ବାପ-ପୁଅଙ୍କ ସଂପର୍କ ମଧୁର ରହିବାର ସୂତ୍ର!

ଆଜିକାଲି ଦେଖିବାକୁ ମିଳୁଛି ଯେ ମାଆମାନଙ୍କ ସହିତ ପିଲାମାନେ ଯେତିକ ସହଜ ବା ଆନନ୍ଦିତ ଅନୁଭବ କରୁଛନ୍ତି ବାପାଙ୍କ ସହ ସେତେଟା ସହଜ ହୋଇ ପାରିନଥାନ୍ତି। ତାହାର କାରଣ ବାପାଙ୍କ ବ୍ୟସ୍ତତା ହେଉ ଅବା ପିଲାଙ୍କ ପ୍ରତି ସ୍ନେହ ଯଚେଇ ନ ପାରିବାର ଅପାରଗତା ହେଉ। ବାପା-ଝିଅଙ୍କ ସଂପର୍କ ସେତେଟା ଖରାପ ନ ହେଲେ ବି ଆଜିକାଲି ବାପ-ପୁଅଙ୍କ ମଧ୍ୟରେ ସେପରି ସୁସଂପର୍କ ଦେଖିବାକୁ ମିଳୁନାହିଁ। ତେବେ, ନିମ୍ନରେ ଉଲ୍ଲେଖ କରାଯାଇଛି କ’ଣ କଲେ ଆପଣ ଆପଣଙ୍କ ପୁଅଙ୍କ ସହ ସୁସଂପର୍କ ରଖିବାରେ ସମର୍ଥ ହେବେ।

-କଥାରେ ଅଛି ବାପର ଚପଲ ପୁଅ ପିନ୍ଧିବା ବୟସର ହେଲେ ସେ ଦୁହେଁ ବନ୍ଧୁ ପାଲଟି ଯାଆନ୍ତି। ଏହା କେବଳ ଶୁଣିବା ପାଇଁ ନୁହେଁ। ବାସ୍ତବରେ ଆପଣ ନିଜର ସଂପର୍କ ନିଜ ପୁଅ ସହ ସେପରି ରଖିବାକୁ ଚେଷ୍ଟା କରନ୍ତୁ। ନିଜେ ହିଁ ପୁଅ ସମ୍ମୁଖରେ ଜଣେ ଖୋଲା ବ୍ୟକ୍ତତ୍ୱର ପରିଚୟ ଦିଅନ୍ତୁ, ଦେଖିବେ ଆପଣଙ୍କ ପୁଅ ନିଜର ସମସ୍ତ ଗୋପନ କଥା ଆପଣଙ୍କ ସହ ବାଣ୍ଟିପାରନ୍ତି।

-ନିଜ ପୁଅ ସହ ନିଜର ପୁସ୍ତକ , ଗୀତ ଏବଂ ଖାଇବା ପସନ୍ଦ ବିଷୟରେ ଆଲୋଚନା କରନ୍ତୁ। ଏହାସହିତ ପୁଅର ପସନ୍ଦ ଜାଣିବା ପରେ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପସନ୍ଦର ଗୀତ ଶୁଣନ୍ତୁ, ବହି ପଢ଼ନ୍ତୁ। ଦେଖିବେ ସେ ଅନ୍ୟନ୍ତ ଖୁସି ହୋଇ ଆପଣଙ୍କ ପସନ୍ଦକୁ ବି ନିଜେ ବେଳେ ବେଳେ ଆପଣେଇବାକୁ ଚେଷ୍ଟା କରିବେ। ଏପରି କଲେ ସଂପର୍କ ମଜବୁତ୍‌ ରୁହେ।

-ପିଲାଙ୍କର ଛୋଟ ଛୋଟ ଭୁଲ୍‌ ରହିଥାଏ। ସେଥିପାଇଁ ତାଙ୍କୁ ଗାଳି ଦିଅନ୍ତୁ ମାତ୍ର ରୁକ୍ଷ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ମନେ ରଖନ୍ତୁ ପିଲାଙ୍କ ଭୁଲ୍‌ ଦେଖି ଅଣଦେଖା କରିବାବି ସେମାନଙ୍କ ଚରିତ୍ର ଗଠନକୁ ଅଣଦେଖା କରିବା ସହ ସମାନ। ପିଲାଙ୍କ ପାଇଁ ଗମ୍ଭୁର ହୁଅନ୍ତୁ ମାତ୍ର କଠୋର ହୁଅନ୍ତୁ ନାହିଁ।

-ବାପ-ପୁଅଙ୍କ ସୁସଂପର୍କ ପାଇଁ ମାଆମାନେ ବି ଟିକେ ସଚେତନ ହେବା ଜରୁରୀ। ପିଲା ଯଦି କୌଣସି କାରଣରୁ ବାପାଙ୍କ ଉପରେ ଚିଡ଼ିଯାନ୍ତି ତେବେ ମାଆଙ୍କ କର୍ତ୍ତବ୍ୟ ତାଙ୍କୁ ଆୟତ୍ତ କରିବା। ସବୁବେଳେ ବାପାଙ୍କୁ ଠିକ୍‌ ବୋଲି କହି ପିଲାଙ୍କୁ ବାରଣ କରିବା ବି ଉଚିତ ନୁହେଁ। ଏହା ଫଳରେ ସେମାନଙ୍କ ଉପରେ ନକରାତ୍କମ ପ୍ରଭାବ ପଡ଼ିଥାଏ। ପିଲାମାନେ ଅତ୍ୟନ୍ତ ମାଆ ପ୍ରେମୀ ହୋଇଥିବାରୁ ମାଆଙ୍କ ମୁହଁରୁ ସବୁବେଳେ ସମର୍ଥନ ପାଉଥିବା ଲୋକ ପ୍ରତି ଟିକେ ଈର୍ଷାଳୁ ହୋଇ ଉଠନ୍ତି। ତେଣୁ ମାଆମାନେ ସମତା ରକ୍ଷା କରି ପିଲାଙ୍କୁ ସୁହାଇବା ପରି ନିର୍ବାଚନ କରନ୍ତୁ।

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାପାମାନଙ୍କ ଆଚରଣ। ଏହା କେବଳ ଗପ-ଉପନ୍ୟାସର କଥା ନୁହେଁ, ବାସ୍ତବରେ ପିଲାମାନେ ଖୁବ୍‌ ଅନୁକରଣ ପ୍ରେମୀ ହୋଇଥିବାରୁ ଆପଣଙ୍କ ବାପାଙ୍କ ପ୍ରତି ଆପଣଙ୍କ ବ୍ୟବହାର ହିଁ ସେମାନଙ୍କ ମନରେ ଆପଣଙ୍କ ପ୍ରତି ସ୍ନେହ ସୃଷ୍ଟି କରାଇପାରେ। ସେମାନେ ପରିବାରରେ ନିଜ ଜେଜେବାପାଙ୍କ ଗୁରୁତ୍ୱରୁ ଅବଚେତନ ମନରେ ବାପାଙ୍କ ଗୁରୁତ୍ୱ ସଂପର୍କର ଅବଗତ ହୋଇଥାନ୍ତି।

ସମ୍ବନ୍ଧିତ ଖବର