ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଛାତି ଯନ୍ତ୍ରଣା

ଡାକ୍ତର ଦୀପକ ର˚ଜନ ଦାସ

କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ। ଜ୍ବର, କାଶ, ଗଳା ଦରଜ, ହାଲିଆ ଲାଗିବା, ମା˚ସପେଶୀ ଓ ଗଣ୍ଠି ଦରଜ ହେବା, ପତଳା ଝାଡ଼ା ହେବା, ମୁଣ୍ତ ବିନ୍ଧିବା, ସ୍ବାଦ ବାରି ନପାରିବା, ବାସ୍ନା ଜାଣି ନପାରିବା, ଧଇଁସଇଁ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହି ସବୁ ଲକ୍ଷଣ ଭିତରୁ ଛାତି ଯନ୍ତ୍ରଣା ହେବା ଅଥବା ଛାତି ରୁନ୍ଧି ହୋଇଯିବା ପରି ଲାଗିବା ଗୋଟିଏ ଗୁରୁତର ଲକ୍ଷଣ।

ବର୍ତ୍ତମାନ ସମୟରେ ଅଧିକ ସ˚ଖ୍ୟକ କରୋନା ଆକ୍ରାନ୍ତ ବ୍ୟକ୍ତି ‘ଘରୋଇ ଚିକିତ୍ସା’ ବା ‘ହୋମ୍‌ କ୍ବାରାଣ୍ଟିନ୍‌’ରେ ରହୁଛନ୍ତି। କିନ୍ତୁ ଯେଉଁ କେତେକ ଲକ୍ଷଣ ଦେଖା ଗଲେ କାଳବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କୁହା ଯାଇଥାଏ, ତା’ ଭିତରୁ ଛାତି ଯନ୍ତ୍ରଣା ଅନ୍ୟତମ। ସାଧାରଣ ଭାବେ ଲୋକମାନେ ଭାବନ୍ତି ଛାତି ଯନ୍ତ୍ରଣା ହେବା ଅର୍ଥ ‘ହୃଦ୍‌ଘାତ’ ବା ‘ହାର୍ଟ ଆଟାକ’। ବାସ୍ତବିକ ଏହା ଏକ ଭ୍ରାନ୍ତ ଧାରଣା। କାରଣ ଆମ ଛାତି ବା ବକ୍ଷଭାଗରେ ଅନେକ ଗୁଡ଼ିଏ ଅଙ୍ଗ ନିବେଶିତ ହୋଇଛନ୍ତି। ଯଥା ଫୁସ୍‌ଫୁସ୍‌, ଇସୋଫାଗସ (ଆମ ଖାଦ୍ୟନଳୀର ଏକ ଅ˚ଶବିଶେଷ), ହୃଦ୍‌ ଯନ୍ତ୍ର, ଫୁସ୍‌ଫୁସ୍‌ ବାହାରର ଆବରଣ (ପ୍ଲୁରା), ହୃଦ୍‌ଯନ୍ତ୍ର ବାହାରର ଆବରଣ (ପେରିକାର୍ଡିଅସ୍‌), ପଞ୍ଜରା ହାଡ଼, ଭରାସ୍ଥି ବା ଷ୍ଟରନମ, ଥାଇମସ୍‌, ମୁଖ୍ୟଧମନୀ (ଆଓର୍ଟା), ମୁଖ୍ୟ ଶିରା (ଭେନାକାଭା) ଓ ଆହୁରି ଅନେକ ଅଙ୍ଗ। ଏହି ଅଙ୍ଗମାନଙ୍କ ମଧ୍ୟରୁ ଯେ କୌଣସିଠାରେ ରୋଗ ବା ଅସୁବିଧା ହେତୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇପାରେ। ଏହା ମଧ୍ୟ ଭାବିବା ସମ୍ପୂର୍ଣ୍ଣ ଭ୍ରାନ୍ତିକର ଯେ, ସବୁ ହୃଦ୍‌ଘାତ ରୋଗୀ ଅଳ୍ପ ସମୟରେ ମୃତ୍ୟୁବରଣ କରନ୍ତି।

ତେବେ କରୋନା ପୀଡ଼ିତଙ୍କ କ୍ଷେତ୍ରରେ ଛାତିରେ ଯନ୍ତ୍ରଣା ହେବାକୁ ମୁଖ୍ୟତଃ ଦୁଇଟି ଜଟିଳତା ହେତୁ ଅଧିକ ଗୁରୁତ୍ବ ଦିଆଯାଏ। ଫୁସ୍‌ଫୁସ୍‌ର ବାହିକାରୋଧ ବା ‘ଏମ୍ବୋଲିଜମ୍‌’ ତନ୍ମଧ୍ୟରୁ ସର୍ବପ୍ରଥମ। କରୋନା ଭୂତାଣୁ ଆକ୍ରାନ୍ତଙ୍କ କ୍ଷେତ୍ରରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିଯାଇ ଛୋଟଛୋଟ ପିଣ୍ତୁଳା ଆକାରରେ ଧମନୀ ବା ଶିରାରେ ପ୍ରବାହିତ ହୋଇଥାନ୍ତି। ଏହି ଛୋଟ ପିଣ୍ତୁଳାଗୁଡ଼ିକଙ୍କ ମଧ୍ୟରୁ କେତୋଟି ବେଳେବେଳେ ଫୁସ୍‌ଫୁସ୍‌ ବା ହୃଦ୍‌ଯନ୍ତ୍ରର ଧମନୀଗୁଡ଼ିକୁ ଅବରୁଦ୍ଧ କରି ଦିଅନ୍ତି। ଫୁସ୍‌ଫୁସ୍‌ର ଧମନୀକୁ ଅବରୁଦ୍ଧ କରିବା ଫଳରେ ଫୁସ୍‌ଫୁସ୍‌ର ନିର୍ଦ୍ଧିଷ୍ଟ ଅ˚ଶକୁ ରକ୍ତ ସ˚ଚାଳନ ହେବାରେ ବ୍ୟାଘାତ ଘଟିଥାଏ ଏବ˚ ସେହି ଅ˚ଶଟି ଗୁରୁତର ଭାବେ କାର୍ଯ୍ୟଦକ୍ଷତା ହରାଇ ମୃତ ଅବସ୍ଥାରେ ପହଞ୍ଚିଯାଏ। ଏହି ଜଟିଳ ସମସ୍ୟା ବିଷୟରେ ଆମେ ରକ୍ତ ପରୀକ୍ଷା ବା ଛାତିର ସିଟି ସ୍କାନ ପରୀକ୍ଷା କରି ଜାଣିପାରିବା। ସେ ବିଷୟରେ ଜାଣିବାମାତ୍ରେ କେତୋଟି ନିର୍ଦ୍ଧିଷ୍ଟ ପ୍ରକାରର ରକ୍ତକୁ ତରଳ କରି ପ୍ରବାହିତ କରିବା ଇଞ୍ଜେକ୍‌ସନ ରୋଗୀଙ୍କୁ ସାଙ୍ଗେସାଙ୍ଗେ ଦିଆଯାଇଥାଏ।

ଆଉ ଗୋଟିଏ ଗୁରୁତର କାରଣ ହେତୁ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ କ୍ଷେତ୍ରରେ ଛାତିରେ ଯନ୍ତ୍ରଣା ହୋଇପାରେ। କରୋନା ଭୂତାଣୁ ବେଳେବେଳେ ହୃଦ୍‌ଯନ୍ତ୍ରର ମା˚ସପେଶୀକୁ ଆକ୍ରାନ୍ତ କରିଥାଏ। ଯାହାକୁ ‘ମାୟୋକାର୍ଡାଇଟିସ୍‌’ କୁହାଯାଇଥାଏ। ଏହି ଅସୁବିଧା ହେଲେ ରୋଗୀର ହୃଦ୍‌ସ୍ପନ୍ଦନ ଅସ୍ବଭାବିକ ଭାବେ ବଢିଯାଇପାରେ। ଅଥବା ତାକୁ ଅଣନିଶ୍ବାସୀ ଲାଗିପାରେ ବା ଛାତିରେ ଯନ୍ତ୍ରଣା ହୋଇପାରେ। ସାଧାରଣତଃ ଏଭଳି ରୋଗୀଙ୍କୁ ନିରୀକ୍ଷଣରେ ରଖିବା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଥାଏ। ଏହି ରୋଗୀମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ନିହାତି ଜରୁରି। କିନ୍ତୁ ଅନେକ ଲୋକଙ୍କ କ୍ଷେତ୍ରରେ ଏହି ଦୁଇଟି ଗୁରୁତର କାରଣ ନଥାଇ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ।

ଶରୀରର ମା˚ସପେଶୀମାନଙ୍କରେ ଯନ୍ତ୍ରଣା ହେବା କରୋନା ପୀଡ଼ିତମାନଙ୍କ କ୍ଷେତ୍ରରେ ଏକ ସାଧାରଣ ଲକ୍ଷଣ। ଆମ ଛାତିରେ ପଞ୍ଜରା ହାଡ଼ଗୁଡ଼ିକ ମଧ୍ୟରେ ମା˚ସପେଶୀ ରହିଥାଏ, ଯାହାକି ଶ୍ବାସ ପ୍ରକ୍ରିୟାରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ମା˚ସପେଶୀଗୁଡ଼ିକରେ ଯନ୍ତ୍ରଣା ହେଲେ ମଧ୍ୟ ବ୍ୟକ୍ତିଜଣକ ଛାତିରେ ଯନ୍ତ୍ରଣା ହେଉଛି ବୋଲି ଅନୁଭବ କରିଥାନ୍ତି। ଏ କ୍ଷେତ୍ରରେ ସାଧାରଣ ଭାବେ ବ୍ୟବହୃତ ହେଉଥିବା ପାରାସିଟାମଲ ଔଷଧ ଠିକ୍‌ ମାତ୍ରାରେ ଦିଆଯାଇ ଚିକିତ୍ସା କରାଯାଇଥାଏ। ଆହୁରି ମଧ୍ୟ କେତେକ କ୍ଷେତ୍ରରେ ଦେଖାଯାଏ ଯେ, ରୋଗୀକୁ ବାସ୍ତବିକ ଅଣନିଶ୍ବାସୀ ଲାଗୁଥିଲେ ମଧ୍ୟ ସେ ଛାତି ଯନ୍ତ୍ରଣା ହେଉଛି ବୋଲି କହିଥାନ୍ତି। ତେଣୁ ଏହି ରୋଗୀମାନଙ୍କର ରକ୍ତରେ ଅମ୍ଳଜାନର ମାତ୍ରା ଜାଣିବା ନିହାତି ଆବଶ୍ୟକ। ଯଦି ଅମ୍ଳଜାନର ମାତ୍ରା ଶତକଡ଼ା ୯୪ ଭାଗରୁ କମ୍‌ ପରିଲକ୍ଷିତ ହୁଏ, ସେ ପରିସ୍ଥିତିରେ ନାକବାଟେ ଅମ୍ଳଜାନ ଯୋଗାଇବା ଜରୁରି ହୋଇପାରେ। ଯେଉଁ ସ୍ଥାନମାନଙ୍କରେ ସିଟି ସ୍କାନ୍‌ର ସୁବିଧା ନାହିଁ, ସେଠାରେ ଅନ୍ତତପକ୍ଷେ ଛାତିରେ ଏକ୍ସ-ରେ ଏବ˚ ଇସିଜି କରିବା ଅତ୍ୟନ୍ତ ଉପାଦେୟ। ଅଳ୍ପସମୟ ମଧ୍ୟର ଏହି ରୋଗୀମାନଙ୍କୁ ଉପଯୁକ୍ତ ପରାମର୍ଶ ମିଳିପାରିଲେ ଅତ୍ୟାବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବା ସମ୍ଭବପର ହୋଇପାରିବ।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ରବିବାର)

ଆସୋସିଏଟ୍‌ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର