ସ୍ୱାସ୍ଥ୍ୟ ସମ୍ବାଦ : କରୋନା, ସେରୋ ସର୍ଭେ ଓ ଆଣ୍ଟିବଡି

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଓଡ଼ିଶାର ଉପାନ୍ତ ଜିଲ୍ଲା ଗଜପତିର ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁକୁ ନେଇ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ଯାହାକି ରାଜ୍ୟରେ ସର୍ବାଧିକ। ସେରୋ ସର୍ଭେ ଦ୍ବାରା ଏହି ତଥ୍ୟ ମିଳିଛି। ଯେଉଁମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହୋଇଥିଲା, ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା। ଗଜପତିରେ ବିଶେଷ କରି ମହିଳାଙ୍କ ମଧ୍ୟରେ ଆଶାତୀତ ଭାବେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଗଜପତିର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ଆସିପାରିଛି କି ନାହିଁ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ସେମାନଙ୍କ ଅନୁଧ୍ୟାନ କରିବାକୁ ପଡ଼ିବ। ପ୍ରକୃତରେ ତାହା ଭୂତାଣୁ ରୋକିବାରେ ସକ୍ଷମ ହୋଇପାରୁଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ପୂର୍ବରୁ ଭୁବନେଶ୍ବର, ପୁରୀ, ବ୍ରହ୍ମପୁର, ରାଉରକେଲାରେ ସେରୋ ସର୍ଭେ ହୋଇସାରିଛି। ପୁରୀରେ କେବଳ ସମ୍ବେଦନଶୀଳ ଲୋକମାନଙ୍କର ସେରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁରରେ ୩୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବା ବେଳେ ଭୁବନେଶ୍ବର ପ୍ରଥମ ପର୍ଯ୍ୟାୟରେ ୧ .୪ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଆଣ୍ଟିବଡ଼ି ଥିବା ଦେଖିବାକୁ ମିଳିଥିଲା। ରାଉତରକେଲାରେ ଏକ ଚତୁର୍ଥାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ରହିଥିବା ସେରୋ ସର୍ଭେରୁ ଜଣାପଡ଼ିଛି।

ଗୋଟିଏ ରାଜ୍ୟ ବା ସହରରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ କେତେ ବ୍ୟାପୁଛି, ତାହା ଜାଣିବା ପାଇଁ ଏହି ସେରୋଲୋଜିକାଲ ସର୍ଭେ କରାଯାଇଥାଏ। ଏଥିରୁ କେତେ ଲୋକଙ୍କ ରକ୍ତରେ ଆଣ୍ଟିବଡ଼ି ରହିଛି, ତାହା ଜଣାପଡ଼ିଥାଏ। ମହାରାଷ୍ଟ୍ରର ପୁନେରେ ହୋଇଥିବା ସଦ୍ୟ ସର୍ଭେରେ ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ରହଥିବା ଜଣାପଡ଼ିଥିଲା। ଭୂତାଣୁ ଶରୀର ମଧ୍ୟରେ ଯେବେ‌ ପ୍ରବେଶ କରେ, ଶରୀର ତାହାକୁ ତଡ଼ିବା ପାଇଁ କିଛି ପ୍ରୋଟିନ୍‌ ତିଆରି କରିଥାଏ, ତାହାକୁ ଆଣ୍ଟିବଡ଼ି କୁହାଯାଏ। ଶରୀରରେ ଭୂତାଣୁ ପଶିବା ପରେ ଆପେ ଆପେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଏହି ଆଣ୍ଟିବଡ଼ିର ଆକାର ଇଂରାଜୀ ଅକ୍ଷର ‘ୱାଇ’ ସଦୃଶ ହୋଇଥାଏ। ବିଶେଷଜ୍ଞଙ୍କ ମୁତାବକ ୪୦ ରୁ ୬୦% ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହେବା ଦ୍ବାରା ହର୍ଡ ଇମ୍ୟୁନିଟି ପର୍ଯ୍ୟାୟ ଆରମ୍ଭ ହୋଇଥାଏ। ଏହା ପରେ ଭୂତାରୁ ସଂକ୍ରମଣ ଏକ ସାଧାରଣ ରୋଗରେ ସୀମିତ ରହିଯାଏ। ଏଥିପାଇଁ ଟିକା କିମ୍ବା ଦାମୀ ଔଷଧର ଆବଶ୍ୟକ ପଡ଼ି ନଥାଏ।

ମଣିଷର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରି ପାରିନଥାଏ। କିନ୍ତୁ ବେ‌େଳ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନକରି ନିଜ ଶରୀର ବିରୁଦ୍ଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ ସହିତ ମିଶି ଶରୀର ବିରୁଦ୍ଧରେ ଲଢ଼ିଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇ ରହିଥାଏ। ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ ଯାହା ଦ୍ବାରା ଶରୀରର ରକ୍ତଚାପ କମିଯାଇ ଏହା ପ୍ରଭାବରେ ଲିଭର, କିଡ୍‌ନୀ, ହାର୍ଟ ଓ ଫୁସ୍‌ଫୁସ୍‌ ପରି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ। ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ। କରୋନା ସଂକ୍ରମଣରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ। ୧୯୧୮ରେ ଦେଖା ଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା। ଏଚ-୧ ଏନ୍‌-୧ ସ୍ବାଇନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ବାସ ହେଉଛି। ସାଧାରଣତଃ ରୋଗ ପ୍ରତିରୋଧକ କ୍ଷମତାକୁ ସ୍ବାଭାବିକ କରିବା ଲାଗି ଷ୍ଟିରଏଡର ବ୍ୟବହାର ‌କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ। ଶରୀରରେ ସାଇଟୋକାଇନ୍‌ଷ୍ଟର୍ମ ସୃଷ୍ଟି ହୋଇଥିବା ବି‌ଷୟରେ ସହଜରେ ଜଣାପଡ଼ିନଥାଏ। ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏ କ୍ଷେତ୍ରରେ ଟୋସିଲିଜୁମାଚ୍‌ ବେଶ ସଫଳତାର ସହିତ କାମ କରିଥାଏ ବୋଲି ‌ଗବେଷକ ମତ ଦେଉଛନ୍ତି।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ

ସମ୍ବନ୍ଧିତ ଖବର

Comments are closed.