ଭାରତବର୍ଷର ସାଂସ୍କୃତିକ ତଥା ଧାର୍ମିକ ପରଂପରାରେ ଏହି ପବିତ୍ର ଭୂମିରେ ପ୍ରବାହିତ ନଦୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ବେଦ ଓ ପୁରାଣମାନଙ୍କରେ ନଦୀ ମାହାତ୍ମ୍ୟ ଏକ ସ୍ବତନ୍ତ୍ର ଅଧ୍ୟାୟରେ ପରିବେଷିତ। ଗଙ୍ଗା ମାହାତ୍ମ୍ୟ, ସରସ୍ବତୀ ମାହାତ୍ମ୍ୟ, ନର୍ମଦା ମାହାତ୍ମ୍ୟ ଯେପରି ପୁରାଣ ସାହିତ୍ୟର ଏକ ଏକ ଅଂଶ, ସେହିପରି ‘ପ୍ରାଚୀ ମାହାତ୍ମ୍ୟ’ ଏକ ସ୍ବତନ୍ତ୍ର କାବ୍ୟଭାବରେ ରଚିତ। ଯେଉଁ ମହାମୁନି ବ୍ୟାସ ପୁରାଣରେ ବିଭିନ୍ନ ନଦୀର ମାହାତ୍ମ୍ୟର ଉଲ୍ଲେଖ କରିଛନ୍ତି, ସେହି ମହାମୁନି ନଦୀକୁ ନେଇ ଏକ ସ୍ବତନ୍ତ୍ର କାବ୍ୟ ରଚନା କରିଛନ୍ତି, ଯାହାର ନାମ ‘ତାମ୍ରପର୍ଣ୍ଣି ମାହାତ୍ମ୍ୟ’। ତାମ୍ରପର୍ଣ୍ଣି-  ତାମିଲନାଡ଼ୁରେ ଥୀମରା ବରନୀ ବା ପେରି ନଈ ନାମରେ ପରିଚିତ ଏକ ଚିରସ୍ରୋତା ନଦୀ। ଏହି ନଦୀ ପଶ୍ଚିମଘାଟ ସ୍ଥିତ ମଳୟପର୍ବତର ପୋଥିଗଇ ପାହାଡ଼ ଅଗସ୍ତ୍ୟକୁଣ୍ଡର ଶିଖରରୁ ବାହାରି ମାଡ଼୍ରାସ୍ ପ୍ରେସିଡେନ୍ସିର ତିରୁ‌ନେଲ ବଲୀ ଏବଂ ପୁଥୁବୁଡ଼ି ଜିଲା ଦେଇ ପ୍ରବାହିତ ହୋଇ ଶ୍ରୀବୈକୁଣ୍ଠ ସମ୍ମୁଖରେ ମନ୍ନାରଠାରେ ଦକ୍ଷିଣ ସମୁଦ୍ରରେ ମିଳିତ ହୋଇଛି। ଏହାର ଲମ୍ବ ପ୍ରାୟ ୧୨୮ କିଲୋମିଟର। ତାମିଲ ଭାଷାରେ ଏହାର ନାମ ଆମରାବରନୀ ହେବାର କାରଣ, ଏହି ନଦୀରେ ବହୁ ମାତ୍ରାରେ ତାମ୍ର ଉପଲବ୍‌ଧ। ତମ୍ବାମିଶ୍ରିତ ହେବାରୁ ଏହାର ଜଳ ଅତ୍ୟନ୍ତ ସ୍ବାଦିଷ୍ଠ। ଗଦନନାଥୀ, ମଣପୁଥର, ପଚୈୟାରା ଆଦି ଏହାର ସହାୟକ ନଦୀ। ଇତିହାସପ୍ରସିଦ୍ଧ ଏହି ନଦୀ ଏହାର ତମ୍ବାମିଶ୍ରିତ ବାଲି, ମୋତି ଆଦି ପାଣ୍ଡ୍ୟ ସାମ୍ରାଜ୍ୟର ସମୃଦ୍ଧିର ମୁଖ୍ୟ କାରଣ ଥିଲା। ଏପରିକି ଏହି ନଦୀର ନାମାନୁସାରେ ସିଂହବାହୁଙ୍କ ପୁତ୍ର ବିଜୟ ତାମ୍ରପର୍ଣ୍ଣି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଇତିହାସ ଓ ପୌରାଣିକ ଦୃଷ୍ଟିରୁ ଏହା ମହତ୍ତ୍ବପୂର୍ଣ୍ଣ। ତାମ୍ରପର୍ଣ୍ଣିର ମହତ୍ତ୍ବ ରାମାୟଣ ଓ ମହାଭାରତରେ ବର୍ଣ୍ଣିତ। ବ୍ୟାସଦେବ ଉଲ୍ଲେଖ କରିଛନ୍ତି- “ସ୍ମରଣାତ୍‌ ଦର୍ଶନାତ୍‌ ଧ୍ୟାନାତ୍‌ ସ୍ନାନାତ୍‌ ପାନାଦପି ଧୃବମ୍‌ / କର୍ମ ବିଚ୍ଛେଦନ ସର୍ବଜନ୍ତୁନା ମୋକ୍ଷଦାୟିନୀ।’’ ଅର୍ଥାତ୍ ଏହି ନଦୀର ନାମ ସ୍ମରଣ ମାତ୍ରେ ମନୁଷ୍ୟର ସମସ୍ତ ଅପକର୍ମଜନିତ ପାପ ବିନଷ୍ଟ ହୁଏ। ଏଥିରେ ସ୍ନାନ କଲେ ବା ଏହାର ପବିତ୍ର ଜଳ ପାନ କଲେ ମୋକ୍ଷ ପ୍ରାପ୍ତି ହୁଏ।

Advertisment

   ଏ ସଂପର୍କରେ ଏକ ସୁନ୍ଦର କାହାଣୀ ରହିଛି। ବିବାହ ଉତ୍ସବରେ ଶିବଙ୍କୁ ପାର୍ବତୀ ଏକ ମାଳ ଅର୍ପଣ କରିଥିଲେ। ଶିବ ସେହି ମାଳଟିକୁ ମହାମୁନି ଅଗସ୍ତ୍ୟଙ୍କୁ ପ୍ରଦାନ କଲେ। ଅଗସ୍ତ୍ୟ ମାଳଟିକୁ ସ୍ପର୍ଶ କଲା ମାତ୍ରେ ସେ ଏକ ତାମ୍ରବର୍ଣ୍ଣର କନ୍ୟାରେ ପରିଣତ ହୋଇଗଲା। ତାର ଉଜ୍ଜ୍ବଳ ତାମ୍ରବର୍ଣ୍ଣ ଦେଖି ‌ଶିବ ତାର ନାମକରଣ କଲେ ତାମ୍ରପର୍ଣ୍ଣି। ଯେତେବେଳେ ଅଗସ୍ତ୍ୟ ବିନ୍ଧ୍ୟପର୍ବତକୁ ଦମନ କରିବା ନିମିତ୍ତ ଦାକ୍ଷିଣାତ୍ୟ ଗମନ କଲେ ତାଙ୍କ ସହିତ ଲୋପାମୁଦ୍ରା ଓ ତାମ୍ରପର୍ଣ୍ଣି ମଧ୍ୟ ଗମନ କଲେ। ମଳୟ ପର୍ବତରେ ପହଞ୍ଚିଲା ପରେ ସେଠାରେ ଲୋକକଲ୍ୟାଣ ନିମିତ୍ତ ସେ ଏକ ନଦୀ ହୋଇ ମଳୟ ଶିଖରରେ ବହିଲା। ଇନ୍ଦ୍ରାଦି ସମସ୍ତ ଦେବତା ତାଙ୍କର ସ୍ତୁତି କରିବାକୁ ଲାଗିଲେ। ଗଙ୍ଗା ଯମୁନା ଆଦି ନଦୀମାନେ ତାମ୍ରପର୍ଣ୍ଣିଙ୍କ ପୂଜା କରିବା ନିମିତ୍ତ ଉପସ୍ଥିତ ହେଲେ। ଏହାର ତୀର ଦେଶରେ ବ୍ରହ୍ମା,ବିଷ୍ଣୁ ଓ ଶିବ ଅବସ୍ଥାନ କରି ସଂସାର କଲ୍ୟାଣ ନିମିତ୍ତ ତୀର୍ଥ ପ୍ରତିଷ୍ଠା କଲେ। ତାମ୍ରପର୍ଣ୍ଣିଙ୍କର ନିତ୍ୟ ନିବାସ ହେଲା ଶ୍ରୀପୁରମ୍। ସମସ୍ତ ତୀର୍ଥର ଜଳ ନେଇ ଏହା ଅନ୍ୟ ଏକ ପୁଷ୍କରରେ ପରିଣତ ହେଲା।