ତପସ୍ୱିନୀ ବନମାଳତୀ

ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି। ଅରଣ୍ୟେ ରହିଲା ମାଳତୀ।।
ବିଷ୍ଣୁ ଆଗମ ଅନୁସରି। ମାଳତୀ ବନେ ବାସ କରି।।
ମହାଦେବ ଦାସଙ୍କ ‘କାର୍ତ୍ତିକ ମାହାତ୍ମ୍ୟ’ର ଏହି ଉଦ୍ଧୃତାଂଶରେ ଯେଉଁ ବନବାସିନୀ ତପସ୍ୱିନୀଙ୍କର କଥା କୁହାଯାଇଛି, ସେ କୌଣସି ମାନବୀ ନୁହନ୍ତି। ତାହା ଏକ ସୁଗନ୍ଧି ପୁଷ୍ପଲତିକା- ନାମ ମାଳତୀ। ଏହି ଫୁଲ ଦେବୀ ଦୁର୍ଗା, ସରସ୍ୱତୀ, କାଳୀ, ବଗଳାମୁଖୀ ଓ ଚାମୁଣ୍ଡାଙ୍କ ସହିତ ସ୍ୱୟଂ ବିଷ୍ଣୁଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ। ସାରା ବର୍ଷରେ ମାତ୍ର ଦୁଇ-ତିନିମାସ ଏହି ଫୁଲ ଫୁଟୁଥିଲେ ମଧ୍ୟ, ବର୍ଷ ସାରା ଏହି ଫୁଲର ଶୁଖିଲା ମାଳ ବିଷ୍ଣୁଙ୍କୁ ଦେବାର ବିଧି ଅଛି। କାରଣ ଶୁଖିଲା ବନମାଳତୀର ମାଳରେ ମଧ୍ୟ ବିଷ୍ଣୁ ତୃପ୍ତ ହୁଅନ୍ତି। ଏପରିକି ନବରାତ୍ରି ସମୟରେ ଦେବୀ ଦୁର୍ଗା ଓ କାଳୀ ଆଦିଙ୍କୁ ଶୁଖିଲା ମାଳତୀମାଳ ପ୍ରଦାନ କରିବାର ପରଂପରା ରହିଛି।

ଏହି ଫୁଲର ଜନ୍ମ ଓ ଜୀବନ ଅତ୍ୟନ୍ତ ରହସ୍ୟମୟ। ପୌରାଣିକ ଉପାଖ୍ୟାନ ଅନୁସାରେ, ଗୋଲୋକନିବାସୀ ବୃନ୍ଦା, ଦେବୀ ରାଧାଙ୍କ ଅଭିଶାପରେ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରି ଦୈତ୍ୟ ଜଳନ୍ଧରକୁ ବିବାହ କରିଥିଲେ। ଜଳନ୍ଧରର ଉତ୍ପାତରୁ ପୃଥିବୀକୁ ରକ୍ଷା କରିବା ନିମନ୍ତେ ବିଷ୍ଣୁ ମହାସତୀ ବୃନ୍ଦାଙ୍କର ସତୀତ୍ୱ ହରଣ କରି ତାହାର ବଧ କରାଇଲେ। ବୃନ୍ଦା ଏହା ଜାଣି ଦୁଃଖିତ ହୋଇ ଜଳନ୍ଧରର ଚିତାରେ ଝାସ ଦେଲେ। ମୃତ୍ୟୁ ପରେ ବୃନ୍ଦାଙ୍କର ଆତ୍ମା ସରସ୍ୱତୀ, ଗୌରୀ ଓ ଲକ୍ଷ୍ମୀଙ୍କ ଶରୀରରେ ବିଲୀନ ହେଲା।

ବିଷ୍ଣୁ କିନ୍ତୁ ନିଜର କୃତକର୍ମ ପାଇଁ ମର୍ମାହତ ଓ ବିଷାଦଗ୍ରସ୍ତ ହୋଇ ବଦରିକାରେ ବାସ କଲେ। ବିଷ୍ଣୁଙ୍କ ବିଷାଦମୋଚନ ପାଇଁ ଯୋଗମାୟା ଭୂଗର୍ଭରେ ପ୍ରବେଶ କରି ଶୁକ୍ଳ, କୃଷ୍ଣ ଓ ସ୍ୱର୍ଣ୍ଣ ତିନିମୂର୍ତ୍ତି ହୋଇ ଦେବତାମାନଙ୍କୁ ତିନିଟି ବୀଜ ପ୍ରଦାନ କଲେ ଏବଂ ସେହି ବୀଜରୁ ଜାତ ଉଦ୍ଭିଦ ବିଷ୍ଣୁଙ୍କୁ ସନ୍ତୋଷ ପ୍ରଦାନ କରିବ ବୋଲି ଜଣାଇଲେ।

ସେହି ବୀଜରୁ ସରସ୍ୱତୀଙ୍କ ଅଂଶରେ ଅଁଳା, ଗୌରୀଙ୍କ ଅଂଶରେ ତୁଳସୀ ଓ ଲକ୍ଷ୍ମୀଙ୍କ ତମ ଗୁଣର ଅଂଶରେ ମାଳତୀର ଉଦ୍‌ଭବ ହେଲା। ସେଥିରେ ବିଷ୍ଣୁ ପ୍ରସନ୍ନ ହୋଇ ଅଁଳା ଓ ତୁଳସୀଙ୍କୁ ନେଇ ବୈକୁଣ୍ଠ ଗମନ କଲେ। କିନ୍ତୁ ତମଗୁଣ ସଂପନ୍ନ ମାଳତୀକୁ ପୃଥିବୀରେ ଛାଡ଼ିଗଲାବେଳେ ପ୍ରତିଶ୍ରୁତି ଦେଲେ ଯେ ଦ୍ୱାପରରେ କୃଷ୍ଣରୂପରେ ଜନ୍ମ ଗ୍ରହଣ କଲାବେଳେ ଏହି ବନମାଳତୀକୁ ସେ ଶିରରେ ଓ ହୃଦଦେଶରେ ଧାରଣ କରିବେ। ‘କାର୍ତ୍ତିକ ମାହାତ୍ମ୍ୟ’ରେ ଏ ସଂପର୍କରେ ବର୍ଣ୍ଣନା ଅଛି-
ଶିରେ ହୃଦରେ ମାଳକରି। ମାଳତୀ ପୁଷ୍ପ ଥିବି ଧରି।।
ଯେ ମୋତେ ଦେବେ ସେ କୁସୁମ। ମାଳା ଗୋଟିକେ ଯଜ୍ଞକର୍ମ।।
ଅବଶ୍ୟ ଲଭିବ ସେ ଜନ। ବିଶେଷେ ଏକାଦଶୀ ଦିନ।
ଏଣୁ ସେବେଠାରୁ ମାଳତୀ ବିଷ୍ଣୁଙ୍କ ସେବାରେ ଅଛି। ସ୍ୱୟଂ ମହାଦେବୀ ଏହାର ବୀଜବପନ କରିଥିବାରୁ, ଏହି ପବିତ୍ର ଫୁଲ ଦେବୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ।

– ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର