ଜରି ବୋଲି କୁହାଯାଇଥାଏ।

ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଗଣ୍ଠିରେ ବଥା ହେବା ଏବ˚ ଗଣ୍ଠିଟିକୁ ଚଲାଇବା କଷ୍ଟ ହୁଏ। ତାହାକୁ ଷ୍ଟିଫନେସ୍‌ କୁହନ୍ତି। ପ୍ରଥମେ ପ୍ରଥମେ ଏହି ଲକ୍ଷଣ ସବୁ କାମ କଲାପରେ ହୋଇଥାଏ। କିନ୍ତୁ ରୋଗ ବଢିଚାଲିଲେ ତାହା ସବୁବେଳେ ହୋଇଥାଏ। ରୋଗ ଶୋଚନୀୟ ହେଲାପରେ ଗଣ୍ଠିଟି ଫୁଲିଯାଏ ଓ ଖୋଲେନାହିଁ। ଅଣ୍ଟାରେ ଏହି ରୋଗ ହେଲେ ଗୋଡ଼ ଦୁଇଟିର ମା˚ସପେଶୀ ସବୁ ଦୁର୍ବଳ ହୋଇଯାଏ ଓ ଚାଲିବା କଷ୍ଟକର ହୁଏ। ସେହିପରି ବେକ ଗଣ୍ଠିରେ ଅଷ୍ଟ୍ରିଓଆର୍ଥ୍ରାଇଟିସ୍‌ ହେବା ଦ୍ବାରା ହାତ ଦୁଇଟି ଦୁର୍ବଳ ହୋଇଯାଏ। ବେଳେ ବେଳେ ରୋଗ ବଢିଚାଲିଲେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା କଷ୍ଟକର ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ରେ କୌଣସି ଅନ୍ୟ ଅ˚ଶ ଯଥା ହୃତ୍‌ପିଣ୍ତ, ଫୁସ୍‌ଫୁସ୍‌, ବୃକକ୍‌ ପ୍ରଭାବିତ ହୋଇନଥାଏ। ଏହି ରୋଗରେ ଆଣ୍ଠୁ, ଅଣ୍ଟା, ବେକ ଓ ଶରୀରର ନିମ୍ନ ଭାଗର ଗଣ୍ଠି ସବୁ ଖରାପ ହୋଇଥାଏ। ହାତରେ ବୁଢା ଆଙ୍ଗୁଳି ଓ ଅନ୍ୟ ସବୁ ଆଙ୍ଗୁଳିର ଶେଷ ଭାଗଗୁଡ଼ିକ ଫୁଲିଯାଇଥାଏ।

ଅଷ୍ଟିଓଆର୍ଥ୍ରାଇଟିସ୍‌ର କାରଣ ଗୁଡ଼ିକ ହେଲା ବ˚ଶଗତ କାରଣ ଓ ମୁଖ୍ୟ କାରଣ ହେଲା ଗଣ୍ଠିରେ ବାରମ୍ବାର ହେଉଥିବା ଆଘାତ। ବୟସ ଓ ମେଦବହୁଳତା ଏହି ରୋଗର ଅନ୍ୟତମ କାରଣ। କିନ୍ତୁ ଅନ୍ୟ ଗଣ୍ଠିବାତ ଭଳି ଗଣ୍ଠି ଭିତରେ ବହୁତ କମ୍‌ ଇନ୍‌ଫ୍ଲାମେସନ୍‌ ହୋଇଥାଏ। ରୋଗାକ୍ରାନ୍ତ ହେଉଥିବା ଗଣ୍ଠି ଉପରେ କାମ କରୁଥିବା ମା˚ସପେଶୀଗୁଡ଼ିକ କ୍ରମେ ଦୁର୍ବଳ ହୋଇଯାଏ। ଫୁଲିଥିବା ଗଣ୍ଠିଟି ଲାଲ୍‌ ହୋଇନଥାଏ ଓ ତତଲା ଲାଗେ ନାହିଁ। ଗଣ୍ଠିଟି ଚଲାଇଲା ବେଳେ ଏକ ପ୍ରକାର ଶବ୍ଦ ହୋଇଥାଏ। ଯାହାକୁ କ୍ରେପିଟସ୍‌ କୁହନ୍ତି। ଏହି ରୋଗର ଲକ୍ଷଣମାନ ଶୀତଦିନରେ ଅଧିକ ହୋଇଥାଏ। ହାତରେ ଗଣ୍ଠି ସବୁ ଟାଣ ହୋଇ ଫୁଲିଯାଇଥାଏ। ତାହାକୁ ‘ହେବେରଡେନ୍‌ ନୋଡ୍‌’ ଓ ‘ବୌକାଡ଼ ନୋଡ’ ବୋଲି କୁହାଯାଇଥାଏ। ଯେଉଁମାନେ ଭାରି ଜିନିଷ ଉଠାନ୍ତି, ପାହାଚ ଓ ସିଡିରେ ତଳ ଉପର ହୁଅନ୍ତି, ସେମାନଙ୍କ ଆଣ୍ଠୁ, ଅଣ୍ଟା ଓ ପାଦରେ କଷ୍ଟ ଅନୁଭୂତ ହୋଇଥାଏ। ଏହି ସବୁକାମ କରିବା ଦ୍ବାରା ଅଷ୍ଟିଓଆର୍ଥ୍ରାଇଟସ୍‌ ଶୀଘ୍ର ଶୋଚନୀୟ ରୂପ ଧାରଣ କରେ। ଅଷ୍ଟିଓଆର୍ଥ୍ରାଇଟିସ୍‌ ଏକ ‘ଡିଜେନେରେଟିଭ୍‌’ ଗଣ୍ଠିବାତ ରୋଗ। ତେଣୁ ଏହା ମୁଖ୍ୟତଃ ବୟସ ଜନିତ ଅଟେ।

ଏକ୍ସ-ରେ କରି ଚିକିତ୍ସା କଲେ ଗଣ୍ଠି ମଧ୍ୟରେ ଥିବା ସ୍ଥାନ ବା ଗ୍ୟାପ କମିଯାଇଥାଏ ଓ ଅଷ୍ଟିଓ ଫାଇଟ୍‌ ସବୁ ବାହାରିଥାଆନ୍ତି। ଗଣ୍ଠି ଭିତରେ ଥିବା ହାଡ଼ଗୁଡ଼ିକ ‘ସ୍କେଲୋସିସ୍‌’ ବା ମୋଟା ହୋଇଥାଏ। ବେଳେବେଳେ ଗଣ୍ଠିରେ ଲକ୍ଷଣ ଶୋଚନୀୟ ଥିଲେ ମଧ୍ୟ ଏକ୍ସରେ ସେମିତି କିଛି ଜଣାପଡେ଼ନାହିଁ। ତେଣୁ ଏମ୍‌ଆର‌୍‌ଆଇ ପରୀକ୍ଷା କରିବାକୁ ପଡେ଼। ଏହି ରୋଗର ଚିକିତ୍ସା ହେଉଛି ଗଣ୍ଠିକୁ ଅକାମି କରି ବସି ରହିବା ଉଚିତ୍‌ ନୁହେଁ। ନିୟମିତ ଭାବେ କିଛି ଶାରୀରିକ ବ୍ୟାୟାମ ଓ ଅତି କମ୍‌ରେ ଦିନକୁ ଅଧଘଣ୍ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିବା ଦରକାର। ଫିଜିଓଥେରାପିଷ୍ଟଙ୍କର ଉପଦେଶ ଅନୁଯାୟୀ ଗଣ୍ଠିରେ କିଛି ଷ୍ଟ୍ରେନ୍ଦେନିଙ୍ଗ ଓ ଆରୋଭିକ୍‌ କଣ୍ତିସନିଙ୍ଗ କରିବା ଦରକାର। ଜୀବନଶୈଳୀରେ ପରିବର୍ତ୍ତନ ଯଥା, ଓଜନ କମାଇବା, କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା, ନିୟମିତ ଶାରୀରିକ ବ୍ୟାୟାମ କରାଯିବା ଉଚିତ୍‌। ଯେଉଁ ପ୍ରକାର ପେସାରେ ଗଣ୍ଠି ବଥା ଅଧିକ ହେଉଛି କିମ୍ବା ଗଣ୍ଠି ଉପରେ ଅଧିକ ଚାପ ପଡୁଛି, ସେହି ପେସାକୁ ତ୍ୟାଗ କରାଯିବା ଉଚିତ୍‌। ବିଭିନ୍ନ ପ୍ରକାର ଦରଜ ଓ ଭିଟାମିନ୍‌ ଏ’, ଡି’, ତୈଳ ମାଲିସ୍‌ କରାଯିବା ଆବଶ୍ୟକ। ନି କ୍ୟାପ କିମ୍ବା ବ୍ରେସ୍‌ ବ୍ୟବହାର କଲେ ଗଣ୍ଠି ଦରଜ କମିଥାଏ। ଗରମ ପାଣି ସେକ ମଧ୍ୟ ଲାଭଦାୟକ। ଦରଜ ବଟିକା ମଧ୍ୟରେ ପାରାସିଟାମଲ ଦିନକୁ ଦୁଇରୁ ତିନିଥର ଖାଇପାରିବେ। ଅଧିକ ମାତ୍ରାରେ ପାରାସିଟାମଲ ଖାଇଲେ ମଧ୍ୟ ବେଳେବେଳେ ଗଣ୍ଠି ବଥା କମିନଥାଏ। ପାରାସିଟାମଲ ସାଙ୍ଗକୁ କିଛି ଦିନ ପାଇଁ ନାପ୍ରୋକ୍ସିନ୍‌ ଏସିକ୍ଲୋଫେନାକ୍‌ ମିଶାଇଲେ ବଥା କମିଯାଏ। ଏହି ସବୁ ଔଷଧ ଖାଇଲେ ଅମ୍ଲ ରୋଗ, ବାନ୍ତି ଓ ଯକୃତ ଖରାପ ହୋଇଥାଏ। ବେଶୀଦିନ ବଥା ଔଷଧ ଖାଉଥିଲେ ଏହି ସବୁ ପ୍ରତି ଧ୍ୟାନ ଦେବା ଉଚିତ୍‌।

-ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର