ବାୟୁ ପ୍ରଦୂଷଣ ଅନେକ ରୋଗର କାରଣ। ଯଦିଓ ସିଧାସଳଖ ଭାବେ ନୁହେଁ ତଥାପି କେତେକାଂଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବାରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ ହୋଇଛି। କରୋନା କାରଣରୁ ଯେଉଁ ୧୭ ପ୍ରତିଶତ ମୃତ୍ୟୁ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡିକରେ ଓ ୨୭ ପ୍ରତିଶତ ମୃତ୍ୟୁ ଏସିଆ ମହାଦେଶରେ ଦେଖାଦେଇଛି, ତାର ଅନ୍ୟତମ ମୁଖ୍ୟ କାରଣ ହୋଇଛି ବାୟୁ ପ୍ରଦୂଷଣ।
କେଉଁ ପ୍ରକାର ପ୍ରଦୂଷଣ କରୋନା ସଂକ୍ରମିତଙ୍କ ପାଇଁ କ୍ଷତିକାରକ?
ପେଟ୍ରୋଲ ଓ ଡିଜେଲର ଧୂଆଁ। ସିମେଣ୍ଟ ଗୁଣ୍ଡ, ପଥର ଖାଦାନର ଗୁଣ୍ଡ, ରାସ୍ତା ତିଆରିର ଗୁଣ୍ଡ, କାଠ ଚୁଲି, ଗୋବର ଘସି ଧୂଆଁ ଏବଂ ଯେ କୌଣସି ସ୍ଥାନରେ ଯଦି ଅତ୍ୟଧିକ ପରିମାଣରେ ଧୂଳି ଉଡୁଛି, ତାହେଲେ ସେଭଳି ସ୍ଥାନ କୋଭିଡ୍ ରୋଗୀଙ୍କ ପାଇଁ ବିପଦ।
କରୋନା ରୋଗୀ କେଉଁ କାରଣରୁ ବାୟୁ ପ୍ରଦୂଷଣରୁ ଦୂରେଇ ରହିବେ?
ବାୟୁ ପ୍ରଦୂଷଣ କରୋନା ରୋଗୀଙ୍କ ଫୁସ୍ଫୁସ୍, ହୃତପିଣ୍ଡକୁ ପ୍ରଭାବିତ କରିଥାଏ। ଫୁସ୍ଫୁସ୍ରେ ରୋଗପ୍ରତିରୋଧକ ସେଲ୍ଗୁଡିକୁ ଏହା ଅଟକାଇ ଥାଏ। ଯେଉଁ କାରଣ ପାଇଁ କରୋନାର ସଂକ୍ରମଣ ବୃଦ୍ଧି ପାଇଥାଏ। ଯେଉଁ ରୋଗୀମାନଙ୍କର ପୂର୍ବରୁ ଆସ୍ଥାମା, ସିଓପିଡି ରୋଗ ରହିଛି, ସେମାନେ ଯଦି କରୋନା ଆକ୍ରାନ୍ତ ହୋଇଥାନ୍ତି ଏବଂ ବାୟୁ ପ୍ରଦୂଷଣ ଦ୍ବାରା ପ୍ରଭାବିତ( ଏକ୍ସପୋଜ) ହୋଇଥାନ୍ତି, ତାହେଲେ ସେମାନଙ୍କର ପୂର୍ବ ରୋଗର ମାତ୍ରା ବୃଦ୍ଧି ପାଇଥାଏ ଓ ସେମାନେ ଅଧିକ ଗୁରୁତର ହୋଇପଡନ୍ତି। ବହୁ କ୍ଷେତ୍ରରେ ଦେଖାଦେଇଛି ଯେ ବାୟୁ ପ୍ରଦୂଷଣର କ୍ଷୁଦ୍ର ଅଂଶଗୁଡିକ ଫୁସ୍ଫୁସ୍ ଦ୍ବାରା ଆମର ରକ୍ତ କୋଶିକାରେ ମିଶିଥାଏ। ଯାହାକି ଫୁସ୍ଫୁସ୍ ଓ ହାର୍ଟର ରକ୍ତ ଶିରାଗୁଡିକରେ ରକ୍ତକୁ ଜମାଟ କରିଥାଏ। କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଯାହା ଫଳରେ ହାର୍ଟ ଆଟାକ୍ ଭଳି ଗୁରୁତର ସମସ୍ୟା ସୃଷ୍ଟି ହେଉଛି।
ପ୍ରଦୂଷଣରୁ କେମିତି ନିଜକୁ ଦୂରେଇ ରଖିବେ କରୋନା ରୋଗୀ ?
ବାହାରକୁ ବାହାରିବା ସମୟରେ ନିଶ୍ଚିତ ମାସ୍କ ପିନ୍ଧନ୍ତୁ। ଦୁଇ ଚକିଆ ଯାନରେ ଯିବା ସମୟରେ ଅଧିକ ଧୂଳି, ଧୂଆଁଠାରୁ ଦୂରେଇ ରୁହନ୍ତୁ। ଚାରିଚକିଆ ଯାନରେ ଯିବା ସମୟରେ କାଚ ବନ୍ଦ କରି ରଖନ୍ତୁ। ନିଜ ଅଗଣାକୁ ଝାଡୁ କରିବା ସମୟରେ ପାଣି ପକାନ୍ତୁ , ଯେମିତି ଧୂଳି ନ ଉଡେ। ସିମେଣ୍ଟ, ବାଲି କାର୍ଯ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ। ବିଡି, ସିଗାରେଟ୍ ପିଅନ୍ତୁ ନାହିଁ, କି ପିଇବା ଲୋକ ପାଖକୁ ଯାଆନ୍ତୁ ନାହିଁ। କାଠ ଚୁଲି, ଗୋବର ଘସି ଆଦୌ ବ୍ୟବହାର କରନ୍ତୁ ନାହିଁ। ଶ୍ବାସ ରୋଗୀମାନେ ନିଜର ଔଷଧ, ଇନ୍ହେଲରକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ।
ପୋଷ୍ଟ କୋଭିଡ୍ ସମୟରେ ବାୟୁ ପ୍ରଦୂଷଣର ପ୍ରଭାବ
କୋଭିଡ୍ ସଂକ୍ରମଣରୁ ଫୁସ୍ଫୁସ୍ ସୁସ୍ଥ ହେବା ପାଇଁ ୩ରୁ ୬ମାସ ସମୟ ନେଇଥାଏ। ତେଣୁ ଗୁରୁତର କରୋନା ରୋଗୀ ଯେତେବେଳେ ଭଲ ହେବା ସମୟରେ ବାୟୁ ପ୍ରଦୂଷଣର ଏକ୍ସପୋଜ ହୁଅନ୍ତି, ତାଙ୍କର ଶ୍ବାସ ଜନିତ ସମସ୍ୟା ବଢିଯାଏ। କାଶ ହେବା, ଧଇଁସଇଁ ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ତେଣୁ ପୋଷ୍ଟ କୋଭିଡ୍ କ୍ଷେତ୍ରରେ ବି ବାୟୁ ପ୍ରଦୂଷଣଠାରୁ ଦୂରେଇ ରହିବା ଉଚିତ୍।
ଅଶ୍ବିନୀ ହସ୍ପିଟାଲ