ଶିଶୁଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଆଦୌ ନିଅନ୍ତୁନି

ଡାକ୍ତର ଦିଲ୍ଲୀପ ଦାସ

କରୋନା ଭାଇରସ୍‌ ଡିଜିଜ୍-୨୦୧୯ (କୋଭିଡ-୧୯) ମହାମାରୀର ରୂପ ନେଇ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି। ଏ ରୋଗ ସଂପର୍କରେ ସମସ୍ତେ ଉଣା ଅଧିକେ ଜାଣିବା ନିହାତି ଆବଶ୍ୟକ। ଏହା କବଳରୁ କିପରି ନିଜକୁ ଓ ନିଜର କୁନିକୁନି ପିଲାମାନଙ୍କୁ ରକ୍ଷା କରିପାରିବା ତାହା ବିଷୟରେ ମଧ୍ୟ ଜାଣିବା ଦରକାର। ଏହି ଭୂତାଣୁଜନିତ ରୋଗ ଆର୍‌ଏନ୍‌ଏ-ଭାଇରସ୍‌ (କରୋନା ଭାଇରସ୍‌) ଦ୍ବାରା ହୋଇଥାଏ। ଏହି ଭୂତାଣୁ ଯେ ଏବେ ନୂଆ କରି ଆସିଛି ତାହା ନୁହେଁ। ଏହା ପୂର୍ବରୁ ବି ଏହି କରୋନା ଭାଇରସ୍‌ ପାଇଁ ଏସ୍‌ଏଆର୍‌ଏସ୍‌ ଓ ଏମ୍‌ଇଆର୍‌ଏସ୍‌ ପରି ମହାମାରୀ ହୋଇ ସାରିଛି। କିନ୍ତୁ ତାହା ବିଶ୍ବର କିଛି ଦେଶ ମଧ୍ୟରେ ସୀମିତ ରହିଥିଲା। ଏହି ଭୂତାଣୁ ପ୍ରଥମେ ପଶୁପକ୍ଷୀମାନଙ୍କଠାରୁ ମନୁଷ୍ୟକୁ ଆକ୍ରାନ୍ତ କରେ ଏବଂ ତା ପରେ ଏହା ମଣିଷରୁ ମଣିଷକୁ ବ୍ୟାପେ। ଭୂତାଣୁ ଶ୍ବାସକ୍ରିୟା କଣିକା (ରେସ୍ପିରେଟୋରି ଡ୍ରପ୍‌ଲେଟ୍‌) ଦ୍ବାରା ଶରୀର ଭିତରେ ପ୍ରବେଶ କରେ। ରୋଗୀ ବ୍ୟବହାର କରୁଥିବା ସାମଗ୍ରୀରୁ ମଧ୍ୟ ଏହା ସଂକ୍ରମିତ ହୋଇଥାଏ।

କୋଭିଡ-୧୯ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତି ଯାଏ, ସୁସ୍ଥ-ଅସୁସ୍ଥ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ। କିନ୍ତୁ ଏହି ରୋଗରେ ମୃତ୍ୟୁହାର ଶିଶୁମାନଙ୍କ ଅପେକ୍ଷା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ହୋଇଥାଏ। ଯେଉଁ ଶିଶୁମାନେ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଥାନ୍ତି ସେମାନଙ୍କୁ ଏହି ‌ରୋଗ ଅଧିକ ପ୍ରଭାବିତ କରିଥାଏ। କରୋନାରେ ଆକ୍ରାନ୍ତ ଶିଶୁମାନେ ବହୁତ ସମୟରେ ଲକ୍ଷଣବିହୀନ ହୋଇଥାନ୍ତି। ଏବଂ ଶତକଡା ୯୦ କୋଭିଡ – ୧୯ ପଜିଟିଭ୍ ଶିଶୁମାନଙ୍କ କ୍ଷେତ୍ରରେ ଏହା ଅଳ୍ପ ଲକ୍ଷଣ, ମଧ୍ୟମ ଲକ୍ଷଣ ଅଥବା ଲକ୍ଷଣବିହୀନ ହୋଇଥାଏ। କିନ୍ତୁ ଏହି ଶିଶୁମାନଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ବୟସ୍କ ଓ ସୁସ୍ଥ‌ଲୋକମାନେ ସଂକ୍ରମିତ ହୋଇଥାନ୍ତି।

କୋଭିଡ ଆକ୍ରାନ୍ତ ଶିଶୁମାନଙ୍କ କ୍ଷେତ୍ରରେ ଜ୍ବର, ଥଣ୍ଡା, କାଶ, ଛିଙ୍କ, ଦେହ ଓ ଗୋଡହାତ ବିନ୍ଧିବା, ହାଲିଆ ଲାଗିବା, ଝାଡା ଓ ବାନ୍ତି ହେବା, ନିଶ୍ବାସ ନେବାରେ ଅସୁବିଧା ହେବା, ବାତ ମାରିବା ଭଳି ଲକ୍ଷଣ ଦେଖାଯାଇପାରେ। ଯଦି ଏହିସବୁ ଲକ୍ଷଣ କୌଣସି ଶିଶୁଠାରେ ଦେଖାଯାଏ କିମ୍ବା ଘରେ କେହି କୋଭିଡ-୧୯ ରୋଗୀ ଚିହ୍ନିଟ ହୁଅନ୍ତି ତେବେ ଯେତେ ଶୀଘ୍ର ଶିଶୁକୁ ନେଇ କରୋନା ପରୀକ୍ଷା କରାଇବା ଆବଶ୍ୟକ।

କୋଭିଡ-୧୯ ମହାମାରୀର ଏ ପର୍ଯ୍ୟନ୍ତ କୌଣସି ନିଶ୍ଚିତ ସଫଳ ଚିକିତ୍ସା କିମ୍ବା ଟିକା ନାହିଁ। କରୋନା ଭାଇରସ୍‌ ଗୋଟିଏ ଲୋକରୁ ଅନ୍ୟକୁ ଶ୍ବାସ କ୍ରିୟାରେ କିମ୍ବା ରୋଗୀ ବ୍ୟବହାର କରୁଥିବା ବସ୍ତୁରୁ ବ୍ୟାପିଥାଏ। ସେଥିପାଇଁ ଶିଶୁମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଆଦୌ ନିଅନ୍ତୁ ନାହିଁ। ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ଭଲ ରହିଲେ କରୋନା ଭୂତାଣୁ ଆକ୍ରାନ୍ତ କରିବାରେ ସଫଳ ହୋଇନଥାଏ। ସେଥିପାଇଁ ଶିଶୁମାନଙ୍କୁ ସୁଷମ ଖାଦ୍ୟ ଦିଅନ୍ତୁ। ଭିଟାମିନ୍‌ ଓ ଜିଙ୍କ୍‌ ମଧ୍ୟ ଆମ ଶ୍ବାସନଳୀର ରୋଗ ପ୍ରତିରୋଧକାରୀ ଶକ୍ତି ବଢାଇଥାଏ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶିଶୁମାନଙ୍କର ବୟସ ଅନୁସାରେ ଟିକାକରଣ। ଏହି ସମୟରେ ଆପଣ ନିଜ ଶିଶୁକୁ ତାର ବୟସ ଅନୁସାରେ ଯେଉଁସବୁ ଟିକା ଦିଆଯାଏ, ସେସବୁ ନିହାତି ଦେବା ଆବଶ୍ୟକ।

ଏହି ମହାମାରୀ ସମୟରେ ଯେହେତୁ ଛୋଟ ପିଲାମାନେ ସ୍କୁଲ ଯାଉ ନାହାନ୍ତି ଏବଂ ଅଧିକ ସମୟ ଘରେ ରହୁଛନ୍ତି, ସେଥିପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଯେମିତିକି ଚିତ୍ରାଙ୍କନ, ଯୋଗ ଅଭ୍ୟାସ, ବ୍ୟାୟାମ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଏହାଦ୍ବାରା ସେମାନଙ୍କର ମାନସିକ ଓ ଶାରୀରିକ ବିକାଶ ହୋଇପାରିବ। ଅଧିକ ସମୟ ଟିଭି କିମ୍ବା ମୋବାଇଲରେ ବ୍ୟସ୍ତ ରହିଲେ ଛୋଟ ପିଲାମାନଙ୍କର ଦୃଷ୍ଟିଶକ୍ତି, ମସ୍ତିଷ୍କର ବିକାଶରେ କୁପ୍ରଭାବ ପଡିଥାଏ। ଏସବୁ ପ୍ରତି ମଧ୍ୟ ଧ୍ୟାନଦେବା ଦରକାର।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ବୁଧବାର)

ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର

ସମ୍ବନ୍ଧିତ ଖବର