ପରଦା ପଛରୁ ଆଗକୁ ଆସିବାର ମୋହ

ଏକ ପ୍ରତିଷ୍ଠିତ କଳାକାର ପରିବାରରୁ ଆସି ସୁଦ୍ଧା ଅଭନୟ ଜଗତ୍‌ରେ ନିଜର ପରାକାଷ୍ଠା ପ୍ରତିପାଦନ ପାଇଁ କିଭଳି ନିଷ୍ଠାର ସହ କଷ୍ଟ କରିବାକୁ ପଡ଼ିଥାଏ , ତାହାର ଜ୍ବଳନ୍ତ ପ୍ରମାଣ ହେଉଛନ୍ତି ମାଳବିକା ମୋହନନ୍‌। ମୁମ୍ବାଇରେ ୧୯୯୩ ଅଗଷ୍ଟ ୪ରେ ଏକ କେରଳୀ ପରିବାରରେ ଖ୍ୟାତନାମା ସିନେମାଟୋଗ୍ରାଫର କେ. ୟୁ. ମୋହନଙ୍କ ସୁପୁତ୍ରୀ ଭାବେ ଜନ୍ମ ନେଇଥିବା ମାଳବିକା ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ନିଜ ପିତାଙ୍କ ପଦାନୁସରଣ କରି ଜଣେ ସିନେମାଟୋଗ୍ରାଫର କିମ୍ବା ନିର୍ଦ୍ଦେଶକ ସାଜିବା ତାଙ୍କର ଲକ୍ଷ୍ୟ ଥିଲା। ତେବେ ଏ ଦିଗରେ ଉଚ୍ଚ ଶିକ୍ଷା କରିବା ପୂର୍ବରୁ ଏକଦା ସେ ପିତାଙ୍କ ସହ ଏକ ବିଜ୍ଞାପନର ସୁଟିଂସ୍ଥଳକୁ ବୁଲି ଯାଇଥିଲେ। ସେଠାରେ ପ୍ରସିଦ୍ଧ ମାଲାୟଲୀ ଅଭିନେତା ମାମୁଥି ମାଳବିକାଙ୍କର ବ୍ୟକ୍ତିତ୍ବରେ ମୁଗ୍ଧ ହୋଇ ତାଙ୍କର ପରବର୍ତ୍ତୀ ସିନେମାରେ ନିଜ ପୁଅ ଦୁଲକର ସଲମାନଙ୍କ ବିପକ୍ଷରେ ମାଳବିକାଙ୍କୁ ନାୟିକା ଭାବେ ଦେଖିବା ପାଇଁ ପ୍ରବର୍ତ୍ତାଇଥିଲେ। ଏପରି ଅନାହୂତ ପ୍ରଥମ ସୁଯୋଗରେ ହିଁ ମାଳବିକାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା।

ଫଳସ୍ବରୂପ, ୨୦୧୩ରେ ମାଲାୟଲୀ ସିନେମା ‘ପତ୍ତମ୍‌ ପୋଲେ’ରେ ପଦାର୍ପଣ ପୂର୍ବକ ସେ ପୂର୍ବର କଳ୍ପନା ଓ ସଂକଳ୍ପ ଭୁଲିଯାଇ ଅଭିନୟରେ ମଗ୍ନ ରହିଲେ। ପରଦା ପଛରେ ରହି ସିନେମାଟୋଗ୍ରାଫର ନହୋଇ ସେ ପରଦା ସାମନାରେ ନିଜର ଅଭିନୟକୁ ବଜାୟ ରଖିଲେ। ଏହାପରେ ୨୦୧୫ରେ ମାଲାୟଲୀ ସିନେମା ‘ନିର୍ଣ୍ଣାୟକମ୍‌’ରେ ସେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲେ। ତେବେ ପ୍ରଥମ ଦୁଇଟିଯାକ ସିନେମାରେ ତାଙ୍କୁ ସେଭଳି ଲୋକପ୍ରିୟତା ମିଳିନଥିଲା। ଏହାପରେ ସେ ୨୦୧୬ରେ ଜଣେ ନବାଗତ ନାୟକଙ୍କ ସହ କନ୍ନଡ଼ ଫିଲ୍ମ ‘ନାନୁ ମତ୍ତୁ ବରଲକ୍ଷ୍ମୀ’ରେ ପ୍ରଥମ ପଦାର୍ପଣ କରି ସମାଲୋଚକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମାଲାୟଲୀ ଫିଲ୍ମ ‘ଦି ଗ୍ରେଟ୍‌ ଫାଦର’ର ମୀରା ଭୂମିକା ତାଙ୍କୁ ପ୍ରତିଷ୍ଠିତ କରାଇବା ସହ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ସାଉଁଟିବା ପାଇଁ ସୁଯୋଗ ଆଣିଥିଲା। ତେବେ ଜଣେ ନାୟିକା ଭାବରେ ମାଳବିକାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ୨୦୧୭ର ହିନ୍ଦୀ ଫିଲ୍ମ ‘ବିଅଣ୍ଡ୍‌ ଦି କ୍ଳାଉଡ୍‌ସ’ର ତାରା ଭୂମିକା।

ଏହା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ହୋଇଥିବା ବେଳେ ଏଥିପାଇଁ ତାଙ୍କୁ ୨୦୧୯ରେ ‘ବର୍ଷର ଅଭିନୟ ସମ୍ବେଦନ’ ଭାବରେ ଏସିଆଭିଜନ୍‌ ସମ୍ମାନ ମିଳିବା ସହ ସ୍କ୍ରିନ୍‌ ସମ୍ମାନ ପାଇଁ ମଧ୍ୟ ତାଙ୍କ ନାମ ସୁପାରିସ ହୋଇଥିଲା। ଏହାପରେ ୨୦୧୯ରେ ତାଙ୍କର ପ୍ରଥମ ତାଲିମ ଫିଲ୍ମ ‘ପେଟ୍ଟା’ ଓ ଗତବର୍ଷ ମୁକ୍ତିଲାଭ କରିଥିବା ‘ମାଷ୍ଟର’ ମଧ୍ୟ ତାଙ୍କ ସଫଳତାକୁ ଆଉ ପାଦେ ଆଗେଇ ନେଇଥିଲା। ଚଳିତବର୍ଷ ଆସିବାକୁ ଥିବା ତାଙ୍କର ତାମିଲ ଫିଲ୍ମ ‘ମାରନ୍‌’ ଓ ହିନ୍ଦୀ ଫିଲ୍ମ ‘ଯୁଦ୍ଧରା’ ପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ନିଜର ଜୀବନର ଗତିପଥକୁ ବଦଳାଇ ଏପରି ଭାବେ କିଛି ହାତଗଣତି ସିନେମାରେ ଅଭିନୟ କରି ମଧ୍ୟ ମାଳବିକା ନୂତନ ଅବତାରକୁ ବେଶ ପ୍ରସ୍ଫୁଟିତ କରିବାରେ ଲାଗିଛନ୍ତି। ତେବେ ସମୟ ଓ ସୁଯୋଗ ମିଳିଲେ ମନରେ ଚାପି ରହିଥିବା ନିର୍ଦ୍ଦେଶନାର ସ୍ବପ୍ନ ଭବିଷ୍ୟତରେ ସାକାର ହେବ ବୋଲି ସେ ଆଶା ବାନ୍ଧି ରହିଛନ୍ତି।

ସମ୍ବନ୍ଧିତ ଖବର