ପୂର୍ବେ ସମାଜରେ ଶତାୟୁମାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା। ମାତ୍ର ଏବେ ଶତାୟୁଙ୍କ ସଂଖ୍ୟା ବଢ଼ିଚାଲିଛି। ୧୯୭୦ ମସିହା ପରଠାରୁ ପ୍ରତି ଦଶନ୍ଧିରେ ଶତାୟୁମାନଙ୍କ ସଂଖ୍ୟା ଦ୍ବିଗୁଣିତ ହେବାରେ ଲାଗିଛି। ମାତ୍ର ଦୀର୍ଘ ଜୀବନ ପଛର ରହସ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଉନ୍ମୋଚିତ ହୋଇପାରିନାହିଁ। ତେବେ ନବେ ବର୍ଷ ବୟସ ଅତିକ୍ରମ କରୁଥିବା ବ୍ୟକ୍ତିଙ୍କ ରକ୍ତର ଗୁଣାତ୍ମକ ମାନ ସାଧାରଣ ଲୋକଙ୍କ ଅପେକ୍ଷା ଭିନ୍ନ ବୋଲି ଏବେ ଜଣାପଡ଼ିଛି। ବିଶେଷ କରି ସେମାନଙ୍କ ରକ୍ତରେ ଶର୍କରା ଓ କୋଲେଷ୍ଟ୍ରୋଲ୍ ସ୍ତର ପରି କିଛି ଉପାଦାନର ଭିନ୍ନତା ହିଁ ସେମାନଙ୍କୁ ଦୀର୍ଘାୟୁ କରେ ବୋଲି ସ୍ପଷ୍ଟ ହୋଇଛି। ସ୍ବିଡେନ୍ର ୬୪ରୁ ୯୯ ବର୍ଷ ବୟସ୍କ ୪୪,୦୦୦ ଜଣ ବ୍ୟକ୍ତିଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ଏପରି ନିର୍ଯାସ ମିଳିପାରିଛି। ଶହେ ବର୍ଷ ଯାଏ ବଞ୍ଚୁଥିବା ବ୍ୟକ୍ତିଙ୍କର ୬୦ ବର୍ଷ ଛୁଇଁଲା ପରଠାରୁ ରକ୍ତ ଶର୍କରା, କ୍ରିଏଟିନାଇନ୍ ଓ ୟୁରିକ୍ ଏସିଡ୍ ସ୍ତର କମ୍ ରହୁଥିବା ଜଣାଯାଇଛି।
ସେହିପରି ମୋଟ କୋଲେଷ୍ଟ୍ରୋଲ୍ ଓ ଲୌହସାର ପରିମାଣ କମ୍ ରହୁଥିବା ବ୍ୟକ୍ତିଙ୍କର ଶତାୟୁ ହେବା ସମ୍ଭାବନା କମ୍। ତେବେ ଦୀର୍ଘ ଆୟୁ ସହିତ ଶରୀରର ହଜମ (ମେଟାବୋଲିକ୍) ଶକ୍ତି ଓ ପୋଷକର ସଂଯୋଗ ରହିଛି ବୋଲି ଗବେଷକମାନେ ଅନୁମାନ କରୁଛନ୍ତି। ଅପରପକ୍ଷେ, ଏହା ଉପରେ କୌଣସି ପ୍ରକାର ଆନୁବଂଶିକ ବା ଜୀବନଶୈଳୀଗତ ପ୍ରଭାବ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସୁଷମ ଖାଦ୍ୟ ଓ ମଦ୍ୟପାନ ଦ୍ବାରା ତାହା ଭୀଷଣ ଭାବରେ ପ୍ରଭାବିତ ହୋଇଥାଏ। ସର୍ବୋପରି ବୃଦ୍ଧକାଳରେ ନିଜର ଯକୃତ୍ ଓ ବୃକ୍କର ସୁସ୍ଥତା ହିଁ ଜଣକୁ ଦୀର୍ଘଜୀବନ ବଞ୍ଚିବାର ସୁଯୋଗ ଜୁଟାଇଥାଏ ବୋଲି କୁହାଯାଇଛି।