ଟେନ୍‌ସନ୍‌ମୁକ୍ତି ଡ୍ୟାନ୍‌ସ ପାର୍ଟି, ୩୦ରୁ ଅଧିକ ସ୍ଥାନରେ ଉପଲବ୍ଧ

ରଙ୍ଗିନ ଆଲୁଅରେ ଲୁଚକାଳି ଖେଳେ ମତୁଆଲା ମନ। ଡିଜେର ଧୁମ ଧଡ଼ାକା ଗୀତ‌େର ଝୁମିଉଠେ ପୂରା ଶରୀର। ରଙ୍ଗିନ ମିଜାଜ୍‌ରେ ଉବୁଟୁବୁ ହୁଅନ୍ତି ଯୁବାରୁ ବୟସ୍କ ଯାଏଁ। ସଂଜ ନଇଁଲେ ଟେନ୍‌ସନିଆ ମଣିଷମାନଙ୍କୁ ହାତଠାରି ଡାକିନେଇ ଏମିତି ପରଶ ଲଗାଏ ‘ପବ୍‌’, ଡିସ୍କୋ ଓ ‘ଡ୍ୟାନ୍‌ସ ପାର୍ଟି’। ସାଥୀଙ୍କ ହାତରେ ହାତ ଛନ୍ଦି ସେମାନେ ଖୁବ୍‌ ନାଚନ୍ତି। କେଇ ଘଣ୍ଟାର ସେଇ ସମୟକୁ ନିଜ ଇଚ୍ଛାରେ, ନିଜ ଢଙ୍ଗରେ ବିତାନ୍ତି। ନା ବସ୍‌ଙ୍କ ତାଗିଦ୍‌ର ଭୟ ଥାଏ ନା କାମର ବୋଝ। ରାଜଧାନୀର ବ୍ୟସ୍ତବହୁଳ ମଣିଷଙ୍କୁ ଚିରାଚରିତ ଜୀବନଧାରାରୁ କେଇକ୍ଷଣ ବିରାମ ଦେବା ଉଦ୍ଦେଶ୍ୟରେ ସହରରେ ଗଢ଼ି ଉଠିଛି ଏହିପରି ପବ୍‌। ଥରେ ଏଠି ପ୍ରବେଶ ହୋଇଗଲେ, ନାଚଗୀତର ସେଇ ରଙ୍ଗମଞ୍ଚରେ ସବୁ ଅଚିହ୍ନା ମୁହଁ ବି ଚିହ୍ନାଚିହ୍ନା ଲାଗନ୍ତି। ଆଦିବାସୀମାନେ ଏବେ ବି ନିଜର ମନୋରଂଜନ ପାଇଁ ପାରମ୍ପରିକ ବାଦ୍ୟ ସହ ତାଳ ଦେଇ ଖୋଲା ଆକାଶ ତଳେ ନାଚୁଥିବା ବେଳେ ଆଧୁନିକ ସମାଜରେ ଏହା ଏକ ନିଆରା ଢଙ୍ଗରେ ଯୁବବର୍ଗଙ୍କ ମଧ୍ୟକୁ ଧସେଇ ପଶିଆସିଛି।  ରିପୋର୍ଟ: ହିତେଶ ନାୟକ

ରାଜଧାନୀ ଶିକ୍ଷା ହବ୍‌ ପାଲଟିଥିବା ବେଳେ ନାମୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପାଇଁ ବହୁ ଧନୀକ ଶ୍ରେଣୀର ପିଲାମାନଙ୍କ ସମାଗମ ହୋଇଛି। ଜାତୀୟ ଅନ୍ତର୍ଜାତୀୟ ସ୍ତରର ବଡ଼ କମ୍ପାନିର ଶାଖା ମଧ୍ୟ ଖୋଲିଛି। ତେଣୁ ଛାତ୍ରଛାତ୍ରୀଙ୍କ ସମେତ ଏହି କମ୍ପାନିର କର୍ମଜୀବୀମାନେ ମଧ୍ୟ ସଂଜ ନଇଁଲେ ପବ୍‌କୁ ଯିବାକୁ ପସନ୍ଦ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ରୋଡ୍‌, ଜନପଥ, ଜୟଦେବ ବିହାର, ପଟିଆରେ ପ୍ରାୟ ୩୦ରୁ ଅଧିକ ଡ୍ୟାନ୍ସବାର୍‌, ପବ୍‌ ଓ ଡିସ୍କୋ ବାର୍‌ ଖୋଲିଛି। ତାରକା ହୋଟେଲ୍‌ ମେ-ଫେୟାର, ସ୍ବସ୍ତି ପ୍ଲାଜା, ଏଚ୍‌ଏଚ୍‌ଆଇ, ଦୀପାଲି, ସୋଲାନ ଇନ୍‌, ରେନ୍‌ ଦ ବାର୍‌, ଗ୍ରିନ୍‌ ଫିଲ୍ଡ, ଅଶୋକା, ମ୍ୟାଡ୍‌ ମୁଲ୍‌ ଭଳି ଅନେକ ସ୍ଥାନରେ ପବ୍‌ ଓ ଡ୍ୟାନ୍‌ସ ପାର୍ଟିର ମଜା ମିଳୁଛି। ମୃଦୁ ପାନୀୟ ସହ କିଛି ସ୍ଥାନରେ ହୁକାର ବ୍ୟବସ୍ଥା ରହିଛି।

ଗ୍ରାହକଙ୍କୁ ଟାଣିବାକୁ ସ୍ବତନ୍ତ୍ର କଭର ଚାର୍ଜ

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସ୍ବତନ୍ତ୍ର କଭର ଚାର୍ଜର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଦୁଇଜଣଙ୍କୁ ଅନ୍ୟୁନ ୮ଶହ ଟଙ୍କାରୁ ୨ହଜାର ଟଙ୍କା ମୂଲ୍ୟ ରହିଛି। ଏଥିସହିତ କିଛି ସ୍ଥାନରେ ମେମ୍ବରସିପ୍‌ର ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ମାସିକିଆ, ୬ମାସିଆ, ବର୍ଷିକିଆ ଏମିତି କି ଲାଇଫ୍‌ ମେମ୍ବର ହେବାର ସୁଯୋଗ ରହିଛି। ବ୍ୟବସାୟକୁ ଦୃଷ୍ଟିରେ ରଖି କିଛି ସଂସ୍ଥା ଯୁବତୀମାନଙ୍କ ପାଇଁ ‘ମାଗଣା ପ୍ରବେଶ’ର ଅଫର୍‌ ଦେଉଛନ୍ତି। ଏହାର ଫାଇଦା ନେବା ପାଇଁ ଅନେକ ଯୁବତୀ ଦଳବଳ ହୋଇ ଏକାଠି ସାଙ୍ଗମାନଙ୍କ ସହ କିମ୍ବା ନିଜର ପ୍ରେମିକମାନଙ୍କ ସହ ଏଠାକୁ ଯିବାକୁ ପସନ୍ଦ କରୁଛନ୍ତି। ପ୍ରବେଶ ଶୁଳ୍କ ଦେବାକୁ ପଡ଼ୁନଥିଲେ ହେଁ ଖାଦ୍ୟ ଓ ପାନୀୟ ପାଇଁ ମୂଲ୍ୟ ଦେବାକୁ ପଡ଼ିଥାଏ।

ସବୁଠି ସିସିଟିଭି

ଖାଦ୍ୟ ସହ ପାନୀୟର ବ୍ୟବସ୍ଥା ରହିଥିବାରୁ ନିଶାଗ୍ରସ୍ତ ହୋଇଯିବା ପରେ କାଳେ କୌଣସି ଅଘଟଣ ଘଟିବ ତାହାକୁ ଦୃଷ୍ଟିରେ ରଖି ପବ୍‌ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଅଘଟଣକୁ ଏଡ଼ାଇବା ପାଇଁ ବାଉନ୍‌ସରଙ୍କୁ ନିୟୋଜିତ କରାଯାଇଛି। କେହି ବିଶୃଙ୍ଖଳା ଆଚରଣ କଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖିବା ପାଇଁ ସିସିଟିଭି ଖଞ୍ଜାଯାଇଛି। ‌୧୮ ବର୍ଷରୁ କମ୍‌ ବୟସର ଯୁବକ ଯୁବତୀମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ଶନି, ରବିବାର ଅସଲ ଭିଡ଼ 

ସପ୍ତାହଯାକର କାମର ଝିନ୍‌ଝଟକୁ ବ୍ରେକ୍‌ ଦେଇ ଅନେକ ଛୁଟିଦିନ ପୂର୍ବରୁ ନଚେତ୍‌ ଛୁଟିଦିନରେ ପବ୍‌କୁ ସନ୍ଧ୍ୟାରେ ଆସିବାକୁ ବେଶି ପସନ୍ଦ କରୁଛନ୍ତି। ବିଶେଷକରି ଶନିବାର ଓ ରବିବାର ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥାଏ। ଛାତ୍ରଛାତ୍ରୀ ହୁଅନ୍ତୁ ଅବା କର୍ମଜୀବୀ ଛୁଟିଦିନକୁ ବେଶି ପସନ୍ଦ କରନ୍ତି। ତେବେ ଏହି ଦିନ ଅପେକ୍ଷା ଅନ୍ୟ ଦିନରେ ସଂଖ୍ୟା କମ୍‌ ରହୁଥିବାରୁ ପବ୍‌ ଓ ଡ୍ୟାନ୍‌ସ ବାର୍‌ରେ ସ୍ବତନ୍ତ୍ର ରିହାତିର ବ୍ୟବସ୍ଥା ରଖାଯାଇଥାଏ। ଏଥିସହ ଛୁଟିଦିନରେ କିଛି ବ୍ୟବସାୟିକ ଅନୁଷ୍ଠାନ ବାହାରୁ କିଛି ନୃତ୍ୟଶିଳ୍ପୀଙ୍କୁ ଆଣି ସ୍ବତନ୍ତ୍ର କାର୍ଯ୍ୟକ୍ରମର ବନ୍ଦୋବସ୍ତ କରିଥାଆନ୍ତି।

ସମ୍ବନ୍ଧିତ ଖବର