ଶରୀରର ଯେ କୌଣସି ଅଙ୍ଗ ଯେତେବେଳେ ସିଭିୟର ଇନ୍ଫ୍ଲାମେସନ୍ରୁ ଭଲ ହୁଏ, ସେଠି ଫାଇବ୍ରସ୍ ଟିସୁ ତିଆରି ହୋଇଥାଏ। ଯେପରିକି ଜଳି ଯାଇଥିବା ଚର୍ମ ଯେତେବେଳେ ଭଲ ହୁଏ, ସେହି ସମୟରେ ମଧ୍ୟ ତାରି ଉପରେ ଏକ ଆବରଣ ପଡିଯାଏ। ଯାହାକୁ ଫାଇବ୍ରସ୍ ଟିସୁ ବୋଲି କୁହାଯାଏ। ସେହିପରି ଫୁସ୍ଫୁସ୍ରେ ଯଦି କିଛି ସଂକ୍ରମଣ ଅଧିକ ପରିମାଣରେ ହୁଏ, ତାହେଲେ ସେଥିରେ ଫାଇବ୍ରସ୍ ଟିସୁ ତିଆରି ହୋଇଥାଏ। ଅନ୍ୟପଟେ କିଛି କରୋନା ରୋଗୀଙ୍କର ଫୁସ୍ଫୁସ୍ ଯେତେବେଳେ ସଂକ୍ରମଣରୁ ଭଲ ହୁଏ ସେଥିରେ ଫାଇବ୍ରସ୍ ଟିସୁ ମଧ୍ୟ ତିଆରି ହୋଇଥାଏ।
କେଉଁ ରୋଗୀଙ୍କ ପାଖରେ ଏଭଳି ଦେଖାଯାଏ: ପୋଷ୍ଟ କୋଭିଡ୍ ଫାଇବ୍ରୋସିସ୍ ସମସ୍ତଙ୍କଠାରେ ଦେଖାଯାଏ ନାହିଁ। ଅଳ୍ପ କ୍ଷେତ୍ରରେ ଏହା ଦେଖା ଦେଇଥାଏ। ପ୍ରଥମତଃ ଯେଉଁ ଆକ୍ରାନ୍ତମାନଙ୍କଠାରେ ଅଧିକ ମାତ୍ରାରେ ସଂକ୍ରମଣ ହୋଇଥାଏ, ଯେଉଁମାନଙ୍କର କରୋନା ସମୟରେ ଅକ୍ସିଜେନ, ଭେଣ୍ଟିଲେଟର ଆବଶ୍ୟକ ପଡିଥାଏ ଏବଂ କିଛି ରୋଗୀ ଯେଉଁମାନଙ୍କର ପୂର୍ବରୁ ଆଣ୍ଠୁଗଣ୍ଠି ବାତ ଜନିତ ରୋଗ ଥାଏ , ଯେପରି କି ରୁମାଟିକ୍ ଆଥ୍ରାଇଟିସ୍ ଥାଏ, ସେଭଳି ରୋଗୀଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯିବାର ଆଶଙ୍କା ଥାଏ।
ଏହାର ଲକ୍ଷଣ:କରୋନାରୁ ସୁସ୍ଥ ହେବା ପରେ ବି ଧଇଁସଇଁ ଲାଗିବା, କାଶ ହେବା, କାମ କରିବା ବା ଚାଲିବା ସମୟରେ ନିଶ୍ବାସ ନେବାରେ କଷ୍ଟ ହେବା, ଛାତି ଜାମ୍ ରହିବା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ।
ରୋଗକୁ କିପରି ଚିହ୍ନିବେ: ହସ୍ପିଟାଲରେ ଆଡମିସିନ୍ ହୋଇଥିବା ସମୟରେ ସିଟି ସ୍କାନ୍ରେ ହିଁ ଏହି ରୋଗ ଧରାପଡିଥାଏ। ପୋଷ୍ଟ କୋଭିଡ୍ରେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବାବେଳେ ମାସେ ପରେ ବି ସିଟି ସ୍କାନ୍ରେ ଏହା ଧରାପଡିଥାଏ। ଏହି ରୋଗ କେତେଦୂର ସଂକ୍ରମିତ ସେ ସଂପର୍କରେ ଜାଣିବା ପାଇଁ ଅନେକ ପରୀକ୍ଷା କରାଯାଏ ଯେପରିକି (ସ୍ପାଇରୋମେଟ୍ରି, ଡିଏଲ୍ସିଓ, ସିକ୍ସ ମିନିଟ୍ ୱାକ୍ ଟେଷ୍ଟ)।
ଏହାର ଚିକିତ୍ସା:ଥରେ ଫାଇବ୍ରୋସିସ୍ ହେବା ମାତ୍ରେ ଏଥିରୁ ସହଜରେ ମୁକୁଳି ହୁଏନି ବା ଶୀଘ୍ର ଭଲ ହୁଏନି। କିନ୍ତୁ କିଛି ଔଷଧ ଦ୍ବାରା ଏହାର ବୃଦ୍ଧିକୁ ରୋକାଯାଇପାରିବ। ଏହାପାଇଁ ଔଷଧ ଉପଲବ୍ଧ ରହିଛି। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଓ ପରୀକ୍ଷା ରିପୋର୍ଟକୁ ନେଇ, ଡାକ୍ତର ରୋଗୀର ଅବସ୍ଥାକୁ ଦେଖି ଔଷଧ ଦେଇଥାନ୍ତି। ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ ଆଦୌ ଔଷଧ ନିଅନ୍ତୁନି।
ଫଲୋଅପ୍: ଯେଉଁ ରୋଗୀମାନଙ୍କର ଏହି ଚିକିତ୍ସା ଆରମ୍ଭ କରାଯାଇଥାଏ, ସେମାନେ ମାସକୁ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ତାଙ୍କର ରୋଗର ଉନ୍ନତି କେତେ ଦୂର ହେଉଛି ତାକୁ ଜାଣିବା ପାଇଁ ଡାକ୍ତର କିଛି ପରିମାଣରେ ପରୀକ୍ଷା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି। ଦରକାର ପଡିଲେ ୨ୟ ଥର ସିଟି ସ୍କାନ୍ ବି କରାଯାଇପାରେ। ଏହି ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦୀର୍ଘଦିନ ଧରି ଖାଇବାକୁ ପଡିଥାଏ।
ଗୁରୁତର କରୋନା ସଂକ୍ରମିତଙ୍କଠାରେ ଫୁସ୍ଫୁସ୍ ଫାଇବ୍ରୋସିସ୍ ଦେଖାଦେଇଥାଏ। ଏହାଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କଠାରେ ଯଦି ଠିକ୍ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ଆରମ୍ଭ କରାଯାଏ, ତାହେଲେ ଏହା ଆଗକୁ ବଢିପାରେନି। ଏବଂ କିଛି କ୍ଷେତ୍ରରେ ଏହା ସମୟ ଅନୁସାରେ ଭଲ ମଧ୍ୟ ହୋଇଯାଏ। ତେଣୁ ଏଭଳି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀ ଓ ପରିବାରବର୍ଗ ଆଦୌ ଭୟ କରନ୍ତୁନି। ବରଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କଲେ ରୋଗୀ ଭଲ ହୋଇଯିବ। ଠିକ୍ ଚିକିତ୍ସା ଦ୍ବାରା ରୋଗୀ ସୁସ୍ଥ ହୋଇପାରିଥାଏ।
ଅଶ୍ବିନୀ କୋଭିଡ୍ ହସ୍ପିଟାଲ