ଏହା ଏମିତି ଏକ କାହାଣୀ, ଯାହାର ଆରମ୍ଭ ହୋଇଥିଲା ସ୍ୱର୍ଗଲୋକରେ। ସ୍ୱର୍ଗଲୋକରେ ଦେବତାମାନଙ୍କର ମନୋରଞ୍ଜନ ପାଇଁ ଗନ୍ଧର୍ବ, କିନ୍ନର ଓ ବିଦ୍ୟାଧରମାନଙ୍କ ସହିତ ଅପ୍ସରାମାନେ ରହିଥାଆନ୍ତି। ଏମାନଙ୍କୁ ସାଧାରଣତଃ ଦେବଗଣିକା କୁହାଯାଏ। କହିବାକୁ ଗଲେ ଏମାନେ ଇନ୍ଦ୍ରଙ୍କର କର୍ତ୍ତୃତ୍ୱାଧୀନ। ତପସ୍ୱୀମାନଙ୍କର ତପଭଙ୍ଗ କରିବାପାଇଁ ଇନ୍ଦ୍ର ସେମାନଙ୍କୁ ବାରମ୍ବାର ମର୍ତ୍ତ୍ୟଲୋକକୁ ପଠାଇଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅପ୍ସରାମାନଙ୍କ ମଧ୍ୟରୁ ପୁଞ୍ଜିକସ୍ଥଳା ଜଣେ। ତାଙ୍କୁ ସେପରି ଏକ ଜୀବନ ଆଦୌ ଭଲ ଲାଗୁ ନଥିଲା। ତେଣୁ ଇନ୍ଦ୍ରଙ୍କର କୌଣସି ଅନ୍ୟାୟ ଆଦେଶ ସେ ମାନୁନଥିଲେ। ଇନ୍ଦ୍ର ସେଥିରେ କ୍ରୋଧିତ ହୋଇ ତାଙ୍କୁ ସ୍ୱର୍ଗ ରାଜ୍ୟରୁ ବିତାଡ଼ିତ କରିଦେଲେ। ଫଳରେ ପୁଞ୍ଜିକସ୍ଥଳା ଆସି ବରୁଣ ପୁରରେ ରହିଲେ। ଦିନେ ବରୁଣଙ୍କ ଯଜ୍ଞଶାଳାରେ ଅସାବଧାନତା ବଶତଃ ତାଙ୍କ ହାତରୁ ଯଜ୍ଞକଳସ ଖସିପଡ଼ିଲା। ତେଣୁ, ମହର୍ଷି ଦୁର୍ବାସା ତାଙ୍କୁ ମର୍ତ୍ତ୍ୟଲୋକରେ ବାନରୀ ହୋଇ ଜନ୍ମନେବାକୁ ଅଭିଶାପ ଦେଲେ।
ଏଥିରେ ଦୁଃଖିତା ପୁଞ୍ଜିକସ୍ଥଳା ବରୁଣପୁରୀରୁ କୈଳାସ ଯାଇ କଠୋର ତପସ୍ୟା କରିବାକୁ ଲାଗିଲେ। ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କୁ ଦର୍ଶନ ଦେଲେ। ପୁଞ୍ଜିକସ୍ଥଳାଙ୍କ ଯାଚନା ଅନୁସାରେ ଶିବ ତାଙ୍କୁ ଶିବସଦୃଶ ଏକ ପୁତ୍ର ଲାଭ କରିବାକୁ ଆଶୀର୍ବାଦ କଲେ।
ଅନ୍ୟ ଜନ୍ମରେ ପୁଞ୍ଜିକସ୍ଥଳା ବାନରରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା ଭାବରେ ଜନ୍ମଲାଭ କରି ସୁମେରୁରାଜ କେଶ୍ରୀକୁ ବିବାହ କଲେ। କିନ୍ତୁ ଅନେକ ଦିନ ଧରି ତାଙ୍କର କୌଣସି ସନ୍ତାନ ନହେବାରୁ ନାରଦଙ୍କ ପରାମର୍ଶରେ ସେ ପବନଦେବଙ୍କୁ ଆରାଧନା କଲେ। ସନ୍ତୁଷ୍ଟ ପବନ ଦେବ ତାଙ୍କୁ ରୁଦ୍ରଙ୍କ ପରି ପରାକ୍ରମୀ ଓ ମାରୁତଙ୍କ ପରି ସର୍ବବ୍ୟାପୀ ଏକ ପୁତ୍ର ପ୍ରଦାନ କରିବାକୁ ସ୍ୱୀକୃତ ହେଲେ। ତପସ୍ୱିନୀ ଅଞ୍ଜନାଙ୍କର ତପସ୍ୟାଲବ୍ଧ ଫଳ ସ୍ୱରୂପ, ଜନ୍ମ ଗ୍ରହଣ କଲେ ମହାବୀର ହନୁମାନ।
ମହାବୀର ହନୁମାନଙ୍କ ପରି ଶୁଦ୍ଧ ବ୍ରହ୍ମଚାରୀ, ଅମିତ ତେଜସ୍ୱୀ, ଜିତେନ୍ଦ୍ରିୟ ତଥା ରାମଭକ୍ତ ଏପର୍ଯ୍ୟନ୍ତ କେହି ଜନ୍ମ ହୋଇନାହାନ୍ତି। ତାଙ୍କର ବଳବିକ୍ରମ ଲାଗି ତାଙ୍କୁ ପଞ୍ଚମୁଖୀ ଭାବରେ ପରିକଳ୍ପନା କରାଯାଇଛି। ଅର୍ଥାତ୍, ସେ ହୟଗ୍ରୀବଙ୍କ ପରି କ୍ଷିପ୍ରଗାମୀ, ବରାହଙ୍କ ପରି ଭୂତଳଗାମୀ, ଗରୁଡ଼ଙ୍କ ପରି ଆକାଶଗାମୀ, ନରସିଂହଙ୍କ ପରି ଭୟ ଓ ଆତଙ୍କବିନାଶୀ ଏବଂ ବାନରଙ୍କ ପରି ଲମ୍ଫ ପ୍ରଦାନକାରୀ।
ଏହି ଅଞ୍ଜନେୟ, ମାରୁତି, ମହାବୀର, କେଶ୍ରୀନନ୍ଦନଙ୍କର ଜନ୍ମଦିବସ ଓଡ଼ିଶାରେ ପବିତ୍ର ବିଷୁବ ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ।
ଡକ୍ଟର ତୁଳସୀ ଓଝା