‘ମେଲାନୋମା’ ନାମକ ଚର୍ମ କର୍କଟର ପ୍ରତିକାର ସ୍ବରୂପ ପ୍ରଥମ ଥର ପାଇଁ ପ୍ରତିଷେଧକ ଟିକାର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି। ଉକ୍ତ ଟିକାର ନୈଦାନିକ ପରୀକ୍ଷଣର ଅଂଶବିଶେଷ ତୃତୀୟ ପର୍ଯ୍ୟାୟରେ ୟୁନାଇଟେଡ୍ କିଙ୍ଗ୍ଡମ୍ର ‘ୟୁନିଭର୍ସିଟି କଲେଜ ଲଣ୍ଡନ୍’ରେ ମନୁଷ୍ୟଙ୍କ ଠାରେ ତାହାର ପ୍ରୟୋଗ ଆରମ୍ଭ ହୋଇଛି। ବ୍ରିଟିସ ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ଓ ଯତ୍ନ ଗବେଷଣା ପ୍ରତିଷ୍ଠାନ (ଏନ୍ଆଇଏଚ୍ଆର) ସହାୟତାରେ ଏହା ଜାରି ରହିଛି। ଏମ୍ଆର୍ଏନ୍ଏ ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ ଏହି ଟିକାକୁ ଭେଷଜ କମ୍ପାନି ‘ମଡର୍ଣ୍ଣା’ ଏବଂ ‘ମର୍କ ସାର୍ପ ଆଣ୍ଡ୍ ଡୋମ୍’ ମିଳିତ ଭାବରେ ବିକଶିତ କରିଛନ୍ତି।
ଏହି ଟିକା ପ୍ରୟୋଗ ଦ୍ବାରା କୌଣସି ମେଲାନୋମା ରୋଗୀ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ତାହାର କର୍କଟଗ୍ରସ୍ତ ଜୀବକୋଷଗୁଡ଼ିକୁ ଚିହ୍ନଟ କରିବା ସହ ତାହା ଉପରେ ଆକ୍ରମଣ କରିପାରିବ। ଏଭଳି ଟିକା ପ୍ରୟୋଗର ଉଦ୍ଦେଶ୍ୟ ହେଉଛି, କୌଣସି ସ୍ଥାନରୁ ଟ୍ୟୁମର କାଢ଼ିବା ପରେ ସେଠାରେ ତାହାର ପୁନରାବିର୍ଭାବକୁ ରୋକିବା। ସେଥିପାଇଁ ଅସ୍ତ୍ରୋପଚାର ବେଳେ ରୋଗୀର ଟ୍ୟୁମର ସ୍ଥଳର ନମୁନା ସଂଗ୍ରହ କରାଯାଏ। ତା’ପରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗରେ ଡିଏନ୍ଏ ସିକ୍ବେନ୍ସିଂ କରି ନିର୍ଦ୍ଦିଷ୍ଟ ଟ୍ୟୁମର ପାଇଁ ଚିକିତ୍ସା ନିର୍ଣ୍ଣୟ କରାଯାଇଥାଏ। ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳରୁ ଟ୍ୟୁମରର ପୁନରାବିର୍ଭାବ ୪୯ ପ୍ରତିଶତ କମିଥିବା ଜଣାଯାଇଛି। ତେବେ ‘ଇଣ୍ଟରପାଥ-୦୦୧’ ନାମକ ଏହି ତୃତୀୟ ପର୍ୟ୍ୟାୟ ପରୀକ୍ଷଣରେ ବିଶ୍ବର ୧,୦୮୯ ଜଣ ରୋଗୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି।