କାନ ଫୋଡ଼ାଇବାର ପ୍ରଥା ହଜାର ହଜାର ବର୍ଷ ପୁରୁଣା। ଏହା ମଣିଷର ଅଭିବ୍ୟକ୍ତି, ସମ୍ପର୍କ ଓ ପରିଚିତିର ଏକ ସ୍ବତନ୍ତ୍ର ଚିହ୍ନ। ଏବେ ସୌଖୀନ ଅଳଙ୍କାର ପିନ୍ଧିବା ଲାଗି ଲୋକମାନେ ଶରୀରର ବିଭିନ୍ନ ଅଙ୍ଗରେ ଚର୍ମ ଫୋଡ଼ାଉଛନ୍ତି। ତେବେ ଏହି ସୂକ୍ଷ୍ମ ଶାରୀରିକ ପରିବର୍ତ୍ତନ ଯେ ବିପଜ୍ଜନକ ହୋଇପାରେ, ତାହା ଏକ ଅଧ୍ୟୟନରୁ ଜଣାପଡ଼ିଛି।
କାନାଡାର ମ୍ୟାକ୍ଗିଲ ବିଶ୍ବବିଦ୍ୟାଳୟର ଦଳେ ଗବେଷକ କାନ ଫୋଡ଼ାଇଥିବା ୨୮ ଜଣଙ୍କ କାନର ଚର୍ମ ନମୁନାକୁ ଅନୁଧ୍ୟାନ କରି ଏପରି ନିର୍ଯାସ ପାଇଛନ୍ତି। ସେମାନଙ୍କ କହିବାନୁସାରେ, ଆମ ଚର୍ମରେ କୋଟି କୋଟି ସଂଖ୍ୟାରେ ଅଣୁଜୀବ ବସବାସ କରିଥା’ନ୍ତି। ଆମେ ସୁସ୍ଥ ରହିବା ଲାଗି ଚର୍ମରେ ରହୁଥିବା ବିଭିନ୍ନ ଅଣୁଜୀବଙ୍କ ଭାଗ ସନ୍ତୁଳିତ ରହିବା ଅପରିହାର୍ଯ୍ୟ। କାନ ଫୋଡ଼ାଇ ଚର୍ମରେ ଏକ ଧାତବ ପଦାର୍ଥ ପୂରାଇବା ଦ୍ବାରା ସେମାନଙ୍କ ସହାବସ୍ଥାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ। ଚର୍ମ ଉପରେ ବାସ କରୁଥିବା ଅଣୁଜୀବମାନଙ୍କ ପାଇଁ କାନଫୋଡ଼ା ଭୂମିକମ୍ପ ବା ଭୀଷଣ ଗ୍ରହାଣୁମାଡ଼ ସଦୃଶ ଏକ ବିପର୍ଯ୍ୟୟ ହୋଇଥାଏ।
କାନଫୋଡ଼ା ପ୍ରକ୍ରିୟାରେ ପ୍ରଥମେ କାନର ଚର୍ମକୁ ‘ଷ୍ଟେରିଲାଇଜ୍’ କରାଯାଇଥାଏ ଯାହା ଅଣୁଜୀବମାନଙ୍କର ଭୂମିକୁ ପରିଷ୍କାର କରି ଏକ ନୂତନ ଅଣୁଜୀବ ଗୋଷ୍ଠୀଙ୍କୁ ଭିତରକୁ ପ୍ରବେଶ କରିବାର ବାଟ ଫିଟାଇଥାଏ। ଏହା ପରେ ଚର୍ମରେ ଅଧିକ ଜୈବ ବିବିଧତା ଓ ପରିବେଶ ଜଟିଳତା ଦେଖାଯାଇଥାଏ। ତାହା ନାକ ଓ କାଖ ଭଳି ଆର୍ଦ୍ର ସ୍ଥାନରେ ରହୁଥିବା ଅନ୍ୟାନ୍ୟ ଅଣୁଜୀବମାନଙ୍କ ପାଇଁ ଅନୁକୂଳ ସ୍ଥାନ ପାଲଟିଥାଏ। ବିଶେଷ କରି ଫୋଡ଼ାଯାଇଥିବା ସ୍ଥାନ ଚାରିପାଖେ ‘ଷ୍ଟାଫିଲୋକୋକସ ଏପିଡର୍ମିଡିସ’ ଓ ‘କ୍ୟୁଟିବାକ୍ଟେରିଅମ୍ ଆକନ୍ସ’ ନାମକ ବୀଜାଣୁମାନଙ୍କ ପ୍ରାଦୁର୍ଭାବ ଦେଖାଯାଇଥାଏ। ଉଭୟ ଅଣୁଜୀବ ବିପଜ୍ଜନକ ହୋଇଥିବା ବେଳେ ଗୋଟିଏ ସ୍ଥାନରେ ସେମାନେ ଏକାଠି ଥିଲେ ପରସ୍ପରଙ୍କ ପ୍ରାଦୁର୍ଭାବକୁ ସନ୍ତୁଳନରେ ରଖିଥା’ନ୍ତି। ସେହି ସନ୍ତୁଳନକୁ କିପରି ବଜାୟ ରଖାଯାଇପାରିବ ତାହା ଏଭଳି ଅଧ୍ୟୟନରୁ ସ୍ପଷ୍ଟ ହେବ ବୋଲି ଗବେଷକମାନେ ଆଶା ରଖିଛନ୍ତି।