‘ତାରାତାରିଣୀ’ ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ଦେବୀପୀଠ। ଋଷିକୁଲ୍ୟା ନଦୀତଟର ପର୍ବତ ଶିଖରରେ ଏହି ଯୁଗ୍ମ ଦେବୀପ୍ରତିମା ବିରାଜିତା। ଦେବୀଙ୍କ ନାମାନୁସାରେ ପର୍ବତଟି ପରିଚିତ ହେଲେ ହେଁ ଏହାର ନାମ ‘କୁମାରୀ ପର୍ବତ’ ବୋଲି ଜଣାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
‘ତାରିଣୀ’ ଦେବୀ ଦୁର୍ଗାଙ୍କର ଗୋଟିଏ ନାମ ଏବଂ ଏହି ଯୁଗ୍ମ ଦେବୀ ପ୍ରତିମା ଦୁର୍ଗାରୂପେ ହିଁ ପୂଜିତା ହୋଇଥାଆନ୍ତି। ଏହାକୁ ଦେବୀ ସତୀଙ୍କର ସ୍ତନଯୁଗଳ ନିପତିତ ହୋଇଥିବା ଶକ୍ତିପୀଠ ବୋଲି କେତେକ ଅଭିହିତ କରନ୍ତି। କିନ୍ତୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ୫୧ଟି ଶକ୍ତିପୀଠ ମଧ୍ୟରେ ଏହାର ଉଲ୍ଲେଖ ମିଳେ ନାହିଁ।
ତାରାତାରିଣୀଙ୍କ ସଂପର୍କରେ ପ୍ରଚଳିତ କିଂବଦନ୍ତି ଅନୁସାରେ, ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ୱର ନାମରେ ଜଣେ ରାଜା ଥିଲେ। ପ୍ରତିଦିନ ଏକ ମାଳାକାର (ମାଳି) ତାଙ୍କୁ ଫୁଲମାଳ ଗୁନ୍ଥି ଦିଏ। ଦିନେ ପ୍ରତ୍ୟୁଷରେ ସେ ଋଷିକୁଲ୍ୟା ନଦୀରେ ସ୍ନାନ କରିବା ବେଳେ, ଜଳ ମଧ୍ୟରୁ ଦୁଇ ଦେବକନ୍ୟା ଆବିର୍ଭୂତ ହେଲେ। ମାଳାକାର ନିଃସନ୍ତାନ ଥିବାରୁ ସେ ଦୁହିଁଙ୍କୁ ଘରକୁ ଆଣି କନ୍ୟାରୂପେ ପାଳିଲେ।
ଦିନେ କନ୍ୟାଦ୍ୱୟ ମାଳାଗୁନ୍ଥି ରାଜାଙ୍କ ପାଇଁ ପଠାଇଲେ। ରାଜା ସେହି ଅପୂର୍ବ ମାଳା ଦେଖି ତାହା କିଏ ଗୁନ୍ଥିଛି ବୋଲି ଜାଣିବାକୁ ଚାହିଁଲେ ଏବଂ ଦୁଇକନ୍ୟାଙ୍କ କଥା ଶୁଣି ତାଙ୍କୁ ଦେଖିବାକୁ ଇଚ୍ଛା କଲେ। କିନ୍ତୁ ରାଜାଙ୍କୁ ଦେଖି କନ୍ୟାଦ୍ୱୟ ପଳାଇ ଗଲେ। ରାଜା ସୈନ୍ୟ ସାମନ୍ତ ନେଇ ତାଙ୍କୁ ଧରିବାକୁ ଚେଷ୍ଟା କରିବାରୁ, ଦୁହେଁ କୁମାରୀ ପର୍ବତର ଶିଖରକୁ ଯାଇ ସେଠାରେ ଶିଳାରୂପ ଧାରଣ କଲେ। ସେହିଦିନଠାରୁ ଦୁଇଦେବୀ ସେହି ପର୍ବତ ଶିଖରରେ ପୂଜିତା ହେଉଛନ୍ତି। ତାଙ୍କ ଯୋଗୁଁ ପର୍ବତଟି ମଧ୍ୟ ପ୍ରସିଦ୍ଧ ହୋଇଛି। ପର୍ବତର ପାଦ ଦେଶରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଥିବାରୁ ତାହାର ଅନ୍ୟ ନାମ ‘ତାରିଣୀଚରଣ’ ହୋଇଛି। ଚୈତ୍ର ମାସର ମଙ୍ଗଳବାରରେ ତାରାତାରିଣୀ ପୀଠରେ ଯାତ୍ରା ହୋଇଥାଏ। ଏହି ଯାତ୍ରା ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ।
କିନ୍ତୁ ତାରାତାରିଣୀଙ୍କ ସଂପର୍କରେ ଆମପାଇଁ ଗୋଟିଏ ଗୌରବର ବିଷୟ ହେଉଛି- ଭାରତୀୟ ନୌବାହିନୀ ନିଜର ଗୋଟିଏ ଜାହାଜର ନାଆଁ ଏହି ଦେବୀଙ୍କ ନାମରେ ‘ତାରାତାରିଣୀ’ ରଖିଛନ୍ତି। ଭାରତୀୟ ନୌବାହିନୀର ବଛାବଛା ମହିଳା ସୈନିକ ସେଥିରେ ଜଳପଥରେ ଯାଇ ସାରା ପୃଥିବୀ ପରିକ୍ରମା କରି ଫେରିଛନ୍ତି।