ଆଇସିୟୁ କ’ଣ ଓ ଏହା କାହିଁକି ଆବଶ୍ୟକ?
ଆଇସିୟୁ ବା ଇଣ୍ଟେନ୍ସିଭ୍ କେଆର୍ ୟୁନିଟ୍ ହେଉଛି ଡାକ୍ତରଖାନାର ଏକ ସ୍ବତନ୍ତ୍ର ଵାର୍ଡ ଯେଉଁଠି ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାର ସୂକ୍ଷ୍ମ ନିରୀକ୍ଷଣ କରାଯାଏ ଏବଂ ସେମାନଙ୍କୁ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରାଯାଏ। ବିଶେଷଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଦଳର ଅନବରତ ନିରୀକ୍ଷଣ ଲୋଡୁଥିବା ରୋଗୀମାନଙ୍କ ପାଇଁ ଆଇସିୟୁ ଆବଶ୍ୟକ ହୋଇଥାଏ।
କେଉଁ ପ୍ରକାର ରୋଗୀ ସାଧାରଣତଃ ଆଇସିୟୁରେ ଭର୍ତ୍ତି ହୁଅନ୍ତି?
ଯେଉଁ ରୋଗୀମାନେ ଗୁରୁତର ଭାବେ ଅସୁସ୍ଥ ବା ଆହତ ହୋଇଥାନ୍ତି, ଯେମିତିକି ଦୁର୍ଘଟଣାରେ ଗୁରୁତର ଆଘାତ ଲାଗିବା, ହୃଦ୍ଘାତ, ଷ୍ଟ୍ରୋକ୍ ବା ଜଟିଳ ସଂକ୍ରମଣ ହେବା ଆଦି କ୍ଷେତ୍ରରେ ରୋଗୀଙ୍କୁ ଆଇସିୟୁରେ ରଖାଯାଏ। ବଡ଼ ଧରଣର ଅସ୍ତ୍ରୋପଚାର ବା ଅଙ୍ଗପ୍ରତ୍ୟଙ୍ଗ ନିଷ୍କ୍ରିୟ ହୋଇଯାଇଥିବା ରୋଗୀଙ୍କୁ ମଧ୍ୟ ଆଇସିୟୁରେ ଭର୍ତ୍ତିକରି ଚିକିତ୍ସା କରିବାକୁ ପଡ଼େ।
ଆଇସିୟୁରେ କେଉଁଭଳି ସରଞ୍ଜାମ ଓ ଯନ୍ତ୍ର ବ୍ୟବହୃତ ହୁଏ?
ଆଇସିୟୁରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ରହିଥାଏ, ଯାହା ସାହାଯ୍ୟରେ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବା ସହିତ ସେମାନଙ୍କର ଯତ୍ନ ନିଆଯାଇଥାଏ। ସେଭଳି କେତେକ ସାଧାରଣ ଯନ୍ତ୍ର ହେଉଛି ଭେଣ୍ଟିଲେଟର୍ (ଶ୍ବାସକ୍ରିୟା ଯନ୍ତ୍ର), ହାର୍ଟ ମନିଟର୍, ଡାଏଲିସିସ୍ ମେସିନ୍ ଓ ଇନ୍ଫ୍ୟୁଜନ୍ ପମ୍ପ, ଅଲ୍ଟ୍ରା ସୋନୋଗ୍ରାଫି, ଏବିଜି ମେସିନ୍, ସକ୍ସନ୍ ମେସିନ୍, ଏଆର୍ୱେ ସରଞ୍ଜାମ ଇତ୍ୟାଦି।
ରୋଗୀଙ୍କୁ ଦେଖିବା ପାଇଁ ପରିବାର ଲୋକ ଆଇସିୟୁ ଭିତରକୁ ଯାଇପାରିବେ କି?
ହଁ, ପରିବାର ଲୋକ ଆଇସିୟୁ ଭିତରକୁ ଯାଇପାରିବେ, କିନ୍ତୁ କେତେକ କଟକଣା ରହିଛି। ଏହି ସମୟ ସୀମିତ ରହିଥାଏ ଏବଂ ସମ୍ପର୍କୀୟଙ୍କୁ ମାସ୍କ ଓ ଗାଉନ୍ ପରି ସୁରକ୍ଷା ପୋଷାକ ପିନ୍ଧିବାକୁ ପଡ଼ିଥାଏ। ଏପରି କରାଯିବାର ଉଦ୍ଦେଶ୍ୟ ହେଲା ଉଭୟ ରୋଗୀ ଓ ସମ୍ପର୍କୀୟଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା।
ଜଣେ ରୋଗୀ ସାଧାରଣତଃ କେତେ ଦିନ ଆଇସିୟୁରେ ରହନ୍ତି?
ଆଇସିୟୁ ରହଣିର ଅବଧି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସାର ଫଳପ୍ରଦତା ଉପରେ ନିର୍ଭର କରେ। କେତେକ ରୋଗୀ ମାତ୍ର କିଛି ଦିନ ପାଇଁ ଆଇସିୟୁରେ ରହୁଥିବା ବେଳେ ଅନ୍ୟ ରୋଗୀମାନେ ଅନେକ ସପ୍ତାହ, ଏପରିକି ମାସ ମାସ ଧରି ରହିଥାନ୍ତି। ଆଇସିୟୁ ଟିମ୍ର କାମ ହେଲା ରୋଗୀକୁ ଆରୋଗ୍ୟଲାଭ କରିବାରେ ସାହାଯ୍ୟ କରିବା ଏବଂ ଯଥାଶୀଘ୍ର କମ୍ ଯତ୍ନ ଲୋଡୁଥିବା ସ୍ଥିତିକୁ ଆଣିବା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp